ରାଜସ୍ଥାନରେ ଧର୍ମକୁ ଦେଖି ହେଉଛି ବିଦ୍ୟୁତ୍ ଯୋଗାଣ!
Advertisement
Article Detail0/zeeodisha/odisha1143889

ରାଜସ୍ଥାନରେ ଧର୍ମକୁ ଦେଖି ହେଉଛି ବିଦ୍ୟୁତ୍ ଯୋଗାଣ!

ଏହା ସୁନିଶ୍ଚିତ କରାଯାଉ ଯେ, ଯୋଧପୁର, ପାଲୀ, ସିରୋହୀ, ବାଡ଼ମେର, ଜୈସଲମେର, ବିକାନେର, ଚୁରୁ, ହନୁମାନଗଡ଼ ଏବଂ ଶ୍ରୀଗଙ୍ଗାନଗରର ସମସ୍ତ ମୁସଲିମବହୁଳ ଅଞ୍ଚଳରେ ରମଜାନ ମାସଯାକ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ କରାଯିବ। 

ରାଜସ୍ଥାନରେ ଧର୍ମକୁ ଦେଖି ହେଉଛି ବିଦ୍ୟୁତ୍ ଯୋଗାଣ!

ରାଜସ୍ଥାନର ଅଶୋକ ଗେହଲୋଟ ସରକାର ରମଜାନ ମାସରେ ମୁସଲିମବହୁଳ ଅଞ୍ଚଳଗୁଡ଼ିକରେ ଅବାରିତ ଭାବରେ ବିଜୁଳି ଯୋଗାଣ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଯୋଧପୁର ବିଦ୍ୟୁତ ବିତରଣ ନିଗମ ଲିମିଟେଡ୍ ନିର୍ଦ୍ଦେଶ ଜାରି କରି କହିଛି ଯେ, ରମଜାନର ପୂରା ମାସରେ କୌଣସି ମୁସଲିମବହୁଳ ଅଞ୍ଚଳରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ କରାଯିବ ନାହିଁ। ଅର୍ଥାତ୍ ବିଦ୍ୟୁତ୍ କାଟ ହେବନାହିଁ।

ଯୋଧପୁର ବିଦ୍ୟୁତ୍ ବିତରଣ ନିଗମ ଲିମିଟେଡକୁ 'ଯୋଧପୁର ଡିସ୍କମ୍' ନାଁରେ ବି ଜଣାଯାଏ। ଯୋଧପୁର ବିଦ୍ୟୁତ ବିତରଣ ନିଗମ ଲିମିଟେଡ୍ ଦ୍ୱାରା ଜାରି ଏକ ଚିଠି ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି। ଏହି ଚିଠି ହେଉଛି ଗତ ଏପ୍ରିଲ ୧ ତାରିଖର। ଟ୍ୱିଟର ୟୁଜର @8PMnoCM ଯୋଧପୁର ବିଦ୍ୟୁତ୍ ବିତରଣ ନିଗମ ଲିମିଟେଡ୍ ଦ୍ୱାରା ଜାରି କରାଯାଇଥିବା ଚିଠିର କପି ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ଯୋଧପୁର ବିଦ୍ୟୁତ୍ ବିଭାଗ ପକ୍ଷରୁ ଜାରି ପତ୍ରରେ କୁହାଯାଇଛି ଯେ, ୪ ଏପ୍ରିଲରୁ ଆରମ୍ଭ ହେଉଛି ରମଜାନ ମାସ। ରୋଜା ରଖୁଥିବା ଲୋକମାନଙ୍କର ଯେମିତି ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ କିଛି ଅସୁବିଧା ନ ହେବ, ସେଥିପାଇଂ ଏକଥା ସୁନିଶ୍ଚିତ କରାଯାଉ ଯେ, ଯୋଧପୁର, ପାଲୀ, ସିରୋହୀ, ବାଡ଼ମେର, ଜୈସଲମେର, ବିକାନେର, ଚୁରୁ, ହନୁମାନଗଡ଼ ଏବଂ ଶ୍ରୀଗଙ୍ଗାନଗରର ସମସ୍ତ ମୁସଲିମବହୁଳ ଅଞ୍ଚଳରେ ରମଜାନ ମାସଯାକ ବିନା କୌଣସି ବାଧାବିଘ୍ନରେ ବିଦ୍ୟୁତ୍ ଯୋଗାଣ କରାଯାଉ।

ତେବେ ଯୋଧପୁର ବିଦ୍ୟୁତ୍ ବିତରଣ ନିଗମ ଲିମିଟେଡ୍ ସହ ଯୋଗାଯୋଗ କରିବାରୁ ଏହାର ସତ୍ୟତା ଜଣାପଡ଼ିଲା। ଯୋଧପୁର ଡିସ୍କମ୍ ପ୍ରବନ୍ଧ ନିର୍ଦ୍ଦେଶକଙ୍କ PA କେ. ଜି. ଅଗ୍ରୱାଲ ପୁଷ୍ଟି କରିଛନ୍ତି ଯେ, ଯୋଧପୁର, ଜୟପୁର ଏବଂ ଆଜମେର ଡିସ୍କମ୍ ପାଇଁ MD ନିଜ ନିଜ ଅଞ୍ଚଳରେ ଆସୁଥିବା ସମସ୍ତ ମୁସଲିମବହୁଳ ଅଞ୍ଚଳରେ ନିର୍ବିବାଦରେ ବିଦ୍ୟୁତ୍ ସରବରାହ ଅବ୍ୟାହତ ରଖିବାକୁ ଆଦେଶ ଜାରି କରାଯାଇଛି।

ଅଗ୍ରୱାଲ ଆହୁରି କହିଛନ୍ତି ଯେ, କଂଗ୍ରେସ ବିଧାୟକ ଜାହିଦା ଖାନଙ୍କ ଦ୍ୱାରା ସଦନରେ ପେଶ୍ କରାଯାଇଥିବା ପ୍ରସ୍ତାବର ଉତ୍ତରରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ରାଜସ୍ଥାନର କଂଗ୍ରେସ ସରକାର ସମସ୍ତ ତିନିଟିଯାକ ଡିସ୍କମକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଯେ, ରାଜ୍ୟର ଯେ କୌଣସି ମୁସଲିମବହୁଳ ଅଞ୍ଚଳରେ ତମାମ ରମଜାନ ମାସ ସରିବା ପର୍ଯ୍ୟନ୍ତ ଯେପରି ବିଦ୍ୟୁତ୍ କାଟ ନ ହୁଏ।

ଏହାକୁ ନେଇ ବିଜେପି ନେତା ଶାହଜାଦ ପୁନାୱାଲା ରାଜ୍ୟର କଂଗ୍ରେସ ସରକାରକୁ ଟାର୍ଗେଟ୍ କରିଛନ୍ତି। ପୁନାୱାଲା (Shehzad Poonawala) ସର୍କୁଲାରଟିର ଫଟୋ ଟ୍ୱିଟ୍ କରି ଏ ସଂକ୍ରାନ୍ତରେ ନିଜ ମତ ଦେବାକୁ ଯାଇ କହିଛନ୍ତି, '' ବାଃ ! କରୌଲୀରେ ମୁଖ୍ୟ ଅଭିଯୁକ୍ତକୁ ନିର୍ଲଜ ଭବରେ ବଞ୍ଚାଇବା ଏବଂ କଂଗ୍ରେସ ପାର୍ଷଦ ମତଲୁବ ଅହମ୍ମଦଙ୍କୁ ଗିରଫ ନ କରିବା ପରେ ଏବେ ଗେହଲୋଟ ସରକାରଙ୍କ ପକ୍ଷରୁ ଆଉ ଏକ ତୁଷ୍ଟିକରଣ କରାଯାଉଛି। ରମଜାନ କାଳରେ ମୁସଲିମବହୁଳ ଅଞ୍ଚଳରେ କଟିବନି ଲାଇନ୍ ! ନବରାତ୍ରିରେ ହିନ୍ଦୁମାନଙ୍କ ପାଇଁ ଏପରି ନିର୍ଦ୍ଦେଶ ନାହିଁ କାହିଁକି ? କାହିଁକି ଏଭଳି ପାତରଅନ୍ତର ନୀତି ?''

ଜାହିଦା ଖାନ୍ ରାଜସ୍ଥାନ ବିଧାନସଭାର ସଦସ୍ୟ ଥିବାବେଳେ ଗେହଲୋଟ୍ ସରକାରରେ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ସେ ରାଜସ୍ଥାନର କମାନରୁ ବିଧାୟିକା ଭାବରେ ଦୁଇଥର ନିର୍ବାଚିତ ହୋଇଛନ୍ତି। ୨୦୦୮ରେ ଥରେ ଏବଂ ୨୦୧୮ରେ ଆଉଥରେ। ରାଜସ୍ଥାନ ସରକାରରେ ସଂସଦୀୟ ସଚିବ ଏବଂ ରାଷ୍ଟ୍ରମନ୍ତ୍ରୀ ପଦରେ ମଧ୍ୟ ରହି ସାରିଛନ୍ତି ଜାହିଦା ଖାନ୍। ତାଙ୍କୁ ଅକ୍ଟୋବର ୨୦୧୧ରେ ଅଖିଳ ଭାରତୀୟ ମହିଳା କଂଗ୍ରେସର ମହାସଚିବ ଭାବରେ ମଧ୍ୟ ମନୋନୀତ କରାଯାଇଥିଲା।

ଗତବର୍ଷ ଫେବ୍ରୁଆରୀ ମାସରେ ଜାହିଦା ଖାନଙ୍କ ବିରୋଧରେ ଯୋଧପୁରରେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ଧମକାଇବା ଏବଂ ମାଡ଼ ମାରିବା ଭଳି ଅଭିଯୋଗ ଦାୟର ହୋଇଥିଲା। ଅଭିଯୋଗକାରୀଙ୍କ ବୟାନ ଥିଲା, ୩୧ ଜାନୁଆରୀ ୨୦୨୧ରେ ଯେତେବେଳେ ହରିଆଣା ସୀମା ନିକଟରେ କୃଷକ ଆନ୍ଦୋଳନରେ ସାମିଲ ହେବାକୁ ଯାଉଥିଲେ, ସେତେବେଳେ ବିଧାୟକଙ୍କ ସଶସ୍ତ୍ର ଗୁଣ୍ଡାମାନେ ତାଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିଲେ। ସେ ଉଲ୍ଲେଖ କରିଛନ୍ତି, ସ୍ଥାନୀୟ ଲୋକେ ଏବଂ ପଥଚାରୀମାନେ ତାଙ୍କୁ ଉଦ୍ଧାର କରିଥିଲେ। ତେବେ ଜାହିଦା ଖାନ ଏହି ଅଭିଯୋଗକୁ ଖଣ୍ଡନ କରି ଏହାକୁ 'ଭିତ୍ତିହୀନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ' ବୋଲି କହିଥିଲେ।

ଜାହିଦା ଖାନ ହେଉଛନ୍ତି ସେହି କଂଗ୍ରେସ ନେତା, ଯାହାଙ୍କ ବିରୋଧରେ ରାଜସ୍ଥାନର ଭରତପୁର ଜିଲ୍ଲା କମାନ ଅଞ୍ଚଳରେ ବିବାଦୀୟ ଭାଷଣର ଏକ ଭିଡିଓ ଭାଇରାଲ୍ ହେବାପରେ ୨୦୧୯ରେ ନିର୍ବାଚନ କମିଶନଙ୍କଠାରେ ମାମଲା ରୁଜୁ ହୋଇଥିଲା। ତେବେ ଭିଡିଓକୁ ଟ୍ୟାମ୍ପରିଂ କରାଯାଇଥିବା କହି, ସେତେବେଳେ ଏହି ମାମଲାରୁ ବର୍ତ୍ତି ଯାଇଥିଲେ ଜାହିଦା ଖାନ୍।

ସେପଟେ ଜାହିଦା ଖାନଙ୍କ ପତି ଜଲୀଶ ଖାନ ବହୁଚର୍ଚ୍ଚିତ 'ଭରତପୁର ଗ୍ୟାଙ୍ଗରେପ୍' ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ। ଏହି ମାମଲାରେ ଜଣେ ଦଳିତ ଯୁବତୀଙ୍କୁ କିଛି ଲୋକ ଲଗାତାର ୧୫ ଦିନ ଧରି ବଳାତ୍କାର କରିଥିଲେ। ଦିଲ୍ଲୀ ୟୁନିଭର୍ସିଟିରୁ ଆଇନରେ ସ୍ନାତକ ଡିଗ୍ରୀଧାରୀ ଜାହିଦା ଖାନ ରାଜସ୍ଥାନର ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିଜ ସ୍ୱାମୀ ଉପରେ ଲାଗିଥିବା ଗ୍ୟାଙ୍ଗରେପ୍ ଅଭିଯୋଗକୁ ଖଣ୍ଡନ କରିଥିଲେ। ଗ୍ୟାଙ୍ଗରେପ୍ ପୀଡ଼ିତା ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ମାମଲା ପ୍ରତ୍ୟାହାର ନ କଲେ ତାଙ୍କୁ ଏହାର ପରିଣାମ ଭୋଗିବାକୁ ଲଗାତାର ଧମକ ଦିଆ ଯାଉଥିଲା। ମାଲା ରଫାଦଫା କରିବା ପାଇଁ ତାଙ୍କୁ ୧ କୋଟି ଟଙ୍କା ମଧ୍ୟ ଯଚା ଯାଇଥିବା ସେ ଅଭିଯୋଗ କରିଥିଲେ।