ଯେଉଁ ସହରରୁ କାୟା ମେଲାଇଥିଲା କୋରୋନା, ଆଜିଠୁ ସେଠି ହଟିଲା ଲକ୍ ଡାଉନ...
Advertisement

ଯେଉଁ ସହରରୁ କାୟା ମେଲାଇଥିଲା କୋରୋନା, ଆଜିଠୁ ସେଠି ହଟିଲା ଲକ୍ ଡାଉନ...

ବିମାନ ଓ ରେଳ ସେବା ମଧ୍ୟ ଆରମ୍ଭ

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଚୀନରୁ ଆସିଲା ଦୁଇ ଦୁଇଟି ଆଶ୍ୱସ୍ତିକର ଖବର । ଗୋଟିଏ ସମଗ୍ର ଚୀନକୁ ନେଇ । ଗତ ଜାନୁଆରୀ ପରେ ଲଗାତାର ଦ୍ୱିତୀୟ ଦିନରେ ଚୀନରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ ରହିଛି । ଅନ୍ୟଟି କୋରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଉହାନକୁ ନେଇ । ଗତ ଜାନୁଆରୀ ୨୩ରୁ ଲକ୍ ଡାଉନ ଘୋଷଣା ହୋଇଥିବା ଉହାନରେ ଆଜି ଏହାକୁ ପ୍ରତ୍ୟାହର କରିଛନ୍ତି ଚୀନ ସରକାର । ଫଳରେ ପୁଣିଥରେ ଉହାନରେ ସବୁକିଛି ସ୍ୱାଭାବିକ ହୋଇଛି । ଉହାନରୁ ଚୀନର ଅନ୍ୟ ସହରକୁ ବିମାନ ଓ ରେଳ ସେବା ମଧ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି । 

 ଆଜିଠୁ ଚୀନର ଅନ୍ୟ ସହରକୁ ଯାତ୍ରା କରିପାରିବେ ଉହାନବାସୀ । ବିବିସିର ଏକ ରିପୋର୍ଟ ଅନୁଯାୟୀ, ଏନେଇ ଉହାନ ନାଗରିକଙ୍କ ପାଇଁ କିଛି ଗାଇଡଲାଇନ ରହିଛି । ଯେଉମାନଙ୍କ ସ୍ମାର୍ଟ ଫୋନରେ ଥିବା ସରକାରୀ ହେଲଥ ଆପରେ ଗ୍ରୀନ କୋଡ୍ ରହିଛି, ସେମାନେ ସହର ବାହାରକୁ ଯିବାକୁ ଯୋଗ୍ୟ ବିବେଚିତ ହେବେ । ସେହିପରି ଉହାନ ସହରରୁ ଚୀନର ଅନ୍ୟ ସହରକୁ ରେଳ ଏବଂ ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି । 

ଏଠାରେ କହିରଖୁଛୁ, ଗତ ମାସ ଉହାନରେ କିଛି ସପିଂ ମଲ ଏବଂ ଅନ୍ୟ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲା । ମାତ୍ର ସହର ବାହାରକୁ ଯାତ୍ରା କରିବାରେ ପ୍ରତିବନ୍ଧକ ଲଗାଯାଇଥିଲା । ଲୋକଙ୍କୁ ଘରୁ ୨ ଘଣ୍ଟା ପାଇଁ ବାହାରକୁ ବାହାରିବାକୁ ଅନୁମତି ମିଳୁଥିଲା । ତେବେ ଆଜିଠୁ ଏକ କ୍ୟୁଆର୍ କୋଡ ମାଧ୍ୟମରେ ଯାତାୟତ ସେବା ଆରମ୍ଭ ହୋଇଛି । ଉହାନ ହୁବେଇ ପ୍ରାନ୍ତର ରାଜଧାନୀ ଅଟେ ଏବଂ ହୁବେଇରୁ ବିମାନ ସେବା ମଧ୍ୟ ଆଜିଠୁ ଆରମ୍ଭ ହେଉଛି । ତେବେ ପ୍ରଥମ ଦିନରେ କେବଳ ୨ଶହ ଫ୍ଲାଇଟରେ ୧୦ ହଜାର ଯାତ୍ରୀ ବାହାରକୁ ଉଡ଼ାଣ ଭରିବେ ବୋଲି ଜଣାପଡ଼ିଛି ।