ମୃତ ଶିଶୁଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ଓମ ବିର୍ଲା, ଘନଉଛି ରାଜନୀତି
Advertisement
Article Detail0/zeeodisha/odisha619603

ମୃତ ଶିଶୁଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ଓମ ବିର୍ଲା, ଘନଉଛି ରାଜନୀତି

ବର୍ତ୍ତମାନ  ସୁଦ୍ଧା କୋଟାରେ ଥିବା ଜେକେ ଲୋନ ଡାକ୍ତରଖାନାରେ ପ୍ରାୟ ୧୦୭ ଜଣ ଶିଶୁଙ୍କ ମୃତ୍ୟୁ ହୋଇ ସାରିଛି ।

ମୃତ ଶିଶୁଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ଓମ ବିର୍ଲା, ଘନଉଛି ରାଜନୀତି

କୋଟା: ରାଜସ୍ଥାନର କୋଟା ଜିଲ୍ଲାରେ ହେଉଥିବା ଶିଶୁ ମୃତ୍ୟୁକୁ ନେଇ ଏବେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବର୍ତ୍ତମାନ  ସୁଦ୍ଧା କୋଟାରେ ଥିବା ଜେକେ ଲୋନ ଡାକ୍ତରଖାନାରେ ପ୍ରାୟ ୧୦୭ ଜଣ ଶିଶୁଙ୍କ ମୃତ୍ୟୁ ହୋଇ ସାରିଛି। ଏହି ଶିଶୁ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ସମାଲୋଚନା କରି ସାରିଲେଣି।  

ସେହିପରି ଶିଶୁ ମୃତ୍ୟୁକୁ ନେଇ ଦେଶରେ ଚାରିଆଡ଼େ ରାଜନୀତି ମଧ୍ୟ ବେଶ ତୀବ୍ର ହେବାରେ ଲାଗିଛି। ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ମଧ୍ୟ ଶୁକ୍ରବାର ଡାକ୍ତରଖାନା ଗସ୍ତ କରିଥିଲେ। ସେ କହିଥିଲେ ଡାକ୍ତରଖାନାର ଏହି ଦୁରାବସ୍ଥା ପାଇଁ ପୂର୍ବତନ ରାଜ୍ୟ ସରକାର ଦାୟୀ ବୋଲି ସେ ଦର୍ଶାଇଥିଲେ। ପୂର୍ବ ସରକାରରେ ଡାକ୍ତରଖାନାକୁ ଯେଉଁ ଅବହେଳା କରାଯାଇଛି, ତାହାକୁ ସମ୍ପୂର୍ଣ୍ଣ ଭାବେ ଆମ ସରକାର ପୂରଣ କରିବ ବୋଲି ସେ କହିଛନ୍ତି।  

ତେବେ ଶୁକ୍ରବାର ଲୋକସଭା ସ୍ପିକର ତଥା କୋଟା ସାଂସଦ ଓମ ବିର୍ଲା ଡାକ୍ତରଖାନା ଗସ୍ତ କରିଥିଲେ। ତାଙ୍କ ସହିତ କେନ୍ଦ୍ରୀୟ ଟିମ ମଧ୍ୟ ଡାକ୍ତରଖାନା ଗସ୍ତ କରିଥିଲା । ଶ୍ରୀ ବିର୍ଲା ଡାକ୍ତରଖାନା ଗସ୍ତ କରି ମୃତ ଶିଶୁଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ।  

ଓମ ବିର୍ଲାଙ୍କ ପୂର୍ବରୁ ଗତ ୨୯ ତାରିଖରେ ରାଷ୍ଟ୍ରୀୟ ଶିଶୁ ବାଲ ଅଧିକାରୀ ସଂରକ୍ଷଣ ଆୟୋଗର ସଦସ୍ୟ ମଧ୍ୟ ଗସ୍ତ କରିଥିଲେ। ଆୟୋଗର ମୁଖ୍ୟ ପ୍ରିୟଙ୍କା କାନୁନଗୋ ମଧ୍ୟ ଡାକ୍ତରଖାନା ଗସ୍ତ କରିଥିଲେ। ତେବେ ଏହି ଗସ୍ତ ସମୟରେ ଡାକ୍ତରଖାନାରେ ଥିବା ଅବହେଳା ସମ୍ପର୍କରେ ଆୟୋଗ ସୂଚନା ଦେଇଥିଲା। ଫଳରେ ଏହି ଅବହେଳାକୁ ନେଇ ଏବେ ଅନେକ ପ୍ରଶ୍ନ ଛିଡ଼ା ହୋଇଛି।

ଡାକ୍ତରଖାନାରେ ଅନେକ ଅବହେଳା ଏବଂ ବାସ୍ତବ ସ୍ଥିତି ଆୟୋଗ ସଦସ୍ୟଙ୍କ ଦୃଷ୍ଟି ଗୋଚର ହୋଇଥିଲା। ଡାକ୍ତରଖାନା ମଧ୍ୟରେ ଘୁଷୁରି ବୁଲୁଥିବା ବେଳେ ଝରକାର କାଚ ମଧ୍ୟ ଭଙ୍ଗା ରହିଥିଲା। ଏପରିକି ରୋଗୀଙ୍କ ପାଇଁ ଯଥେଷ୍ଟ ଶଯ୍ୟା ନଥିବା ଦେଖିବାକୁ ପାଇଥିଲେ ଆୟୋଗର ସଦସ୍ୟମାନେ। ଏପରିକି ଡାକ୍ତରଖାନା କର୍ତ୍ତୃପକ୍ଷ ମଧ୍ୟ ପରିଷ୍କାର ପ୍ରତି କୌଣସି ଧ୍ୟାନ ଦେଉନଥିବା ଆୟୋଗ ଅଭିଯୋଗ କରିଥିଲେ। ଉପକରଣ ମଧ୍ୟ ଭାଙ୍ଗିରୁଜି ଯାଇଥିବା ଜଣାପଡ଼ିଛି। ଡାକ୍ତରଖାନା ଉପକରଣର କୌଣସି ରେକର୍ଡ ନଥିବା ମଧ୍ୟ ଅଭିଯୋଗ କରିଛି ଆୟୋଗ।  

ସେପଟେ ଏହି ଶିଶୁ ମୃତ୍ୟୁ ଘଟଣାର ଅବହେଳାକୁ ଦର୍ଶାଇ ସ୍ୱାସ୍ଥ୍ୟ ବିଭାଗକୁ ନୋଟିସ କରିଥିଲା ଆୟୋଗ । ୩୦ ତାରିଖରେ ଆୟୋଗ ଏହି ନୋଟିସ ଜାରି କରିଥିବା ବେଳେ ୩ ଦିନ ମଧ୍ୟରେ ନିଜର ମନ୍ତବ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନଥିବା ନେଇ ଆୟୋଗ ସୂଚନା ଦେଇଛି। ତେବେ ଡାକ୍ତରଖାନା ଭାରତୀୟ ମେଡ଼ିକାଲ କାଉନସିଲ ଜାରି କରିଥିବା ନିର୍ଦ୍ଦେଶାବଳୀଠାରୁ ଯଥେଷ୍ଟ ପଛରେ ରହିଛି ବୋଲି ଆୟୋଗ ଅଭିଯୋଗ କରିଛନ୍ତି। ଆୟୋଗ ଅଭିଯୋଗ କରିଛି ଯେ, ଡାକ୍ତରଖାନାରେ ଯଥେଷ୍ଟ କର୍ମଚାରୀ ନାହାନ୍ତି। ସେହିଭଳି ଡାକ୍ତରଖାନାରେ ଥିବା ଭେଣ୍ଟିଲେଟରରୁ ଅନେକ ଠିକ ଭାବେ କାମ କରୁନାହିଁ। ଫଳରେ ଚିକିତ୍ସା ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଥିବା ଜଣାପଡ଼ିଛି।