ପଶ୍ଚିମବଙ୍ଗରେ ୮ ଜଣଙ୍କୁ ଜିଅନ୍ତା ଜାଳିଦେବା ପରେ...
Advertisement
Article Detail0/zeeodisha/odisha1131945

ପଶ୍ଚିମବଙ୍ଗରେ ୮ ଜଣଙ୍କୁ ଜିଅନ୍ତା ଜାଳିଦେବା ପରେ...


TMC ମନ୍ତ୍ରୀ ଫରହାଦ ହାକିମଙ୍କ ନେତୃତ୍ୱରେ ନିଜର ୩ ବିଧାୟକଙ୍କୁ ନେଇ ଟିମ୍ ଗଠନ କରି ଘଟଣାସ୍ଥଳକୁ ପଠାଇଛି। ତେବେ ଇଏ ହେଉଛନ୍ତି ସେହି ଫିରହାଦ ହାକିମ, ଯିଏ ଜଣେ ହିନ୍ଦୁବିରୋଧୀ ଭାବରେ ସବୁବେଳେ ଜଣାଶୁଣା। ତେଣୁ ତାଙ୍କ ନେତୃତ୍ୱରେ ଯାଇଥିବା କମିଟିର ନିରପେକ୍ଷତା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। 

 

ପଶ୍ଚିମବଙ୍ଗରେ ୮ ଜଣଙ୍କୁ ଜିଅନ୍ତା ଜାଳିଦେବା ପରେ...

ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସର ଜଣେ ନେତାଙ୍କୁ ହତ୍ୟାର ପ୍ରତିଶୋଧ ନେବାକୁ TMC ସମର୍ଥକ ରାମପୁରହାଟର ହିନ୍ଦୁଙ୍କ ଘରେ ନିଆଁ ଲଗାଇ ୮ ଜଣ ମହିଳାଙ୍କ ସମେତ ଶିଶୁଙ୍କୁ ଜିଅନ୍ତା ଜାଳିଦେଲେ। ପୋଲିସ ଘର ଭିତରୁ ମୃତକଙ୍କ କଙ୍କାଳ ବାହାରକୁ ନେଉଛି। ଭାଇରାଲ ହୋଇଥିବା ଭିଜୁଆଲ୍ସ ଖୁବ୍ ମର୍ମସ୍ପର୍ଶୀ। ଲୋକେ ଏତେଦୂର ଭୟଭୀତ ହୋଇ ପଡ଼ିଛନ୍ତି ଯେ, ନିଜ ନିଜ ଘର ଛାଡ଼ି ଅନ୍ୟସ୍ଥାନକୁ ଯିବା ଆରମ୍ଭ କରି ଦେଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା କଥା, ସେମାନ ଆତଙ୍କିତ ଅବସ୍ଥାରେ ଘର ଛାଡୁଛନ୍ତି। ପଶ୍ଚିମବଙ୍ଗ ପୋଲିସ ସେମାନଙ୍କୁ କୌଣସି ପ୍ରକାର ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛି। ନଚେତ୍ ଏଭଳି ଘଟଣାକୁ ଏଡ଼ାଯାଇ ପାରିଥାନ୍ତା।

ସୂଚନା ଅନୁସାରେ ଏହି ବୀଭତ୍ସ ଘଟଣା ପରେ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ସିଆଇଡି। ଇତିମଧ୍ୟରେ ଗୃହ ମନ୍ତ୍ରାଳୟ ତମାମ ଘଟଣାରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ସେପଟେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକଙ୍କୁ ୩ ଦିନରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ରାଜ୍ୟରେ ସଂଘଟିତ ହୋଇଥିବା ଏହି ବର୍ବରତାକୁ ଦେଖି ରାଜ୍ୟପାଳ ଜଗଦୀପ ଧନଖଡ଼ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଟାର୍ଗେଟ କରି କହିଛନ୍ତି ପଶ୍ଚିମବଙ୍ଗ ଏବେ ସମ୍ପୂର୍ଣ୍ଣ ଭାବେ ଜଙ୍ଗଲରାଜ ଏବଂ ହିଂସା ପ୍ରପୀଡ଼ିତ ହୋଇ ସାରିଛି।

ମମତା ବାନାର୍ଜୀଙ୍କୁ ଧନଖଡ଼ଙ୍କ ଟାର୍ଗେଟ୍
ଏକ ଭିଡିଓ ଟ୍ୱିଟ୍ କରି ରାଜ୍ୟପାଳ ଜଗଦୀପ ଧନଖଡ଼ କହିଛନ୍ତି, ''ଭୟାନକ ହିଂସା ଏବଂ ଅଗ୍ନିକାଣ୍ଡ ଘଟଣାରୁ ସଂକେତ ମିଳୁଛି ଯେ, ରାଜ୍ୟ ହିଂସା ସଂସ୍କୃତି ଏବଂ ଜଙ୍ଗଲରାଜ ମଧ୍ୟରେ କବଳିତ ହୋଇ ଅଛି। ଏପର୍ଯ୍ଯନ୍ତ ୮ ଜଣଙ୍କ ଜୀବନ ଯାଇ ସାରିଛି। ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ତଲବ କରିବାକୁ ନିର୍ଦ୍ଦେଶ ଦେଇଛି। ପୀଡ଼ିତ ପରିବାରଙ୍କ ପ୍ରତି ମୋର ଯଥେଷ୍ଟ ସମ୍ବେଦନା ରହିଛି।''

ରାମପୁରହାଟ ଘଟଣାରେ MHA ଠାରୁ ନେଇ NCPCR ପର୍ଯ୍ୟନ୍ତ ମାଗିଲେ ରିପୋର୍ଟ
ପଶ୍ଚିମବଙ୍ଗ ଘଟଣାରେ ୭୨ ଘଣ୍ଟା ମଧ୍ୟରେ ଜବାବ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର। NCPCR ମଧ୍ୟ ରିପୋର୍ଟ ଦେବାକୁ ୩ ଦିନ ସମୟ ଦେଇଛନ୍ତି। ମମତା ବାନାର୍ଜୀଙ୍କ ସରକାର ମାମଲାର ତଦନ୍ତ କରିବାକୁ ଏକ SIT ଗଠନ କରିଛନ୍ତି। ପଶ୍ଚିମବଙ୍ଗ ପୋଲିସ ଏହାକୁ ରାଜନୈତିକ ହିଂସା ବୋଲି ସ୍ୱୀକାର କରୁନାହିଁ। TMC ମନ୍ତ୍ରୀ ଫରହାଦ ହାକିମଙ୍କ ନେତୃତ୍ୱରେ ନିଜର ୩ ବିଧାୟକଙ୍କ ଟିମ୍ ଗଠନ କରି ଘଟଣାସ୍ଥଳକୁ ପଠାଇଛି। ଇଏ ହେଉଛନ୍ତି ସେହି ଫିରହାଦ ହାକିମ, ଯିଏ ଜଣେ ହିନ୍ଦୁ ବିରୋଧି ଭାବେ ସବୁବେଳେ ଜଣାଶୁଣା। ତେଣୁ ତାଙ୍କ ନେତୃତ୍ୱରେ ଯାଇଥିବା କମିଟିର ନିରପେକ୍ଷତା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ସେପଟେ ବିଜେପି ମଧ୍ୟ ଏକ ୫ ଜଣିଆ ତଥ୍ୟାନୁସନ୍ଧାନକାରୀ ଟିମ୍ ଗଠନ କରି ସେଠାକୁ ପଠାଇଛି। କମିଟି ଏହି ମାମଲାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ରିପୋର୍ଟ ଦାଖଲ କରିବ।

ରାଜ୍ୟପାଳଙ୍କ ବୟାନ ଯୋଗୁଁ ଅସନ୍ତୁଷ୍ଟ ମମତା
ରାଜ୍ୟପାଳଙ୍କ ବୟାନକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ରାଜ୍ୟପାଳଙ୍କୁ ଚିଠି ଲେଖି କହିଛନ୍ତି, ବର୍ତ୍ତମାନ ରାଜ୍ୟପାଳ କୌଣସି ଅନୁଚିତ ବୟାନ ଦେବାରୁ କ୍ଷାନ୍ତ ରୁହନ୍ତୁ। ରାଜ୍ୟପାଳଙ୍କ ଟିପ୍ପଣୀକୁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଦର୍ଶାଇ ସେ କହିଛନ୍ତି, ଜଣେ ପ୍ରତିଷ୍ଠିତ ସାମ୍ବିଧାନିକ ପଦରେ ଆସୀନ ବ୍ୟକ୍ତିଙ୍କ ପାଇଁ ଏଭଳି ବ୍ୟବହାର ଅଶୋଭନୀୟ। ଗଭର୍ଣ୍ଣରଙ୍କୁ ସମ୍ବୋଧିତ ପତ୍ରରେ ସିଏମ୍ ମମତା ବାନାର୍ଜୀ ଲେଖିଛନ୍ତି, ''ଆପଣଙ୍କ କଥା ଏବୟ ବୟାନରୁ ରାଜନୈତିକ ସ୍ୱର ଶୁଭୁଛି। ଯାହା ସରକାରଙ୍କୁ ଧମକାଇବା ନେଇ ଅନ୍ୟ ରାଜନୈତିକ ଦଳଗୁଡ଼ିକୁ ନୈତିକ ସମର୍ଥନ ଯୋଗାଉଛି।''

ପଶ୍ଚିମବଙ୍ଗରେ ସପ୍ତାହରେ ୨୬ ରାଜନୈତିକ ହତ୍ୟା
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପଶ୍ଚିମବଙ୍ଗର ବୀରଭୂମସ୍ଥିତ ରାମପୁରହାଟରେ ଟିଏମସି ନେତା ଭାଦୁ ଶେଖଙ୍କ ବୋମାମାଡ଼ରେ ମୃତ୍ୟୁ ହେବାପରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଉପଦ୍ରବକାରୀମାନେ ଟିଏମସି ନେତାଙ୍କ ମୃତ୍ୟୁ ରପ୍ରତିଶୋଧ ନେବାକୁ ସ୍ଥାନୀୟ ଅଞ୍ଚଳର ବହୁ ଘରେ ନିଆଁ ଲଗାଇ ଦେଇଥିଲେ। ଯେଉଁଥିରେ ପୋଡ଼ି ହୋଇ ୧୨ ଜଣରୁ ଅଧିକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ପୋଲିସ କିନ୍ତୁ ମୃତକଙ୍କ ସଂଖ୍ୟା ୮ ଜଣ ବୋଲି ଦର୍ଶାଉଛି।

ଗତ ଏକ ସପ୍ତାହ ମଧ୍ୟରେ ପଶ୍ଚିମବଙ୍ଗରେ ରାଜନୈତିକ ହିଂସାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ଏହି ଘଟଣାରେ ୧୨ ଜଣଙ୍କୁ ଜିଅନ୍ତା ଜାଳି ଦିଆଯାଇଛି। ଯେଉଁମାନଙ୍କ ମଧ୍ୟରେ ସାମିଲ ଥିଲେ ମହିଳା ଏବଂ ଛୋଟ ଛୋଟ ଶିଶୁ। ଫଳରେ NCPCR ପଶ୍ଚିମବଙ୍ଗ ପୋଲିସକୁ ରିପୋର୍ଟ ମାଗିଛି। ସ୍ଥାନୀୟ ସମ୍ବାଦଦାତା ଅଭିଜିତ ମଜୁମଦାରଙ୍କ ଅନୁସାରେ, ପଶ୍ଚିମବଙ୍ଗ ଏବେ ଜୀହାଦି ଆତଙ୍କ ଏବଂ କମ୍ୟୁନିଷ୍ଟ ଶାସନ କାଳରେ ଚାଲିଥିବା ଆପରାଧିକ କାର୍ଯ୍ୟକଳାପର ଆଡ୍ଡା ପାଲଟି ଯାଇଛି। ରାଜ୍ୟରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସୀମା ଟପିଛି।