ଏଇଠି ଗାଧୋଉଥିଲେ ମହାବଳି ବାଳି
Advertisement
Article Detail0/zeeodisha/odisha582384

ଏଇଠି ଗାଧୋଉଥିଲେ ମହାବଳି ବାଳି

ମାଲକାନଗିରି ସହର ମଝିରେ ଅବସ୍ଥିତ ବାଲିସାଗର ବନ୍ଧ । ପୁରାଣ ସହ ଜଡ଼ିତ ଏହି ପୌରାଣିକ ବନ୍ଧ ଏବେ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ । 

ଏଇଠି ଗାଧୋଉଥିଲେ ମହାବଳି ବାଳି

ମାଲକାନଗିରି: ମାଲକାନଗିରି ସହର ମଝିରେ ଅବସ୍ଥିତ ବାଲିସାଗର ବନ୍ଧ । ପୁରାଣ ସହ ଜଡ଼ିତ ଏହି ପୌରାଣିକ ବନ୍ଧ ଏବେ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇଯାଇଛି । ପୁରାଣ କାଳରୁ ବାଲିସାଗରର ମାନ୍ୟତା ରହିଆସୁଥିବାବେଳେ ଆଜି ଏହି ବନ୍ଧ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ମାଲକାନଗିରି ସହର ମଧ୍ୟରେ ଥିବା ବାଲିସାଗର ବନ୍ଧଟି କେଉଁ ଆବାହମାନ କାଳରୁ ରହିଛି ତା'ର ଠିକ୍ ତଥ୍ୟ କାହାରି ପାଖରେ ନାହିଁ । ପୌରାଣିକ କଥାବସ୍ତୁ ଅନୁଯାୟୀ, ରାମାୟଣର ବାଳି ଏଠାରେ ଗାଧେଉଥିବାରୁ ଏହି ବନ୍ଧର ନାମ ବାଳିସାଗର ଥିଲା । କିନ୍ତୁ ପରେ ଏହାର ନାମ ବାଲିସାଗରରେ ପରିଣତ ହୋଇଯାଇଛି । ସହରବାସୀଙ୍କ ନିତିଦିନିଆ ବ୍ୟବହାରରେ ଆସୁଥିବା ଏହି ବନ୍ଧ ବର୍ତ୍ତମାନ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ । ଲୋକଙ୍କ ପାଇଁ ପୁରାଣ କାଳରୁ ମାନ୍ୟତା ରହି ଆସୁଥିବା ଏହି ବନ୍ଧ ଆଜି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି ।
ସହରବାସୀଙ୍କ ପାଇଁ ପ୍ରତ୍ୟେକ ମୂହୂର୍ତ୍ତରେ ବ୍ୟବହାର ହୋଇଆସୁଛି ଏହି ବାଲିସାଗର । ଏପରିକି କୌଣସି ଶୁଭକାର୍ଯ୍ୟ କିମ୍ବା ମନ୍ଦିର ପ୍ରତିଷ୍ଠା ପାଇଁ କଳସଯାତ୍ରାବେଳେ ଏହି ବାଲିସାଗରରୁ ହିଁ ପାଣି ସଂଗ୍ରହ କରାଯାଇଥାଏ । ମହିଳା, ପୁରୁଷ, ଛୁଆମାନେ ଗାଧୋଇବା, ଲୁଗା ସଫା କରିବା ଏପରିକି ପିଇବା ପାଇଁ  ମଧ୍ୟ ବାଲିସାଗର ଜଳ ବ୍ୟବହାର କରନ୍ତି । କିନ୍ତୁ ବର୍ତ୍ତମାନ ଏହି ବାଲିସାଗର ପାଣି ଦୂଷିତ ହେବା ସହ ତୁଠରେ ଅଳିଆ ଆବର୍ଜନାରେ ଭର୍ତ୍ତି ।  ବର୍ଷା ହେଲେ ସହରରେ ଥିବା ଡ୍ରେନ ପାଣି ମଧ୍ୟ ଏହି ପାଣିରେ ମିଶୁଛି । ଫଳରେ ଏହି ପାଣି ବିଷାକ୍ତ ହେବାରେ ଲାଗିଛି । ଏହି ଜଳ ବ୍ୟବହାର ଯୋଗୁଁ ମାଛ, ଗାଈଗୋରୁ ମୃତ୍ୟୁବରଣ କରୁଥିବାବେଳେ ଲୋକେ କାଛୁକୁଣ୍ଡିଆ ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ସହରବାସୀ ଅଭିଯୋଗ କରିଛନ୍ତି ।
ବାଲିସାଗର ବନ୍ଧଟି ମାଲକାନଗିରି ମ୍ୟୁନିସିପାଲିଟି କର୍ତ୍ତୁପକ୍ଷଙ୍କ ଅଧିନରେ ରହିଛି । ତେବେ ଏହାର ରକ୍ଷଣାବେକ୍ଷଣା ଅଭାବ ଯୋଗୁଁ ଜଳ ଦୂଷିତ ହେବା ସାଙ୍ଗକୁ ଧିରେ ଧିରେ ଏହା ପୋତି ହେବାରେ ଲାଗିଛି । ପଖୋରୀ ତୁଠରେ ଅଳିଆ ଆବର୍ଜନା ପରିପୂର୍ଣ୍ଣ ହେଉଥିଲେ ହେଁ ଏହାକୁ ସଫା କରିବା ଲାଗି ପୌରପରିଷଦ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି । ତେବେ ବନ୍ଧର ଏଭଳି ସ୍ଥିତିରେ ମାଲକାନଗିରି ଜିଲ୍ଲାର ଟିମ୍ ଉଇକ୍ୟାନ ନାମକ ଏକ ଯୁବସଂଗଠନ ସ୍ଵେଚ୍ଛାକୃତ ରୂପେ ଏହାର ସଫେଇ କରିଛନ୍ତି । ବନ୍ଧରେ ପଡ଼ିରହିଥିବା ଆବର୍ଜନା, ମୂର୍ତ୍ତି ବିସର୍ଜନର ଭଗ୍ନାବଶେଷ ଗୁଡିକୁ ଏହି ଯୁବକମାନେ ସଫା କରିବା ସହ ବନ୍ଧର ସ୍ୱଚ୍ଛତା ଫେରାଇ ଆଣିବାକୁ ପ୍ରୟାସ କରିଛନ୍ତି ।
ଏହି ବନ୍ଧରେ ଏକ ପାର୍କ ନିର୍ମାଣ ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏହା ଆଜି ଯାଏଁ ଏହା ସମ୍ପୂର୍ଣ ହୋଇପାରିନାହିଁ ।  ତେବେ ବନ୍ଧ ଲିଜରୁ ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବାବେଳେ ବନ୍ଧର ସୁରକ୍ଷା ପ୍ରତି ଧ୍ୟାନ ଦେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବାଲିସାଗର ବନ୍ଧର ସଠିକ ରକ୍ଷଣାବେକ୍ଷଣ କରିବା ଲାଗି ଯଦି ଏବେଠୁଁ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଏହା ନିଜର ଅସ୍ତିତ୍ୱ ହରାଇବାର ସମ୍ଭାବନା ରହିଛି । ପୁରାଣ ସହ ଜଡିତ ଏହି ପୌରାଣିକ ବନ୍ଧର ପୁନଃଉଦ୍ଧାର ପାଇଁ ବର୍ତ୍ତମାନ କିଛି ଯୁବ ସଂଗଠନ ଆଗକୁ ଆସିଥିବାବେଳେ ପ୍ରାଶାସନିକସ୍ତରରେ ଏହାର ରକ୍ଷଣାବେକ୍ଷଣା ନିମନ୍ତେ ଦାବି ହୋଇଛି ।