Assembly Election 2021: ବିହାରରେ Pass, ପଶ୍ଚିମବଙ୍ଗରେ Fail ହୋଇଗଲା AIMIM
ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସମସ୍ତ ଦଳଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚାରେ ରହିଥିଲା ଏଆଇଏମଆଇଏମ।
ନୂଆଦିଲ୍ଲୀ: ଶେଷ ହୋଇଯାଇଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଆଉ ପ୍ରକାଶ ପାଇସାରିଛି ଏହି ନିର୍ବାଚନର ଫଳାଫଳ। ଚଳିତ ଥର ରାଜ୍ୟରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଟିଏମସି। ଅନ୍ୟପଟେ ଏଥର ରାଜ୍ୟ ରାଜନୀତିରେ ମୁଖ୍ୟ ବିରୋଧି ଦଳ ଭାବେ ଉଭାହୋଇଛି ବିଜେପି।
ଚଳିତ ବର୍ଷ ମେ ୨ ତାରିଖରେ ପ୍ରକାଶ ପାଇଥିଲା ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (West Bengal Assembly Election 2021) ଫଳାଫଳ। ଚଳିତ ଥର ତୃଣମୂଳ କଂଗ୍ରେସ-ଟିଏମସି (Trinamool Congress-TMC) ୨୧୩, ବିଜେପି (BJP) ୭୭, ସ୍ୱାଧିନ ଏବଂ ରାଷ୍ଟ୍ରୀୟ ସେକ୍ୟୁଲାର ମଜଲିସ ପାର୍ଟିକୁ (Rashtriya Secular Majlis Party) ଗୋଟିଏ ଲେଖାଁଏ ଆସନ ମିଳିଛି।
ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା କଂଗ୍ରେସ (Congress), ସିପିଆଇ (CPI), ସିପିଏମ (CPM), ରିଭୋଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟି-ଆରଏସପି (Revolutionary Socialist Party -RSP), ମାର୍କ୍ସିଷ୍ଟ ଫରୱାର୍ଡ ବ୍ଲକ-ଏମଏଫବି (Marxist Forward Bloc), ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ-ଏଆଇଏଫବି (All India Forward Bloc-AIFB) ପ୍ରଭୃତି ଦଳ ସଂଯୁକ୍ତ ମୋର୍ଚ୍ଚା (Sanjukta Morcha) ନାମରେ ଏକ ମେଣ୍ଟ ଗଠନ କରି ନିର୍ବାଚନ ଲଢିଥିଲେ। ହେଲେ ଏହି ମେଣ୍ଟରେ ଅଂଶୀଦାର ଥିବା କୌଣସି ଦଳ ରାଜ୍ୟରେ ଗୋଟିଏ ହେଲେ ଆସନ ହାତେଇବାକୁ ସକ୍ଷମ ହୋଇନାହାଁନ୍ତି।
Also Read: 'ପିଏମ ମୋଦି-ମମତା ବାନାର୍ଜୀ ହେଉଛନ୍ତି ଭାଇଭଉଣୀ'
ସେହିପରି ଗୋର୍ଖା ଜନମୁକ୍ତି ମୋର୍ଚ୍ଚା-ଜିଜେଏମ (Gorkha Janmukti Morcha-GJM), ସୋସିଆଲିଷ୍ଟ ୟୁନିଟ ସେଣ୍ଟର ଅଫ ଇଣ୍ଡିଆ କମ୍ୟୁନିଷ୍ଟ-ଏସୟୁସିଆଇସି (Socialist Unity Centre of India Communist-SUCIC), ଜନତା ଦଳ ୟୁନାଇଟେଡ-ଜେଡିୟୁ (Janata Dal United-JDU), କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ମାକ୍ସିଷ୍ଟ ଲେନିନିଷ୍ଟ-ସିପିଆଇଏମଏଲ (Communist Party of India Marxist Leninist-CPIML), ଅଲ ଇଣ୍ଡିଆ ମଜଲିସ ଇ ଇତ୍ତେହାଦୁଲ ମୁସଲିମିନ୍-ଏଆଇଏମଆଇଏମ (All India Majlis-e-Ittehadul Muslimeen-AIMIM) ବହୁଜନ ସମାଜ ପାର୍ଟି-ବିଏସପି (Bahujan Samaj Party-BSP), ନେସନାଲ ପିପୁଲ୍ସ ପାର୍ଟି-ଏନପିପି (National Peoples Party-NPP), ଅଲ ଝାଡଖଣ୍ଡ ଷ୍ଟୁଡେଣ୍ଟ୍ସ ୟୁନିଅନ-ଏଜେଏସୟୁ (All Jharkhand Students Union-AJSU) ପ୍ରଭୃତି ଦଳ ଏଥରର ନିର୍ବାଚନରେ ଖାତା ଖୋଲି ପାରିନାହାଁନ୍ତି।
ଏଥର ଟିଏମସି-ଜିଜେଏମ ଏବଂ ବିଜେପି-ଏଜେଏସୟୁ ମଧ୍ୟରେ ନିର୍ବାଚନୀ ମେଣ୍ଟ ହୋଇଥିଲା। ଏସୟୁସିଆଇସି, ଜେଡିୟୁ, ସିପିଆଇଏମଏଲ, ଏଆଇଏମଆଇଏମ, ବିଏସପି, ଏନପିପି ଆଦି ଦଳ ଏକୁଟିଆ ନିର୍ବାଚନ ଲଢିଥିଲେ। ଏହା ସହିତ ଟିଏମସିକୁ ଶିବସେନା (Shivsena), ସମାଜବାଦ ପାର୍ଟି (Samajwadi Party), ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି (Rastriya Janata Dal-RJD) ଆଦି ଦଳ ସମର୍ଥନ ଜଣାଇଥିଲା।
ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସମସ୍ତ ଦଳଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚାରେ ରହିଥିଲା ହାଇଦ୍ରବାଦ ଲୋକସଭା ସାଂସଦ (Hyderabad Lok Sabha MP) ଅସାଦୁଦ୍ଦିନ ଓୱେସୀଙ୍କ (Asaduddin Owaisi) ନେତୃତ୍ୱାଧିନ ଏଆଇଏମଆଇଏମ। ଗତ ବିହାର ବିଧାନସଭା ନିର୍ବାଚନରେ (Bihar Legislative Assembly Elelction 2020) ଏଆଇଏମଆଇଏମ ରାଜ୍ୟର ମୋଟ ୨୪୩ ଆସନରୁ ୫ ସିଟରେ ବାଜିମାତ କରିଥିଲା। ଯଦିଓ ଦଳ ଏହି ରାଜ୍ୟରେ ବିଜୟୀ ହୋଇଥିଲା ହେଲେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦଳୀୟ ସଫଳତାକୁ ଦୋହରାଇବାରେ ଅସଫଳ ହୋଇଛି ହାଇଦ୍ରବାଦ ସାଂସଦଙ୍କ ଦଳ।
Also Read: 'ହିନ୍ଦୁସ୍ତାନ' ଶବ୍ଦ କହିବାକୁ ନେଇ ନାରାଜ ଓୱେସୀଙ୍କ ବିଧାୟକ; ବିଧାନସଭାରେ ଜୋରଦାର ହଙ୍ଗାମା
ବିହାର ନିର୍ବାଚନରେ ସବୁ ଦଳଙ୍କୁ ଚକମା ଦେଇ ସଫଳତା ପାଇଥିବା ଏଆଇଏମଆଇଏମ ପଶ୍ଚିମବଙ୍ଗ ରାଜନୀତିରେ ସ୍ଥିତି ସୁଦୃଢ କରିବା ପରିବର୍ତ୍ତେ ଚିତପଟାଙ୍ଗ ମାରିଛି। ଦଳ ଏଠାରେ ଖାତା ଖୋଲିପାରିନାହିଁ। ରାଜ୍ୟର ୭ଟି ନିର୍ବାଚନମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରୁଥିବା ଦଳୀୟ ପ୍ରାର୍ଥୀ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ପରାସ୍ତ ହୋଇଛନ୍ତି। ସବୁ ଆସନରେ ଦଳୀୟ ପ୍ରାର୍ଥୀ ଅମାନତ ହରାଇଛନ୍ତି।
ନିର୍ବାଚନ ପୂର୍ବରୁ ଏଆଇଏମଆଇଏମ ସୁପ୍ରିମୋ ଅସାଦୁଦ୍ଦିନ ଓୱେସୀଙ୍କୁ ଝଟକା ଦେଇଥିଲେ ଦଳୀୟ ନେତା ଫୁରଫୁରା ଶରିଫ। ଯିଏ ଦଳ ଛାଡି ଟିଏମସି ହାତ ଧରିଥିଲେ। ହେଲେ ଏବେ ଝଟକା ଦେଇଛନ୍ତି ମତାଦାତା। ପଶ୍ଚିମବଙ୍ଗର ଇତିହାର ସିଟ୍ରୁ ମୋଫାକକ୍କର ଇସଲାମ, ଜଲଙ୍ଗୀ ସିଟ୍ରୁ ଅଲସୋକତ ଜାମନ, ସାଗରଦିଘି ସିଟ୍ରୁ ନୁରେ ମହବୁବ ଆଲମ, ଭରତପୁର ସିଟ୍ରୁ ସଜ୍ଜାଦ ହୁସୈନ, ମାଲତୀପୁର ସିଟ୍ରୁ ମୌଲନା ମୋତିଉର ରହମାନ, ରତୁଆ ସିଟ୍ରୁ ସଇଦୁର ରହମାନ, ଆସନସୋଲ ଉତ୍ତର ସିଟ୍ରୁ ଦାନିଶ ଅଜୀଜ ପ୍ରମୁଖ ଏଆଇଏମଆଇଏମ ପକ୍ଷରୁ ଦଳୀୟ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ମଧ୍ୟ କେହି ବାଜିମାତ କରିନାହାଁନ୍ତି।
Also Read: 'ବିଜେପିକୁ ରୋକିବା ପାଇଁ କଂଗ୍ରେସ ପାଖରେ ନାହିଁ ତାକତ'
ଏହି ସମସ୍ତ ଆସନରେ ଏଆଇଏମଆଇଏମ ପ୍ରାର୍ଥୀଙ୍କୁ ୧ ହଜାରରୁ ଅଧିକ ଭୋଟ ମିଳିନାହିଁ। ସାଂସଦ ଓୱେସୀ ରାଜନୀତିରେ ମୁସଲିମ କାର୍ଡ ଖେଳୁଥିବା ରାଜନେତା ହିସାବରେ ଜଣାଶୁଣା। ଇତିହାରରେ ୫୨, ଜଲଙ୍ଗୀରେ ୭୩, ସାଗରଦିଘିରେ ୬୫, ଭରତପୁରରେ ୫୮, ମାଲତୀପୁରରେ ୩୭, ରତୁଆରେ ୪୧, ଆସନସୋଲ ଉତ୍ତରରେ ୨୦ ପ୍ରତିଶତ ମତଦାତା ହେଉଛନ୍ତି ମୁସଲମାନ ଭୋଟର।
Also Read: 'ନୀତିଶଙ୍କୁ ହଟାଇ ନିଜର ମୁଖ୍ୟମନ୍ତ୍ରୀ ଚାହୁଁଛି ବିଜେପି, ଆରଏସଏ ଯୋଜନା ଅନୁସାରେ ହେଉଛି କାମ'
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଏଆଇଏମଆଇଏମ ସର୍ବାଧିକ ସଂଖ୍ୟାଲଘୁ ଭୋଟର ରହିଥିବା ମୁର୍ଶିଦାବାଦ ଜିଲ୍ଲାରେ ଅବସ୍ଥିତ ବିଭିନ୍ନ ଆସନରେ ନିର୍ବାଚନ ଲଢିଥିଲା। ରାଜ୍ୟର ସର୍ବାଧିକ ସଂଖ୍ୟାଲଘୁ ଭୋଟର (Minority Voter) ଏହି ଜିଲ୍ଲାରେ ବସବାସ କରିଥାନ୍ତି। କେବଳ ଏଠାରେ ୭୦ ପ୍ରତିଶତ ସଂଖ୍ୟାଲଘୁ ସମ୍ପ୍ରଦାୟର ମତଦାତା ରହିଛନ୍ତି। ଅନ୍ୟପଟେ ସମଗ୍ର ରାଜ୍ୟରେ ମୁସଲମାନ (Muslim), ଖ୍ରୀଷ୍ଟିଆନ (Christian), ବୌଦ୍ଧ (Boudh) ଆଦିଙ୍କୁ ମିଶାଇ ୨୭-୩୦ ପ୍ରତିଶତ ସଂଖ୍ୟାଲଘୁ ଭୋଟର ଅଛନ୍ତି। ଏହି ରାଜ୍ୟରେ ଏପରି ୭୮ଟି ବିଧାନସଭା ଆସନ ରହିଛି ଯେଉଁଠି ୩୦-୯୪ ପ୍ରତିଶତ ଭୋଟର ହେଉଛନ୍ତି କେବଳ ମୁସଲମାନ ସମ୍ପ୍ରଦାୟର।