'ସାମ୍ନା'ରେ ବି ରାଜ୍ୟପାଳଙ୍କୁ କଡା ସମାଲୋଚନା କଲା ଶିବସେନା
Advertisement

'ସାମ୍ନା'ରେ ବି ରାଜ୍ୟପାଳଙ୍କୁ କଡା ସମାଲୋଚନା କଲା ଶିବସେନା

ବିଧାୟକ ସବୁ ବାହାରେ ଥିଲେ, କେମିତି ୨୪ ଘଣ୍ଟାରେ ଦସ୍ତଖତ କରିଥାନ୍ତୁ ।'ସାମ୍ନା'ରେ କିଛି ଏଭଳି ଢଙ୍ଗରେ ରାଜ୍ୟପାଳଙ୍କୁ ସମାଲୋଚନା କରିଛି ଶିବସେନା ।

ଫାଇଲ ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଘଟଣାକୁ ସହଜରେ ହଜମ କରିପାରୁନି ଶିବସେନା । ସରକାର ଗଠନ ନେଇ ରାଜ୍ୟପାଳ ବିଜେପିକୁ ୪୮ ଘଣ୍ଟା ସମୟ ଦେଇଥିଲେ । ହେଲେ ଶିବସେନାକୁ ମାତ୍ର ୨୪ ଘଣ୍ଟା । ଏତେ କମ ସମୟ ମଧ୍ୟରେ ଏହା କେମିତି ସମ୍ଭବ ହେବ ବୋଲି ଦଳର ମୁଖପତ୍ର 'ସାମ୍ନା'ରେ ପ୍ରଶ୍ନ କରିଛି ଶିବସେନା । ପୁରୁଣା ସହଯୋଗୀ ବିଜେପି ଉପରେ ମଧ୍ୟ ଜୋରଦାର ବର୍ଷିଛି ଦଳ। 

ଆଜି 'ସାମ୍ନା'ରେ ରାଷ୍ଟ୍ରପତି ଶାସନ ନେଇ ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଛି । ଏପରି ସ୍ଥିତି ପାଇଁ ସିଧାସଳଖ ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କୁ ସମାଲୋଚନା କରିଛି ଏହି ଖବର କାଗଜ । ଏଥିରେ କୁହାଯାଇଛି, ସରକାର ଗଠନ ନେଇ ସ୍ଥିତି ସ୍ପଷ୍ଟ କରିବାକୁ ରାଜ୍ୟପାଳ ଶିବସେନାକୁ ମାତ୍ର ୨୪ ଘଣ୍ଟା ସମୟ ଦେଇଥିଲେ । ଏହି ସମୟରେ ନବ ନିର୍ବାଚିତ ବିଧାୟକମାନେ ଗୋଟିଏ ସ୍ଥାନରେ ନଥିଲେ । କିଏ ନିଜ ନିର୍ବାଚନମଣ୍ଡଳୀରେ ଥିଲେ ତ ଆଉ କେହି ରାଜ୍ୟ ବାହାରେ ବି ଥିଲେ । ମାତ୍ର ୨୪ ଘଣ୍ଟା ମଧ୍ୟରେ ସମସ୍ତ ବିଧାୟକଙ୍କ ପାଖରୁ ଦସ୍ତଖତ ଆଣିବା ସମ୍ଭବ ନଥିଲା । ହେଲେ ରାଜ୍ୟପାଳ ଅଧିକ ସମୟ ଦେବାକୁ ମନା କରିଦେଲେ । ଏହାକୁ ବ୍ୟବସ୍ଥାର ଅପବ୍ୟବହାର ବୋଲି ଅବିହିତ କରିଛି ସାମ୍ନା ।  

ସେପଟେ ପୁରୁଣା ସହଯୋଗୀ ଦଳ ବିଜେପିକୁ ମଧ୍ୟ ଏଥିରେ କଡା ଟାର୍ଗେଟ କରାଯାଇଛି । ମହାରାଷ୍ଟ୍ରରେ ଉପୁଜିଥିବା ଏହି ସ୍ଥିତି ପାଇଁ ବିଜେପି ହିଁ ଦାୟୀ ବୋଲି କହିଛି 'ସାମ୍ନା' । ଯଦି ଶିବସେନାର ୫୦/୫୦ ଫର୍ମୁଲାକୁ ବିଜେପି ଗ୍ରହଣ କରିଥାନ୍ତା, ତେବେ କେବେବି ଏଭଳି ସ୍ଥିତି ଉପୁଜିନଥାନ୍ତା । ବିଜେପି ନିଜ ପ୍ରତିଜ୍ଞା ରକ୍ଷା କଲା ନାହିଁ । ତେଣୁ ଶିବସେନା ବିକଳ୍ପ ଖୋଜିବାକୁ ବାଧ୍ୟ ହେଲା ବୋଲି ଦଳୀୟ ମୁଖପତ୍ରରେ କୁହାଯାଇଛି ।