ଜାଣନ୍ତୁ, ପ୍ରାକୃତିକ ବିପର୍ଯ୍ୟୟ କ'ଣ ପାଇଁ ବଢ଼ି ଚାଲିଛି

  ପରିବେଶ ପ୍ରଦୂଷଣ ଆଜି ସମଗ୍ର ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । 

ଜାଣନ୍ତୁ, ପ୍ରାକୃତିକ ବିପର୍ଯ୍ୟୟ କ'ଣ ପାଇଁ ବଢ଼ି ଚାଲିଛି

ତପନ କୁମାର କର, ନୂଆଦିଲ୍ଲୀ:  ପରିବେଶ ପ୍ରଦୂଷଣ ଆଜି ସମଗ୍ର ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଗତ ମଇ ମାସ ୨୩ ତାରିଖରେ ଭୁବନେଶ୍ଵର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଲୀଳାକୁ ଦେଖି ଲାଗିଲା ଯେପରି ଆଉ ଏକ ମହାବାତ୍ୟା ହେଉଛି । ସମସ୍ତଙ୍କର ମନେଥିବା ଗତବର୍ଷ ଭୟଙ୍କର ଭୂମିକମ୍ପ ନେପାଳର ସାଧାରଣ ଜନଜୀବନ ଓ ଅର୍ଥନୀତିକୁ ଧ୍ଵସ୍ତବିଧ୍ଵସ୍ତ କରିଦେଇଥିଲା । ଏବଂ ଏହାର ପ୍ରଭାବ ଆମ ଦେଶ ତଥା ରାଜ୍ୟରେ ମଧ୍ୟ  ଅନୁଭୂତ ହୋଇଥିଲା । ଏହି ଭୂମକମ୍ପର ପ୍ରଭାବରେ ନେପାଳ ସମେତ ସିକିମ୍, ଭୁଟାନ, ଭାରତ, ପାକିସ୍ତାନ ପର୍ଯ୍ୟନ୍ତ ଥିବା ଏସୀୟ ଭୂଖଣ୍ଡ ଥରିଉଠିଥିଲା । ସେହିଭଳି ହିମାଳୟରେ ବାଦଲଫଟା ବର୍ଷାରେ ସୃଷ୍ଟି ଉତ୍ତରାଖଣ୍ଡ ମହାପ୍ରଳୟକୁ ଏବେ ଏବେ ତିନିବର୍ଷ ପୂରିବାକୁ ଯାଉଛି । ସେହି ମହାପ୍ରଳୟର କଥା ମନେ ପଡିଲେ ଓ ଜଳର ସେ କରାଳ ରୂପ କଥା ମନେ ପଡିଲେ ଏବେବି ଲୋମ ଟାଙ୍କୁରି ଉଠିଥାଏ  । ଜାପାନରେ ଘଟିଯାଇଥିବା ଭୂମିକମ୍ପ ତା ପରର ସୁନାମି ପ୍ରକୃତିର କ୍ରୁରତା ଓ ପରିବେଶ ପ୍ରଦୂଷଣର ଭୟାବହତାର ଜ୍ଵଳନ୍ତ ଉଦାହରଣ ଦେଇଥିଲା । ସେହିପରି ୧୯୯୯ ମସିହାରେ ହୋଇଥିବା ବିନାଶକାରୀ ମହାବାତ୍ୟା ଓ ପୂର୍ବରୁ ଘଟିଥିବା ଅଂଶୁଘାତ ଜନିତ ମୃତ୍ୟୁକୁ ଆମେ ଭୁଲିପାରିବା ନାହିଁ । ଆଗାମୀ ଦିନରେ ପ୍ରକୃତିର ଏହି କରାଳ ରୂପ କିଭଳି ପରିସ୍ଥିତି ସୃଷ୍ଟି କରିବ ତାହା ଆମ କଳ୍ପନା କରିବା ବାହାରେ । ପ୍ରତି ମୂହୁର୍ତ୍ତରେ ପ୍ରଳୟର ଆଶଙ୍କାରେ ଆମେ ସମସ୍ତେ ଶଙ୍କିତ ଓ ଅତିଷ୍ଠ । ପରିସ୍ଥିତି ଏମିତି ହୋଇଛି ଯେ ସାମାନ୍ୟ ଟିକେ ପବନ ବା ଟିକେ ଜୋରରେ ବର୍ଷା ହେଲେ ମହାବାତ୍ୟା ଓ ଲଘୁଚାପ ସୃଷ୍ଟି ହେଲେ ସୁନାମି ଆଶଙ୍କା ଲୋକଙ୍କ ମନରେ କୋକୁଆ ଭୟ ସଞ୍ଚାର କରୁଛି । ଆଉ ଏ ସବୁର ମୁଖ୍ୟ କାରଣ ହେଉଛି ଜଙ୍ଗଲ ଧ୍ଵଂସ, ଆଜ୍ଞା ହଁ ଏହାର ପ୍ରମୁଖ କାରଣ ହେଉଛି ଜଙ୍ଗଲ ଅବକ୍ଷୟ, ଆମ ଦ୍ୱାରା ହେଉଥିବା ଜଙ୍ଗଲ ନଷ୍ଟ । ଏହାର ଫଳସ୍ଵରୂପ, ବିଶ୍ଵ ତାପମାତ୍ରା ବଢିବଢି ଚାଲିଥିବା ବେଳେ ଭୂତଳ ଜଳସ୍ତର ମଧ୍ୟ ଦିନକୁ ଦିନ ନିମ୍ନଗାମୀ ହେଉଛି, ମୃତ୍ତିକା କ୍ଷୟ ବି ବଢିବାରେ ଲାଗିଛି, ଆଉ ବୃଷ୍ଟିପାତ ହ୍ରାସ ପାଇ ଚାଲିଛି,  ସର୍ବୋପରି ଏହାର ପରିଣାମ ଆମ ଆଗରେ, ପରିବେଶ ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି ଓ ପାଣିପାଗରେ ଅନିୟମିତତା ଦେଖା ଦେଉଛି ।
             ତାପ ଓ ଶୀତଳତା ମଧ୍ୟରେ ଭାରସାମ୍ୟ ରକ୍ଷା କରିବା ପାଇଁ ବୃକ୍ଷ ନିତ୍ୟାନ୍ତ ଆବଶ୍ୟକ । ବର୍ତ୍ତମାନ ଗାଁ ଗଣ୍ଡାରେ ମଧ୍ୟ ବୃକ୍ଷ ଦେଖା ଯାଉନି । କାଁ ଭାଁ  କେଉଁଠି ଦୁଇ ତିନିଟି ଗଛ ଥିବ କି ନ ଥିବ ତାହା ମଧ୍ୟ ସନ୍ଦେହ । ଆଉ ଯାହା ଅଛି ସେଗୁଡ଼ିକ ଅଧା କଟା ଅବସ୍ଥାରେ । ଯାହାଫଳରେ ଅଦିନରେ ଅସମୟରେ ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ଡାକି ଆଣିଛୁ ବୋଲି କହିଲେ କିଛି ଭୁଲ୍ ହେବ ନାହିଁ । ବିଗତ ଦିନରେ ମିଆଁମାର ଏବଂ ବାଂଲାଦେଶରେ ସାମୁଦ୍ରିକ ବାତ୍ୟା ଯୋଗୁଁ ଅନେକ ଲୋକଙ୍କ ଜୀବନ ଗଲା ତାହାର ମୂଳ କାରଣ ହେଉଛି ଜଙ୍ଗଲ ଧ୍ଵଂସ । ଅନୁରୁପ ଭାବେ ଆମ ଦେଶରେ ମଧ୍ୟ ସେହିପରି ଜଙ୍ଗଲ ଧ୍ଵଂସ ଫଳରେ ଅସମୟରେ ବନ୍ୟା, ବାତ୍ୟା, ବଜ୍ରପାତ, ସୁନାମି, ଅଂଶୁଘାତ ଓ ଭୂକମ୍ପ ସମ୍ଭାବନା ବଢି ବଢି ଚାଲିଛି ।

ତେଣୁ ପରିବେଶ ସୁରକ୍ଷା ଆଜିର ସମୟରେ ଏକ ବଡ ଆହ୍ଵାନ । ଏହି ଆହ୍ଵାନର ସାମ୍ନା କରିବାକୁ ଆମକୁ ବ୍ୟକ୍ତିଗତ ଭାବେ ଓ ସଙ୍ଗଠିତ ଭାବେ କାର୍ଯ୍ୟ କରିବାକୁ ପଡିବ । ଏହାର ପ୍ରତିକାର ପାଇଁ ବ୍ୟାପକ ବୃକ୍ଷରୋପଣ, ନିଜ ଅଞ୍ଚଳରେ ବନୀକରଣ, ନୂତନ ଜଙ୍ଗଲ ସୃଷ୍ଟି ଉପରେ ଅଧିକ ଗୁରୁତ୍ବ ଦେବାକୁ ପଡିବ । ପରିବେଶ ସୁରକ୍ଷା ନେଇ ବିଶ୍ଵ ସ୍ତରରେ ଯେଉଁ ଚେଷ୍ଟା ଆରମ୍ଭ ହୋଇଛି ତାହା କୌଣସି ସଂଗଠନ  ଜରିଆରେ ସଫଳ ହେବା ଅସମ୍ଭବ । ତେଣୁ ପ୍ରତ୍ୟେକ ବ୍ୟକ୍ତିର ସଚେତନତା ହିଁ ହେଉଛି ଏହାର ସଫଳତାର ଚାବିକାଠି । ତେଣୁ ପରିବେଶକୁ ଭଲ ପାଉଥିବା , ଏହାର ସୁରକ୍ଷା ପାଇଁ ଚିନ୍ତା କରୁଥିବା ପ୍ରତ୍ୟେକ ମନୁଷ୍ୟ ଏକଥା ଜାଣିବା ନିତ୍ୟାନ୍ତ ଜରୁରୀ  । ତେଣୁ ଏବେଠୁ ସଚେତନ ହୁଅନ୍ତୁ ନଚେତ ଆପଣ ହିଁ ଚିନ୍ତା କରନ୍ତୁ ।