ଏହି ସବୁ ଦେଶରେ ହୋଇଛି Hijab Ban; ନିୟମ ଭାଙ୍ଗିଲେ ଗଣିବାକୁ ପଡ଼େ ମୋଟା ଅଙ୍କର ଜରିମାନା
Advertisement
Article Detail0/zeeodisha/odisha1092864

ଏହି ସବୁ ଦେଶରେ ହୋଇଛି Hijab Ban; ନିୟମ ଭାଙ୍ଗିଲେ ଗଣିବାକୁ ପଡ଼େ ମୋଟା ଅଙ୍କର ଜରିମାନା

ଭାରତକୁ ଛାଡି଼ ବିଶ୍ୱରେ ଏପରି ଅନେକ ରାଷ୍ଟ୍ର ଅଛନ୍ତି ଯେଉଁଠି ସର୍ବସାଧାରଣରେ ବୁର୍ଖା କିମ୍ବା ହିଜାବ ପିନ୍ଧିବା ଉପରେ ଜାରି ହୋଇଛି କଟକଣା। 

ଏହି ସବୁ ଦେଶରେ ହୋଇଛି Hijab Ban; ନିୟମ ଭାଙ୍ଗିଲେ ଗଣିବାକୁ ପଡ଼େ ମୋଟା ଅଙ୍କର ଜରିମାନା

ନୂଆଦିଲ୍ଲୀ: ଦେଶରେ ହିଜାବ ପିନ୍ଧିବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଏହି ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହୋଇଉଠିଥିବା ବେଳେ ହିଜାବକୁ ନେଇ ଅନେକ ରାଜ୍ୟରେ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ଭାରତକୁ ଛାଡି଼ ବିଶ୍ୱରେ ଏପରି ଅନେକ ରାଷ୍ଟ୍ର ଅଛନ୍ତି ଯେଉଁଠି ସର୍ବସାଧାରଣରେ ବୁର୍ଖା କିମ୍ବା ହିଜାବ ପିନ୍ଧିବା ଉପରେ ଜାରି ହୋଇଛି କଟକଣା। ଯଦି କେହି ଏହି ନିୟମ ଭାଙ୍ଗନ୍ତି ତାହେଲେ ତାଙ୍କୁ ଗଣିବାକୁ ପଡ଼ିଥାଏ ମୋଟା ଅଙ୍କର ଜରିମାନା। ଏହି ଦେଶଙ୍କ ତାଲିକାରେ ନିଜକୁ ସଭ୍ୟ, ଶିକ୍ଷିତ, ବିକଶିତ କହୁଥିବା ୟୁରୋପୀୟ ଦେଶ ସାମିଲ ରହିଛନ୍ତି। 

ସ୍ୱୀଜରଲ୍ୟାଣ୍ଡ (SWITZERLAND)
୨୦୨୧ ମାର୍ଚ୍ଚରେ ୟୁରୋପୀୟ ଦେଶ ସ୍ୱୀଜରଲ୍ୟାଣ୍ଡ ବୁର୍ଖା ପିନ୍ଧିବା ଉପରେ ଜାରି ହୋଇଛି କଟକଣା। ଅନ୍ୟପଟେ ଏହି ଦେଶରେ ଗତ ୨୦୦୯ ବର୍ଷରେ ମୀନାର ନିର୍ମାଣ ଉପରେ ଜାରି ହୋଇଥିଲା କଟକଣା। ଏନେଇ ଦେଶର ସାମ୍ବିଧାନିକ ଆଇନକୁ ସଂଶୋଧନ କରାଯିବା ସହ ଇସଲାମିକ ଆବରଣ ଏବଂ ବୁର୍ଖା ଉପରେ ନିଷେଧାଦେଶ ଜାରି ହୋଇଥିଲା। ଏପରିକି ବିକ୍ଷୋଭ ପ୍ରଦର୍ଶନ ବେଳେ ଏହାର ବ୍ୟବହାର କରିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ ସ୍ୱୀଜରଲ୍ୟାଣ୍ଡ ସରକାର। ଏ ପ୍ରସଙ୍ଗରେ ମତ ରଖି ସ୍ୱୀଜରଲ୍ୟାଣ୍ଡ ସଂସଦ ପକ୍ଷରୁ କୁହାଯାଇଥିଲା ଦେଶର ପରମ୍ପରା ହେଉଛି ସର୍ବସାଧାରଣରେ ଆପଣଙ୍କୁ ଆପଣଙ୍କ ଚେହେରା ଦେଖାଇବାକୁ ହେବ। ମୁହିଁକୁ କୌଣସି ପ୍ରକାର ଆବରଣ ଦ୍ୱାରା ଘୋଡ଼ାଇ ରଖିବା ମୌଳବାଦୀ ପ୍ରତୀକ ବୋଲି ସଂସଦ ପକ୍ଷରୁ ମତ ରଖାଯାଇଥିଲା।

ନେଦରଲ୍ୟାଣ୍ଡ (NETHERLANDS)
ନେଦରଲ୍ୟାଣ୍ଡ ଭଳି ଦେଶରେ ସର୍ବସାଧାରଣରେ ମୁଖ ଆବରଣ ବ୍ୟବହାର କରିବା ଉପରେ ୧୫୦ ୟୁରୋ ମୂଲ୍ୟର ଜରିମାନା ଗଣିବାକୁ ପଡି଼ଥାଏ। ୨୦୧୯ ଅଗଷ୍ଟରେ ଲାଗୁ ହୋଇଥିବା ଏହି ନିଷେଧାଦେଶ ଅନୁସାରେ ବୁର୍ଖା କିମ୍ବା ମୁହଁକୁ ସମ୍ପୂର୍ଣ୍ଣ ଘୋଡାଇ ରଖିବା ଭଳି ଉପକରଣ ବ୍ୟବହାର କରିବା ଉପରେ ଜାରି ହୋଇଛି କଟକଣା। ପ୍ରାୟ ୧୪ ବର୍ଷର ବିତର୍କ ପରେ ଏଠାରେ ଏହି ନିଷେଧାଦେଶ ଲାଗୁ ହୋଇଛି।

ଫ୍ରାନ୍ସ (FRANCE)
ଫ୍ରାନ୍ସ ଠାରେ “Law of 2010-1192: Act prohibiting concealment of the face in public space” ଆଧାରରେ ସର୍ବସାଧାରଣ ସ୍ଥାନରେ ଚେହେରା ଲୁଚାଇବା କିମ୍ବା ମୁହଁ ଆବରଣ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ୨୦୧୦, ସେପ୍ଟେମ୍ବର ୧୪ ତାରିଖରେ ଦେଶର ସଂସଦ ଦ୍ୱାରା ଏହି ଅଧିନିୟମ ପାରିତ ହୋଇଥିଲା। ଏହି ଆଇନ ଅନୁସାରେ ସର୍ବସାଧାରଣ ସ୍ଥାନରେ ମୁହଁ ଘୋଡାଇଥିବା ମାସ୍କ, ହେଲମେଟ ଭଳି ଉପକରଣ ବ୍ୟବହାରକୁ ବାରଣ କରାଯାଇଛି। ଏହି ନିଷେଧାଦେଶରେ ବୁର୍ଖା ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଛି। ଏହାକୁ ନେଇ ଦେଶର ଅନେକ ବିତର୍କ ହୋଇଥିଲା। କାରଣ ଫ୍ରାନ୍ସ ନାଗରିକ ଅପ୍ରବାସନ, ଜାତୀୟତାବାଦ, ଧର୍ମନିରପେକ୍ଷତା, ସୁରକ୍ଷା ଭଳି ପ୍ରସଙ୍ଗରେ ଦେଶର ସରକାରଙ୍କୁ ଜବାବ ମାଗିଥିଲେ। ଏହି ନିଷେଧାଦେଶ ଉପରେ ମତ ରଖି  ସ୍ଥାନୀୟ ଆଇନଜୀବୀ କହିଥିଲେ ସୁରକ୍ଷାଗତ ବିପଦ ଦୃଷ୍ଟିକୋଣରୁ ଏହା ଲୋକଙ୍କ ଚେହେରା ଚିହ୍ନଟ କରିବାରେ ବାଧା ସୃଷ୍ଟି କରୁଛି। ଇସଲାମୀୟ ପ୍ରଥା ଅନୁଯାୟୀ ମହିଳାଙ୍କୁ ମୁହଁ ଘୋଡାଇବାକୁ ବାଧ୍ୟ କରିବା ମୌଳବାଦୀ ଚିନ୍ତାଧାରାର ପ୍ରତୀକ। 

ବେଲଜିୟମ (BELGIUM)
ଗତ ୨୦୧୧ ବର୍ଷରୁ ବେଲଜିୟମରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ସମେତ ସମ୍ପୂର୍ଣ୍ଣ ଚେହେରା ଆବରଣ ନିଷେଧାଦେଶ ଜାରି କରାଯାଇଛି। ଏହି ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଜରିମାନା କିମ୍ବା ୭ ଦିନ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିଥାଏ। ଯଦିଓ ଏହି ଦେଶର ମୁସଲମାନଙ୍କ ଜନସଂଖ୍ୟା ହେଉଛି ପାଖାପାଖି ୧୦ ଲକ୍ଷ  ଏବଂ ସେମାନଙ୍କ ମଧ୍ୟରୁ କେବଳ ୩୦୦ ବୁର୍ଖା କିମ୍ବା ନିକାବ୍ ପିନ୍ଧନ୍ତି।

ଡେନମାର୍କ (DENMARK)
ଡେନମାର୍କରେ ଗତ ୨୦୧୮ ଅଗଷ୍ଟ ମାସରେ ବୁର୍ଖା ଉପରେ ନିଷେଧାଦେଶ ଜାରି ହୋଇଥିଲା। ଏନେଇ ସେହି ବର୍ଷ ମେ ମାସରେ ଦେଶରେ ଏକ ଆଇନ ଆଗତ ହୋଇଥିଲା। ଏହି ଅନୁମୋଦନ ହେବା ପରେ ଯଦି କେହି ଏହି ନିୟମ ଭାଙ୍ଗନ୍ତି ତାହେଲେ ତାଙ୍କୁ ୧୩୫ ୟୁରୋ ମୂଲ୍ୟର ଜରିମାନା ଗଣିବାକୁ ପଡ଼ିଥାଏ।  

ଅଷ୍ଟ୍ରିଆ (AUSTRIA)
ଅଷ୍ଟ୍ରିଆ ଭଳି ଦେଶରେ ଏପରି ଏକ ଆଇନ ରହିଛି ଯାହାର ଆଧାରରେ ଲୋକଙ୍କୁ ସେମାନଙ୍କ ସମ୍ପୂର୍ଣ୍ଣ ଚେହେରା ଦୃଶ୍ୟମାନ କରିବାକୁ ପଡି଼ଥାଏ। ଗତ ୨୦୧୭ ବର୍ଷରୁ ଏହି ନିଷେଧାଦେଶ ଲାଗୁ ହୋଇଛି। ଯଦି କେହି ଏହି ନିୟମ ଉଲ୍ଲଂଘନ କରନ୍ତି ତାହେଲେ ତାଙ୍କୁ ୧୫୦ ୟୁରୋ ମୂଲ୍ୟର ଜରିମାନା ଗଣିବାକୁ ପଡ଼ିଥାଏ।  

ବୁଲଗେରିଆ (BULGARIA)
ଗତ ୨୦୧୬ ବର୍ଷରୁ ବୁର୍ଖା ଉପରେ ନିଷେଧାଦେଶ ଜାରି କରାଯାଇଛି। ଯଦି କେହି ଏହି ନିୟମ ଉଲ୍ଲଂଘନ କରନ୍ତି ତାହେଲେ ତାଙ୍କୁ ୭୫୦ ୟୁରୋ ମୂଲ୍ୟର ଜରିମାନା ଗଣିବାକୁ ପଡ଼ିଥାଏ। ଅବଶ୍ୟ ଏହି ନିୟମକୁ ପ୍ରାର୍ଥନା ଗୃହ ଠାରେ କୋହଳ କରାଯାଇଛି।

ୟୁରୋପୀୟ ସଂଘ (EUROPEAN UNION)
ଗତବର୍ଷ ଜୁଲାଇରେ ୟୁରୋପୀୟ ସଂଘର ସର୍ବୋଚ୍ଚ ନ୍ୟାୟାଳୟ ୨୦୧୭ ବର୍ଷରେ ନିଆଯାଇଥିବା ଏକ ନିଷ୍ପତ୍ତିକୁ ସମର୍ଥନ କରି ୟୁରୋପରେ ନିଯୁକ୍ତିଦାତାଙ୍କୁ ମହିଳାଙ୍କୁ ହେଡ୍ ସ୍କାର୍ଭ (Headscarves) ପିନ୍ଧିବାକୁ ବାରଣ କରିବା ଉପରେ ଅନୁମତି ପ୍ରଦାନ କରିଥିଲେ। ଏହି ନିଷ୍ପତ୍ତିକୁ ବ୍ୟାପକ ସମାଲୋଚନା କରାଯାଇଥିଲା ଏବଂ ମାନବାଧିକାର କର୍ମୀ ତଥା ମୁସଲିମ ରାଷ୍ଟ୍ର ଏହି ନିଷ୍ପତ୍ତିକୁ ନିନ୍ଦା କରି କହିଥିଲେ ଯେ ଏହା ଇସଲାମଫୋବିୟାକୁ (Islamophobia) ପ୍ରୋତ୍ସାହିତ କରିବ।

ଶ୍ରୀଲଙ୍କା (SRI LANKA)
ଗତ ବର୍ଷ ଏପ୍ରିଲରେ ଶ୍ରୀଲଙ୍କା କ୍ୟାବିନେଟ ଏକ ପ୍ରସ୍ତାବ ଆଗତ କରିଥିଲା ଯେଉଁଥିରେ କୁହାଯାଇଥିଲା ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିକୋଣରୁ ସର୍ବସାଧାରଣ ସ୍ଥାନରେ ମୁହଁକୁ ଘୋଡ଼ାଇ ରଖୁଥିବା ଉପକରଣ ବ୍ୟବହାର ଉପରେ ନିଷେଦାଦେଶ ଜାରି କରାଯାଇଥିଲା।     ଏହି ପଦକ୍ଷେପ ଏପରି ଏକ ସମୟରେ ଆସିଥିଲା ଯେତେବେଳେ ଶ୍ରୀଲଙ୍କା ସରକାର ଲୋକଙ୍କୁ କୋରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ସର୍ବସାଧାରଣ ସ୍ଥାନରେ ଫେସ୍ ମାସ୍କ ପିନ୍ଧିବାକୁ ଅନୁରୋଧ କରୁଥିଲେ। ସରକାର କହିଛନ୍ତି ଯେ ଏହି ପଦକ୍ଷେପ କେବଳ ପ୍ରସ୍ତାବ ଆକାରରେ ହୋଇଛି ଏବଂ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବାର କୌଣସି କାରଣ ନାହିଁ।

ଚୀନ (CHINA)

ଗତ ୨୦୧୭ ବର୍ଷରେ ଚୀନ୍ ସରକାର ମୁଖ୍ୟତଃ ଦେଶର ଜିନଜିଆଙ୍ଗ୍ ପ୍ରଦେଶରେ ବସବାସ କରୁଥିବା ମୁସଲମାନ ସମ୍ପ୍ରଦାୟ ଲାଗି ବୁର୍ଖା ବ୍ୟବହାର କରିବା କିମ୍ବା ଅସ୍ୱାଭାବିକ ଦାଢୀ ରଖିବା ଉପରେ ନିଷେଧାଦେଶ ଜାରି କରିଥିଲେ। ଏନେଇ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଧାର୍ମିକ ଉଗ୍ରବାଦକୁ ଦମନ କରିବାକୁ ଏପରି ପଦକ୍ଷେପ ନିଆଯାଇଛି। ଏନେଇ ଲାଗୁ ହୋଇଥିବା ନିୟମ ଅନୁସାରେ ସମ୍ପୂର୍ଣ୍ଣ ଶରୀରକୁ ଆଚ୍ଛାଦନ କରିବା କଟକଣା ଜାରି ହୋଇଥିଲା।