ପୂର୍ବତନ ବିଜେଡି ବିଧାୟକଙ୍କ ଭାଇରାଲ ଅଡିଓକୁ ନେଇ ସରଗରମ ରାଜ୍ୟ ରାଜନୀତି
Advertisement
Article Detail0/zeeodisha/odisha781541

ପୂର୍ବତନ ବିଜେଡି ବିଧାୟକଙ୍କ ଭାଇରାଲ ଅଡିଓକୁ ନେଇ ସରଗରମ ରାଜ୍ୟ ରାଜନୀତି

ପୂର୍ବତନ ବିଜେଡି ବିଧାୟକଙ୍କ ଭାଇରାଲ ଅଡିଓକୁ ନେଇ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। 

ପୂର୍ବତନ ବିଜେଡି ବିଧାୟକଙ୍କ ଭାଇରାଲ ଅଡିଓକୁ ନେଇ ସରଗରମ ରାଜ୍ୟ ରାଜନୀତି

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ମହଙ୍ଗା ପଡିଲା ଭାଇରାଲ ଭିଡିଓ (Viral Audio)। ଦଳୀୟ ଟିକେଟ (BJD Ticket)ନପାଇବାରୁ ଦଳ ବିରୋଧରେ କଠୋର ମନ୍ତବ୍ୟ ଦେବା ସହ ବିଜେଡି-ବିଜେପି (BJP-BJD)ଗୋଟିଏ ଦଳ ବୋଲି କହି ବିବାଦ ସୃଷ୍ଟି କରିଛନ୍ତି ବାଲେଶ୍ୱର ବିଧାନସଭା (Balsore Assembly Constituency)ଆସନର ପୂର୍ବତନ ବିଜେଡି ବିଧାୟକ (Ex BJD MLA)ଜୀବନ ପ୍ରଦୀପ ଦାସ (Jiban Pradip Das)। 

ଦଳରୁ ନିଲମ୍ବିତ ହୋଇଥିବା ବିଜେଡିର ଏହି ପୂର୍ବତନ ବିଧାୟକଙ୍କ ଏକ ଭାଇରାଲ୍ ଅଡିଓକୁ ନେଇ ଏବେ ଜାରି ରହିଛି ଚର୍ଚ୍ଚା। ଏ ବାବଦରେ ସେ ଜଣେ କର୍ମୀଙ୍କ ସହିତ କଥା ହୋଇଥିଲେ, ଯାହାର ଅଡିଓ ଭାଇରାଲ ହୋଇଛି। ଏଥିରେ ସେ ଅଭିଯୋଗ କରିଛନ୍ତି, ବାଲେଶ୍ୱର ଉପନିର୍ବାଚନରେ ଟିକେଟ୍‌ (Balsore BJD Candidate)ପାଇଥିବା ସ୍ୱରୂପ ଦାସ (Swarup Das)ହେଉଛନ୍ତି ବାଲେଶ୍ୱରର ପୂର୍ବତନ ସାଂସଦ (Ex Balsore MP)ରବୀନ୍ଦ୍ର ଜେନାଙ୍କ (Raveendra Jena)ଲୋକ ଏବଂ ସାଂସଦ ହିଁ ସ୍ୱରୂପଙ୍କୁ ଦଳୀୟ ଟିକେଟ୍‌ ପ୍ରଦାନ କରିବାରେ ସାହାଯ୍ୟ କରିଥିଲେ। ଏହା ପଛରେ ଏକ ଚାଲ୍ ରହିଥିଲା। 

ସ୍ୱରୂପ ଟିକେଟ୍‌ ଫେରାଇ ଦେବେ ଏବଂ ରବୀନ୍ଦ୍ର ଲଢ଼ିବେ ବୋଲି କହିବେ। ତାହା ମଧ୍ୟ ହେଲା। ଜୀବନଙ୍କ କହିବା କଥା ହେଲା ଯଦି ଟିକେଟ୍‌ ବଦଳିବ, ତାହେଲେ ସେ କାହିଁକି ନିର୍ବାଚନ ଲଢିବେ ନାହିଁ। ଭାଇରାଲ ଅଡିଓରେ ଜୀବନ କହିଛନ୍ତି ବାଲେଶ୍ୱରରେ ଆଉ ଶାନ୍ତି ରହିବ ନାହିଁ। ବିହାର ପରି ରାଜନୀତି ହୋଇଯିବ। ଏପରି ବାଜେ ଲୋକ ସେଠାରେ ଅଛନ୍ତି। ଏହା କହିବାରୁ ମୋତେ ସେମାନେ ଘରେ ବସାଇ ଦେଲେ ବୋଲି ସେ କହୁଥିବାର ଶୁଣାଯାଉଛି। 

 

 

ଏହି ଅଡ଼ିଓରେ ସମ୍ପୃକ୍ତ ବ୍ୟକ୍ତି ଆପଣ କ'ଣ କରିବେ ବୋଲି ପଚାରିବାରୁ ଜୀବନ କହିଛନ୍ତି, ମୋଷ୍ଟଲି ବିଜେପିକୁ ଭୋଟ ଦେବେ। ଏପରିକି ବିଜେପି ଓ ବିଜେଡି ଗୋଟିଏ ଦଳ ବୋଲି ମଧ୍ୟ ସେ କହିଥିବା ଭାଇରାଲ ଅଡିଓରେ ଶୁଣିବାକୁ ମିଳୁଛି। ସେପଟେ ଜୀବନଙ୍କ ଏହି କଥା ପରେ କଂଗ୍ରେସ ବିଜେଡି ବିଜେପି ଗୋଟିଏ ବୋଲି ପ୍ରମାଣିତ ହୋଇଥିବା କହିଛି। ପୂର୍ବରୁ କଂଗ୍ରେସ ଏହି ଅଭିଯୋଗ ଆଣୁଥିବାବେଳେ ଏବେ ଜୀବନ ଙ୍କ ଏହି ମନ୍ତବ୍ୟ ଏହାକୁ ପ୍ରମାଣିତ କରିଛି ବୋଲି କଂଗ୍ରେସ କହିଛି। 

ଚିଟଫଣ୍ଡ ସ୍କାମ ଭଳି ବିଭିନ୍ନ ଦୁର୍ନୀତିରେ ସୁରକ୍ଷା ପାଇଁ ଉଭୟ ଏକାଠି ହୋଇଛନ୍ତି ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି। ଏଭଲି ମନ୍ତବ୍ୟ ଜଣେ ବରିଷ୍ଠ ନେତାଙ୍କ ମୁହଁରେ ସମୀଚିନ ନୁହେଁ ବୋଲି ବିଜେପି କହିଛି। ଶସ୍ତା ମନ୍ତବ୍ୟ ଦେଇ ସେ ନିଜର ବିଶ୍ୱାସନୀୟତା ହରାଇଛନ୍ତି। କଂଗ୍ରେସ ନିଜର ସ୍ଥିତି ଜାହିର କରିବାକୁ ଏଭଳି କହୁଛି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। 

ସେପଟେ ବିଜେଡିର କହିବା କଥା ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀ ହେବାକୁ ଜୀବନ ପ୍ରଦୀପ ଆଶାୟୀ ଥିଲେ। ଟିକେଟ ନ ପାଇବାରୁ ସେ ଏଭଳି କହିଛନ୍ତି। ଯେତେବେଳେ ୨୦୧୯ ନିର୍ବାଚନରେ ସେ ଟିକେଟ ପାଇ ବିଜେପି ବିରୋଧରେ ଲଢୁଥିଲେ ସେତେବେଳେ କାହିଁ ଏ କଥା କହୁ ନଥିଲେ। ସ୍ୱାର୍ଥରେ ବାଧା ଆସିବାରୁ ସେ ଏଭଳି କହିଛନ୍ତି କିନ୍ତୁ ଆମେ ସବୁବେଳେ ବିଜେପି ଆଉ କଂଗ୍ରେସଠୁ ସମଦୂରତ୍ୱ ରକ୍ଷା କରୁଛୁ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି। ଉପନିର୍ବାଚନର ଭୋଟଦାନ ଶେଷ ହୋଇ ଭୋଟ ଗଣତିକୁ ଅପେକ୍ଷା ଥିବବେଳେ ଏଭଲି ଘଟଣା ସବୁଆଡେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି।