ଶପଥ ସମାରୋହ ପାଇଁ ନିମନ୍ତ୍ରଣ, ପ୍ରଧାନମନ୍ତ୍ରୀଙ୍କୁ ଭୁଲିଲାନି ଶିବସେନା
Advertisement
Article Detail0/zeeodisha/odisha602244

ଶପଥ ସମାରୋହ ପାଇଁ ନିମନ୍ତ୍ରଣ, ପ୍ରଧାନମନ୍ତ୍ରୀଙ୍କୁ ଭୁଲିଲାନି ଶିବସେନା

ଆସନ୍ତାକାଲି ମହାରାଷ୍ଟ୍ରରେ ନୂଆ ସରକାରଙ୍କ ଶପଥ ଗ୍ରହଣ

ସୌଜନ୍ୟ: ସୋସିଆଲ ମିଡିଆ

ଦେବେଶ ନାହକ, ଭୁବନେଶ୍ୱର: ମହାରାଷ୍ଟ୍ରରେ ଏବେ ଠାକରେ ରାଜ୍ । କାରଣ ଗୁରୁବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।  ଶିବାଜୀ ପାର୍କରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ସମାରୋହ । ବିଭିନ୍ନ ଦଳର ବରିଷ୍ଠ ନେତା, ମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ରାଜ୍ୟର ନେତା ଓ ମନ୍ତ୍ରୀମାନେ ମଧ୍ୟ ସାମିଲ୍ ହେବେ ।  

ଉଦ୍ଧବ ଠାକରେଙ୍କ ଶପଥ ଗ୍ରହଣ ସମାରୋହରେ କେଉଁମାନେ ସାମିଲ୍ ହେବେ । କାହାକୁ ନିମନ୍ତ୍ରଣ ପତ୍ର ପଠାଯିବ । ଅତିଥି ନିମନ୍ତ୍ରଣ ଦାୟିତ୍ୱ ନେଇଛନ୍ତି ଉଦ୍ଧବଙ୍କ ପୁତ୍ର ଆଦିତ୍ୟ ଠାକରେ । ସମାରୋହକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନିମନ୍ତ୍ରଣ କରିଛନ୍ତି ଉଦ୍ଧବ ଠାକରେ ।  ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂଙ୍କୁ ମଧ୍ୟ ନିମନ୍ତ୍ରଣପତ୍ର ପଠାଯାଇଛି ।  କାର୍ଯ୍ୟକ୍ରମରେ ସାମିଲ୍ ହୋଇ 'ମହା ବିକାଶ ଅଘାଡ଼ି' ମେଣ୍ଟକୁ ଶୁଭେଚ୍ଛା ଜଣାଇବା ପାଇଁ ଅନୁରୋଧ କରିଛନ୍ତି ଉଦ୍ଧବ ଠାକରେ ।

ଦୀର୍ଘଦିନର ବିଜେପି-ଶିବସେନା ମେଣ୍ଟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ହେଲେ, ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିବାକୁ ଭୁଲିନାହାନ୍ତି ଉଦ୍ଧବ ଠାକରେ । ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ଠାକରେ । ସେହିପରି, ବିଜେପିକୁ ସର୍ବଦା ସମାଲୋଚନା କରୁଥିବା  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇନଭାଇଟ୍ କରିଛି ଦଳ । ଶିବାଜୀ ପାର୍କ ଶପଥ ସମାରୋହରେ ସାମିଲ୍ ହେବାକୁ ଦିଦିଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଇଛି ।  ଉତ୍ତରପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂ ଯାଦବଙ୍କୁ ମନେ ପକାଇଛି ଶିବସେନା  । ଉଦ୍ଧବ ଠାକରେଙ୍କ ଶପଥ ଉତ୍ସବରେ ସାମିଲ୍ ହେବାକୁ ଅଖିଳେଶଙ୍କୁ ନିମନ୍ତ୍ରଣ କରିଛି  'ମହା ବିକାଶ ଅଘାଡ଼ି' ମେଣ୍ଟ ।  ସେହିପରି, ଉତ୍ସବରେ ଯୋଗଦେବାକୁ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ନିମନ୍ତ୍ରଣ କରାଯାଇଛି ।

ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବେ । ସର୍ତ୍ତ ଅନୁସାରେ ଏନସିପିରୁ ଜଣେ ଉପମୁଖ୍ୟମନ୍ତ୍ରୀ ପଦ ପାଇବେ । ତେବେ, ଚର୍ଚ୍ଚାରେ ଥିବା ଅଜିତ ପାୱାର ପୁଣି ଥରେ ଦଳକୁ ଫେରିଥିବାରୁ କିଏ ସେ ଗାଦିରେ ବସିବେ କୌଣସି ନିଷ୍ପତ୍ତି ହୋଇନି ।  ଅନ୍ୟପଟେ, କଂଗ୍ରେସରୁ ଜଣେ ନେକା ବାଚସ୍ପତି ହେବା ଏକପ୍ରକାର ନିଶ୍ଚିତ ।    

ଶପଥ ଗ୍ରହଣ ଉତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗୁରୁବାର ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରାୟ ୨ ହଜାର ପୋଲିସ ମୁତୟନ ହେବେ ।  ଅନ୍ୟପଟେ, ଶିବାଜୀ ପାର୍କ ରାସ୍ତାରେ ଟ୍ରାଫିକ କଟକଣା ମଧ୍ୟ ଜାରି କରାଯାଇଛି ।