ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ମଙ୍ଗଳବାର (ଫେବୃଆରୀ ୮) ଦଳୀୟ ଇସ୍ତାହାର ଘୋଷଣା କରିଛି ଶାସକ ବିଜେପି। ଅଯୋଧ୍ୟା ଠାରେ ରାମାୟଣ ବିଶ୍ୱବିଦ୍ୟାଳୟ ନିର୍ମାଣ ଏବଂ ବୃଦ୍ଧ ସାଧୁ, ପୁରୋହିତ ଏବଂ ପୂଜାରୀଙ୍କ କଲ୍ୟାଣ ପାଇଁ ଏକ ସ୍ୱତନ୍ତ୍ର ବୋର୍ଡ ଗଠନ କରିବାକୁ ଦଳୀୟ ନିର୍ବାଚନୀ ଇସ୍ତାହାର ମାଧ୍ୟମରେ ପ୍ରତିଶୃତି ଦେଇଛି ଶାସକ ଦଳ।
ଦଳୀୟ ନିର୍ବାଚନୀ ଇସ୍ତାହାରକୁ ବିଜେପି ତାରକା ପ୍ରଚାରକ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 'ଲୋକ କଲ୍ୟାଣ ସଙ୍କଳ୍ପ ପତ୍ର' ନାମରେ ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ଦୀନେଶ ଶର୍ମା, ଉତ୍ତର ପ୍ରଦେଶ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂହ ଏବଂ ସଙ୍କଳ୍ପ ପତ୍ର କମିଟି ଅଧ୍ୟକ୍ଷ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସୁରେଶ କୁମାର ଖାନ୍ନା ପ୍ରମୁଖ ଉପସ୍ଥିତ ଥିଲେ।
ବିଜେପି ନିର୍ବାଚନୀ ଇସ୍ତାହାର ବାବଦରେ ୧୦ ବଡ଼ କଥା
- ୧.ଲଭ ଜିହାଦ ଭଳି ଘଟଣାରେ ଜଡ଼ିତ ଦୋଷୀଙ୍କୁ ୧୦ ବର୍ଷର କାରାଦଣ୍ଡ କିମ୍ବା ୧ ଲକ୍ଷ ଟଙ୍କାର ଜରିମାନ, ଅଯୋଧ୍ୟା ଠାରେ ପ୍ରଭୁ ରାମଙ୍କ ସହ ଜଡିତ ସାଂସ୍କୃତିକ ତଥା ଧାର୍ମିକ ତଥ୍ୟ ଉପରେ ଅନୁସନ୍ଧାନ କରିବା ପାଇଁ ରାମାୟଣ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ବୃଦ୍ଧ ସାଧୁ, ପୁରୋହିତ ଏବଂ ପୂଜାରୀଙ୍କ କଲ୍ୟାଣ ପାଇଁ ଏକ ସ୍ୱତନ୍ତ୍ର ବୋର୍ଡ ଗଠନ କରିବାକୁ ପ୍ରତିଶୃତି ଦେଇଛି ଦଳ।
- ୨.ଚାଷ ଜମିରେ ଜଳ ସେଚନ ଲାଗି ଆସନ୍ତା ୫ ବର୍ଷ ପାଇଁ ଚାଷୀଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇବା, ୧୪ ଦିନ ମଧ୍ୟରେ ଆଖୁ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ମିଲ ଠାରୁ ସୁଧ ଆଦାୟ କରିବା, ୫ ହଜାର କୋଟି ଟଙ୍କା ବ୍ୟୟ କରି ଚିନି ଶିଳ୍ପର ନବୀକରଣ ଏବଂ ଆଧୁନିକୀକରଣ, ରାଜ୍ୟରେ ୬ ମେଗା ଫୁଡ୍ ପାର୍କ ଏବଂ ୬ ଇଣ୍ଡଷ୍ଟ୍ରିଆଲ୍ ପାର୍କ ସ୍ଥାପନ, ନିଷାଦ ରାଜ ବୋର୍ଡ ସବସିଡି ଯୋଜନା ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡଙ୍ଗା ଉପରେ ୪୦ ପ୍ରତିଶତ ସବସିଡି ପ୍ରଦାନ କରିବାକୁ ଘୋଷଣା କରିଛି ଦଳ।
- ୩.ରାଣୀ ଲକ୍ଷ୍ମୀବାଇ ଯୋଜନା ଅଧିନରେ ଯୋଗ୍ୟ ବାଳିକାଙ୍କୁ ମାଗଣା ସ୍କୁଟି ଯୋଗାଇବା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳା ଯୋଜନା ଅଧିନରେ ଦିଆଯାଉଥିବା ୧୫ ହଜାର ଟଙ୍କାର ସହାୟତାକୁ ରାଶି ୨୫ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ପ୍ରତିଶୃତି ଦେଇଛି ଦଳ। ଏହା ସହିତ ହୋଲି ଏବଂ ଦୀପାବଳୀ ଅବସରରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ମାଧ୍ୟମରେ ସମସ୍ତ ହିତାଧିକାରୀଙ୍କୁ ଦୁଇଟି ମାଗଣା ଏଲପିଜି ସିଲିଣ୍ଡର ପ୍ରଦାନ, ୬୦ ବର୍ଷରୁ ଅଧିକ ମହିଳାଙ୍କୁ ସାଧାରଣ ପରିବହନ ସେବାରେ ମାଗଣା ଯାତ୍ରା ସୁବିଧା ଯୋଗାଇବା, ବିଧବା ଏବଂ ନିଃସନ୍ତାନ ମହିଳାଙ୍କ ପେନ୍ସନ୍କୁ ଦେଢ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି।
- ୪.ସ୍ୱାମୀ ବିବେକାନନ୍ଦ ଯୁବ ସଶକ୍ତି କରଣ ଯୋଜନା ଅଧିନରେ ୨ କୋଟି ଟାବଲେଟ୍ ଏବଂ ସ୍ମାର୍ଟଫୋନ୍ ବଣ୍ଟନ, ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରତ୍ୟେକ ପରିବାରକୁ ଅତି କମରେ ଗୋଟିଏ ଚାକିରୀ କିମ୍ବା ଆତ୍ମନିର୍ଭରଶୀଳ ସୁଯୋଗ ପ୍ରଦାନ କରିବା, ସରକାରୀ ବିଭାଗରେ ଖାଲିଥିବା ପଦବୀ ପୂରଣ କରିବା, ଶୀଘ୍ର ଏବଂ ଏକ ଆତ୍ମନିର୍ଭରଶୀଳ ଯୁବକ ଷ୍ଟାର୍ଟଅପ୍ ମିଶନ୍ ସୃଷ୍ଟି କରି ନିଯୁକ୍ତି ଏବଂ ସ୍ୱୟଂ ନିଯୁକ୍ତି ପାଇଁ ୧୦ ଲକ୍ଷ ସୁଯୋଗ ପ୍ରଦାନ କରିବାକୁ, ରାଜ୍ୟରେ ଯଥାଶୀଘ୍ର ୬ ହଜାର ଡାକ୍ତର ଏବଂ ୧୦ ହଜାର ପାରାମେଡିକାଲ୍ କର୍ମଚାରୀ ନିଯୁକ୍ତ କରିବାକୁ ପ୍ରତିଶୃତି ଦିଆଯାଇଛି।
- ୫.ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ ଭାବେ ବିକଶିତ କରିବା, ପ୍ରତ୍ୟେକ ମଣ୍ଡଳରେ ଅତି କମରେ ଗୋଟିଏ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା, ମହା ପୁରୁଷ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନ କାହାଣୀକୁ ଶିକ୍ଷାଗତ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ପ୍ରତିଶୃତି ଦେଇଛି ଦଳ।
- ୬.ନୋଏଡ଼ା ଠାରେ ୧୦ ହଜାର କୋଟି ଟଙ୍କା ବିନିଯୋଗରେ ଏକ ଭବ୍ୟ ଫିଲ୍ମି ସିଟି ନିର୍ମାଣ ଏବଂ କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେଶକରଙ୍କ ସ୍ମୃତିରେ ଲତା ମଙ୍ଗେଶକର ପ୍ରଦର୍ଶନ କଳା ଏକାଡେମୀ ପ୍ରତିଷ୍ଠା କରିବା ପାଇଁ ପ୍ରତିଶୃତି ଦେଇଛି ଦଳ।
- ୭.ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଜିମ୍ ଏବଂ ଖେଳ ପଡିଆ ପ୍ରତିଷ୍ଠା କରିବା, ପ୍ରତ୍ୟେକ ବିକାଶ ବ୍ଲକରେ କ୍ରିକେଟ୍ ତାଲିମ ପାଇଁ ବ୍ୟବସ୍ଥା କରିବା ଏବଂ ରାଜ୍ୟ ପାଇଁ ବିଭିନ୍ନ କ୍ରୀଡା ଏକାଡେମୀ ପ୍ରତିଷ୍ଠା କରିବା, ରାଜ୍ୟରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ଯୋଗ ଶିକ୍ଷକ ନିଯୁକ୍ତ କରିବା, ୩୦ ହଜାର କୋଟି ଟଙ୍କା ବ୍ୟୟରେ ଧନ୍ୱନ୍ତରୀ ମେଗା ହେଲଥ୍ ପାର୍କ ପ୍ରତିଷ୍ଠା, ମାଆ ଅନ୍ନପୂର୍ଣ୍ଣା କ୍ୟାଣ୍ଟିନ ସ୍ଥାପନ କରି ଗରିବ ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରତିଶୃତି ଦିଆଯାଇଛି।
- ୮.ଦଳୀୟ ନିର୍ବାଚନୀ ଇସ୍ତାହାର ଜାରି କରିବା ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ୫ ବର୍ଷ ବିଜେପି ରାଜ୍ୟରେ ବିକାଶର ଏକ ଦସ୍ତାବିଜ ସଙ୍କଳ୍ପ ପତ୍ର ଆକାରରେ ଜନସାଧାରଣଙ୍କ ସମ୍ମୁଖରେ ରଖିଥିଲା। ମୁଁ ବର୍ତ୍ତମାନ ଏହା କହିପାରିବି ଯେ ଗତ ୫ ବର୍ଷ ରାଜ୍ୟ ଲାଗି ପ୍ରତ୍ୟେକ କ୍ଷେତ୍ରରେ ବିକାଶ ଏବଂ ସଫଳତାର ବର୍ଷ ହୋଇଛି। ଏହି ସମୟରେ ରାଜ୍ୟର ଭବିଷ୍ୟତ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।
- ୯.ଗତ ୨୦୧୭ ସଙ୍କଳ୍ପ ପତ୍ରରେ ୨୧୨ ସଙ୍କଳ୍ପ ରହିଥିଲା। ସେଥିମଧ୍ୟରୁ ୯୨% ସଂକଳ୍ପ ପୂରଣ ହୋଇଛି। ଏହା ଖୁସିର ବିଷୟ ଯେ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ଆମ ସରକାର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର, କାଶୀ ଏବଂ ବୃନ୍ଦାବନ ଭଳି ସମସ୍ତ ଶ୍ରଦ୍ଧା କେନ୍ଦ୍ରକୁ ବିକାଶିତ କରିଛି।
- ୧୦.ଅନ୍ୟପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ରାଜ୍ୟର ୨୫ କୋଟି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ବିଜେପି ନିଜର ନୂତନ ସଙ୍କଳ୍ପ ପତ୍ର ଜାରି କରିଛି।