ବାପା ଏସିଡ୍ ଢାଳି ମାରୁଥିଲା, ପୁଅ ଗୁଳିକରି ମାରୁଛି!
Advertisement
Article Detail0/zeeodisha/odisha1145009

ବାପା ଏସିଡ୍ ଢାଳି ମାରୁଥିଲା, ପୁଅ ଗୁଳିକରି ମାରୁଛି!

ବିହାରରେ MLC କ୍ୟାଣ୍ଡିଡେଟଙ୍କ ଉପରେ AK-47ରୁ ଫାୟାରିଂ, FIR ରେ ଶାହାବୁଦ୍ଦିନ ପୁଅ ଓସାମାର ନାଁ ମଧ୍ୟ ଉଠିଛି। ରଇସ ଖାନ ଏବଂ ତାର ଭାଇ ଅୟୁବ ଖାନ ଏକଦା ଥିଲେ ଶାହାବୁଦ୍ଦିନର ଚିଫ୍ ଶୁଟର। ପରେ ଦୁଇଭାଇ ଶାହାବୁଦ୍ଦିନଠାରୁ ଦୂରେଇ ଅଲଗା ଏକ ଗ୍ୟାଙ୍ଗ ଗଢ଼ିଲେ। ଏହା ପରଠାରୁ ଦୁହିଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଶତ୍ରୁତା। 

ବାପା ଏସିଡ୍ ଢାଳି ମାରୁଥିଲା, ପୁଅ ଗୁଳିକରି ମାରୁଛି!

ବିହାରର କୁଖ୍ୟାତ ଅପରାଧୀ ଏବଂ ରାଷ୍ଟ୍ରୀୟ ଜନତା ଦଳର (RJD) ପୂର୍ବତନ ସାଂସଦ ମୋହମ୍ମଦ ଶାହାବୁଦ୍ଦିନର (Mohammad Shahabuddin) ଜେଲରେ ମୃତ୍ୟୁ ହେବାପରେ ତା'ର ପୁଅ ନିଜ ବାପାର ପଦାଙ୍କ ଅନୁସରଣ କରୁଛି। ବିହାରରେ ହୋଇଥିବା AK-47 ଆକ୍ରମଣ ପରେ ଲୋକଙ୍କ ମୁହଁରେ ଏହି କଥା ହିଁ ଚର୍ଚ୍ଚା ହେଉଛି। ଶାହବୁଦ୍ଦିନର ପୁଅ ଓସାମା ଶହାବ (Osama Sahab) ବିରୋଧରେ ଅଭିଯୋଗ ରହିଛି ଯେ, ସେ ବିହାରର ସିୱାନରୁ ବିଧାନ ପରିଷଦ (MLC) ପ୍ରାର୍ଥୀଙ୍କ ଗାଡ଼ି ଉପରକୁ ବିପଜ୍ଜନକ AK-47 ରାଇଫଲରୁ ପ୍ରାୟ ୧୫୦ ରାଉଣ୍ଡ ଗୁଳି ବର୍ଷା କରିଥିଲା, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସାଙ୍ଗକୁ ବହୁ ଲୋକ ଆହତ ମଧ୍ୟ ହୋଇଥିଲେ। MLC ପ୍ରାର୍ଥୀ ରଇସ ଖାନ (Rais Khan) ଏହି ପ୍ରସଙ୍ଗରେ ସିୱାନର ହୁସେନଗଞ୍ଜ ଥାନାରେ ଅଭିଯୋଗ ଦାୟର କରିଥିଲେ। ଏହି ମାମଲାରେ ଓସାମା ସହ ୮ ଜଣ ଲୋକଙ୍କ ବିରୋଧରେ ଦାୟର ହୋଇଛି ମାମଲା। ଦିଆ ଯାଇଥିବା ଅଭିଯୋଗରେ ମହମ୍ମଦ ରଇସ କହିଛି, ସେ MLC ନିର୍ବାଚନ ପାଇଁ ହୋଇଥିବା ମତଦାନ ଦିନ (୪ ଏପ୍ରିଲ) ନିଜ ସମର୍ଥକଙ୍କ ସହ ଘରକୁ ଫେରୁଥିଲେ। ଏହି ସମୟରେ ବାଟରେ ଓସାମା ତାଙ୍କ ଗାଡ଼ି ଉପରକୁ ଅନ୍ଧାଧୂନ୍ ଫାୟାରିଂ କରିଥିଲେ। ଏହି ଫାୟାରିଂରେ ବିନୋଦ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି।

ରଇସ ନିଜ ଅଭିଯୋଗରେ କହିଛି ଯେ, ଶୋଭାଯାତ୍ରାରେ ତା ସହ ଯାଉଥିବା ଗାଡ଼ିର ଡ୍ରାଇଭର ହସାମ ଅଲ୍ଲୀ ଖାଁ ଏବଂ ତାଙ୍କ ସହ ବସିଥିବା ତେଗ ଅଲ୍ଲୀ ଖାନକୁ ୩ଟି ଗୁଳି ଲାଗିଥିଲା। ସେପଟେ ବରଯାତ୍ରୀରୁ ଫେରୁଥିବା ବିନୋଦ ଯାଦବଙ୍କୁ ଚାରି-ପାଞ୍ଚଟି ଗୁଳି ଲାଗିଥିଲା। ନିଜ ଗାଡ଼ିରେ ଯାଉଥିବା ରାକେଶ ତିୱାରୀ ଏବଂ ତାଙ୍କ ପତ୍ନୀ ଇନ୍ଦୁ ତିୱାରୀଙ୍କୁ ମଧ୍ୟ ଏହି ଗୁଳିମାଡ଼ରେ ଗୁଳି ଲାଗିଛି। ଏହି ଗୁଳିମାଡ଼ରେ ବିନୋଦ ଯାଦବଙ୍କୁ ହସ୍ପିଟାଲ ନେଇଯିବା ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଛି। ତେବେ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ମାମଲାରେ ଓସାମାଙ୍କ ବ୍ୟତୀତ ଶାହବୁଦ୍ଦିନର ପାଖଲୋକ ଆଫତାବ ଆଲମ, ଗୁଡ୍ଡୁ ପିଷ୍ଟଲ, ପୂର୍ବ ମୁଖିଆ ସାବିର ମିଆଁ, ଡବ୍ଲୁ ଖାନ, ଆଜାଦ ଆନସାରୀ, ଆସିଫ ସିଦ୍ଦିକୀ ଏବଂ ଚୱନ୍ନୀଙ୍କୁ ଅଭିଯୁକ୍ତ ଭାବରେ ଦର୍ଶାଯାଇଛି। ସାରଣର ଡିଆଇଜି ରବିନ୍ଦ୍ର କୁମାର ମଙ୍ଗଳବାର (୫ ଏପ୍ରିଲ) ସିୱାନ ଯାଇଥିଲେ ଏବଂ କହିଲେ, ଏହି ଘଟଣାରେ ସାମିଲ ଲୋକଙ୍କୁ ଛଡ଼ାଯିବ ନାହିଁ। ପୋଲିସ ସେମାନଙ୍କୁ ଶୀଘ୍ର ଗିରଫ କରି ଜେଲ ପଠାଇବ। ସେପଟେ ୱସାମାର ସମର୍ଥକମାନଙ୍କ କହିବା କଥା, ସେ ଜିଲ୍ଲା ବାହାରେ ଥିବାରୁ ଏ ଘଟଣା ସହ ତାର କୌଣସି ସମ୍ପର୍କ ନାହିଁ। ତାକୁ ମିଛରେ ବଦନାମ କରାଯାଉଛି।

ଶାହବୁଦ୍ଦିନ ସାମ୍ରାଜ୍ୟର ଉତ୍ତରାଧିକାରୀ ଓସାମା:
ଜେଲରେ ଶାହବୁଦ୍ଦିନର ମୃତ୍ୟୁ ପରେ ଓସାମାକୁ ତାର ରାଜନୈତିକ ଉତ୍ତରାଧିକାରୀ ମନେ କରାଯାଉଛି। ତେବେ ତାର ମାଆ ହୀନା ଶହାବ ମଧ୍ୟ ରାଜନୀତିରେ ସକ୍ରିୟ ରହିଛି। ମାତ୍ର ଶାହବୁଦ୍ଦିନର ମୃତ୍ୟୁ ପରେ ବିହାର ନେତାମାନେ ଯେଉଁପରି ଓସାମାକୁ ଭେଟିବାରେ ଲାଗିଲେ, ସେଥିରୁ ଏହି ନିଷ୍କର୍ଷ ବାହାରିଲା ଯେ, ଶାହବୁଦ୍ଦିନର ପରିବାର ରାଜନୀତିକୁ ଛାଡିବେ ନାହିଁ। ତେବେ ଏହି FIR ସହ ଓସାମା ବିରୋଧରେ ଅବୈଧ AK-47 ସମ୍ପର୍କିତ ମାମଲା ରୁଜୁ ହୋଇଯାଇଛି। ଏହାପୂର୍ବରୁ ଶାହବୁଦ୍ଦିନଙ୍କ ଘରୁ ମଧ୍ୟ AK-47 ଗୋଦାମ ଜବତ ହୋଇଥିଲା। ସେପଟେ ଓସାମା ଉପରେ ତେଜାବ କାଣ୍ଡରେ ମଧ୍ୟ ନାଁ ଆସିଥିଲା, ମାତ୍ର କୋର୍ଟ ତା'କୁ ଖାରଜ କରି ଦେଇଥିଲା।

ଶାହବୁଦ୍ଦିନର ଆତଙ୍କ:
ବିହାରରେ ଆତଙ୍କର ଅନ୍ୟନାମ ପାଲଟି ସାରିଥିବା ଶାହବୁଦ୍ଦିନ RJDର ଛତ୍ରଛାୟା ତଳେ ରହି ଲଗାମଛଡ଼ା ହୋଇ ଯାଇଥିଲେ। ସେହି ହତ୍ୟା, ଅପହରଣ, ଡକାୟତି, ମୁଣ୍ଡଜାମିନ, ପୋଲିସ ଉପରେ ଆକ୍ରମଣ ସାଙ୍ଗକୁ ତାଙ୍କ ଉପରେ ଡଜନେରୁ ଅଧିକ ମକଦ୍ଦମା ରହିଛି। ଚନ୍ଦାବାବୁ ମାମଲା ମଧ୍ୟ ସେଥିରୁ ଗୋଟିଏ। ଅଗଷ୍ଟ ୨୦୦୪ ତାରିଖ ଦିନ ଘଟିଥିଲା ଏହି ଲୋମହର୍ଷଣକାରୀ ଘଟଣା। ଦାଦାବଟି ନ ଦେବାରୁ ଶାହବୁଦ୍ଦିନ ଗ୍ୟାଙ୍ଗ ସିୱାନର ବ୍ୟବସାୟୀ ଚନ୍ଦ୍ରେଶ୍ୱର ପ୍ରସାଦ ଓରଫ ଚନ୍ଦାବାବୁଙ୍କ ଦୁଇ ପୁଅ ରାଜୀବ ଏବଂ ସତୀଶଙ୍କୁ ରାସ୍ତା ମଝିରେ ଏସିଡ୍ ଢାଳି ଗାଧୋଇ ଦେଇଥିଲେ। ଫଳରେ ସେମାନଙ୍କର ଘଟିଥିଲା ଖୁବ୍ ଯନ୍ତ୍ରଣାଦାୟକ ମୃତ୍ୟୁ। ଏହି ମାମଲାରେ ଯେତେବେଳେ ପୋଲିସ ଅଧିକାରୀ ସି. କେ. ଅନିଲ ଏବଂ ଏସ. ରତ୍ନ ସଞ୍ଜୟ କଟିଆର ପୋଲିସ ଫୋର୍ସ ସହିତ ଶାହବୁଦ୍ଦିନର ସିୱାନସ୍ଥିତ ଘରେ ଚଢ଼ାଉ କରିଥିଲେ। ଏହି ସମୟରେ ଶାହବୁଦ୍ଦିନ ଗ୍ୟାଙ୍ଗ୍ ପୋଲିସ ଉପରେ ଆକ୍ରମଣ କରିଥିଲେ। ଶାହବୁଦ୍ଦିନ ଏବଂ ପୋଲିସ ମଧ୍ୟରେ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଗୁଳି ବିନିମୟ ଚାଲିଥିଲା। ଏହି ସମୟରେ ଶାହବୁଦ୍ଦିନ ଘରେ ପାକିସ୍ତାନ ନିର୍ମିତ AK-47 ସାଙ୍ଗକୁ ବିପୁଳ ମାତ୍ରାରେ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଏବଂ ଗହଣା ଜବତ କରା ଯାଇଥିଲା।

କିଏ ଏହି ରଇସ ଖାନ:
ରଇସ ଖାନ ଏବଂ ତାର ଭାଇ ଅୟୁବ ଖାନ କେବେଦିନେ ଥିଲେ ଶାହବୁଦ୍ଦିନର ପ୍ରମୁଖ ଶୁଟର। ପରେ ଦୁଇଭାଇ ଶାହବୁଦ୍ଦିନଠାରୁ ଅଲଗା ହୋଇ ନିଜର ଗ୍ୟାଙ୍ଗ ଗଢ଼ିଥିଲେ। ଏହାପରେ ସେ ଦୁହିଙ୍କ ମଧ୍ୟରେ ଶତ୍ରୁତା ଦେଖା ଦେଇଥିଲା। ସେବେଠାରୁ ଦୁଇଭାଇ ବିହାର ଏବଂ ପଶ୍ଚିମବଙ୍ଗରେ ବହୁ ଅପରାଧ ଘଟାଇଥିଲେ। ଦୁଇଭାଇ ଖାନ୍ ବ୍ରଦର୍ସ ନାମରେ କୁଖ୍ୟାତ ପାଲଟି ଗଲେ। ସିୱାନ ଜିଲ୍ଲାର ସିସବନ ସବ ଡିଭିଜନରେ ୨୦୦୦ ଦଶକରେ ରଇସ ଖାନ ଏବଂ ତାର ଭାଇ ଅୟୁବ ଖାନର ଦବଦବା ଥିଲା। ଏହି ଦୁଇ ରାଜ୍ୟରେ ସେମାନଙ୍କର ଥିଲା ଖୁବ୍ ଆତଙ୍କ। ରଇସ ଖାନ ବିରୋଧରେ ପୋଲିସର ହତ୍ୟା ସାଙ୍ଗକୁ ଡଜନେ ସରିକି ଅପରାଧିକ ମକଦ୍ଦମା ଦାୟର ହୋଇଛି। ଜମି ଜବରଦଖଲ ସାଙ୍ଗକୁ ବହୁ ଅନୈତିକ କାରବାରରେ ଏ ଦୁହେଁ ଲିପ୍ତ ରହିଥିଲେ। ୩ ମାସ ପୂର୍ବରୁ ଅୟୁବ ଖାନକୁ STF ପୂର୍ଣ୍ଣିଆର ବୟାସୀ ଥାନା ଚେକପୋଷ୍ଟରୁ ଗିରଫ କରିଥିଲା। ଅୟୁବ ଖାନ ବିରୋଧରେ ହତ୍ୟା, ଦାଦାବଟି ଆଦାୟ, ଲୁଟ୍, ଡକାୟତି ଏବଂ ଅପହରଣର ମୋଟ ୪୨ଟି ମାମଲା ରାଜ୍ୟର ୧୭ଟି ଭିନ୍ନ ଭିନ୍ନ ଥାନାରେ ରୁଜୁ ହୋଇଛି। ଖାଲି ସେତିକି ନୁହେଁ, ବିହାର ସମେତ ଉତ୍ତର ପ୍ରଦେଶ ଏବଂ ଓଡ଼ିଶା ପୋଲିସ ପାଇଁ ମଧ୍ୟ ସେମାନେ ହେଉଛନ୍ତି ମୋଷ୍ଟ ୱାଣ୍ଟେଡ୍। ଏହାପରେ ରଇସ ଖାନ RJDରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲା। ବର୍ତ୍ତମାନ କୁହାଯାଉଛି, ଏହି ଆକ୍ରମଣ ରାଜନୈତିକ ପତିଆରା ଜାହିର କରିବାକୁ କରାଯାଇଥିଲା।