ପାଇଲଟ ଫେରିଲେ, ଗେହଲଟଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହେଲା !
Advertisement
Article Detail0/zeeodisha/odisha726825

ପାଇଲଟ ଫେରିଲେ, ଗେହଲଟଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହେଲା !

କିଛି ଦିନ ପୂର୍ବରୁ ନିଜେ ଗେହଲଟ ପରା ସଚିନଙ୍କ ବିରୋଧରେ ବିଷ ଉଗାଳିଥିଲେ । ଏପରିକି ନିକମ୍ମା ବୋଲି ମଧ୍ୟ କହିବାକୁ ପଛାଇ ନ ଥିଲେ । ତେଣୁ ଏବେ ସଚିନଙ୍କ ସହ ଗେହଲଟଙ୍କ ଯେଉଁ ନୂଆ ସମ୍ପର୍କ ଗଢ଼ା ହେବ, ତାହା କେତେ ମଜଭୁତ ରହିବ ? ଏହା କେଉଁ ପ୍ରକାରର ସମ୍ପର୍କ ହେବ ?

ଫାଇଲ ଫଟୋ

ଶେଷଦେବ ମହାପାତ୍ର, ନୂଆଦିଲ୍ଲୀ: ୩୨ ଦିନର ବିଦ୍ରୋହ । ଶେଷରେ କମବ୍ୟାକ କଲେ ସଚିନ ପାଇଲଟ । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ କେବଳ ସାକ୍ଷାତ କାହିଁକି, ତିନି ଜଣିଆ କମିନି ଗଠନ ପାଇଁ ସୋନିଆ ଗାନ୍ଧୀଙ୍କ ପ୍ରତିଶ୍ରୁତି ପାଇଲଟଙ୍କୁ କମବ୍ୟାକ କରାଇଛି । ଗାଦି ମୋହ କଥାକୁ ଅସ୍ୱୀକାର କରି ମାନ, ସମ୍ନାନ ଓ ସ୍ୱାଭିମାନର କଥା କହିଛନ୍ତି କଂଗ୍ରେସର ଯୁବ ଚେହେରା ସଚିନ । ଏବେ ସେ ପୁଣି ଥରେ ରାଜସ୍ଥାନ କଂଗ୍ରେସର ମଙ୍ଗ ଧରିପାରନ୍ତି । ସେହିପରି ଉପମୁଖ୍ୟମନ୍ତ୍ରୀ ପଦ ମଧ୍ୟ ପାଇପାରନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାଇଲଟଙ୍କୁ ସମର୍ଥନ କରି ବିଦ୍ରୋହରେ ସାଥ୍ ଦେଇଥିବା ବିଧାୟକଙ୍କ ଉପରେ ମଧ୍ୟ ଜୋର୍ ଦେଉଛନ୍ତି ସଚିନ । ଏମାନେ ସମସ୍ତେ ଯେପରି ଗେହଲଟଙ୍କ ରୋଷର ଶିକାର ନହୁଅନ୍ତୁ, ସେନେଇ ମଧ୍ୟ ବ୍ୟବସ୍ଥା କରିଛନ୍ତି ।

କିନ୍ତୁ ପ୍ରଶ୍ନ ଉଠୁଛି, ଏ ତମାମ ଘଟଣାକ୍ରମରେ ଗେହଲଟ ଖୁସି ତ ? ହଁ, ଏହା ସତ ଯେ ବର୍ତ୍ତମାନ ପରିସ୍ଥିତିରେ ଗେହଲଟ ସରକାରଙ୍କ ପାଇଁ ଆଉ କୌଣସି ବିପଦ ନାହିଁ । ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କୁହାଯାଇପାରେ । ହେଲେ କିଛି ଦିନ ପୂର୍ବରୁ ନିଜେ ଗେହଲଟ ପରା ସଚିନଙ୍କ ବିରୋଧରେ ବିଷ ଉଗାଳିଥିଲେ । ଏପରିକି ନିକମ୍ମା ବୋଲି ମଧ୍ୟ କହିବାକୁ ପଛାଇ ନ ଥିଲେ । ତେଣୁ ଏବେ ସଚିନଙ୍କ ସହ ଗେହଲଟଙ୍କ ଯେଉଁ ନୂଆ ସମ୍ପର୍କ ଗଢ଼ା ହେବ, ତାହା କେତେ ମଜଭୁତ ରହିବ ? ଏହା କେଉଁ ପ୍ରକାରର ସମ୍ପର୍କ ହେବ ? ସରକାର ଚଳାଇବା ପାଇଁ ଏହି ସମ୍ପର୍କ କେତେ କାମରେ ଆସିବ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ । 

ଟିକିଏ ଆଗକୁ ବଢ଼ିବା । ସତରେ ସଚିନ ପାଇଲଟ କମବ୍ୟାକ କରିବାର କାରଣ କ'ଣ ହୋଇପାରେ ? ୩ ଜଣିଆ କମିଟି ଗଠନ ପାଇଁ ସୋନିଆ ଗାନ୍ଧୀ ଦେଇଥିବା ପ୍ରତିଶ୍ରୁତି ? ରାହୁଲ ଓ ପ୍ରିୟଙ୍କାଙ୍କ ସହ ଆଲୋଚନା ଓ ଭରସା ? ନା ଗେହଲଟ ସରକାର ଭାଙ୍ଗିବା କ୍ଷେତ୍ରରେ ଅକ୍ଷମତା ! କାହିଁକିନା ଆଉ କିଛି ବିଧାୟକଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ପାଇଲଟ କ୍ୟାମ୍ପ କମ୍ କସରତ କରିନାହାଁନ୍ତି । ହେଲେ ସଫଳ ହେଲେ ନାହିଁ । ଅନ୍ୟପଟେ ସୂତ୍ର ଅନୁସାରେ, ଗେହଲଟଙ୍କ ପଲା ଭାରି ଦେଖି ସଚିନ ପାଇଲଟଙ୍କ କ୍ୟାମ୍ପର କିଛି ବିଧାୟକ ମଧ୍ୟ ଚୁପ୍ ରହିଲେ । ଆଉ ଏହି ଅକ୍ଷମତା କାରଣରୁ ସଚିନ ଶେଷରେ କମବ୍ୟାକ କରିବାକୁ ବାଧ୍ୟ ହୋଇଥାଇପାରନ୍ତି । କାହିଁକିନା ଗେହଲଟ କ୍ୟାମ୍ପର ବିଧାୟକଙ୍କୁ ନିଜ ପକ୍ଷକୁ ଆଣିବା ତ ଦୂରର କଥା, ଛାଇ ମାଡ଼ିବାକୁ ବି ସକ୍ଷମ ହୋଇ ନ ଥିଲେ ପାଇଲଟ କ୍ୟାମ୍ପ । କେବଳ ଏତିକି ନୁହେଁ, ରାଜସ୍ଥାନ ବିଜେପିରେ ବସୁନ୍ଧାରା ରାଜେଙ୍କ ତଥାକଥିତ ବିଦ୍ରୋହ ସଚିନଙ୍କ ସ୍ୱପ୍ନକୁ ଧୂଳିସାତ କରିଦେଇଥିବା କୁହାଯାଉଛି ।

କିନ୍ତୁ ଏତିକିରେ କ'ଣ କଥା ସରିଯିବ ? ରାଜସ୍ଥାନ ନାଟକ କ'ଣ ସରିଗଲା ? କିଛି ରାଜନୈତିକ ବିଶ୍ଲେଷକଙ୍କ କହିବା କଥା ଏହା ଯେ, ପାଇଲଟ ଏବେ ମୁକ୍ତ ଆକାଶର ବିହଙ୍ଗ । ସ୍ୱପ୍ନ ଦେଖିବା ପାଇଁ ତାଙ୍କ ପାଖରେ ପର୍ଯ୍ୟପ୍ତ ସମୟ ଅଛି । ଆବଶ୍ୟକ ସଂଖ୍ୟା ନଥାଇ ବିଦ୍ରୋହ କରିବାର ଯେ କୌଣସି ଅର୍ଥ ନଥାଏ, ଏକଥା ପାଇଲଟ ଏବେ ଭଲରେ ବୁଝିସାରିଥିବେ । ହୋଇପାରେ, ଏବେ ଭିତରେ ଭିତରେ ସଂଖ୍ୟା ଯୋଗାଡ଼ରେ ମଧ୍ୟ ସଚିନ ଲାଗିବେ । କାହିଁକିନା ଦିନେ ପାଇଲଟ ନିଜକୁ କୋ-ପାଇଲଟ କରିବାକୁ ସହମତି ହୋଇଥିଲେ । ଫଳସ୍ୱରୂପ ତାଙ୍କ ନାଁରେ ନିକମ୍ମା ମଧ୍ୟ ଯୋଡ଼ିଦେଲେ ଗେହଲଟ । ଆଉ ଦିନେ ସଚିନ ଯେ ଏହାର କଡ଼ା ଯବାବ ଦେବେ, ଏକଥା  ଗେହଲଟଙ୍କ ଭିତରେ ଭୟ ସୃଷ୍ଟି କରିଥାଇପାରେ । 

ସେହିପରି ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ମଧ୍ୟ ଆମେ ବର୍ତ୍ତମାନ ନଜର ପକାଇବା । ପାଇଲଟ ବିଦ୍ରୋହ କରିବା ପରେ ରାଜସ୍ଥାନ ସରକାର ବିପଦକୁ ଯିବା ଆରମ୍ଭ କରିଥିଲା । ହେଲେ ଏତିକି ବେଳେ ଗେହଲଟ କ୍ୟାମ୍ପର କିଛି ତୁଙ୍ଗ ନେତା ନଖ ବଜାଉଥିଲେ ! ପାଇଲଟ ଯେ ଗେହଲଟଙ୍କ ଉତ୍ତରାଧିକାରୀ, ଏକଥା ଅନେକ ସହଜରେ ଗ୍ରହଣ କରୁ ନ ଥିଲେ । ଯଦି ପାଇଲଟ ବିଦ୍ରୋହକରି ଦଳ ଛାଡ଼ି ଦିଅନ୍ତି, ତେବେ ଗେହଲଟଙ୍କ ପରେ ଉତ୍ତରାଧିକାରୀ ହେବାକୁ ଅନେକ ନେତା ସ୍ୱପ୍ନ ଦେଖିଥିଲେ । କିନ୍ତୁ ଏବେ ସେସବୁ ସ୍ୱପ୍ନ ମଧ୍ୟ ଭାଙ୍ଗିଯାଇଛି । ଆଗାମୀ ଦିନରେ କଂଗ୍ରେସର ଯୁବ ଚେହେରା ପାଇଲଟ ହିଁ ରାଜସ୍ଥାନ ସମ୍ଭାଳିବେ, ଏକଥା ଗେହଲଟ କ୍ୟାମ୍ପର ଅନେକ ନେତାଏ ବୁଝିଗଲେଣି । ତେଣୁ ଗେହଲଟଙ୍କୁ ସବୁଦିନ ଭରସା କରି ରହିବା ଅପେକ୍ଷା ପାଇଲଟଙ୍କ ଆଡ଼କୁ ବେଳ ଥାଉ ଢଳିଯିବାକୁ ଅନେକ ଉଚିତ ମଣିପାରନ୍ତି । ଆଉ ଏବେ ଗେହଲଟ ଯେଉଁ ସଂଖ୍ୟା ବଳରେ ହାଇକମାଣ୍ଡଙ୍କ ପାଖରେ ଛାତି ଫୁଲାଇ ଠିଆ ହୋଇପାରୁଛନ୍ତି, ଦିନେ ସଚିନଙ୍କ ଆଡ଼କୁ ତାହା ଢଳିଯାଇପାରେ । ଅଭିଜ୍ଞ ଗେହଲଟଙ୍କୁ ମଧ୍ୟ ଏହି ଭୟ ଘାରିଲାଣି !

ତେବେ ଏସବୁ ଆଶା ଆଶାଙ୍କା ଭିତରେ ରାଜସ୍ଥାନରୁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସୁଛି । ପାଇଲଟ କମବ୍ୟାକ କରିବା ପରେ ଗେହଲଟ କ୍ୟାମ୍ପର କିଛି ବିଧାୟକ ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କଲେଣି । ଏ କ୍ଷେତ୍ରରେ ଗତ ରବିବାର କଂଗ୍ରେସ ବିଧାୟକ ଦଳ ବୈଠକରେ ଗେହଲଟଙ୍କ ବିଶ୍ୱସ୍ତ କୁହାଯାଉଥିବା ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ବୟାନ ଉଦ୍ଧାରଯୋଗ୍ୟ । ବିଦ୍ରୋହୀ ବିଧାୟକମାନେ ଦଳକୁ ପ୍ରତ୍ୟାବର୍ତ୍ତନ କରନ୍ତୁ, ଏକଥା ସେ କେବେ ବି ଚାହାଁନ୍ତି ନାହିଁ ବୋଲି କହିଥିଲେ ରାଜସ୍ଥାନର ଜଣେ କ୍ୟାବିନେଟ ମନ୍ତ୍ରୀ । ଆଉ ଏବେ ଯେତେବେଳେ ପାଇଲଟ କମବ୍ୟାକ କରିଛନ୍ତି, ସେତେବେଳେ ଗେହଲଟ କ୍ୟାମ୍ପର ଅନେକ ବିଧାୟକ ଓ ମନ୍ତ୍ରୀ ନିଜକୁ ଅପଦସ୍ତ ମନେକଲେଣି । ଏନେଇ ତୀବ୍ର ଅସନ୍ତୋଷ ମଧ୍ୟ ପ୍ରକାଶ ପାଉଛି । ଗେହଲଟଙ୍କୁ ଭରସା କରି ପାଇଲଟଙ୍କ ନାଁରେ ଗପିବା ଯେ ବଡ଼ ମୁର୍ଖାମି, ଏଭଳି କିଛି ବାର୍ତ୍ତା ଗଲାଣି । 

ଦିନେ ପାଇଲଟଙ୍କୁ ଟାର୍ଗେଟ କରି ଗେହଲଟ କହିଥିଲେ, ମୁଁ ପରିବା ବିକିବା ପାଇଁ ଆସିନି । ହୁଏତ, ସେ ସମୟରେ ଗେହଲଟ କ୍ୟାମ୍ପର ବିଧାୟକଙ୍କୁ ଏକଥା ଖୁସି ପ୍ରଦାନ କରିଥିଲା । ହେଲେ ଏବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ ଅନେକ ଆଶା ଆଶଙ୍କା ଭିତରେ ରହିବା ସ୍ୱାଭାବିକ । ଯାହାକୁ ସେ 'ନିକମ୍ମା' କହିଥିଲେ, ସେ ଏବେ ପୁଣି ମୁଣ୍ଡବ୍ୟଥାର କାରଣ ସାଜିପାରନ୍ତି । କେବଳ ଏତିକି ନୁହେଁ, ଯେଉଁ ଭରସା ଦେଇ ବିଧାୟକଙ୍କୁ ସଚିନ କ୍ୟାମ୍ପକୁ ଯିବାରେ ବ୍ରେକ ଲଗାଇଥିଲେ ଗେହଲଟ, ଏବେ ତାହା ପୂରଣ କରିବା ବଡ଼ ଆହ୍ୱାନ । ନହେଲେ ଆଗକୁ ଟାଇମିଂ ସର୍ଟ ମାରିପାରନ୍ତି ସଚିନ । ଆଉ ଏଥରର ସର୍ଟ ପୂର୍ବାପେକ୍ଷା ଆହୁରି ଶାଣିତ ଓ ପରିପକ୍ୱ ହେବ, ଏଥିରେ ଦ୍ୱିମତ ନାହିଁ ।