ଡରାଇଲେ ୟୁପି ମନ୍ତ୍ରୀ
Trending Photos
ନୂଆଦିଲ୍ଲୀ: ସିଏଏକୁ ନେଇ ସମଗ୍ର ଦେଶରେ ଉଦବେଗ ପ୍ରକାଶ ପାଇଥିବା ବେଳେ ବିଜେପି ସିଏଏ ସମର୍ଥନରେ ଦେଶବ୍ୟାପି ରାଲି କରୁଛି । ଏପରିକି ବିରୋଧୀ ଲୋକଙ୍କୁ ସିଏଏ ଅପପ୍ରଚାର କରୁଥିବା ଦଳ ଅଭିଯୋଗ କରୁଛି । ଆଉ ଏହାରି ଭିତରେ ଉତ୍ତର ପ୍ରଦେଶର ଜଣେ ମନ୍ତ୍ରୀଙ୍କ ଧମକାଇଲା ପରି ବୟାନ ସାମ୍ନାକୁ ଆସିଛି । ମୋଦି ଏବଂ ଯୋଗୀଙ୍କ ବିରୋଧରେ ନାରାବାଜି କଲେ ଜାଳିଦେବୁ ବୋଲି କହିଛନ୍ତି ଉତ୍ତର ପ୍ରଦେଶ ସରକାରଙ୍କ ଜଣେ ମନ୍ତ୍ରୀ । ଯାହାକି ବିବାଦକୁ ଟାଣି ଆଣିଛି ।
ଗତକାଲି ଉତ୍ତର ପ୍ରଦେଶ ଆଲିଗଡ଼ରେ ସିଏଏ ସମର୍ଥନରେ ଏକ ରାଲି ହୋଇଥିଲା । ଏହି ଅବସରରେ ଯୋଗୀ ସରକାରଙ୍କ ମନ୍ତ୍ରୀ ରଘୁରାଜ ସିଂହ ନିଜ ଭାଷଣରେ ଏଭଳି ବୟାନ ଦେଇଥିଲେ । ରାଲିକୁ ସମ୍ବୋଧନ କରିବାକୁ ଯାଇ ସେ କହିଥିଲେ, 'ଯିଏ ମୋଦି ଏବଂ ଯୋଗୀଙ୍କ ବିରୋଧରେ ନାରା ଦେବ, ତାକୁ ମୁଁ ଜିଅନ୍ତା ଜାଳି ଦେବି ।' ମନ୍ତ୍ରୀଙ୍କ ଏଭଳି ଲଗାମହୀନ ବୟାମକୁ ନେଇ ଏବେ ସରଗରମ ୟୁପି ରାଜନୀତି ।
ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ''କେବଳ ଏକ ପ୍ରତିଶତ ଲୋକ ସିଏଏକୁ ବିରୋଧ କରୁଛନ୍ତି । ବିରୋଧ କରୁଥିବା ଲୋକମାନେ ଆମ ଦେଶରେ ରୁହନ୍ତି, ଆମ ଟ୍ୟାକ୍ସ ଖାଆନ୍ତି, ପୁଣି ନେତାଙ୍କ ବିରୋଧରେ ମୁର୍ଦ୍ଦାବାଦ ନାରା ଦିଅନ୍ତି । ଭାରତ ସବୁ ଧର୍ମକୁ ମାନୁଥିବା ଦେଶ । କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜିକୁ ଗ୍ରହଣ କରାଯିବ ନାହିଁ ।''
କହିରଖୁଛୁ, ଉତ୍ତର ପ୍ରଦେଶ ସରକାରଙ୍କ ଶ୍ରମ ରାଜ୍ୟମନ୍ତ୍ରୀ ଅଛନ୍ତି ରଘୁରାଜ ସିଂହ । ସରକାରରେ ଥିବା ଜଣେ ମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ମନ୍ତ୍ରୀଙ୍କ ବୟାନକୁ ନେଇ ସରକାରକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ।
ଆହୁରି ପଢ଼ନ୍ତୁ; ବଢ଼ୁଛି ଭାରତ-ଚୀନ ଦୋସ୍ତି, ପାକ୍ ନାଖୁସ