Lok Sabha Election 2024: ଉତ୍ତର ପ୍ରଦେଶର ୧୪ ଲୋକସଭା ଆସନ ଉପରେ ବିଜେପି ନଜର
Advertisement
Article Detail0/zeeodisha/odisha1266688

Lok Sabha Election 2024: ଉତ୍ତର ପ୍ରଦେଶର ୧୪ ଲୋକସଭା ଆସନ ଉପରେ ବିଜେପି ନଜର

UP BJP Mission 2024: ଚଳିତ ବର୍ଷ ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବାଜିମାତ କରିଥିବା ବିଜେପି ଗତ ୨୦୧୯ ଲୋକସଭା ନିର୍ବାଚନରେ ରାଜ୍ୟର ମୋଟ ୮୦ ଲୋକସଭା ସିଟ୍ ମଧ୍ୟରୁ ୬୨ ଆସନ ଅକ୍ତିଆର କରିଥିଲା। 

Lok Sabha Election 2024: ଉତ୍ତର ପ୍ରଦେଶର ୧୪ ଲୋକସଭା ଆସନ ଉପରେ ବିଜେପି ନଜର

UP BJP Mission 2024: ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ୨ ବର୍ଷରୁ କମ୍ ସମୟ ବାକି ରହିଛି। ଜବରଦସ୍ତ ଦଳୀୟ ରଣନୀତି ପାଇଁ ଜଣାଶୁଣା ବିଜେପି ଏହି ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିସାରିଛି। ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଉତ୍ତର ପ୍ରଦେଶ ଉପରେ ସତର୍କ ନଜର ରଖିଛି।
 
ଚଳିତ ବର୍ଷ ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ବାଜିମାତ କରିଥିବା ବିଜେପି ଗତ ୨୦୧୯ ଲୋକସଭା ନିର୍ବାଚନରେ ରାଜ୍ୟର ମୋଟ ୮୦ ଲୋକସଭା ସିଟ୍ ମଧ୍ୟରୁ ୬୨ ଆସନ ଅକ୍ତିଆର କରିଥିଲା। ବର୍ତ୍ତମାନ ରାଜ୍ୟରେ ବିଜେପି ଦଖଲରେ ରହିଥିବା ଲୋକସଭା ଆସନ ସଂଖ୍ୟା ୬୪  ହୋଇଛି। ଏହାର କାରଣ ହେଉଛି ଗତ ଜୁନ ମାସରେ ରାଜ୍ୟର ଆଜମଗଡ଼ ଏବଂ ରାମପୁର ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ବିଜୟ ବାନା ଉଡାଇଛି ବିଜେପି। ଦଳ ରାଜ୍ୟର ୧୪ ଲୋକସଭା ସିଟ୍ ଉପରେ ନଜର ପକାଇଛି ବର୍ତ୍ତମାନ ଯେଉଁ ଆସନ ଦଳୀୟ କବଜାରେ ନାହିଁ। 

ଏନେଇ ପ୍ରସ୍ତୁତ କରାଯାଇଥିବା ଦଳୀୟ ରଣନୀତି ଆଧାରରେ ବିଜେପି ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ଗଡ଼କୁ ଟାର୍ଗେଟ କରିଛି। ଏକ ସମୟରେ ଯେତେବେଳେ ବିରୋଧି ଦଳ ସେମାନଙ୍କ ମତଭେଦର ସମାଧାନ କରୁଛନ୍ତି ସେତେବେଳେ ବିଜେପି ଏହି ୧୪ ଆସନରେ ପଦ୍ମ ଫୁଟାଇବାର ଦାୟିତ୍ୱ ଦଳର ଅନେକ ବରିଷ୍ଠ ନେତାଙ୍କୁ ଦେଇଛି। ଗତ ୨୦୧୯ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମୋଟ ୮୦ ଲୋକସଭା ସିଟ୍ ମଧ୍ୟରୁ ବିଜେପି ୬୨ ଏବଂ ଏହାର ସହଯୋଗୀ ଅପନା ଦଳ ସୋନେଲାଲ ୨, ​ବିଏସପି ୧୦, ସମାଜବାଦୀ ପାର୍ଟି ୫ ଏବଂ କଂଗ୍ରେସ କେବଳ ଗୋଟିଏ ଆସନ ପାଇଥିଲା।

ସମାଜବଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂହ ଯାଦବ ଏବଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରତିନିଧିତ୍ୱ କରୁଥିବା ଲୋକସଭା ଆସନ ପାଇଁ ବିଜେପି ଏକ ପୃଥକ ରଣନୀତି ପ୍ରସ୍ତୁତ କରିଛି। ଏହି ଆସନ ଲାଗି ରଣନୀତି ପ୍ରସ୍ତୁତ କରିବାର ଦାୟିତ୍ୱ ଦଳର ଜାତୀୟ ସଙ୍ଗଠନ ସହ ଜଡିତ ନେତାଙ୍କୁ ପ୍ରଦାନ କରାଯାଇଛି। ରିପୋର୍ଟ ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସମେତ ମୁଲାୟମ ସିଂହ ଯାଦବଙ୍କ ଗଡ଼ ଅଞ୍ଚଳରେ ୪ ଜଣ ରାଜ୍ୟ ସଙ୍ଗଠନ ଅଧିକାରୀ, ଉତ୍ତର ପ୍ରଦେଶର କ୍ଷମତାସୀନ ବିଜେପି ସରକାରର ୨ ଜଣ ମନ୍ତ୍ରୀ ଏବଂ ବୁଥ ସ୍ତରୀୟ ୨୦ ଜଣ କର୍ମକର୍ତ୍ତାଙ୍କ ଏକ ଟିମ୍ ପ୍ରସ୍ତୁତ କରାଯାଇଛି। ଏହା ବ୍ୟତୀତ ଦଳର ଅନେକ ବରିଷ୍ଠ ନେତାଙ୍କୁ ମଧ୍ୟ ବିଭିନ୍ନ କ୍ଷେତ୍ର ଅନୁଯାୟୀ ଦାୟିତ୍ୱ ପ୍ରଦାନ କରାଯାଇଛି।

ଏନେଇ ଉତ୍ତର ପ୍ରଦେଶ ବିଜେପି ପକ୍ଷରୁ କୁହାଯାଇଛି ରାଜ୍ୟର ଏହି ୧୪ ଲୋକସଭା ସିଟ୍ ଜିତିବା ପାଇଁ ଦଳ କାର୍ଯ୍ୟ କରୁଛି। ଏନେଇ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ରାଜ୍ୟ ସଙ୍ଗଠନର ପଦାଧିକାରୀ ନିୟୋଜିତ ହୋଇଛନ୍ତି। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ​​ରାଜ୍ୟର ସମସ୍ତ ୮୦ ଆସନ ଜିତିବାକୁ ଯୋଜନା କରୁଛି। ଗତ ୨୦୧୯ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶ ରାଜନୀତିରେ ​​ବିଜେପି ବିରୋଧରେ ଏଭଳି ଏକ ମେଣ୍ଟ ଦେଖିବାକୁ ମିଳିଥିଲା ​​ଯାହାକୁ ଐତିହାସିକ ବୋଲି କୁହାଯାଉଥିଲା। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଏକାଠି ହୋଇଥିଲେ। ହେଲେ ରାଜନୀତିର ଏହି ପରୀକ୍ଷଣ ମଧ୍ୟ ବିଜେପି  ବିଜୟ ରଥକୁ ଅଟକାଇ ପାରିଲା ନାହିଁ। ବିଜେପି ଏବଂ ଏହାର ସହଯୋଗୀ ରାଜ୍ୟର ମୋଟ ୮୦ ସିଟ୍ ମଧ୍ୟରୁ ୬୪ ଆସନ ହାତେଇବାରେ ସଫଳ ହୋଇଥିଲେ।

Also Read: Uttar Pradesh Politics: କିପରି ବିଜେପି ଦଖଲକୁ ଗଲା ସମାାଜବାଦୀ ପାର୍ଟି ଗଡ?

Also Read: Loksabha Election 2024: ମିଶନ ୧୩୦ ଲାଗି ଦକ୍ଷିଣ ମୁହାଁ ବିଜେପି ରଥ