କେନ୍ଦ୍ରୀୟ ସହାୟତାକୁ ନେଇ ବିଜେଡିକୁ କଂଗ୍ରେସର ଟାର୍ଗେଟ, ଜବାବ ରଖିଲା ବିଜେପି
Advertisement

କେନ୍ଦ୍ରୀୟ ସହାୟତାକୁ ନେଇ ବିଜେଡିକୁ କଂଗ୍ରେସର ଟାର୍ଗେଟ, ଜବାବ ରଖିଲା ବିଜେପି

ବନ୍ୟା କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରୀୟ ଟିମ ଅନୁଧ୍ୟାନ କରିଥିଲେ। ଜିଲ୍ଲାପାଳ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେଇଛନ୍ତି। ସହାୟତା ଆସିଲେ ସ୍ଥାୟୀ ମୁକାବିଲା ପାଇଁ ପଦକ୍ଷେପ ନିଆଯିବ।

କେନ୍ଦ୍ରୀୟ ସହାୟତାକୁ ନେଇ ବିଜେଡିକୁ କଂଗ୍ରେସର ଟାର୍ଗେଟ, ଜବାବ ରଖିଲା ବିଜେପି

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ଅଗଷ୍ଟରେ ବର୍ଷା ଯୋଗୁଁ ହୋଇଥିବା ବନ୍ୟାଜନିତ କ୍ଷୟକ୍ଷତି ବାବଦରେ ରାଜ୍ୟ ସରକାର ୧୫୬୯.୫୦ କୋଟି ଟଙ୍କାର ସହାୟତା ଲୋଡ଼ିଛନ୍ତି। ବନ୍ୟାରେ ଭିତ୍ତିଭୂମି, ଘର, ଚାଷ ଏବଂ ରିଲିଫ ଖର୍ଚ୍ଚ ବାବଦକୁ ମୋଟ ୧୬୪୨.୨୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ଏସଡିଆରଏଫ (SDRF) ଓ ଏନଡିଆରଏଫ (NDRF) ଗାଇଡଲାଇନ ଅନୁସାରେ ୧୫୬୯.୫୦ କୋଟି ଟଙ୍କା ସହାୟତା ଦେବାକୁ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇଛି ରାଜ୍ୟ। 

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ବିପର୍ଯ୍ୟୟ ପରିଚାଳନାର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏହି ଚୂଡ଼ାନ୍ତ ସହାୟତା ଦାବି ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି। କେନ୍ଦ୍ର ସରକାରଙ୍କୁ ଦିଆଯାଇଥିବା ବନ୍ୟା କ୍ଷୟକ୍ଷତି ଜନିତ ଚୂଡ଼ାନ୍ତ ରିପୋର୍ଟରେ ରିଲିଫ ଓ ଭିତ୍ତିଭୂମି ପୁନରୁଦ୍ଧାର ବାବଦରେ ୭୧୫.୯୧ କୋଟି ଟଙ୍କା, ଜଳସମ୍ପଦ ବିଭାଗର ୬୪୮.୯୦କୋଟି ଟଙ୍କା, ପୂର୍ତ୍ତ ବିଭାଗର ୨୦୪.୭୦ କୋଟି ଟଙ୍କା ସହାୟତା ଦେବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। 

ଏହି ରିପୋର୍ଟରେ ରାଜ୍ୟ ସରକାର ଦର୍ଶାଇଛନ୍ତି, ବର୍ଷା ଓ ବନ୍ୟା ଯୋଗୁ ମୋଟ ୧୬୪୨.୨୬କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ସେଥିରେ ଭିତ୍ତିଭୂମି କ୍ଷୟକ୍ଷତି ବାବଦରେ ୮୫୮.୧୨କୋଟି, ଘର ନଷ୍ଟ ଯୋଗୁ ୧୦୮.୯୨କୋଟି, ଫସଲ ନଷ୍ଟ ଯୋଗୁ ୫୪୨.୩୦କୋଟି ଏବଂ ରିଲିଫ ବାବଦରେ ୧୩୨.୯୨କୋଟି ଟଙ୍କା ସାମିଲ ରହିଛି। ବିଭିନ୍ନ ବିଭାଗରୁ ମିଳିଥିବା ରିପୋର୍ଟ ଅନୁସାରେ ଯେଉଁ ୮୫୮.୧୨ କୋଟି ଟଙ୍କାର ଭିତ୍ତିଭୂମି କ୍ଷୟକ୍ଷତି ହୋଇଛି ସେଥିରେ ଜଳସମ୍ପଦ ବିଭାଗର ୩୨୮.୬୦କୋଟି, ପୂର୍ତ୍ତ ବିଭାଗର ୧୨୪.୩୭କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗର ୨୦୧.୧୫କୋଟି, ଗୃହ ଓ ନଗରଉନ୍ନୟନ ବିଭାଗର ୩୪.୮୪କୋଟି, ପଞ୍ଚାୟତିରାଜ ବିଭାଗର ୧୪୧.୬୮କୋଟି, ଶକ୍ତି ବିଭାଗର ୧୬.୨୨କୋଟି, ବୟନ ଓ ହସ୍ତତନ୍ତ ବିଭାଗର ୨.୩୨କୋଟି, ଜଙ୍ଗଲ ବିଭାଗ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ୧.୫କୋଟି ଓ କୃଷି ବିଭାଗର ୭.୪୦କୋଟି ଟଙ୍କାର ଭିତ୍ତିଭୂମି ନଷ୍ଟ ହୋଇଛି। 

ବନ୍ୟା କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରୀୟ ଟିମ ଅନୁଧ୍ୟାନ କରିଥିଲେ। ଜିଲ୍ଲାପାଳ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେଇଛନ୍ତି। ସହାୟତା ଆସିଲେ ସ୍ଥାୟୀ ମୁକାବିଲା ପାଇଁ ପଦକ୍ଷେପ ନିଆଯିବ। ବିଶେଷ କରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କ୍ଷତି ଘଟୁଥିବା ଭିତ୍ତିଭୂମିକୁ ମରାମତି କରାଯିବ। ବାତ୍ୟା ଆଶ୍ରୟସ୍ଥଳୀକୁ ଅଧିକ ଉଚ୍ଚ କରାଯିବା ସହ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମାଣ କରାଯିବ। ଯେଉଁଠି ତଳୁଆ ବ୍ରିଜ ରହିଛି ତାହାକୁ ଅଧିକ ଉଚ୍ଚ କରାଯିବ। ବାତ୍ୟା ସମୟରେ ବିଦ୍ୟୁତ ଖୁଣ୍ଟ ଅତ୍ୟଧିକ କ୍ଷତିଗ୍ରସ୍ତ ହେଉଛି। 

ତାହାର ସ୍ଥାୟୀ ସମାଧାନ ପାଇଁ ବିଦ୍ୟୁତ କେବୁଲିଂ କରାଯିବ। ଯାହା ଦ୍ୱାରା ଲୋକେ ଅଧିକ ଦିନ ଅନ୍ଧାରରେ ରହିବେ ନାହିଁ। ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବା ପାଇଁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯାଉଛି। ଏନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଅର୍ଥ ମଞ୍ଜୁର ହେଲେ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବା ନେଇ ଜଣାଇଛନ୍ତି ବିପର୍ଯ୍ୟୟ ପରିଚାଳନା (Disaster Management) ମନ୍ତ୍ରୀ ସୁଦାମ ମାରାଣ୍ଡି (Sudam marandi)। କେନ୍ଦ୍ର ସରକାରଙ୍କ ଠାରୁ ସହାୟତା ଆସିଲେ ପ୍ରଥମେ ଘାଇର ସ୍ଥାୟୀ ମରାମତି  ହେବ। ଦ୍ୱିତୀୟ ପର୍ଯ୍ୟାୟରେ ଆଂଶିକ ଘାଇର ମରାମତି ହେବ। ତୃତୀୟ ପର୍ଯ୍ୟାୟରେ ଭବିଷ୍ୟତରେ କେମିତି ବନ୍ୟା ନ ହେବ ସେ ନେଇ କାର୍ଯ୍ୟ ହେବ। ବର୍ତ୍ତମାନ ବନ୍ୟାରେ ହୋଇଥିବା ୩୮ଟି ଘାଇରୁ ୩୭ଟି ଘାଇ ଅସ୍ଥାୟୀ ଭାବେ ମରାମତି ଶେଷ ହୋଇଛି ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ। 

ଅନ୍ୟପକ୍ଷେ ବିରୋଧି କଂଗ୍ରେସ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ବିଳମ୍ବରେ ରାଜ୍ୟ ସରକାର କ୍ଷୟକ୍ଷତି ଦାବି କଲେ। ୧୫୬୯ କୋଟି ଟଙ୍କା ସମୁଦ୍ରକୁ ଶଙ୍ଖେ। ଘାଇ ପୋତିଲା ବେଳକୁ ଏହି ଟଙ୍କା ପାଇବନି। ଘାଇ ପୋତିବାକୁ ୨୦ ହଜାର କୋଟି ଟଙ୍କା ଦାରକାର ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। 

ଅନ୍ୟପଟେ ଏ ପ୍ରସଙ୍ଗରେ ମତ ରଖି ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି ପକ୍ଷରୁ କୁହାଯାଇଛି ରାଜ୍ୟ ସରକାର ଯେତେବେଳେ ଯାହା ଦାବି କରିଛନ୍ତି ତାହା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ଅମ୍ପାନ ବାତ୍ୟରେ ରାଜ୍ୟ ସରକାର କ୍ଷୟକ୍ଷତି ବାବଦରେ ପ୍ରାଥମିକ ଭାବେ ୨୦୦ କୋଟି ଆକଳନ କରିଥିଲେ। ହେଲେ କେନ୍ଦ୍ର ସରକାର ୫୦୦ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ। ରାଜ୍ୟ ସରକାର ଏବେ ଯେତିକି ଆକଳନ କରିଛନ୍ତି ଅପେକ୍ଷା କରନ୍ତୁ କେନ୍ଦ୍ର ନିଶ୍ଚିତ ଆବଶ୍ୟକ ସହାୟତା ଯୋଗାଇଦେବେ। 

ବନ୍ୟା କ୍ଷୟକ୍ଷତି ନେଇ ବିରୋଧିଙ୍କ ପକ୍ଷରୁ ଆସିଥିବା ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ବିଧାୟକ ଅରବିନ୍ଦ ଢାଲି। ସରକାର କ୍ଷୟକ୍ଷତି ଆକଳନ କରି କେନ୍ଦ୍ରକୁ ସହାୟତା ପ୍ରଦାନ ବାବଦରେ ଅବଗତ କରିଛନ୍ତି। ଯଦି ସହାୟତାର ଅଭାବ ହେବ ପୁଣି ଥରେ ରାଜ୍ୟ ସରକାର କେନ୍ଦ୍ର ସାମ୍ନାରେ ଦାବି ରଖିବେ ବୋଲି କହିଛନ୍ତି ବିଜେଡି ବିଧାୟକ ଅରବିନ୍ଦ ଢାଲି ।