Puri News: ପୁଣି ଖାକିରେ ଲାଗିଲା ଦାଗ । ମହା କାର୍ତ୍ତିକରେ ପୋଲିସର ମାଡରେ ଲହୁଲୁହାଣ ହେଲେ ମହିଳା ଭକ୍ତ । ଶ୍ରୀମନ୍ଦିର ମଧ୍ୟରେ ହବିଷ୍ୟାଳିଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଜଗମୋହନ ନିକଟରେ ମୁତୟନ ଥିବା ସୁରକ୍ଷା କର୍ମୀ ମହିଳା ଭକ୍ତଙ୍କୁ ମାଡବାଡ଼ିରେ ମାରିଥିବା ଅଭିଯୋଗ ହୋଇଛି ।
Trending Photos
Puri News: ପୁଣି ଖାକିରେ ଲାଗିଲା ଦାଗ । ମହା କାର୍ତ୍ତିକରେ ପୋଲିସର ମାଡରେ ଲହୁଲୁହାଣ ହେଲେ ମହିଳା ଭକ୍ତ । ଶ୍ରୀମନ୍ଦିର ମଧ୍ୟରେ ହବିଷ୍ୟାଳିଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଜଗମୋହନ ନିକଟରେ ମୁତୟନ ଥିବା ସୁରକ୍ଷା କର୍ମୀ ମହିଳା ଭକ୍ତଙ୍କୁ ମାଡବାଡ଼ିରେ ମାରିଥିବା ଅଭିଯୋଗ ହୋଇଛି । ମହିଳା ଭକ୍ତଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାର ଅନୁଧ୍ୟାନ ପାଇଁ ଅତିରିକ୍ତ ଏସ୍ପି, ପୋଲିସ କର୍ମଚାରୀ ଶ୍ରୀମନ୍ଦିର ପରିସରରେ ପହଞ୍ଚିଛନ୍ତି। ଆଉ ଓଏସଏପି ସୁରକ୍ଷା କର୍ମୀଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖାଯାଇଛି। ଗୁରୁତର ହବିଷ୍ୟାଳୀ ଜଣକ ହେଉଛନ୍ତି ବ୍ରହ୍ମପୁର ଅଞ୍ଚଳର ମାଧୁରୀ ଦାସ। ସଦ୍ୟତମ ଖବର ଅନୁଯାୟୀ, ମାଡ ମାରିଥିବା ଆଇଆରବି ଯବାନଙ୍କୁ ନିଲମ୍ବିତ କରାଯାଇ ଥିବା ଜଣାପଡିଛି । ନିଲମ୍ବିତ ଯବାନ ହେଉଛନ୍ତି ପ୍ରଶାନ୍ତ ଦଳେଇ । ମହିଳା ହବିଷ୍ଯାଳିଙ୍କୁ ମାଡମାରି ଆହତ କରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ତେବେ କେଉଁ କାରଣରୁ ମହିଳାଙ୍କ ପୁଲିସ କର୍ମଚାରୀ ମାଡ ମାରିଲେ ତାହା ସ୍ପଷ୍ଟ ହୋଇନାହିଁ। ପୂର୍ବରୁ ମଧ୍ୟ ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କୁ ଦର୍ଶନ ବେଳେ ଦୁଃବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।
କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତଥା ବୈକୁଣ୍ଠ ଚତୁର୍ଦ୍ଦଶୀରେ ଶ୍ରୀମନ୍ଦିରରେ ଆଜି ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେଉଛି । ଠାକୁରମାନେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଏହି ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଶ୍ରୀଜୀଉଙ୍କ ଏହି ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଲାଗିଛ। ଶ୍ରୀଜୀଉଙ୍କର ଅବକାଶ ନୀତି ପରେ ବେଶ ଅନୁଷ୍ଠିତ ହୋଇଥାଏ । ଏହି ଲକ୍ଷ୍ମୀନୃସିଂହ ବେଶରେ ସୁନାକିଆ ଡାଳି ଭଳି ଖଞ୍ଜା ଯାଇଥିବାରୁ ଏହାକୁ ଡାଳିକିଆ ବେଶ ମଧ୍ୟ କୁହାଯାଇଥାଏ ।
ଲକ୍ଷ୍ମୀନୃସିଂହ ବେଶରେ ଠାକୁରମାନେ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର, କିରୀଟ, କୁଣ୍ଡଳ, ଚନ୍ଦ୍ରିକା ଆଦି ଧାରଣ କରିଥାନ୍ତି। ବଡଠାକୁର ସୁବର୍ଣ୍ଣର ହଳମୂଷଳ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ରୁପାର ଶଙ୍ଖ ଓ ସୁବର୍ଣ୍ଣଚକ୍ର ଧାରଣ କରିଥିଲେ ରତ୍ନଭଣ୍ଡାରରୁ ଆଣିଥିବା ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ଦିଅଁମାନଙ୍କୁ ସଜାଇଥାନ୍ତି ସେବାୟତ। ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ପର୍ଯ୍ୟାପ୍ତ ସଂଖ୍ୟକ ରଙ୍ଗବେରଙ୍ଗର ଫୁଲ ସବୁକୁ ଶ୍ରୀମସ୍ତକରେ ଲଗାଯାଏ । ଏହି ଡାଳ ମଝିମଝିରେ ଠିଆ ପାଖୁଡ଼ା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜାଯାଇଥାଏ । ଗୋପାଳ ବଲ୍ଲଭ, ବାଳଭୋଗ ଓ ସକାଳଧୁପ ଶେଷହେବା ପର୍ଯ୍ୟନ୍ତ ଏହି ବେଶ ରହିଥାଏ । ତାହା ମଧ୍ୟରେ ସୁବର୍ଣ୍ଣ କିଆ ଖୋସାଯାଏ । ଶ୍ରୀମୁଖରେ ଦିଆଯାଇଥିବା ଗୋଟିଏ ଗୋଟିଏ ବଳା ସମଗ୍ର ବେଶକୁ ଧରି ରଖିଥାଏ । ଏହି ବେଶରେ ମାଳି, ପଦକମାଳି ଓ ତାବିଜ ମାଳି ଲଗାଯାଏ । ଶ୍ରୀଭୁଜ ଓ ଶ୍ରୀପୟର ମଧ୍ୟ ଲାଗେ । ଆୟୁଧ, ଶଙ୍ଖ, ଚକ୍ର, ହଳ, ମୂଷଳ ମଧ୍ୟ ଲାଗି କରାଯାଏ। ତେବେ ତିନି ଠାକୁର ଅନ୍ୟ ବେଶପରି ସୁବର୍ଣ୍ଣ ଅଳଙ୍କାର ମଧ୍ୟ ଧାରଣ କରିଥାନ୍ତି ।ପବିତ୍ର ବୈକୁଣ୍ଠ ଚତୁର୍ଦ୍ଦଶୀରେ ଭକ୍ତମାନେ ଏହି ଦେବ ଦୁର୍ଲଭ ବେଶ ଦର୍ଶନ କରି ନିଜକୁ କୃତାର୍ଥ ମନେ କରିଥାନ୍ତି। ପଂଚୁକର ପାରମ୍ପରିକ ବେଶ ଶେଷ ହୋଇ ଆସନ୍ତାକାଲି ପୂର୍ଣ୍ଣିମା ତିଥିରେ ଶ୍ରୀଜୀଉ ମାନେ ସୁନାବେଶରେ ଦର୍ଶନ ଦେବେ।