କାହିଁକି ପୋଲିସ ବର୍ଦ୍ଦିର ରଙ୍ଗ ଖାକି ?

କାହିଁକି କଲିକତା ପୋଲିସ ବର୍ଦ୍ଦିର ରଙ୍ଗ ଧଳା ?

କାହିଁକି ପୋଲିସ ବର୍ଦ୍ଦିର ରଙ୍ଗ ଖାକି ?
ସୌଜନ୍ୟ: ସୋସିଆଲ ମିଡିଆ

ସୁଭଦ୍ରା ବେହେରା, ଭୁବନେଶ୍ୱର: ଖାକି ବର୍ଦ୍ଦିର ସ୍ୱତନ୍ତ୍ର ପରିଚୟ ରହିଛି । ଆଇନ ଶୃଙ୍ଖଳା ବ୍ୟବସ୍ଥା ସ୍ୱାଭାବିକ ତଥା ବଜାୟ ରହୁ ସେଥିପାଇଁ ସବୁ ଦେଶରେ ପୋଲିସ ଫୋର୍ସ ଗଠନ କରାଯାଇଛି । ସହର ହେଉ କିମ୍ବା ଗାଁ, ଆମେ ଶାନ୍ତିର ନିଦରେ ଶୋଇଥାଉ, କାହିଁକି ନାଁ ଆମେ ଶାନ୍ତିରେ ଶୋଇବା ପାଇଁ ରାତି ସାରା ଉଜାଗର ରହିଥାଆନ୍ତି ଆମ ପୋଲିସ । ଭାବନ୍ତୁ ତ ଟାଣ ଖରା ଆଉ ପ୍ରବଳ ବର୍ଷାରେ ଆମେ ଘରୁ ପାଦ କାଢିବାକୁ ପସନ୍ଦ କରୁନାହିଁ । କିନ୍ତୁ ଆମ ଦେଶର ପୋଲିସ ମାନେ ଖରା ,ବର୍ଷା ହେଉ କିମ୍ବା ହାଡ଼ଭଙ୍ଗା ଶୀତ ହେଉ ସେମାନେ ନିଜର ଦାୟିତ୍ୱ ସମ୍ପାଦନା କରନ୍ତି ।

ପୋଲିସ କହିଲେ ଆଖି ଆଗରେ ଖାକି ବର୍ଦ୍ଦି ପିନ୍ଧିଥିବା ଲୋକର ଚିତ୍ର ଆଙ୍କି ହୋଇଯାଏ । କାହିଁକି ନା ଆମ ଦେଶରେ ଖାକି ବର୍ଦ୍ଦି ହିଁ ପୋଲିସର ପରିଚୟ ଦେଇଥାଏ । କେବଳ କଲିକତାକୁ ଛାଡିଦେଲେ ଦେଶର ସବୁ ସ୍ଥାନରେ ପୋଲିସର ୟୁନିଫର୍ମର ରଙ୍ଗ ଖାକି । ଆଉ ହଁ କ୍ୱଚିତ କେଉଁ ସ୍ଥାନରେ ଏହି ବର୍ଦ୍ଦିର ରଙ୍ଗ ହାଲକା ତ କେଉଁଠି ବର୍ଦ୍ଦିର ରଙ୍ଗ ଗାଢ । ଯାହାଦ୍ୱାର ପୋଲିସକୁ ଦୂରରୁ ଦେଖିକି ଲୋକ ଚିହ୍ନି ନିଅନ୍ତି। 

ତେବେ  ଆପଣ କେବେ ଭାବିଛନ୍ତି ପୋଲିସ ବର୍ଦ୍ଦିର ରଙ୍ଗ ଖାକି କାହିଁକି ?  ପୋଲିସ ବର୍ଦ୍ଦିର ରଙ୍ଗ ଅନ୍ୟ କୌଣସି ରଙ୍ଗର କାହିଁକି ନୁହେଁ ? ତେବେ ଆସନ୍ତୁ ଜାଣିବା କଣ ପାଇଁ ଭାରତୀୟ ପୋଲିସଙ୍କ ବର୍ଦ୍ଦିର ରଙ୍ଗ ଖାକି ।

ପୂର୍ବରୁ ଭାରତର ସବୁ ଜାଗାରେ ବ୍ରିଟିଶ ସରକାରର ରାଜ ଚାଲୁଥିଲା । ଖାକିର କାହାଣୀ ଇଂରେଜ କାଳରୁ ହିଁ ଆରମ୍ଭ ହୋଇଛି । ବ୍ରିଟିଶ ଶାସନ ବେଳେ ପୋଲିସ ବର୍ଦ୍ଦିର ରଙ୍ଗ ଧଳା ଥିଲା । ସେତେବେଳେ ପୋଲିସ ଧଳାରଙ୍ଗର ବର୍ଦ୍ଦି ପିନ୍ଧୁଥିଲେ । ହେଲେ ବହୁତ ସମୟ ଧରି କାମ କରିବା ଦ୍ୱାରା ଏହି ବର୍ଦ୍ଦିର ରଙ୍ଗ ଖରାପ ହେଉଯାଉଥିଲା । ଧଳା ବର୍ଦ୍ଦିର ରଙ୍ଗ ଖୁବ ଶୀଘ୍ର ଖରାପ ହେଉଥିବାରୁ ଏନେଇ ପୋଲିସ ମାନଙ୍କୁ ଚିନ୍ତା ଲାଗିରହୁଥିଲା । ତେବେ କିଛି ପୋଲିସ କର୍ମୀ ନିଜର ବର୍ଦ୍ଦିକୁ ସଫା ରଖିବା ପାଇଁ ତଥା ବର୍ଦ୍ଦିରେ ଲାଗିଥିବା ଦାଗକୁ ଲୁଚାଇବା ପାଇଁ ସେମାନେ ବର୍ଦ୍ଦିରେ ଅଲଗା ଅଲଗା ରଙ୍ଗକୁ ବ୍ୟବହାର କରିବା ଆରମ୍ଭ କଲେ ।


କିଛି ପୋଲିସ କର୍ମୀ ଧଳା ବର୍ଦ୍ଦିକୁ ନୀଳରଙ୍ଗରେ ବୁଡ଼ାଇ ହାଲକା ନୀଳ ରଙ୍ଗର ବନେଇ ଦେଉଥିଲେ । ଯାହାଦ୍ୱାରା ବର୍ଦ୍ଦିରେ ଲାଗିରହିଥିବା ଦାଗ ଖୁବ କମ୍ ଜଣାପଡ଼ୁଥିଲା । ହେଲେ ଅନେକ ସ୍ଥାନରେ ଧଳା ବର୍ଦ୍ଦିରେ ଦାଗ ଲାଗିବା କାରଣରୁ ହଳଦିଆ ପଡ଼ିଯାଉଥିଲା । ଏହିପରି ଭାବେ ଗୋଟିଏ ସ୍ଥାନର ପୋଲିସ କର୍ମୀଙ୍କ ବର୍ଦ୍ଦି ଅଲଗା ଅଲଗା ରଙ୍ଗର ଦେଖାଯାଉଥିଲା । ଏହି ସବୁକୁ ଦେଖିକି ପୋଲିସ ଅଧିକାରୀ ମାନେ ଖାକି ରଙ୍ଗର ଡାଏ ତିଆରି କଲେ । ଖାକି ରଙ୍ଗ ହାଲକା ହଳଦିଆ ଓ ଧୂଷର ରଙ୍ଗର ମିଶ୍ରଣ । ସେଥିପାଇଁ ସେମାନେ ଚାହା ପତିର ପାଣି ଆଉ କଟନ ଫ୍ୟାବ୍ରିକ ରଙ୍ଗକୁ  ବ୍ୟବହାର କରି  ଖାକି ରଙ୍ଗର ଡାଏ ତିଆରି  କଲେ । ଯାହାଦ୍ୱାରା ସେମାନଙ୍କ ବର୍ଦ୍ଦିର ରଙ୍ଗ ଖାକି ରଙ୍ଗ ହୋଇଗଲା । ବର୍ଦ୍ଦିର ରଙ୍ଗ ଖାକି ହୋଇଯିବା ଦ୍ୱାରା ମାଟି ତଥା ଧୂଳିର ରଙ୍ଗ ଏବଂ ଅନ୍ୟାନ୍ୟ ଦାଗ କମ୍ ଦେଖିବାକୁ ଲାଗିଲା । ତେବେ ପୋଲିସ ଅଧିକାରୀଙ୍କ ଏହି ପଦକ୍ଷେପକୁ ଦେଖି ୧୮୪୭ ମସିହାରେ ସାର ହ୍ୟାରୀ ଲମ୍ସଡେନ, ଅଧିକାରୀ ସ୍ତରରେ ଖାକି ରଙ୍ଗର ବର୍ଦ୍ଦିକୁ  ଆପଣାଇଥିଲେ । ଆଉ ସେବେଠୁ ହିଁ ଭାରତୀୟ ପୋଲିସ ଅଧିକାରୀଙ୍କ  ବର୍ଦ୍ଦିର ରଙ୍ଗ ଖାକି ରହିଛି ।

ହେଲେ ଆଜି ବି କଲିକତା ପୋଲିସଙ୍କ ବର୍ଦ୍ଦିର ରଙ୍ଗ ଧଳା ରହିଛି । ଏହା ପଛରେ ଥିବା କାରଣ ମଧ୍ୟ ଟିକିଏ ଅଲଗା । ୧୮୪୫ ମସିହାରେ ଇଂରେଜ ମାନେ କଲିକତା ପୋଲିସ ଫୋର୍ସର ଗଠନ କରିଥିଲେ । ସେତେବେଳେ ନିୟମ ମୁତାବକ, ସେମାନଙ୍କୁ ମଧ୍ୟ ଧଳାରଙ୍ଗର ବର୍ଦ୍ଦି ଦିଆଯାଇଥିଲେ । ଯେତେବେଳେ ୧୮୪୭ରେ ସାର ହ୍ୟାରୀ ଲମ୍ସଡେନ ଖାକି ରଙ୍ଗର ପ୍ରସ୍ତାବ ଦେଇଥିଲେ ସେତେବେଳେ ଏହି ପ୍ରସ୍ତାବକୁ କଲିକତା ପୋଲିସ ଖାରଜ କରିଥିଲେ । ଆଉ ପ୍ରସ୍ତାବ ଖାରଜ କରିବାର କାରଣ ଥିଲା ଯେ କଲିକତା ତଟବର୍ତ୍ତୀ ଅଞ୍ଚଳ ଅଟେ । ସେଥିପାଇଁ ଏଠାକାର ପାଣିପାଗରେ ଆଦ୍ରତା ଅଧିକ ଥାଏ । ଯାହାଦ୍ୱାରା ଅଧିକ ଗରମ ଅନୁଭୂତ ହୋଇଥାଏ । ତେବେ ବୈଜ୍ଞାନିକ ଦୃଷ୍ଟି କୋଣରୁ କଲିକତାରେ ଧଳାରଙ୍ଗର ବର୍ଦ୍ଦି ପ୍ରଯୁଜ୍ୟ । ଧଳା ରଙ୍ଗ ସୂର୍ଯ୍ୟଙ୍କ କିରଣକୁ ପ୍ରତିଫଳନ କରି ଗରମରୁ ରକ୍ଷା କରିଥାଏ । ସେଥିପାଇଁ କଲିକତା ପୋଲିସ ଧଳାରଙ୍ଗର ବର୍ଦ୍ଦି ପିନ୍ଧିଥାଆନ୍ତି ।