ବୁଢ଼ାଙ୍କ ମନଊଣା, ପିଲାଏ ବାଟବଣା, କ୍ଷତାକ୍ତ ଡେଣାରେ କେମିତି ଉଡ଼ିବ କଂଗ୍ରେସ?
Advertisement
Article Detail0/zeeodisha/odisha734478

ବୁଢ଼ାଙ୍କ ମନଊଣା, ପିଲାଏ ବାଟବଣା, କ୍ଷତାକ୍ତ ଡେଣାରେ କେମିତି ଉଡ଼ିବ କଂଗ୍ରେସ?

'ଆତ୍ମନିର୍ଭର ଭାରତ'ରେ ରାହୁଲଙ୍କ ଭୂମିକା ଓ ରଣନୀତି ସର୍ବଦା ଦୁର୍ବଳତାର ପରିଚୟ ପାଇଛି। ସେହିପରି ପ୍ରିୟଙ୍କା ଗାନ୍ଧିଙ୍କ କଥା ବିଚାର କଲେ, ୨୦୧୯ ସିଡବ୍ଲୁସି ବୈଠକ ପରେ ପ୍ରିୟଙ୍କା ରାହୁଲଙ୍କ ସାଥୀରେ ଥିବା କହିଥିଲେ।

ବୁଢ଼ାଙ୍କ ମନଊଣା, ପିଲାଏ ବାଟବଣା, କ୍ଷତାକ୍ତ ଡେଣାରେ କେମିତି ଉଡ଼ିବ କଂଗ୍ରେସ?

ଚାରୁ ଚନ୍ଦନ ଦାଶ

ଓଡ଼ିଆରେ ଗୋଟେ ଢଗ ଅଛି, ତାକୁ ଯେତେ ମାଠିବୁ ମାଠ୍, ସେ ତ ସେହି ଦରପୋଡ଼ା କାଠ। ଗାନ୍ଧି ପରିବାର ବୋହୂ ତଥା କଂଗ୍ରେସର ବର୍ତ୍ତମାନର ହର୍ତ୍ତାକର୍ତ୍ତା ଦଇବ ବିଧାତା ସୋନିଆ ଗାନ୍ଧି ପୁଣି ଥରେ ଦଳର କମାଣ ସମ୍ଭାଳିଛନ୍ତି। କାମଚଳା ବା ଅନ୍ତରୀଣ ଅଧ୍ୟକ୍ଷ ଭାବେ ପୁଣି ଥରେ ତାଙ୍କୁ ଦଳ ପକ୍ଷରୁ ଚୟନ କରାଯାଇଛି। କିନ୍ତୁ, ସିଡବ୍ଲୁସି ବୈଠକ ପୂର୍ବରୁ ଦଳ ଅଧ୍ୟକ୍ଷ ପଦନେଇ ଘମାସାନ ଚର୍ଚ୍ଚା ହୋଇଥିଲା। ଦଳର କେତେକ ନେତା ସୋନିଆଙ୍କୁ ଚିଠି ମଧ୍ୟ ଲେଖିଥିଲେ। ଦଳକୁ ଜଣେ ପୂର୍ଣ୍ଣକାଳୀନ ଏବଂ କର୍ମଠ ସଭାପତି ଆବଶ୍ୟକ ବୋଲି ସେମାନେ ଦାବି କରିଥିଲେ। କପିଲ ଶିବଲ ଟ୍ୱିଟ୍ ଜରିଆରେ ଅସନ୍ତୋଷ ପ୍ରକାଶ କରିଥିଲେ। ରାହୁଲଙ୍କ ମନ୍ତବ୍ୟକୁ ନେଇ ଶିବଲ କ୍ଷୋଭ ପ୍ରକାଶ କରିଥିଲେ। ରାହୁଲ ଗାନ୍ଧି ହିଁ କଂଗ୍ରେସରେ ବିଭାଜନ  ସୃଷ୍ଟି କରୁଛନ୍ତି। ସେ ମୋ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ, ଆମେ ବିଜେପି ପାଇଁ କାମ କରୁଛୁ। ଆଉ ବିଜେପି ସହ ଆମର ଭିତିରିଆ ସମ୍ପର୍କ ରହିଛି। ମାତ୍ର କପିଲ୍ ସ୍ପଷ୍ଟ ଭାବେ ରହୁଲଙ୍କୁ ଦର୍ଶାଇଛନ୍ତି, ସେ ଆଣୁଥିବା ଅଭିଯୋଗ ସବୁ ଭିତ୍ତିହୀନ। ଗଲା ୩୦ ବର୍ଷ ମଧ୍ୟରେ ଦିନକ ପାଇଁ ବି ବିଜେପି ସପକ୍ଷରେ ମତାମତ ଦେଇନାହିଁ। ଏଭଳି ସ୍ଥିତିରେ ମୁଁ କେମିତି ବିଜେପି ସହ ସମ୍ପର୍କରେ ରହିଛି ବୋଲି ରାହୁଲ କହିପାରୁଛନ୍ତି ବୋଲି ଶିବଲ ଅଭିଯୋଗ ଆଣିଥିଲେ। ସେହିପରି ରାହୁଲଙ୍କ ଏଭଳି ସନ୍ଦେହକୁ ନେଇ ଗୁଲାମ ନବୀ ଆଜାଦ ମଧ୍ୟ ଭଡକିଥିଲେ। ଏପରିକି ସେ ଦଳରୁ ଇସ୍ତଫା ଦେବା ନେଇ ଧମକ ଦେଇଥିଲେ। ଅବଶ୍ୟ ପରେ ଚାପ ବଶବର୍ତ୍ତୀ ହୋଇ ଅବା ନିଜସ୍ୱ ଇଚ୍ଛାରେ ଶିବଲ ତାଙ୍କ ଟ୍ୱିଟ୍ ହଟାଇ ଦେଇଥିଲେ। ଦଳୀୟ ଚାପ ଆଗରେ ତାଙ୍କୁ ମୁଣ୍ଡ ନୁଆଇଁବାକୁ ପଡ଼ିଥିଲା। ସେହିପରି ଦଳର ଭେଟେରାନ୍ ଲିଡର ସଲମାନ ଖୁର୍ସିଦ ମଧ୍ୟ ଦଳର ଆଭିମୁଖ୍ୟରେ ଅସନ୍ତୁଷ୍ଟ। ଯଦି ତାଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟିହୁଏ, ସେ ଦଳରୁ ଇସ୍ତଫା ଦେଇଦେବେ ବୋଲି ମଧ୍ୟ ଧମକ ଦେଇଛନ୍ତି। ସେହିପରି କିଛିଦିନ ପୂର୍ବରୁ ଦଳର ବରିଷ୍ଠ ନେତା ତଥା ଥିରୁଅନନ୍ତପୁରମ୍ ସାଂସଦ ଶଶୀ ଥରୁର ଏକ ବୟାନ ଦେଇଥିଲେ। ତାଙ୍କ କହିବାନୁସାରେ, କଂଗ୍ରେସରେ ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷଙ୍କ ଆବଶ୍ୟକତା ରହିଛି। ଏହାସହ ବର୍ତ୍ତମାନର କାର୍ଯ୍ୟକାରୀ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଉପରେ ଅଧିକ ଚାପ ପକାଯିବା ଦଳ ପାଇଁ ଠିକ ହେଉନାହିଁ ବୋଲି ମଧ୍ୟ ଶଶୀ କହିଥିଲେ ।ଇଏ କେବଳ କପିଲ ଶିବଲ କି ସଲମାନ ଖୁର୍ସିଦ ଅବା ଶଶୀ ଥରୁରଙ୍କ ମନର କ୍ଷୋଭ ନୁହେଁ। ଦଳ ମଧ୍ୟରେ ଆହୁରି ଅନେକ ବରିଷ୍ଠ ନେତା ଅଛନ୍ତି, ଯେଉଁମାନେ ଦଳର ନବକଳେବର ଚାହାନ୍ତି ଏବଂ ଜଣେ କର୍ମଠ ଓ ଦକ୍ଷ ଲିଡର ମଧ୍ୟ ଚାହାନ୍ତି।

କିଛିଦିନ ପୂର୍ବେ ଘଟିଥିବା ରାଜସ୍ଥାନ ଡ୍ରାମା ବିଷୟରେ ତ ସମସ୍ତଙ୍କୁ ଜଣାଥିବ। ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ତିକ୍ତତା ଉଗ୍ର ରୂପ ଧାରଣ କରିଥିଲା। ଶେଷ ମୁହୂର୍ତ୍ତରେ ଦିଲ୍ଲୀ ଦରବାରରୁ ଅବୁଝା ପୁଅଙ୍କୁ ବୁଝାସୁଝା କରି ପୁଣି ଥରେ ରାଜସ୍ଥାନ ପଠାଇ ଦିଆଯାଇଥିଲା ଏବଂ ଏବେ ସେ ଶାନ୍ତ ଅଛନ୍ତି। କିନ୍ତୁ କୁହୁଳୁଥିବା ନିଆଁ କ'ଣ ସମ୍ପୂର୍ଣ୍ଣ ଲିଭିଥାଏ ? ଏହା ପୂର୍ବରୁ ମଧ୍ୟପ୍ରଦେଶରେ ୟଙ୍ଗ୍ ଡାଇନାମିକ୍ ଲିଡର୍ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦଳ ହରାଇ ସାରିଛି। ତେବେ ଏହି ଦୁଇ ରାଜ୍ୟରେ ସଚିନ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କୁଆଡ଼େ ରାହୁଲ ଗାନ୍ଧି ଚାହୁଁଥିଲେ। କିନ୍ତୁ, ବରିଷ୍ଠଙ୍କ ପଲିଟିକ୍ସ ଓ ଇସାରା ଆଗରେ ଶେଷରେ ତାଙ୍କୁ ଚୁପ୍ ରହିବାକୁ ପଡ଼ିଥିଲା ଏବଂ ଅଶୋକ ଗେହଲଟ ଓ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ପଡ଼ିଥିଲା। ମଧ୍ୟପ୍ରଦେଶରେ ତ କମଲନାଥ ଯାଇ ସାରିଛନ୍ତି, ରାଜସ୍ଥାନ ରାଜନୀତି ମଧ୍ୟ କେଉଁ ମୁହୂର୍ତ୍ତରେ କେଉଁ ମୋଡ଼ ନେବ, ତାହା କହି ହେଉନାହିଁ।

 

fallback

ସେହିପରି ରାହୁଲ ଗାନ୍ଧି କଂଗ୍ରେସ ସଭାପତି ପଦ ଛାଡ଼ିବା ପରେ ପରୋକ୍ଷରେ ଏକ ଇସାରା ଦେଇଥିଲେ। ଅଣ ଗାନ୍ଧି ପରିବାର ଲୋକ ଦଳର କମାଣ ସମ୍ଭାଳନ୍ତୁ। କିନ୍ତୁ, ଏହା ପଛରେ ଯେଉଁ ବ୍ୟଙ୍ଗ ରହିଥିଲା, ତାହା ହୁଏ ତ ବୁଝିବାବାଲା ହିଁ ଠିକ୍ ବୁଝି ପାରିବ। ଆଜି ମଧ୍ୟ ରାହୁଲ ଗାନ୍ଧି ସେମିତି କିଛି ଇସାରା କରିଥିଲେ। ମାତ୍ର, ଗତ ଥର ରାହୁଲଙ୍କ ଏପରି ମନ୍ତବ୍ୟ ପରେ ବି କାମଚଳା ହେଉ ପଛେ ସୋନିଆ ଦଳର ଭାର ସମ୍ଭାଳିଥିଲେ। କାରଣ, ଗାନ୍ଧି ପରିବାର କେତେବେଳେ ବି ଚାହିଁ ନାହିଁ ଯେ, ଅଣ ଗାନ୍ଧି ପରିବାର ଲୋକ ଦଳର ଦାୟିତ୍ୱ ନିଅନ୍ତୁ। ଅତୀତରେ ନରସିଂହ ରାଓ ଏବଂ ସୀତାରାମ କେଶରୀଙ୍କୁ ଗାନ୍ଧି ପରିବାର ପରୀକ୍ଷା କରି ଦେଖି ସାରିଛି। ସେହିପରି ମନମୋହନ ସିଂହଙ୍କୁ ସୋନିଆ ଯେମିତି ଦାୟିତ୍ୱ ଦେଇଥିଲେ, ଠିକ୍ ସେମିତି ରାହୁଲ ଗାନ୍ଧି ମଧ୍ୟ ମୁକୁଲ ୱାସନିକଙ୍କୁ ଦଳର ଶୀର୍ଷ ନେତା ଭାବେ ଦାୟିତ୍ୱ ଦେଇ ନିଜେ ବାହାରୁ ଚାବି ମୋଡ଼ିବାକୁ ଚାହୁଁଥିଲେ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି। ଏହା ତ କଂଗ୍ରେସର ପୁରୁଣା ଫର୍ମୁଲା। ଅତୀତରେ ଏମିତି ଅନେକ ଉଦାହରଣ ରହିଛି। ତେବେ ଏହି ଫର୍ମୁଲା କେତେଦିନ ଚାଲିବ ?

ଗୋଟେପଟେ ଦଳ ଭିତରେ ଯୁବଗୋଷ୍ଠୀଙ୍କୁ ସୁଯୋଗ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ବରିଷ୍ଠ ଏବଂ କନିଷ୍ଠଙ୍କ ମନୋମାଳୀନ୍ୟ ଭିତରେ ଦଳର ଡେଣା ଦିନକୁ ଦିନ କ୍ଷତାକ୍ତ ହେବାରେ ଲାଗିଛି। ସେହିପରି ଗାନ୍ଧି ପରିବାରରେ ପ୍ରତ୍ୟକ୍ଷ ରାଜନୀତି କରି ବର୍ତ୍ତମାନର ବିଜେପି ସହ ଲଢ଼େଇ କରିବାରେ ସେତିକି ବଳ ନାହିଁ। ୨୦୧୪ ନିର୍ବାଚନରେ କଂଗ୍ରେସ ରାହୁଲ ଗାନ୍ଧିଙ୍କୁ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଦର୍ଶାଇ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲା, ସେଥିରେ ଦଳ ଫେଲ୍ ମାରିଥିଲା । ୨୦୧୯ ନିର୍ବାଚନ ସମୟରେ ମଧ୍ୟ ଦଳ ଅନୁରୂପ ରଣନୀତି ପ୍ରସ୍ତୁତ କରି ବିଫଳ ହୋଇଥିଲା । ନ୍ୟାୟ ଯୋଜନା ଘୋଷଣା କରି କିଛିଦିନ ପାଇଁ ଲୋକଙ୍କ ମାନସପଟ୍ଟରେ କଂଗ୍ରେସ ଦଳ ଉଧେଇ ରହିଥିଲା। କିନ୍ତୁ, ବିଜେପିର ଚାଲାକି ରଣନୀତି, ମୋଦିଙ୍କ ବାକ୍ ଚାତୁରୀ ଏବଂ ଅମିତ ଶାହଙ୍କ ବିଚକ୍ଷଣ ରାଜନୈତିକ ଷ୍ଟ୍ରାଟେଜି ପାଇଁ କଂଗ୍ରେସର 'ନ୍ୟାୟ' ଫସର ଫାଟି ଯାଇଥିଲା।

 

fallback

 

୨୦୧୯ ନିର୍ବାଚନ ପୂର୍ବରୁ ଦଳ ସାମାନ୍ୟ ଆଶ୍ୱସ୍ତି ପାଇଥିଲା, ଯେତେବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଦଳର ସରକାର ଗଠନ ହୋଇଥିଲା । ମାତ୍ର, ଏହାର ସଦୁପଯୋଗ କରି ନ ପାରିବାରୁ ପୁଣି ଥରେ ଦଳକୁ ଏହାର ମୂଲ ଚୁକାଇବାକୁ ପଡ଼ିଲା । ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପି ହାତ ଧରିବା ପରେ ସେଠାରେ କମଲନାଥ ସରକାର ଭାଙ୍ଗି ଯାଇଥିଲା । ପୁଣି ଥରେ ବିଜେପି ସେଠାରେ ସରକାର ଗଠନ କରି ଏବେ ରାଜ୍ କରୁଛି। ସେହିପରି ରାଜସ୍ଥାନ ନିଆଁ କେତେବେଳେ ବି ଚିହିଁକି ଉଠିପାରେ। ବିଜେପି ସେଠାରେ ବି ପ୍ରତି ମୁହୂର୍ତ୍ତରେ ସୁଯୋଗର ଅପେକ୍ଷାରେ ଅଛି। 'ଆତ୍ମନିର୍ଭର ଭାରତ'ରେ ରାହୁଲଙ୍କ ଭୂମିକା ଓ ରଣନୀତି ସର୍ବଦା ଦୁର୍ବଳତାର ପରିଚୟ ପାଇଛି। ସେହିପରି ପ୍ରିୟଙ୍କା ଗାନ୍ଧିଙ୍କ କଥା ବିଚାର କଲେ, ୨୦୧୯ ସିଡବ୍ଲୁସି ବୈଠକ ପରେ ପ୍ରିୟଙ୍କା ରାହୁଲଙ୍କ ସାଥୀରେ ଥିବା କହିଥିଲେ। ସମସ୍ତେ ଜାଣିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧି ୨୦୧୪ ଓ ୨୦୧୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। କିନ୍ତୁ, ପରିବାର ଭିତରେ ଥିବା 'ଅଦୃଶ୍ୟ' ରାଜନୀତି ତାଙ୍କୁ ତାହା କରିବାକୁ ଦେଇ ନ ଥିଲା। ଏହା ଯଦି ହୋଇଥା'ନ୍ତା, ତେବେ ରାହୁଲଙ୍କ ଉପରେ ପ୍ରିୟଙ୍କା ଭାରି ପଡ଼ିଥାନ୍ତେ ଏବଂ ରାହୁଲଙ୍କୁ ନେଇ ସ୍ୱପ୍ନ ଦେଖୁଥିବା ପରିବାରର 'ଅଦୃଶ୍ୟ' ରାଜନୈତିକ ଶକ୍ତିମାନେ ଦୁର୍ବଳ ହୋଇ ପଡ଼ିଥାନ୍ତେ। ତେଣୁ, ତାଙ୍କୁ କେବଳ ଉତ୍ତର ପ୍ରଦେଶ ଭିତରେ ହିଁ ସୀମିତ ରଖାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ, କଂଗ୍ରେସ କାହିଁକି ନିଜର ରଣନୀତି ବଦଳାଉ ନାହିଁ ? ଦଳ କେବେ ପରିବାରବାଦ ହେବା ଛାଡ଼ି ଦଳଭିତ୍ତିକ ହେବ ? ଦଳରେ ଅନେକ ନେତା ଅଛନ୍ତି, ଯେଉଁମାନେ ରାହୁଲ ଗାନ୍ଧି ଓ ତାଙ୍କର ରାଜନୀତିକୁ ଜମାରୁ ପସନ୍ଦ କରନ୍ତି ନାହିଁ। ତଥାପି ବି ଦଳ ରାହୁଲ ଗାନ୍ଧିଙ୍କୁ ଗୁରୁତ୍ୱ ଦେବାର ଅର୍ଥ କ'ଣ ? ଗାନ୍ଧି ପରିବାର ବାହାରେ କ'ଣ କଂଗ୍ରେସର ଅସ୍ଥିତ୍ୱ ନାହିଁ ? ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ରାହୁଲଙ୍କ ବିଫଳ ରାଜନୀତି ଦେଶବାସୀ ଦେଖି ସାରିଛନ୍ତି। ସୋନିଆଙ୍କ ବୟସ ଓ ରାହୁଲ ଗାନ୍ଧିଙ୍କ ବିଫଳ ରାଜନୀତି ଯୋଗୁ ଦଳର ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି । ତେଣୁ, ଦଳକୁ ଏବେ ବଞ୍ଚାଇବାକୁ ହେଲେ ପରିବାର ଠାରୁ ବାହାରିବାକୁ ପଡ଼ିବ। ନଚେତ୍ ଦଳର ବରିଷ୍ଠ ନେତାଙ୍କ ମନଊଣା ଓ ଯୁବନେତାଙ୍କ ବାଟବଣା ଭିତରେ କ୍ଷତାକ୍ତ ଅବସ୍ଥାରେ କଂଗ୍ରେସ କେବଳ ନିଜର ଖଣ୍ଡିଆ ପରକୁ ମାଟିରେ ଝାଡ଼ୁଥିବ, ଏଥିରେ ସନ୍ଦେହ ନାହିଁ।