Lok Sabha Election 2024: ଧର୍ମେନ୍ଦ୍ର ଲଢ଼ିବେ ଲୋକସଭା, କିନ୍ତୁ କେଉଁଠୁ? ଜାଣନ୍ତୁ ତାଙ୍କ ରାଜନୀତିକ ସମ୍ଭାବନା
Advertisement

Lok Sabha Election 2024: ଧର୍ମେନ୍ଦ୍ର ଲଢ଼ିବେ ଲୋକସଭା, କିନ୍ତୁ କେଉଁଠୁ? ଜାଣନ୍ତୁ ତାଙ୍କ ରାଜନୀତିକ ସମ୍ଭାବନା

Dharmendra Pradhan to contest Lok Sabha election: କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର (୬ ଅକ୍ଟୋବର) କହିଛନ୍ତି ଯେ ସେ ଆସନ୍ତା ବର୍ଷ ଲୋକସଭା ନିର୍ବାଚନରେ ​​ଓଡି଼ଶାରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଛନ୍ତି ।

 

Dharmendra Pradhan to contest Lok Sabha election (Photo: PTI)

Lok Sabha Election 2024: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଗାତାର ଦୁଇଥର ରାଜ୍ୟସଭାର ସାଂସଦ ରହିବା ପରେ ଏବେ ପୁଣିଥରେ ଲୋକସଭାକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏଥିନେଇ ଦଳକୁ ନିଜର ଇଚ୍ଛାପତ୍ର ପ୍ରଦାନ କରିଥିବା ନ୍ୟୁଜ୍‍ ସରବରାହ ସଂସ୍ଥା ପିଟିଆଇକୁ ଶୁକ୍ରବାର ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣିଥରେ ନିର୍ବାଚିତ କରିବା ଲାଗି ସେ ଜଣେ ସାଂସଦର ଭୂମିକା ନିର୍ବା କରିବାକୁ ଚାହାନ୍ତି ବୋଲି ସେ ପତ୍ରରେ ଲେଖିଛନ୍ତି । ଶ୍ରୀ ପ୍ରଧାନଙ୍କ ଏହି ଆଗ୍ରହ ଏବେ ଓଡ଼ିଶାରେ ରାଜନୀତିକ ସମୀକରଣକୁ ପୁଣି ଚର୍ଚ୍ଚାକୁ ଆଣିଛି । 

ଶ୍ରୀ ପ୍ରଧାନଙ୍କ ରାଜନୀତିକ କ୍ୟାରିୟରକୁ ଦେଖିଲେ ପ୍ରଥମେ ଆସେ ତାଙ୍କର ପରିବାର ଏବଂ ତାଙ୍କ ଏବିଭିପି ସଦସ୍ୟତା । ଧର୍ମେନ୍ଦ୍ରଙ୍କ ବାପା ଦେବେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଭାବେ ଖୁବ୍‍ ନାଁ ଅର୍ଜନ କରିଥିଲେ । କିନ୍ତୁ ଯେତେବେଳେ ନିର୍ବାଚନ ଆସିଲା ଦେବେନ୍ଦ୍ର ଆଉଥରେ ନିର୍ବାଚନ ନ ଲଢ଼ି ପୁଅକୁ ନିଜ ଆସନରୁ ସାଂସଦ ନିର୍ବାଚନ କରିଥିଲେ । ଅର୍ଥାତ୍‍ ୨୦୦୪ ମସିହାରେ ଦେବଗଡ଼ ନିର୍ବାଚନ ମଣ୍ଡଳୀରୁ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ କେବେ ଲୋକସଭା ପାଇଁ ଲଢ଼ି ନାହାନ୍ତି। 

ଏହା ପୂର୍ବରୁ ଛାତ୍ର ଜୀବନରେ ଧର୍ମେନ୍ଦ୍ର ତାଳଚେର କଲେଜର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ଉତ୍କଳ ବିଶ୍ୱିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ସେ ନିର୍ବାଚନ ହାରିଥିଲେ। ସାଂସଦ ଭାବେ ୨୦୦୯ ଯାଏ କାର୍ଯ୍ୟ କଲାପରେ ସେ ଚାହିଁଲେ ଆଉ ସାଂସଦ ନହୋଇ ବିଧାନସଭା ପାଇଁ ଲଢ଼ିବେ। ହୁଏତ ଏହାର କାରଣ ନିର୍ବାଚନ ସୀମା ନିର୍ଦ୍ଧାରଣ ହୋଇପାରେ । କିନ୍ତୁ ପାଲଲହଡ଼ାରୁ ସେ ୨୦୦୯ ଏବଂ ୨୦୧୪ ନିର୍ବାଚନରେ ପରାଜୟ ସ୍ୱୀକାର କରିଥିଲେ। 

କିନ୍ତୁ ଜାତୀୟସ୍ତରରେ ଜଣେ ଭଲ କାର୍ଯ୍ୟକର୍ତ୍ତା, ଦକ୍ଷ ସଂଗଠକ ଭାବେ ପରିଚିତ ଧର୍ମେନ୍ଦ୍ରଙ୍କୁ ବିଜେପି ୨୦୧୪ ପରେ ଦୁଇଥର ରାଜ୍ୟସଭାରୁ ସାଂସଦ ଭାବେ ନିର୍ବାଚିତ କରାଇ ମନ୍ତ୍ରୀପଦ ବି ଦେଇଛି । ଅର୍ଥାତ ତାଙ୍କର ଗୁରୁତ୍ୱ ଓ ଗରିମାକୁ ଅକ୍ଷୁର୍ଣ୍ଣ ରଖିଛି । ହେଲେ ରାଜ୍ୟସଭାରେ ସେ କେବେ ଓଡି଼ଶାକୁ ପ୍ରତିନିଧିତ୍ୱ କରିଁ ନାହାନ୍ତି । ପ୍ରଥମେ ବିହାରରୁ ଏବେ ମଧ୍ୟପ୍ରଦେଶରୁ ସେ ରାଜ୍ୟସଭାରୁ ସାଂସଦ ରହିଛନ୍ତି । ଏହି କ୍ରମରେ  ନିଜ ଉପରୁ ପରାଜୟର ଦାଗକୁ ଛଡ଼ାଇବା ଲାଗି ଧର୍ମେନ୍ଦ୍ର ଏଥର ପୁଣିଥରେ ଲୋକସଭା ମୁହାଁ ହେବାକୁ ଚାହୁଁଥିବା ରାଜନୀତିକ ସମୀକ୍ଷକମାନେ କହୁଛନ୍ତି । ଓଡ଼ିଶା ବିଜେପି ସଂଗଠନରେ ଧର୍ମେନ୍ଦ୍ରଙ୍କ ଅନେକ ସଫଳତା ରହିଛି । ଆଜି ଯଦି ଦଳ ବିରୋଧୀ ଦଳ ଭାବେ ବିଧାନସଭାରେ ବସିବାର ସକ୍ଷମ ହୋଇଛି ତାହା ଧର୍ମେନ୍ଦ୍ରଙ୍କ ନିଷ୍ଠା ଓ ଦକ୍ଷତାର ପ୍ରମାଣ ବୋଲି କୁହାଯାଇପାରେ। 

କିନ୍ତୁ ଦୀର୍ଘ ଦିନ ହେଲା ପ୍ରତ୍ୟକ୍ଷ ନିର୍ବାଚନ ରାଜନୀତିରେ ନଥିବା ଧର୍ମେନ୍ଦ୍ର ଲଢ଼ିବେ କେଉଁଠୁ । ସେ ବିଜୟୀ ହୋଇଥିବା ନିର୍ବାଚନ ମଣ୍ଡଳୀ ଆଉ ନାହିଁ। ତାହା ସମ୍ବଲପୁର ନିର୍ବାଚନ ମଣ୍ତଳୀରେ ଅନ୍ତର୍ଭୁକ୍ତ ରହିଛି। ସମ୍ବଲପୁର ଲୋକସଭା ଆସନ ଏବେ ବିଜେପି କବଜାରେ ରହିଛି। ଏଠାରେ ସଂଗଠନ ବେଶ୍‍ ମଜଭୁତ ବୋଲି କୁହାଯାଏ। ଏଠି ଯିଏ ସାଂସଦ ଅଛନ୍ତି ସେ ହେଉଛନ୍ତି ବାମଣ୍ଡା ରାଜା  ନିତେଶ ଗଙ୍ଗଦେବ। ଅବଶ୍ୟ ଧର୍ମେନ୍ଦ୍ର ଚାହିଁଲେ ତାଙ୍କୁ ସମ୍ବଲପୁର ଆସନ ଦୂର ହୋଇ ରହିବ ନାହିଁ। କିନ୍ତୁ ତାଙ୍କ ନିଜ ଘର ସମ୍ବଲପୁର ଜିଲ୍ଲାରେ ନୁହେଁ। ଏଣୁ ସେ ଯଦି ନିଜ ବାସସ୍ଥାନକୁ ଦେଖି ନିର୍ବାଚନ ଲଢ଼ିବେ ତେବେ ତାହା ଢେଙ୍କାନାଳ ହୋଇପାରେ। 

ଢେଙ୍କାନାଳ ଦିନେ ବିଜେପିର ପ୍ରମୁଖ ସ୍ଥାନ ଥିଲା। ଏ ଜିଲ୍ଲାରେ ମହେଶ ସାହୁ, ରୁଦ୍ର ନାରାୟଣ ପାଣି ପ୍ରମୁଖ ଲୋକପ୍ରିୟ ଥିଲେ। ହେଲେ ରାଜନୀତିକ ସ୍ତରରେ ଧର୍ମେନ୍ଦ୍ରଙ୍କ ପ୍ରବେଶ ଏଠାରେ କେବେ ହୋଇ ନାହିଁ। ପୁଣି ସାଂସଦ ଥିବା ବିଜେଡି ନେତା ମହେଶ ସାହୁ, ଧର୍ମେନ୍ଦ୍ରଙ୍କୁ କେବେ ପସନ୍ଦ କରନ୍ତି ନାହିଁ। କୁହାଯାଏ ଗତ ନିର୍ବାଚନରେ ସେ ତାଙ୍କୁ ବିରୋଧ କରି ଦଳ ଛାଡ଼ିଥିଲେ। ଅବଶ୍ୟ ଏବେ ମହେଶ ସାହୁଙ୍କ ପତିଆରା ସେତିକୁ ଅନୁଭୂତ ହେଉ ନାହିଁ। କିନ୍ତୁ ଯଦି ବିଜେଡି ଢେଙ୍କାନାଳକୁ ପୁଣିଥରେ ଅକ୍ତିଆର କରିବାକୁ ଚାହେଁ ତେବେ ମହେଶଙ୍କୁ  ନିର୍ବାଚନୀ ପ୍ରୋତ୍ସାହନ ଦେଇପାରେ। ନହେଲେ ଯଦି ମହେଶଙ୍କୁ ଘର ବାହୁଡ଼ା କରାଇବାରେ ବିଜେପି ସମର୍ଥ ହୁଏ ତେବେ ତାଙ୍କର ଜିତିବା ସମ୍ଭାବନା ମଧ୍ୟ ବଢ଼ିପାରେ। 

ଅପରପକ୍ଷେ ଧର୍ମେନ୍ଦ୍ର ଚାହିଁଲେ ଉପକୂଳରୁ ମଧ୍ୟ ଲଢ଼ିପାରନ୍ତି। ଏହା ପୂର୍ବରୁ ଅପରାଜିତା ରାଜନୀତିରେ ନଥାଇ ମଧ୍ୟ ଭୁବନେଶ୍ୱରରେ ଲଢ଼ି ଲୋକଙ୍କ ଆଶୀର୍ବାଦ ପାଇଥିଲେ। ଯଦି ଧର୍ମେନ୍ଦ୍ର ଭୁବନେଶ୍ୱର, ପୁରୀ ବା କଟକ ଲୋକସଭା ଆସନ ବାଛନ୍ତି, ତାହା ତାଙ୍କ ପାଇଁ ବିଶେଷ ଫାଇଦା ଦେଇପାରେ। ସବୁକିଛି ନିର୍ଭର କରେ କେନ୍ଦ୍ରୀୟ ନେତୃମଣ୍ଡଳୀ ଉପରେ, ଯେଉଁମାନେ ନିର୍ଦ୍ଧାରଣ କରିବେ ଧର୍ମେନ୍ଦ୍ରଙ୍କ ଆବଶ୍ୟକତା କେଉଁଠି, ରାଜ୍ୟତରେ ନା କେନ୍ଦ୍ର ସଂଗଠନରେ।