ଅଧିକାରୀଙ୍କୁ ମାଡ଼ମାରି ହାଜତରେ ବିଜେପି ବିଧାୟକ, ମନ୍ତ୍ରୀଙ୍କ ସାତଖୁନ୍ ମାଫ୍!
Advertisement

ଅଧିକାରୀଙ୍କୁ ମାଡ଼ମାରି ହାଜତରେ ବିଜେପି ବିଧାୟକ, ମନ୍ତ୍ରୀଙ୍କ ସାତଖୁନ୍ ମାଫ୍!

ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗିରଫ
ବିଧାୟକଙ୍କୁ ଭୁବନେଶ୍ୱର କ୍ୱାର୍ଟର୍ସରୁ ଗିରଫ କଲା ଦେବଗଡ଼ ପୋଲିସ୍
ତିଲେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ

ଡିଜାଇନ୍ ଫଟୋ

ଭୁବନେଶ୍ୱର: ବିଡିଓଙ୍କୁ ମାଡ଼ପିଟ୍ ମାମଲାରେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ଗିରଫ ହୋଇଛନ୍ତି। ରବିବାର ବିଧାୟକଙ୍କୁ ଭୁବନେଶ୍ୱରସ୍ଥିତ କ୍ୱାର୍ଟରରୁ ଦେବଗଡ଼ ପୋଲିସ୍ ଗିରଫ କରିଛି। ଗିରଫ ବେଳେ ବିଜେପି ବିଧାୟକ ବାଥରୁମରେ ଥିଲେ। ତିଲେଇବଣୀ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ବିଧାୟକ ସୁବାସ ପାଣିଗ୍ରାହୀ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି।

ତିଲେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ରବିବାର ଦେବଗଡ (Deogarh) ବିଧାୟକ ସୁବାସ ପାଣିଗ୍ରାହୀ (Subash Chandra Panigrahi) ଙ୍କୁ ଗିରଫ କରାଯାଇଛି। ତିଲେଇବଣୀ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତିଙ୍କୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଦେବଗଡ଼ ପୋଲିସ୍ (DeoGarh Police) ଗିରଫ କରିଛି। ଏହି ମାମଲାରେ ବିଧାୟକଙ୍କର ୨ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଶନିବାର ଛେପିଲିପାଲି ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡ଼ି ଗାଁକୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଏକ ଯୁଗ୍ମ ତଦନ୍ତରେ ଯାଇଥିଲେ। ସେତେବେଳେ ତାଙ୍କୁ ବିଧାୟକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବିଡିଓ ସହିତ ତହସିଲଦାର ପଲ୍ଲବୀ ନାୟକ, ଦେବଗଡ଼ ରେଭିନ୍ୟୁ ସୁପରଭାଇଜର ହୃଦାନନ୍ଦ ସାହୁ, ରାଜସ୍ୱ ନିରୀକ୍ଷକ ଜଲିରାଣୀ ପ୍ରଧାନ ଓ ଛେପିଲିପାଲି ଗ୍ରାମ ରୋଜଗାର ସେବକ ଜଗନ୍ନାଥ ସାହୁ ଉପସ୍ଥିତ ଥିଲେ।

Also Read: ରୋଗୀ ସମେତ ୩ ମୁଣ୍ଡ ଗଡ଼ାଇଲା ବେପରୁଆ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର

ବିଡିଓଙ୍କ କହିବା ଅନୁସାରେ ଭାଲିଆଗୁଡ଼ି ଗାଁରେ ଥିବା ବେଳେ ଦିନ ସାଢ଼େ ୧୦ଟାରୁ ୧୨ ମଧ୍ୟରେ ତିନୋଟି ନମ୍ବରରୁ ତାଙ୍କ ମୋବାଇଲ୍ ଫୋନକୁ କଲ୍ ଆସିଥିଲା। ତାଙ୍କୁ ବିଧାୟକ ଦେଖା କରିବାକୁ ଚାହୁଁଛନ୍ତି ବୋଲି କୁହାଯାଇଥିଲା। ତେବେ ସେ କାମ ସାରି ବିଧାୟକଙ୍କୁ ସାକ୍ଷାତ କରିବେ ବୋଲି କହିଥିଲେ। କିନ୍ତୁ କିଛି ସମୟ ପରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ତାଙ୍କର କିଛି ସହଯୋଗୀଙ୍କ ସହିତ ଭାଲିଆଗୁଡ଼ି ଗାଁରେ ପହଞ୍ଚିଥିଲେ। ସେମାନେ ସେଠାରେ ବିଡିଓଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ତା’ ସହିତ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ତାଙ୍କୁ ବଳପୂର୍ବକ ବିଧାୟକଙ୍କ ଗାଡ଼ିରେ ବସାଇବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା। ବିଡିଓଙ୍କୁ ୧୦ ଜଣ କର୍ମୀ ଆକ୍ରମଣ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ। ଏପରି କି ତାଙ୍କର ମୋବାଇଲ, ଡାଏରୀ ଓ ଅନ୍ୟ ସରକାରୀ କାଗଜପତ୍ର ଲୁଟି ନେଇଥିଲେ। ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରିବା ସହ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିବା କୃଷ୍ଣ ଚନ୍ଦ୍ର ଦଳପତି କହିଛନ୍ତି। 

ଅନ୍ୟପଟେ ବିଡିଓଙ୍କ ଅଭିଯୋଗକୁ ଦେବଗଡ ବିଜେପି ବିଧାୟକ ଖଣ୍ଡନ କରିଛନ୍ତି। ବିଧାୟକ ପାଲଟା ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କ ବିରୋଧରେ ଏକ ଏତଲା ଦେଇଛନ୍ତି। ବିଡିଓ ତାଙ୍କୁ ଦୁର୍ବ୍ୟବହାର କରିଥିବା ସେ ସେଥିରେ ଉଲ୍ଲେଖ କରିଥିଲେ। ବିଧାୟକ କହିଛନ୍ତି ଯେ, ଉନ୍ନୟନମୂଳକ କାର୍ଯ୍ୟ ପାଇଁ ସେ ବିଡିଓଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଉତ୍ୟକ୍ତ ହୋଇ ତାଙ୍କର ସାର୍ଟ କଲର ଟାଣି ଦୁର୍ବ୍ୟବହାର କରିଥିଲେ। ଏପରି କି ବିଡିଓ ତାଙ୍କୁ ହତ୍ୟା ଧମକ ଦେଇଥିବା ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। ପୋଲିସ୍ ଉଭୟଙ୍କ ଏତଲା ଗ୍ରହଣ କରି ମାମଲା ରୁଜୁ କରିଥିଲା ଓ ଘଟଣା ତଦନ୍ତ କରିଥିଲା। ତା’ପରେ ରବିବାର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି। ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା ଧମକ ଦେଇ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଚର୍ଚ୍ଚାରେ ଥିଲେ। 

Also Read: କେବେ ହେବ RJD-JDU ମେଣ୍ଟ? ଏହି ବ୍ୟକ୍ତି କରିବେ ଚୂଡ଼ାନ୍ତ

ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ କରିବା ବା ସେମାନଙ୍କ କାର୍ଯ୍ୟରେ ବାଧା ଦେବା ଏକ ଦଣ୍ଡନୀୟ ଅପରାଧ। ଏହାରି ଆଧାରରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଦେବଗଡ ପୋଲିସ ଗିରଫ କରିଛି। କିନ୍ତୁ ଚାରି ମାସ ତେଳେ ଏଭଳି ସମାନ ଅଭିଯୋଗରୁ କେନ୍ଦ୍ର ମନ୍ତ୍ରୀ ମାଫ ପାଇଯାଇଛନ୍ତି। ଗତ ଜାନୁଆରୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରିଥିଲେ। ସାଂସଦ ପାଣ୍ଠିର ସମୀକ୍ଷା ବେଳେ ବିଜେପି ଅଫିସରେ ମନ୍ତ୍ରୀ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଉପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଅଶ୍ଵିନୀଙ୍କ ଅଭିଯୋଗ ଅନୁସାରେ ବାରିପଦା ଟାଉନ ଥାନାରେ କେସ ନିଂ ୫୦/୨୨ରେ ମାମଲା ରୁଜୁ ହୋଇଥିଲା। ପ୍ରାଥମିକ ଭାବେ ମନ୍ତ୍ରୀଙ୍କ ବିରୁଦ୍ଧରେ IPCର ଦଫା ୨୯୪, ୩୨୩, ୩୨୫, ୩୪୧ ଓ ୫୦୪ ଲାଗିଥିଲା। ତେବେ ବର୍ତ୍ତମାନ ସୁଦ୍ଧା ମାମଲାର ଅଗ୍ରଗତି ବିଷୟରେ କୌଣସି ସୂଚନା ଲୋକଲୋଚନକୁ ଆସିପାରିନାହିଁ।

ସେହି ସମୟରେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ। ଏହା ମିଥ୍ୟା ଅଭିଯୋଗ, ଏହା ଏକ ରାଜନୈତିକ ଚାଲ। ମୁଁ ମାଡ଼ ମାରିଥିଲେ କଣ ଏମାନେ ବାହାରକୁ ଯାଇ ପାରିଥାନ୍ତେ ବୋଲି ମନ୍ତ୍ରୀ କହିଥିଲେ। ତେବେ ମନ୍ତ୍ରୀଙ୍କ ବିରୋଧରେ ଏହା ପ୍ରଥମ ଅଭିଯୋଗ ନୁହଁ। ମୟୂରଭଞ୍ଜ ଘଟଣାର ତିନି ମାସ ପୂର୍ବେ କେନ୍ଦୁଝରର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ବୈଠକରେ ମନ୍ତ୍ରୀ ଜଣେ ଇଞ୍ଜିନିୟରଙ୍କୁ ମାଡ ଧମକ ଦେଇଥିଲେ। ଯାହାର ଭିଡିଓ ଖୁବ ଭାଇରାଲ ହୋଇଥିଲା। ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଉପରେ ରାଜନୈତିକ ବ୍ୟକ୍ତି ବା ଲୋକପ୍ରତିନିଧି ଆକ୍ରମଣ କରିବା ଏକ ହୀନ ସଂସ୍କୃତିର ପରିଚୟ ଦେଉଛି। ଯାହାକୁ ସର୍ବସାଧାରଣରେ ତୀବ୍ର ନିନ୍ଦା କରାଯାଉଛି।

'ରାଜ୍ୟର ବିଭିନ୍ନ ମନ୍ତ୍ରୀମାନଙ୍କ ନାଁରେ ହତ୍ୟା ଓ ଅପରାଧ ଭଳି ଅଭିଯୋଗ ରହିଥିଲେ ବି କେତେ ଜଣଙ୍କୁ ପୋଲିସ ଗିରଫ କରିଛି? ଖୋଦ୍ ଆଇନ ମନ୍ତ୍ରୀଙ୍କ ନାଁରେ ଏତଲା ଥିଲେ ପୋଲିସ ଧରିଲା କି ତାଙ୍କୁ, ମନ୍ତ୍ରୀ ଅରୁଣ ସାହୁଙ୍କ ନାଁରେ ଅଭିଯୋଗ ଥିଲେ ବି ପୋଲିସ ତଦନ୍ତ ପରିସର ଭୁକ୍ତ କଲା କି, ମନ୍ତ୍ରୀ ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସର ଭୁକ୍ତ କଲା କି ପୋଲିସ? ମମିତା କେସରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ନାଁରେ ଅଭିଯୋଗ ଥିଲେ ତାଙ୍କୁ ପୋଲିସ ତଦନ୍ତ ପରିସର ଭୁକ୍ତ କଲେ ନାହିଁ। ଏଥିରୁ ଜଣା ପଡୁଛି ରାଜ୍ୟରେ ଶାସନ ବ୍ୟବସ୍ଥା କେମିତି ଚାଲିଛି। ରାଜ୍ୟରେ ଗଣତନ୍ତ୍ର ନାହିଁ। ବିଧାୟକ କେବଳ ନାଁ ମାତ୍ର ନିର୍ବାଚିତ ହେଉଛନ୍ତି ତାଙ୍କ କଥାର କିଛି ଏଠି ଗୁରୁତ୍ୱ ନାହିଁ' ବୋଲି ବିଜେପି କହିଛି।