BJP Targets BJD: ବିରୋଧିଙ୍କୁ ଜନ ବିରୋଧି କହିବାକୁ ନେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।
Trending Photos
Samir Mohanty Targets Naveen Patnaik: ବିରୋଧିଙ୍କୁ ନେଇ ଜନବିରୋଧି କହିବାକୁ ନେଇ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଲଟା ଜବାବ ଦେଇଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ଏନେଇ ବିଜେପି ନେତା ଜଣଙ୍କ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନିଜ ଦଳର କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଆପଣଙ୍କ ଦଳ ପ୍ରତି ଆସ୍ଥା କମୁଥିବା ଦର୍ଶାଉଛି। ମୁଖ୍ୟମନ୍ତ୍ରୀ ବିରୋଧିଙ୍କୁ ଜନବିରୋଧୀ କହି ଆକ୍ଷେପ କରୁଛନ୍ତି। ହେଲେ ତାହା ଗଣତନ୍ତ୍ର ପାଇଁ ଠିକ୍ ନୁହେଁ।
ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇ ଦେବାକୁ ଚାହୁଁଛୁ ଯେ, ରାଜନୀତିରେ କେବଳ ନିର୍ବାଚନ ଜିତିବା ସବୁ କିଛି ନୁହେଁ। ଲୋକଙ୍କ ସେବା ହେଉଛି ସର୍ବୋପରି। ଗତ ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ବିଜେଡ଼ିକୁ ୪୪.୮% ଭୋଟ୍ ଦେଇଥିବା ବେଳେ ବିରୋଧିଙ୍କୁ ଅନୁରୂପ ଭାବେ ବିଜେଡି ସରକାର ବିରୋଧରେ ୪୯.୩ ପ୍ରତିଶତ ଭୋଟ୍ ଦେଇଛନ୍ତି। ଓଡ଼ିଶା ବାସୀ ବିଜେପିକୁ ଗତ ସାଧାରଣ ନିର୍ବାଚନରେ ୯୧ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟ୍ ଦେଇଛନ୍ତି। ରାଜ୍ୟରେ ମୁଖ୍ୟ ବିରୋଧି ଦଳର ଭୂମିକା ବିଜେପିକୁ ମିଳିଛି। ଆପଣଙ୍କ ଅହଂଙ୍କାର ଆଜି ଚରମ ସୀମାରେ ପହଞ୍ଚିଛି। ଦିନେ ଶାସନରେ ରହିବାର ଅହଂଙ୍କାର ଦୁର୍ଯ୍ୟୋଧନ ଏବଂ ରାବଣ ପାଖରେ ମଧ୍ୟ ରହିଥିଲା।
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଲିଙ୍ଗରାଜ ମନ୍ଦିରର ଉନ୍ନତିକରଣରେ ବିରୋଧି ବାଧା ସୃଷ୍ଟି କରୁଛନ୍ତି ବୋଲି ଆପଣ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ସମ୍ପୂର୍ଣ୍ଣ ଭୁଲ। ବରଂ ଆପଣଙ୍କ ସରକାର ମଠ ମନ୍ଦିର ବିରୋଧ୍। ସୌନ୍ଦର୍ଯ୍ୟ କରଣ ନାମରେ ଆପଣ ହଜାର ହଜାର ବର୍ଷ ତଳର ମଠ, ମନ୍ଦିର ଭାଙ୍ଗି କେବଳ ଟାଇଲ ଆଉ ଗଛ ଲଗାଉଛନ୍ତି। ତାହାକୁ କହିବା କ'ଣ ଭୁଲ?
କୋଭିଡ୍ ସମୟରେ ରଥଯାତ୍ରାକୁ ବନ୍ଦ କରିବା ପାଇଁ କେଉଁମାନେ ଷଡଯନ୍ତ୍ର କରିଥିଲେ? ଓଡ଼ିଶାର ଓଡ଼ିଆ ଲୋକଙ୍କ ଦାବି ସତ୍ତ୍ୱେ ରତ୍ନଭଣ୍ଡାର ନ ଖୋଲିବା ପାଇଁ ଆପଣ ଯୋଜନା କରୁଛନ୍ତି। ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ଗାଳି ଦେଇଥିଲେ ଏବଂ ଏହାକୁ ନ ମାନିବା ପାଇଁ କହିଥିଲେ, ସେହି ବ୍ୟକ୍ତିଙ୍କୁ ଓଡ଼ିଶା ଗସ୍ତ ସମୟରେ ଆପଣ ଯେଉଁଭଳି ଭାବେ ଅତିଥି ଚର୍ଚ୍ଚା କଲେ, ସେଥିରୁ ଜଣାପଡୁଛି ଆପଣ ସନାତନ ବିରୋଧି ନାଁ ସପକ୍ଷବାଦୀ? ପରମପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଏବଂ ପୂଜ୍ୟ ଗଜପତି ମହାରାଜା ଶ୍ରୀମନ୍ଦିର ଏବଂ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପର୍କରେ ଅନେକ ମୂଲ୍ୟବାନ ପରାମର୍ଶ ଦେବା ପରେ ମଧ୍ୟ ଆପଣ କିମ୍ବା ଆପଣଙ୍କ ସରକାର ଏହି କଥାକୁ କେବେ କର୍ଣ୍ଣପାତ ନକରିବା ଦୁଃଖର ବିଷୟ।
ରାଜ୍ୟରେ ଅବସ୍ଥିତ ସରକାରୀ ବିଦ୍ୟାଳୟରେ ରଙ୍ଗ ବୋଳିଦେଲେ ଶିକ୍ଷାର ବିକାଶ ହୁଏ ନାହିଁ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବିଭିନ୍ନ ସଙ୍ଗଠନର ଲକ୍ଷ ଲକ୍ଷ କର୍ମଚାରୀ ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ଧାରଣା ଦେଇଛନ୍ତି। ଖରା ବର୍ଷାରେ ନିଜ ପିଲା ଛୁଆଙ୍କୁ ଘରେ ଛାଡି ପେଟ ପାଟଣା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଏ ସମ୍ପର୍କରେ ଆପଣଙ୍କ ପାଖରେ କିଛି ଉତ୍ତର ରହିଛି ନା ନାହିଁ?
ପ୍ରତିଦିନ ଗଣମାଧ୍ୟମରେ ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଖବର ପ୍ରକାଶ ପାଉଛି। କେଉଁଠି ଖଟିଆରେ ଗର୍ଭବତୀ ମହିଳା ବୁହା ହେଉଛନ୍ତି ଆଉ କେତେବେଳେ ଆପଣ ସ୍ୱପ୍ନ ଦେଖାଇଥିବା ବିଶ୍ୱସ୍ତରୀୟ କଟକ ବଡ ଡାକ୍ତରଖାନାରେ ଦୀର୍ଘ ୧୮ ଘଣ୍ଟା ଧରି ବିଜୁଳି କାଟ ହେବା କାରଣରୁ ରୋଗୀ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି। ଏଥିରୁ ଅନୁମାନ କରାଯାଇ ପାରୁଛି ଆପଣ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟସେବା ଦେବା ପାଇଁ କେତେ ଚିନ୍ତିତ? ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ଆପଣ ରାଜ୍ୟରେ କାହିଁକି ଲାଗୁ କରୁନାହାନ୍ତି? ରାଜ୍ୟ ବାହାରେ ଓଡ଼ିଆ ଲୋକେ କେତେ ଅସୁବିଧା ଭୋଗୁଛନ୍ତି, ସେ ବିଷୟରେ ଆପଣ କେବେ ଚିନ୍ତା କରିଛନ୍ତି? ବିଜୁ ସ୍ୱାସ୍ଥ୍ୟ ଯୋଜନା କିଭଳି ଏବଂ କେଉଁ ଢଙ୍ଗରେ କାର୍ଯ୍ୟକାରୀ ହେଉଛି, ଆପଣଙ୍କ ପାଖରେ ତାହାର ଖବର ଅଛି? ଲୋକଙ୍କ ସେବା ପରିବର୍ତ୍ତେ ଆପଣ ଲୋକଙ୍କୁ ଭ୍ରମିତ କରି ଦିନରେ ଲଣ୍ଠନ ଦେଖାଉଛନ୍ତି।