2024 Election Odisha: ନବୀନ ପୁରୀରୁ ଲଢ଼ିବେ କାହିଁକି? ସଙ୍ଗଠନ ସବଳ ନାଁ ନବୀନଙ୍କ ମୁଣ୍ଡରେ ନଡ଼ିଆ?
Advertisement
Article Detail0/zeeodisha/odisha1919674

2024 Election Odisha: ନବୀନ ପୁରୀରୁ ଲଢ଼ିବେ କାହିଁକି? ସଙ୍ଗଠନ ସବଳ ନାଁ ନବୀନଙ୍କ ମୁଣ୍ଡରେ ନଡ଼ିଆ?

Naveen Patnaik in 2024 Election: ଆସନ୍ତା ନିର୍ବାଚନରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କେଉଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ତାାହକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

2024 Election Odisha: ନବୀନ ପୁରୀରୁ ଲଢ଼ିବେ କାହିଁକି? ସଙ୍ଗଠନ ସବଳ ନାଁ ନବୀନଙ୍କ ମୁଣ୍ଡରେ ନଡ଼ିଆ?

BJD Supremo Naveen Patnaik: ଭୁବନେଶ୍ୱର: ଗଲା କିଛିଦିନ ହେଲା ପୁରୀ ନିର୍ବାଚନ ମଣ୍ଡଳୀକୁ ନେଇ ଗଣମାଧ୍ୟମରେ ବେଶ୍‍ ଚର୍ଚ୍ଚା ହେଉଛି। କିଛି ଗଣମାଧ୍ୟମ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ପୁରୀରୁ ନିର୍ବାଚନ ଲଢ଼ିବେ ବୋଲି ଗଣିତ କଷିଛନ୍ତି। ଅପରପକ୍ଷେ ପୁରୀର ବିଜେପି ବିଧାୟକ ଏହାକୁ ତୁଚ୍ଛ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ପୁରୀରୁ ଲଢ଼ିବେ ବୋଲି ବି କହିଛନ୍ତି। ଏଭଳି ବିତଣ୍ଡା ବିବାଦ ପୁରୀ ରାଜନୀତିକ ଆକାଶରେ ଦୁଇ ଦିଗର ପବନ ସହ ତୁଳନା କରାଯାଇପାରେ। କିନ୍ତୁ ପ୍ରଶ୍ନ ଉଠୁଛି ପୁରୀରୁ ନବୀନ ନିର୍ବାଚନ ଲଢ଼ିବେ କାହିଁକି?  ପୁରୀରେ ସଙ୍ଗଠନ ସୁଦୃଢ଼ ହୋଇଛି ନାଁ ନବୀନଙ୍କ ମୁଣ୍ଡରେ ନଡ଼ିଆ ଭାଙ୍ଗି ବିଜେଡ଼ି ରଣନୀତିକାର  ଦୋଷ ଖସାଇବାକୁ ଚେଷ୍ଟା କରୁଛନ୍ତି?

ସାଧାରଣତଃ ଶାସନରେ ଥିବା ଜଣେ ମୁଖ୍ୟମନ୍ତ୍ରୀ ତାଙ୍କ ପାରମ୍ପରିକ ଆସନ ସହ ଅନ୍ୟ ଏକ ଆସନକୁ ସେତେବେଳେ ବାଛନ୍ତି ଯେତେବେଳେ ସେ ଅନ୍ୟ କୌଣସି ନେତାଙ୍କ ଉପରେ ଭରସା କରିପାରନ୍ତି ନାହିଁ ବା ସେଠାରେ ବିଜୟ ଆଶା ତଳକୁ ଖସିଥାଏ। ଏପରି ଏକ ପରିସ୍ଥିତି ଗତ ନିର୍ବାଚନରେ ସୃଷ୍ଟି ହୋଇଥିଲା, ଆଉ ବିଜେପୁରରୁ ନବୀନ ଲଢ଼ିଥିଲେ। ସେତେବେଳେ ସୁବଳ ସାହୁଙ୍କ ନିଧନ ହୋଇଥାଏ ଏବଂ ବିଜେପୁରର ରାଜନୀତିକ ଆକାଶରେ ବିଜେଡି ଅସ୍ତିତ୍ୱ ଖୋଜୁଥାଏ। ଏଭଳି ସ୍ଥିତିରେ ନବୀନଙ୍କୁ ପ୍ରାର୍ଥୀ କରାଇ ରାଜ୍ୟର ସମସ୍ତ ନିର୍ବାଚନ ମସିନାରୀକୁ ବିଜେଡି ବିଜେପୁରରେ ନବୀନଙ୍କ ମାଧ୍ୟମରେ ନିଜର ଇଜ୍ଜତ ବଞ୍ଚାଇବା ଲାଗି ନିୟୋଜିତ କରିଥିଲା। ଆଉ ସେଥିରେ ସଫଳ ବି ହୋଇଥିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ଏହି ସମୀକରଣରେ ବିଜେଡି ନିଜ ପକ୍ଷକୁ ମଜଭୁତ କରି ସେ ଆସନକୁ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ପ୍ରଦାନ କରିଥିଲା। ଆଜି ସେ ବିଧାୟକ ଅଛନ୍ତି। ଏଭଳି ପରିସ୍ଥିତିରେ କେବଳ ବିଜେପୁର ନୁହେଁ, ସମ୍ପୂର୍ଣ୍ଣ ପଶ୍ଚିମ ଓଡ଼ିଶାରେ ନବୀନଙ୍କ ଯୋଗୁ ବିଜେଡିର ଇଜ୍ଜତ ବଞ୍ଚିଥିଲା ବୋଲି କୁହାଯାଏ। 

ପ୍ରଶ୍ନ ହେଉଛି, ସେମିତି ଏକ ପରିସ୍ଥିତି ପୁରୀରେ ସୃଷ୍ଟି ହୋଇଛି କି? ପୁରୀର ସ୍ଥିତି ୨୦୧୯ରେ ବିଜେପୁର ପରିସ୍ଥିତି ଭଳି ହୋଇଛି କି? ସେତେବେଳେ ବିଜେପୁରର କଂଗ୍ରେସ ଭୋଟ୍ ବ୍ୟାଙ୍କ ବିଜେଡି ନିଜ ପାଖକୁ ଆଣିବାରେ ସକ୍ଷମ ହୋଇଥିଲେ ମଧ୍ୟ ବିଜେପି ଏକ ମହାକାଳ ହୋଇ ଦଳ ଆଗରେ ଠିଆ ହୋଇଥିଲା। ଯଦି ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥୀ ନକରିଥାଆନ୍ତା ତେବେ ଆଜି ବରଗଡ଼ ସଂସଦୀୟ ନିର୍ବାଚନ ମଣ୍ଡଳୀ ଯେଉଁ ସବୁଜ ଶଙ୍ଖକୁ ପ୍ରତି ବିଧାନସଭା ମଣ୍ଡଳୀରେ ଦେଖୁଛି ତାହା କେବଳ ସ୍ୱପ୍ନ ପ୍ରାୟ ହୋଇଥାଆନ୍ତା। 

ଏବେ ପୁରୀ ସଂସଦୀୟ ନିର୍ବାଚନ ମଣ୍ଡଳୀର ରାଜନୀତିକ ପରିସ୍ଥିତି କଥା। ପୁରୀ ଲୋକସଭା ମଣ୍ଡଳୀ କହିଲେ, ପୁରୀ, ନୟାଗଡ଼, ଚିଲିକା, ବ୍ରହ୍ମଗିରି, ପିପିଲି, ନିମାପଡ଼ା ଏବଂ ସତ୍ୟବାଦୀ ବିଧାନସଭା ଆସନକୁ ବୁଝାଏ। ଏହି ଲୋକସଭା ଆସନର ପ୍ରତ୍ୟୋକ ବିଧାନସଭା ଆସନରେ ୧୯୭୭ ମସିହାରୁ ଜନତା ପାର୍ଟି ଏବଂ ଜନତା ଦଳର ନିଅଁ ପଡ଼ିଛି। ଆଉ ସେ କଂଗ୍ରେସ ବିରୋଧି  ନିଅଁ ଏତେ ଶକ୍ତ ଯେ, ଓଡ଼ିଶାରେ ଯେତେ ବଡ଼ ବଡ଼ ରାଜନୀତିକ ତୋଫାନ ଆସିଛି ତାହାକୁ ଛାତି ଦେଖାଇ ଅଣ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇଛି। ହେଲେ ୨୦୧୯ ନିର୍ବାଚନ ଅନେକ ରାଜନୀତି ସଙ୍କେତକୁ ଇଙ୍ଗିତ କରିଛି। ପୁରୀ, ବ୍ରହ୍ମଗିରି ଭଳି ନିର୍ବାଚନ ମଣ୍ଡଳୀର ଷ୍ଟଲ୍‍ଓ୍ୱାର୍ଟଙ୍କୁ ଧୂଳି ଚଟାଇଛି। ଦୁଇ ପୂର୍ବତନ ମନ୍ତ୍ରୀ, ଅଭିଜ୍ଞ ରାଜନେତାଙ୍କଠାରୁ ଲୋକେ ମୁହଁ ଫେରାଇ ନେଇଛନ୍ତି। ଖାଲି ସେତିକି ନୁହେଁ, ଆଜି ପୁରୀଠୁ ନୟାଗଡ଼ ଯାଏଁ ପ୍ରତିଟି ନିର୍ବାଚନ ମଣ୍ତଳୀରେ ବିଜେଡି ବିଧାୟକଙ୍କ ଉପରେ ଲୋକଙ୍କ ଆସ୍ଥା ନାହିଁ। ପରିସ୍ଥିତି ଏମିତି ଯେ, ସମ୍ପୃକ୍ତ ବିଧାୟକ ଆଉଥରେ ଟିକଟ ପାଇବେ ନାଁ ନାହିଁ ତାହା ସେମାନେ ଜାଣିନାହାଁନ୍ତି। 

ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଥମଥର ପାଇଁ ପ୍ରାର୍ଥୀ ବଦଳାଇ ବିଜେଡି ସଫଳତା ପାଇଥିଲା। ହେଲେ ଏଥର ବିଧାୟକଙ୍କୁ ଟିକଟ ଦେବ କି ନା ତାହା ନେଇ ଅନେକ ଗଣିତ କଷା ଚାଲିଛି। ବିଧାୟକ ପ୍ରଶାନ୍ତ ଜଗଦେବ ଅପରାଧିକ ମାମଲାରେ ଛନ୍ଦି ହୋଇଛନ୍ତି। ଏଣୁ ଚିଲିକା ପାଇଁ ନେତା ଖୋଜା ପଡ଼ିଛନ୍ତି। 

ନିମାପଡ଼ାରେ ତିନିଥର ଲଗାତାର ନିର୍ବାଚନ ଜିତିଥିବା ସମୀର ରଞ୍ଜନ ଦାଶଙ୍କ ହାବଭାବକୁ ନେଇ ଅନେକ ହଇଚଇ ସୃଷ୍ଟି ହୋଇଛି। ଏପରି ସ୍ଥଳେ ତାଙ୍କରି ଦଳ ଲୋକେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ହୋଇଛି। 
ପୁରୀରେ ବିଜେଡିରୁ ଭିନ୍ନ ହୋଇଥିବା ଜୟନ୍ତ ଷଡ଼ଙ୍ଗୀ ପ୍ରଥମ ଥର ପାଇଁ ବିଜେପିକୁ ପୁରୀରେ ସ୍ଥାପନା କରି ଦୀର୍ଘଦିନର ବିଧାୟକ ମହେଶ୍ୱର ମହାନ୍ତିଙ୍କୁ ଧୂଳି ଚଟାଇଛନ୍ତି। ଏ ଧାରା ଏଥର ବି ବଜାୟ ରହିବ ବୋଲି ଆଶା କରାଯାଉଛି। ପରିସ୍ଥିତି ଏପରି ଯେ ପୁରୀରୁ କିଏ ବିଜେଡିର ପ୍ରାର୍ଥୀ ହେବ ତାହା ଅସ୍ପଷ୍ଟ ହୋଇ ରହିଛି। 

ସମାନ ପରିସ୍ଥିତି ବ୍ରହ୍ମଗିରିରେ। ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ଆଉ ବିଜେଡି ପ୍ରଚ୍ଛଦରେ କେଉଁଠି ଦେଖିବାକୁ ମିଳୁନି। ଅର୍ଥାତ୍‍ ବିଜେଡିର ଭରସା ଆଉ ତାଙ୍କ ଉପରେ ନାହିଁ। ଏଣୁ କେହି ଜଣେ ନୂଆ ଚେହେରା ଏଠି ଉଦୟ ହୋଇପାରନ୍ତି। ଅପରପକ୍ଷେ ବ୍ରହ୍ମଗିରିରେ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପରିବାରକୁ ଆପଣାଇ ବିଜେପି ଅନେକ ମାଇଲେଜ୍‍ ହାସଲ କରିଛି। 

ସତ୍ୟବାଦୀରେ ପୁଣିଥରେ ଉମାକାନ୍ତ ସେମନ୍ତରାୟଙ୍କ ଉପରେ ବିଜେଡି ଭରସା କରିବା ଛଡ଼ା ଆଉ କିଛି ରାସ୍ତା ନାହିଁ। କାରଣ ଏଠି ବିଜୁ ଜନତା ଦଳ ନିଜ ଦମ୍ ରେ ନେତା ତିଆରି କରିବା ବିଗତ ୨୫ ବର୍ଷ ହେଲା ଭୁଲି ଯାଇଛି। 
ସମାନ ପରିସ୍ଥିତି ପିପିଲିରେ। ଏଠି ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅଙ୍କୁ ଛାଡ଼ି ଦେଲେ ଦଳ ପାଖରେ ବିକଳ୍ପ ନାହାଁନ୍ତି।