ଲୋଡ଼ା ପେଟକୁ ଦାନା, ପିଠିକୁ କନା
Advertisement

ଲୋଡ଼ା ପେଟକୁ ଦାନା, ପିଠିକୁ କନା

ଆହୁରି ବଢ଼ିବ ବେକାରୀ ସମସ୍ୟା

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: ଦେଶର ନାମୀଦାମୀ ଆଇଟି କମ୍ପାନି ଇନଫୋସିସ୍ ଖୁବଶୀଘ୍ର ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି । ସେହିପରି ଉଚ୍ଚ ପଦ ପଦବୀରେ ଥିବା ପ୍ରାୟ ୫୦ ଜଣ ଅଧିକାରୀଙ୍କୁ ବି କମ୍ପାନି ଖୁବଶୀଘ୍ର ଛଟେଇ କରିଦେବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । କେବଳ ଇନଫୋସିସ୍ ନୁହେଁ, ଦେଶର ବିଭିନ୍ନ କମ୍ପାନିରୁ ଏବେ ହଜାର ହଜାର ସଂଖ୍ୟାରେ କର୍ମଚାରୀମାନଙ୍କୁ ଛଟେଇ କରାଯାଉଛି । କମ୍ପାନିରୁ ବାହାରୁଥିବା ଅଧିକାଂଶ କର୍ମଚାରୀ ଚାକିରି ନ ପାଇ ଏଣେତେଣେ ଘୂରି ବୁଲୁଛନ୍ତି ।
ଭାରତର ବେକାରୀ ହାର ବର୍ତ୍ତମାନ ଉତ୍କଟ ପରିସ୍ଥିତି ଦେଇ ଗତି କରୁଛି । ଅକ୍ଟୋବର ମାସରେ ଦେଶର ବେକାରୀ ହାର ୮.୫ ପ୍ରତିଶତ ରହିଥିଲା । ବିଗତ ତିନି ବର୍ଷ ମଧ୍ୟରେ ଏହା ସର୍ବାଧିକ । ସେଣ୍ଟର୍ ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି ରିପୋର୍ଟ ଅନୁସାରେ, ୨୦୧୬ ମସିହା ଅଗଷ୍ଟ ମାସ ଠାରୁ ଭାରତର ବେକାରୀ ହାର ପ୍ରବଳ ମାତ୍ରାରେ ବୃଦ୍ଧି ପାଇଛି । କେନ୍ଦ୍ର ସରକାର ଭାରତର ଅର୍ଥନୀତି ସ୍ଥିର ଥିବା ସହ ବେକାରୀ ସମସ୍ୟା ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି । କିନ୍ତୁ ବାସ୍ତବ ସ୍ଥିତି ପୂରା ଓଲଟା । ସେପ୍ଟେମ୍ୱରରେ ଏହି ହାର ୭.୨ ପ୍ରତିଶତ ରହିଥିଲା ।
ସେହିପରି ସେଣ୍ଟର୍ ଫର୍ ସଷ୍ଟେନେବୁଲ୍ ଏମପ୍ଲୟମେଣ୍ଟ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ମଧ୍ୟ ଭାରତର ବେକାରୀ ହାରକୁ ତୁଳନା କରାଯାଇଛି । ୨୦୧୧-୧୨ ଏବଂ ୨୦୧୭-୧୮ ତୁଳନାରେ ୨୦୧୮-୧୯ରେ ବେକାରୀ ହାର ଅଧିକ ରହିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଏହି ସମୟରେ ଭାରତରେ ପ୍ରାୟ ୯୦ ଲକ୍ଷ ବେକାର ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି, ଯାହାକି ଭାରତ ଇତିହାସରେ ପୂର୍ବରୁ କେବେ ଏଭଳି ହୋଇ ନଥିଲା । ତେଣୁ, ଦେଶ ଆର୍ଥିକ ସ୍ଥିତି କେତେ ସୁଦୃଢ଼, ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।
ତେବେ ବେକାରୀ ସମସ୍ୟା କାହିଁକି ଦେଖାଦେଉଛି ? ଏ ପ୍ରଶ୍ନ ଆପଣଙ୍କ ମନରେ ନିହାତି ଆସୁଥିବ । ପ୍ରଥମତଃ କମ୍ପାନି ଗୁଡ଼ିକ ଏବେ ନିବେଶ କରିବା ବନ୍ଦ କରି ଦେଇଛନ୍ତି । ପୂର୍ବରୁ କମ୍ପାନି ଗୁଡ଼ିକ ଅଳ୍ପ ଅଳ୍ପ କରୁଥିଲେ, କିନ୍ତୁ ଗତ କିଛି ମାସ ଧରି କମ୍ପାନି ଗୁଡ଼ିକ ନିବେଶ କରିବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି । ତେଣୁ, ଯଦି କମ୍ପାନି ନିବେଶ କରିବ ନାହିଁ, ତେବେ ନିଯୁକ୍ତି କେଉଁଠୁ ଆସିବ ? ଯଦି ନିଯୁକ୍ତି ନ ହେବ, ତେବେ ଲୋକ ପଇସା କେମିତି କମାଇବେ ? ଲୋକ ଯଦି ପଇସା କମାଇ ପାରିବେ ନାହିଁ, ତେବେ ଲୋକ ଖର୍ଚ୍ଚ କରିବେ କେମିତି ? ଯଦି ଲୋକେ ଖର୍ଚ୍ଚ କରିବେନି, ତେବେ କମ୍ପାନି ପଇସା କମାଇବ କେମିତି ? ଯଦି କମ୍ପାନି ପଇସା କମାଇବ ନାହିଁ, ତେବେ ଦରମା ଦେବ କେମିତି ? ଯଦି ଦରମା ଦେଇପାରିବ ନାହିଁ, ତେବେ ନିଯୁକ୍ତି ଦେବ କେମିତି ? ମୋଟାମୋଟି ଭାବେ କହିବାକୁ ଗଲେ, ଏହା ଏକ ପୁନଃଚକ୍ରଣ ପଦ୍ଧତି । ସେଥିପାଇଁ ଦେଶରେ ବେକାରୀ ସମସ୍ୟା ବଢ଼ିବାର ଏହା ହେଉଛି ମୁଖ୍ୟ କାରଣ ।
ସେହିପରି ଭାରତ ଏକ ବଡ଼ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ସମସ୍ତେ ଜାଣିଛନ୍ତି । ସେଥିପାଇଁ ଭାରତ ଏବେ ବାହାର ଦେଶରୁ ଆମଦାନୀ କରିବା ବନ୍ଦ କରିଦେଇଛି । ତେବେ ୨୦୦୪-୧୪ ମସିହା ପର୍ଯ୍ୟନ୍ତ ଭାରତର ମୁଣ୍ଡ ପିଛା ଆୟ ଦୁଇ ଅଙ୍କ ବିଶିଷ୍ଟ ଥିଲା । କିନ୍ତୁ ୨୦୧୪ ପରଠାରୁ ଏହା ଏକ ଅଙ୍କରେ ସୀମିତ ରହିଲା । ଅବଶ୍ୟ ୨୦୧୬-୧୭ରେ ଭାରତର ମୁଣ୍ଡ ପିଛା ଆୟ ଦୁଇ ଅଙ୍କ ଛୁଇଁଥିଲା, ମାତ୍ରା ତାହା ସ୍ୱଳ୍ପ ସମୟ ପାଇଁ ରହିଥିଲା । ତେଣୁ, କହିବାକୁ ଗଲେ ୨୦୧୪ ମସିହା ପରଠାରୁ ଦେଶର ଆର୍ଥିକ ସ୍ଥିତି ଧୀରେଧୀରେ ବିଗିଡ଼ିବା ଆରମ୍ଭ କରିଥିଲା । ସେହିପରି ଗ୍ରାମାଞ୍ଚଳ ଆୟ ଉପରେ ଯଦି ଆମେ ନଜର ପକାଇବା, ତେବେ ସେଠାକାର ସ୍ଥିତି ମଧ୍ୟ ସମାନ । ପୂର୍ବ ଭଳି ଲୋକମାନେ ଆଉ ଖର୍ଚ୍ଚ କରୁନାହାନ୍ତି । ତେଣୁ, ଏହା ମଧ୍ୟ ଏକ ପ୍ରକାର ଅର୍ଥନୀତିକୁ ପ୍ରଭାବିତ କରୁଛି ।
ଏବେଠାରୁ ଏଥିପ୍ରତି ସରକାର ଧ୍ୟାନ ଦେବା ନିହାତି ଜରୁରୀ । ଆମ ଦେଶରେ ପ୍ରାୟ ଲୋକ ରାଜନୀତି, ମନୋରଞ୍ଜନ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି । କିନ୍ତୁ ପରୋକ୍ଷ ଭାବରେ ଏହି ଦୁଇ ସେକ୍ଟରକୁ ପ୍ରଭାବିତ କରୁଥିବା ଏହି ବେକାରୀ ସମସ୍ୟା ଉପରେ ମଧ୍ୟ ଗୁରୁତ୍ୱ ଦେବା ନିହାତି ଜରୁରୀ । କାରଣ ସାଧାରଣ ଜନତାର ରୋଜଗାର ଉପରେ ହିଁ ନିର୍ଭର କରେ ନେତାର ରାଜନୀତି ଓ ଅଭିନେତାର ଅଭିନୟ । ପ୍ରଥମେ ପେଟକୁ ଦାନା ଓ ପିଠିକୁ କନା ମିଳିଲେ ଯାଇ ହିଁ ଦେଶ ପ୍ରଗତିରେ ସାମିଲ ହୁଏ ଜନତା ।