ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହ ନବୀନ, ଆନ୍ତଃରାଜ୍ୟ ସମ୍ପର୍କ କରିବେ ସୁଦୃଢ଼
Advertisement

ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହ ନବୀନ, ଆନ୍ତଃରାଜ୍ୟ ସମ୍ପର୍କ କରିବେ ସୁଦୃଢ଼

ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ପ୍ରଶାସନିକ ଦକ୍ଷତା କୁ ଦେଖି ଜାତୀୟସ୍ତରରେ ମିଳିଛି ଆଉ ଏକ ସ୍ୱୀକୃତି  । ଜାତୀୟସ୍ତରରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଆନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଭାବରେ ସେ ହୋଇଛନ୍ତି ମନୋନୀତ ।

 

ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ସହ ନବୀନ, ଆନ୍ତଃରାଜ୍ୟ ସମ୍ପର୍କ କରିବେ ସୁଦୃଢ଼

ନୂଆଦିଲ୍ଲୀ : ଜାତୀୟସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଆନ୍ତଃରାଜ୍ୟ ପରିଷଦର ପୁନର୍ଗଠନ କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁମୋଦନକ୍ରମେ ନୂତନ ‘ଆନ୍ତଃରାଜ୍ୟ ପରିଷଦ’(Inter-state Council) ଗଠନ ହେବାକୁ ଯାଉଥିବା କଥା ଶୁକ୍ରବାର ଦିନ ଗୃହ ମନ୍ତ୍ରଣାଳୟ ଜାରି କରିଥିବା ଗେଜେଟ୍ ବିଜ୍ଞପ୍ତିରୁ ଜଣାପଡ଼ିଛି। କେନ୍ଦ୍ର ସରକାର ଘୋଷଣା କରିଥିବା ଏହି ଆନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟିର ନୂତନ ସଦସ୍ୟଙ୍କ ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ବିଜ୍ଞପ୍ତି ଅନୁସାରେ କମିଟିରେ ମୋଟ ୧୩ ଜଣ ସଦସ୍ୟ ରହିଥିବା ବେଳେ ଅଧ୍ୟକ୍ଷ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି କମିଟିରେ ଶାହାଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର ଅନ୍ୟ ଚାରିଜଣ ମନ୍ତ୍ରୀ ଏବଂ ଆଠ ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି। କମିଟିର ସଦସ୍ୟ ଭାବରେ ଅର୍ଥ ଓ କର୍ପୋରେଟ ମନ୍ତ୍ରୀ ନିର୍ମଳା ସୀତାରମଣ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ସାମାଜିକ ନ୍ୟାୟ ତଥା ସଶକ୍ତିକରଣ ମନ୍ତ୍ରୀ ବିରେନ୍ଦ୍ର କୁମାର, ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏହି କମିଟିର ସଦସ୍ୟ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ କମିଟିର ଅନ୍ୟ ସଦସ୍ୟ ଅଛନ୍ତି।

ଆନ୍ତଃରାଜ୍ୟ ପରିଷଦରେ କୌଣସି ବିଷୟ ବିଚାରକୁ ନିଆଯିବା ପୂର୍ବରୁ ଏହା କେନ୍ଦ୍ର-ରାଜ୍ୟ ସମ୍ପର୍କ ସମ୍ବନ୍ଧୀୟ ସମସ୍ତ ବିଷୟକୁ ପ୍ରକ୍ରିୟାକରଣ କରେ । ଆନ୍ତଃରାଜ୍ୟ ସମ୍ପର୍କ ଦୃଢ଼ିଭୂତ କରିବାରେ ପରିଷଦର ସୁପାରିଶ ଗୁରୂତ୍ୱପୂର୍ଣ୍ଣ । ଆନ୍ତଃରାଜ୍ୟ ସମ୍ପର୍କ ସମ୍ପର୍କୀତ କାର୍ଯ୍ୟକାରିତା ଉପରେ ମଧ୍ୟ କମିଟି ତଦାରଖ କରେ ଏବଂ ଏହାକୁ ଅଧ୍ୟକ୍ଷ କିମ୍ବା ପରିଷଦ ଦ୍ୱାରା ସୂଚିତ ଅନ୍ୟ ବିଷୟ ଉପରେ ବିଚାର କରେ । ଷ୍ଟାଣ୍ଡିଂ କମିଟି, ଯଦି ଆବଶ୍ୟକ ହୁଏ, ସଂପୃକ୍ତ ବିଷୟ ଉପରେ ବିଚାର ବିମର୍ଶ କରିବାବେଳେ ନିର୍ଦ୍ଦିଷ୍ଟ କ୍ଷେତ୍ରର ବିଶିଷ୍ଟ ବିଶେଷଜ୍ଞ ଏବଂ ବ୍ୟକ୍ତିବିଶେଷଙ୍କର ମଧ୍ୟ ପରାମର୍ଶ ନିଆଯାଏ। ଆନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟି ଏକ ଗୁରୂତ୍ୱପୂର୍ଣ୍ଣ ସଂସ୍ଥା। ଏହାର ଲକ୍ଷ୍ୟ ହେଉଛି ରାଜ୍ୟର ଅଧିକ ପ୍ରତିନିଧିତ୍ବ, ଆର୍ଥିକ ସମ୍ବଳର ବିକାଶ ଓ ଆନ୍ତଃରାଜ୍ୟ ବିବାଦର ସମାଧାନର ସହାୟକ ହେବା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ପ୍ରଶାସନିକ ଦକ୍ଷତାକୁ ଦେଖି ଜାତୀୟସ୍ତରରେ ଆଉ ଏକ ସ୍ୱୀକୃତି ମିଳିଛି। ନବୀନଙ୍କ ନିଖୁଣ ରାଜନୈତିକ ନେତୃତ୍ୱ ଓ ତାଙ୍କ ଅଭିଜ୍ଞତା ରାଜ୍ୟକୁ ସଠିକ ଭାବେ ଚଳାଇବାର ଦକ୍ଷତା ର ଫାଇଦା ଆନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟି ପାଇପାରିବ। ତେଣୁ ଏହାର କାର୍ଯ୍ୟଶୈଳୀ  ଆହୁରି ମଜଭୁତ ହୋଇପାରିବ।