ସେନାମୁଖ୍ୟଙ୍କ ପ୍ରଶଂସାରେ ଶିବସେନା, POK କୁ ନେଇ ଦେଲା ବଡ଼ ବୟାନ
Advertisement
Article Detail0/zeeodisha/odisha623853

ସେନାମୁଖ୍ୟଙ୍କ ପ୍ରଶଂସାରେ ଶିବସେନା, POK କୁ ନେଇ ଦେଲା ବଡ଼ ବୟାନ

ଅମିତ ଶାହ କ୍ରାନ୍ତି ଆଣିଥିବା କହିଲା ଶିବସେନା

ଫାଇଲ ଫଟୋ

ନୂଆଦିଲ୍ଲୀ: 'ସାମନା'ରେ ଭାରତୀୟ ସେନା ମୁଖ୍ୟଙ୍କୁ ପ୍ରଂଶସା । ନବ ନିଯୁକ୍ତ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେଙ୍କୁ ଦଳୀୟ ମୁଖପତ୍ରରେ ପ୍ରଂଶସା କରିଛି ଶିବସେନା । ପିଓକେକୁ ନେଇ ମନୱାଣେ ଦେଇଥିବା ବୟାନକୁ 'ସାମନା'ରେ ସମର୍ଥନ କରାଯାଇଛି । ସରକାର ଆଦେଶ ଦେଲେ ପିଓକେ ଆମର ହେବ ବୋଲି କହିଥିଲେ ନରୱାଣେ । ତେବେ ମୋଦି ସରକାର ଆଦେଶ ଦେଇ ଦେବାର ସମୟ ଆସିଛି ବୋଲି ଶିବସେନା କହିଛି । 

'ସାମନା' ସମ୍ପାଦକୀୟରେ କୁହାଯାଇଛି, ''ଭାରତରେ ନୂଆ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ଦାୟିତ୍ୱ ନେବା ପରେ ହିଁ ତାଙ୍କ ନିକଟରେ ସ୍ୱାଭିମାନୀ ମରାଠୀ ଦେଖାଯାଉଛି ।'' ଦିଲ୍ଲୀରେ ସ୍ପଷ୍ଟ ଭାବରେ ନରୱାଣେ କହିଥିଲେ, ପିଓକେ ଆମର । କେନ୍ଦ୍ର ସରକାର ଆଦେଶ ଦେଲେ, ଆମେ ଖୁବଶୀଘ୍ର ପିଓକେକୁ କବ୍ଜା କରିନେବୁ । 

ସମ୍ପାଦକୀୟରେ କୁହାଯାଇଛି, ''ନରୱାଣେ କିଛି ଭୁଲ କହିନାହାଁନ୍ତି । ପାକ୍ ଅଧିକୃତ କାଶ୍ମୀର(POK)ରେ ହିଁ ସର୍ବାଧିକ ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର ରହିଛି । ପାକିସ୍ତାନୀ ସେନା ଏବଂ ଆଇଏସଆଇଏସ ସମର୍ଥନରେ ଏଠାରେ ଆତଙ୍କୀ କ୍ୟାମ୍ପ ଚାଲୁଛି । ନିକଟ ଅତୀତରେ ଆମ ପକ୍ଷରୁ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଇତ୍ୟାଦି ମଧ୍ୟ ପିଓକେରେ ହୋଇଛି । ମାତ୍ର ସର୍ଜିକାଲ ଷ୍ଟ୍ରାଇକ ପରେ ବି ଏଠାରେ ଆତଙ୍କବାଦୀ କାର୍ଯ୍ୟକଳାପ କମିନି । କାଶ୍ମୀର ଘାଟିରେ ଆମ ସୈନିକଙ୍କୁ ଆଜି ମଧ୍ୟ ରକ୍ତ ବୁହାଇବାକୁ ପଡ଼ୁଛି । ବଳିଦାନ ଦେବାକୁ ପଡ଼ୁଛି । ହେଲେ କାଶ୍ମୀର ସମସ୍ୟା ନେଇ ରାଜନୈତିକ ରୋଟି ସେକିବାରେ ଅନେକ ବ୍ୟସ୍ତ ରହୁଛନ୍ତି । ତେଣୁ ନରୱାଣେ ଯାହା କହିଛନ୍ତି, ଆମେ ତାକୁ ସ୍ୱାଗତ କରୁଛି ।''

ମୁଖପତ୍ରରେ କୁହାଯାଇଛି, ''ଜେନେରାଲ ନରରୱାଣେ ପିଓକେରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କୁ ଆଦେଶ ମାଗୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ଆଦେଶ ଦେଇଦେବା କଥା । ଦେଶର ମଧ୍ୟ ଏପରି ଭାବନା ରହିଛି । ସର୍ଜିକାଲ ଷ୍ଟ୍ରାଇକ ପରେ ସବୁ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପିଓକେ କଥା ଉଠାଉଛନ୍ତି । ଆମ ଲକ୍ଷ୍ୟ ଏବେ ପିଓକେ ହାସଲ ବୋଲି କହୁଛନ୍ତି । ମାତ୍ର ଏହା କାମରେ ରୁପାନ୍ତରିତ କରିବା ଆବଶ୍ୟକ । ପାକ୍ ଦ୍ୱାରା ଅଧିକୃତ କାଶ୍ମୀରକୁ ଏବେ ମୁକ୍ତ କରି ଅଖଣ୍ଡ ହିନ୍ଦୁସ୍ଥାନର ଲକ୍ଷ୍ୟ ପୁରା କରିବା ଉଚିତ । ''

ସେହିପରି କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଂଶସା କରିଛି ଶିବସେନା । ଏହାକୁ ଶାହଙ୍କ କ୍ରାନ୍ତିକାରୀ ନିଷ୍ପତ୍ତି ଭାବରେ ଦର୍ଶାଇଛି । ଏବେ କେନ୍ଦ୍ର ସରକାରଙ୍କ ଆଦେଶରେ ପିଓକେ ଭାରତର ହେବ ବୋଲି ଆଶା ରଖିଛି । ଏପରି ହେଲେ ବୀର ସାବରକର ଦେଖିଥିବା ଅଖଣ୍ଡ ହିନ୍ଦୁସ୍ଥାନ ସ୍ୱପ୍ନ ପୂରଣ ହେବ ବୋଲି ସାମନାରେ ଉଲ୍ଲେଖ କରାଯାଇଛି । ଆହୁରି ମଧ୍ୟ କେନ୍ଦ୍ର ସରକାର ସାହାସୀ ଏବଂ ସାମର୍ଥ୍ୟବାନ, ଏହା ପ୍ରମାଣ ହୋଇଯିବ ବୋଲି ଶିବସେନା କହିଛି ।  

ଆହୁରି ପଢ଼ନ୍ତୁ; କଂଗ୍ରେସ ଉପରେ ରାଜସ୍ଥାନ ରାଗ ସୁଝାଇଲେ ମାୟାବତୀ