ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ ଶ୍ରୀମନ୍ଦିର ଦୁଆର ରୁପା ଛାଉଣୀ କାର୍ଯ୍ୟ। ଉତ୍କଳୀୟ ମନ୍ଦିର ଶୈଳୀରେ ରୂପା ଛାଉଣୀର ଡିଜାଇନ କରାଯିବ।
Trending Photos
ସଞ୍ଜୟ ମହାପାତ୍ର, ପୁରୀ: ଶ୍ରୀମନ୍ଦିର (Shreemandir) ରୁପା ଛାଉଣୀ ପ୍ରସଙ୍ଗ। ୮ଟି ଦ୍ୱାରକୁ ଝଲସାଇବ ଅଢେଇ ଟନ ରୁପା (Silver)। ନଭେମ୍ବର ଦ୍ୱିତୀୟ ସପ୍ତାହ ସୁଦ୍ଧା ଆରମ୍ଭ ହେବ ରୂପା ଛାଉଣୀ ସହ କବାଟ ନିର୍ମାଣ କାମ । ସାତପାହାଚ ଦ୍ୱାରକୁ ପରୀକ୍ଷାମୁଳକ ଭାବେ ଆରମ୍ଭ କରିବା ପାଇଁ ଆଜି ହୋଇଛି ମାପଚୁପ। ରୂପା ଛାଉଣୀ ନେଇ ପୂର୍ବ ଡିଜାଇନ ବଦଳିଥିବା ବେଳେ ବୈଠକରେ ଉତ୍କଳୀୟ ମନ୍ଦିର ଶୈଳୀର ଡିଜାଇନ ପାଇଁ ହୋଇଛି ନିଷ୍ପତ୍ତି।
ପ୍ରଥମେ ପରୀକ୍ଷଣ ଭାବରେ ସାତପାହାଚ ଦୁଆରରେ କରାଯିବ ରୂପା ଛାଉଣୀ। ରୁପା ଛାଉଣୀରେ ସୁନାର ଡିଜାଇନ ଦେବାକୁ ପ୍ରସ୍ତାବ ଆସିଥିବା ବେଳେ ୮ଟି ଦ୍ୱାର ସହ ଆଉ ତିନୋଟି ଦ୍ୱାର ପାଇଁ ଆସିଛି ପ୍ରସ୍ତାବ। ଦ୍ୱାର ଗୁଡିକ ପୂର୍ବରୁ କାଠ ଉପରେ ରହିଥିବା ବେଳେ ଏବେ ଷ୍ଟେନଲେସ ଷ୍ଟିଲ ପାଇପ (Stainless Steel Pipe) କୁ ତଳେ ପୋତି ସେଥିରେ କବଜା ଲଗାଇ ଦ୍ୱାର ଝୁଲାଯିବ ବୋଲି ନିଷ୍ପତ୍ତି ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ। ୧୭ ଜଣିଆ ରୁପରେଖ ନିର୍ଦ୍ଧାରଣ କମିଟିର ତତ୍ତ୍ୱାବଧାନରେ କାମ ସମ୍ପନ୍ନ କରାଯିବା ନେଇ ଗତକାଲି ହୋଇଥିବା ବୈଠକରେ ନିଆଯାଇଛି ନିଷ୍ପତ୍ତି।
ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ ଶ୍ରୀମନ୍ଦିର ଦୁଆର ରୁପା ଛାଉଣୀ କାର୍ଯ୍ୟ। ଉତ୍କଳୀୟ ମନ୍ଦିର ଶୈଳୀରେ ରୂପା ଛାଉଣୀର ଡିଜାଇନ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ସାତପାହାଚର ଦ୍ୱାରକୁ କରାଯିବ। ବର୍ମାଟିକ୍ କାଠରେ ହେବାକୁ ଥିବା ଦୁଆର ଗୁଡିକ କରାଯିବାକୁ ଥିବା ବେଳେ ୨୫୦୦ କିଲୋ ରୁପାରେ ୮ଟି ଦ୍ୱାରର ରୁପା ଛାଉଣୀ କରାଯିବା ନେଇ ଆକଳନ ହୋଇଛି। ଶ୍ରୀମନ୍ଦିରର କଳାହାଟ, ଜୟବିଜୟ, ବେହରଣ ଦ୍ୱାରର ସହ ସାତପାହାଚ ଦ୍ୱାର, ପଶ୍ଚିମ ଭୋଗ ମଣ୍ଡପ ଦ୍ୱାର, ନୃସିଂହ, ମା ବିମଳା ଓ ମା ଲକ୍ଷ୍ନୀଙ୍କ ଗର୍ଭଗୃହ ଦ୍ୱାର କରାଯିବ ରୂପା ଛାଉଣୀ।
ପୂର୍ବରୁ କଳାହାଟ ଦ୍ୱାରରେ 0.୩୦ ମିଲିମିଟର ମୋଟେଇ ରୁପା ଛାଉଣୀ ହୋଇଥିବା ବେଳେ ବର୍ତମାନ ୧.୬ ମିଲିମିଟର ମୋଟେଇ ରୁପା ଛାଉଣୀ କରାଯିବ। ୫ଟି ବଡ ଦ୍ୱାରର କାଠ ଫ୍ରେମ ମୋଟେଇ ଚାରି ଚାରି ଇଞ୍ଚ ଏବଂ ସାନ ୩ ଦ୍ୱାରର କାଠ ଫ୍ରେମ ମୋଟା ୩ ଇଞ୍ଚରେ କରାଯିବ। ଏହା ସହିତ ପୂର୍ବରୁ ଥିବା ଦ୍ୱାର କାଠ ଫ୍ରେମରେ ବିଟ ଦେଇ ରହୁଥିବା ବେଳେ ପୁରାତନ ଶୈଳୀରେ ଥିଲା। ବର୍ତ୍ତମାନ ଦ୍ୱାର ୩ ଇଞ୍ଚ ମୋଟେଇ ଷ୍ଟେନଲେସ ଷ୍ଟିଲରେ ଦେଢଫୁଟ ଲେଖାଏଁ ତଳକୁ ଓ ଉପରକୁ ପଥର ଭିତରେ ରହିବା ସହ କାନ୍ଥରେ ପିନିଂ କରି କବଜା ଲଗାଇ ଦ୍ୱାର ଝୁଲିକି ରହିବ। ଏଥିପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ-ଏଏସଆଇ (ASI-Archaeological Survey of India) ମଧ୍ୟ ଅନୁମତି ନିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ।
ସାତପାହାଚ ଦ୍ୱାରକୁ ପରୀକ୍ଷାମୂଳକ ଭାବେ କରିବା ପାଇଁ ଆଜି ହୋଇଛି ମାପଚୁପ। ମୁମ୍ବାଇରୁ ଆସିଥିବା ଦାତାଙ୍କ ପ୍ରତିନିଧି ଗତକାଲି ବୈଠକରେ ଉପସ୍ଥିତ ରହିଥିବା ବେଳେ ସେମାନଙ୍କ ସହ ଆସିଥିବା ବିଶେଷଜ୍ଞ ଏନେଇ ଦ୍ୱାରକୁ ପରୀକ୍ଷା କରିଛନ୍ତି। ଦ୍ୱାର ଗୁଡିକ ନିର୍ମାଣ ନେଇ ଚୂଡାନ୍ତ ହୋଇସାରିଥିବା ବେଳେ କେବଳ ରୁପା ଛାଉଣୀ ଡିଜାଇନ ନେଇ ନଭେମ୍ବର ୯ରେ ଆଉ ଏକ ବୈଠକ ବସିବ। ମହାପ୍ରଭୁଙ୍କ ଦୈନିନ୍ଦନ ନୀତିରେ ଜୟବିଜୟ, ବେହରଣ ଓ କଳାହାଟ ଦ୍ୱାରର କାର୍ଯ୍ୟ ରହୁଥିବାରୁ ତାହାକୁ ଦ୍ୱିତୀୟ ପର୍ଯ୍ୟାୟରେ ରଥଯାତ୍ରା ସମୟରେ କରାଯିବାକୁ ନେଇ ଗତକାଲି ନିଳଦ୍ରୀ ଭକ୍ତ ନିବାସରେ ହୋଇଥିବା ବୈଠକରେ ନିଆଯାଇଛି ନିଷ୍ପତ୍ତି।
ଏହି ଭକ୍ତ ନିବାସରେ ଏହି ଦ୍ୱାରର କାମ ସହ ରୁପା ଛାଉଣୀ କାର୍ଯ୍ୟ କରାଯିବ। ଦାତା ଦେବାକୁ ଥିବା ରୁପା ଓ ସୁନା ରଖିବା ପାଇଁ କରାଯିବ ଷ୍ଟ୍ରଙ୍ଗ ରୁମ। ସିସିଟିଭି ଦ୍ୱାରା ତାହା ତନଖି କରାଯିବାକୁ ଥିବା ବେଳେ ୧୭ ଜଣିଆ ରୂପରେଖ ନିର୍ଦ୍ଧାରଣ କମିଟିର ତତ୍ତ୍ୱାବଧାନରେ କାମ ସମ୍ପନ୍ନ କରାଯିବ। କାଠ କାମ ବେଳେ ଶ୍ରୀମନ୍ଦିରର ଜଗନ୍ନାଥ ଟେମ୍ପଲ ପୁଲିସ (Jagannath Temple Police) ରହିବାକୁ ଥିବା ବେଳେ ରୁପା ଛାଉଣୀ ବେଳେ ପୁଲିସ ସୁରକ୍ଷା ବ୍ୟବସ୍ଥାରେ ରହିବେ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।
ପ୍ରଥମେ ୮ଟି ଦ୍ୱାରର ରୁପା ଛାଉଣୀ ନେଇ ପ୍ରସ୍ତାବ ରହିଥିବା ବେଳେ ଗତକାଲି ବୈଠକରେ ସେବାୟତ ପ୍ରତିନିଧି ଆଉ ତିନୋଟି ଦ୍ୱାର ଯଥା ଦକ୍ଷିଣ ଘରଦ୍ୱାର, କମଳା ମନ୍ଦିର ଓ ଭୁବନେଶ୍ୱରୀ ମନ୍ଦିରର ଦ୍ୱାରର ରୁପା ଛାଉଣୀ କରାଯିବାକୁ ଦେଇଛନ୍ତି ପ୍ରସ୍ତାବ। ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ କରାଯିବା ନେଇ ପଦକ୍ଷେପ ନିଆଯିବ।