ଶତାବ୍ଦୀରେ ଏମିତି ଇତିହାସ ରଚିଲା ଚନ୍ଦନ ଯାତ୍ରା...
Advertisement
Article Detail0/zeeodisha/odisha672868

ଶତାବ୍ଦୀରେ ଏମିତି ଇତିହାସ ରଚିଲା ଚନ୍ଦନ ଯାତ୍ରା...

ଆଜି ପବିତ୍ର ଅକ୍ଷୟ ତୃତୀୟା  । ପୁଣି ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ପର୍ବ । 

ଫଟୋ ସୌଜନ୍ୟ: ଜୀ ମିଡିଆ

ସଞ୍ଜୟ କୁମାର ମହାପାତ୍ର, ପୁରୀ: ଶତାବ୍ଦୀରେ ଇତିହାସ ରଚିଲା ଚଳିତ ବର୍ଷର ଚନ୍ଦନଯାତ୍ରା ଓ ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା ରଥ ନିର୍ମାଣ ଅନୁକୂଳ ପର୍ବ  । ଶ୍ରୀମନ୍ଦିର ଭିତରେ କରାଗଲା ସମସ୍ତ କାର୍ଯ୍ୟ  । ଜଳକ୍ରୀଡା ମଣ୍ଡପରେ ଆଉ ଦୁଇଟି କୁଣ୍ଡ ନିର୍ମାଣ କରି ସେଠି ତିନୋଟି କୁଣ୍ଡରେ ହେଲା ୧୦ ମୁର୍ତ୍ତିଙ୍କ ଚନ୍ଦନ ଗାଧୁଆ ନୀତି ଓ ଜଳକ୍ରୀଡା ନୀତି  । ସେପଟେ ଚାହାଣୀ ମଣ୍ଡପ ନିକଟରେ ରଥ ନିର୍ମାଣର ବିଧି କରାଯାଇ ବନଯାଗ ମନ୍ତ୍ରରେ ପୂଜାର୍ଚ୍ଚନା ପରେ ଆରମ୍ଭ ହୋଇଛି ରଥ ନିର୍ମାଣ ଅନୁକୂଳ ନୀତି  । ସେପଟେ ଖାଁ ଖାଁ ପାଲଟିଛି ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ଚକଡ଼ା  । କୋରୋନା ଲକଡାଉନକୁ ନେଇ ସବୁକିଛି ମେଘନାଦ ପାଚେରୀ ଭିତରେ ନିରାଡମ୍ବର ଭାବେ ଅନୁଷ୍ଠିତ ହୋଇଛି  । 

ଆଜି ପବିତ୍ର ଅକ୍ଷୟ ତୃତୀୟା  । ପୁଣି ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ପର୍ବ । ହେଲେ କୋରୋନାକୁ ନେଇ ସବୁକିଛି ହୋଇଛି ଶ୍ରୀମନ୍ଦିର ଭିତରେ । ସକାଳ ୫ଟା ୨୦ରେ ଦ୍ୱାରଫିଟା ନୀତି ପରେ ଦିନ ୧୦ଟାରେ ସରିଥିଲା ସକାଳଧୂପ । ତା ପରେ ହୋଇଥିଲା ଚନ୍ଦନବେଢ଼ା ନୀତି  । ପରେ ପରେ ହୋଇଥିଲା ମଧ୍ୟାହ୍ନ ଧୂପ ଓ ଜାତ ଭୋଗ  । ତାହା ସରିବା ପରେ ଆରମ୍ଭ ହୋଇଥିଲା ଚନ୍ଦନଯାତ୍ରା ପାଇଁ ୧୦ ମୁର୍ତ୍ତିଙ୍କର ଜଳକ୍ରୀଡା ମଣ୍ଡପକୁ ବିଜେ ନୀତି  । ଜାତ ଭୋଗ ପରେ ତିନି ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ଗରୁଡ଼ଙ୍କ ପାଖରୁ ସାତପାହାଚ ଦେଇ ଆନନ୍ଦବଜାର ପଟେ ଚାହାଣୀ ମଣ୍ଡପରେ ଥିବା ତିନୋଟି ୧୨ ଫୁଟିଆ ଧଉରା କାଠରେ ଉପରେ ରଖାଯାଇଥିଲା । ସେପଟେ ସେହି ସମୟରେ ଚଳନ୍ତି ପ୍ରତିମାମାନଙ୍କୁ ମହାଜନ ସେବାୟତମାନେ ଧରି ପଣ୍ଡା ଦ୍ୱାର ଦେଇ ଜଳକ୍ରୀଡା ମଣ୍ଡପରେ ପହଞ୍ଚାଇଥାନ୍ତି ।  ସେଠାରେ ସାଙ୍କେତିକ ଭାବେ ତିଆରି ହୋଇଥିବା ଦୁଇଟି ଚାପଟି କୁଣ୍ଡରେ ରଖାଯାଇ ଜଳକ୍ରୀଡା ନୀତି କରାଯାଇଛି ।  ସେପଟେ ମଧ୍ୟାହ୍ନ ଧୂପ ପରେ ଚାହାଣୀ ମଣ୍ଡପ ନିକଟରେ କରାଯାଇଥିବା ଚାଳିରେ କରାଯାଇଥିଲା ରଥ ନିର୍ମାଣ ପାଇଁ କାଠ ପୂଜା ନୀତି । ବନଜାଗ ମନ୍ତ୍ରରେ ଶୋତ୍ରୀୟ ବ୍ରାହ୍ଣଣ, ଦେଉଳ ପୁରୋହିତ, ଶ୍ରୀମନ୍ଦିର ରାଜ ପୁରୋହିତ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଛନ୍ତି  । ସାତପାହାଚ ଦେଇ ବାହାରିବା ପରେ ପରେ ପୂଜିତ ହୋଇଥିବା ତିନୋଟି କୁରାଢୀରେ ସ୍ପର୍ଶ କରିବା ପରେ ରଥ ନିର୍ମାଣ ବିଧି ଆରମ୍ଭ ହୋଇଛି । ସେହି ସ୍ଥାନରେ ଭୋଇ ସର୍ଦ୍ଧାର, ବିଶ୍ୱକର୍ମା ମହାରଣା ଓ ରୂପକାର, ଚିତ୍ରକାର ସେବାୟତଙ୍କୁ ଶାଢ଼ି ବନ୍ଧାଯାଇ ରଥ ନିର୍ମାଣ ପାଇଁ ଅନୁମତି ପ୍ରଦାନ ପର୍ବ ପାଳିତ ହୋଇଛି  । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚାହାଣୀ ମଣ୍ଡପରେ ଚାଳି ନିର୍ମାଣ, ଜଳକ୍ରୀଡା ମଣ୍ଡପରେ ଅସ୍ଥାୟୀ କୁଣ୍ଡ ଓ ସିଂହାସନ ନିର୍ମାଣ କରାଯାଇଛି । ତେବେ ଜଳକ୍ରୀଡା ପରେ ମାଣ୍ଡୁଅ ଭୋଗ ପାଇଁ ମଧ୍ୟ କୋଠ ଭୋଗ ସୁଆର ମା ଲକ୍ଷ୍ନୀଙ୍କ ରୋଷଶାଳାରେ ତାହା ପ୍ରସ୍ତୁତ କରି ଦେଇଛନ୍ତି । ଏହିଭଳି ୨୧ ଦିନ ଧରି ଶ୍ରୀମନ୍ଦିର ଭିତରେ ବାହାର ଚନ୍ଦନଯାତ୍ରା ଅନୁଷ୍ଠିତ ହେବା ସହ ମୋଟ ହଳଦୀପାଣୀକୁ ଲଗାଇ ୪୨ ଦିନ ଯାତ୍ରା ଚାଲିବ ବୋଲି କହିଛନ୍ତି ସେବାୟତ ।

ଶ୍ରୀମନ୍ଦିର ଭିତରେ ହେଲା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ନୀତି  । ଖାଁ ଖାଁ ହୋଇପଡିଛି ରଥଖଳା ଓ ନରେନ୍ଦ୍ର ପୁଷ୍କରିଣୀର ଚନ୍ଦନ ଚକଡ଼ା  । ପୁରପଲ୍ଲୀରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଆଜି ବେଶ ଉତ୍ସବମୁଖରକୁ ଫିକା କରିଦେଇଛି କୋରୋନା । ତଥାପି ବୁଝିନି ଭକ୍ତର ମନ । ଧାଇଁ ଆସୁଛି ମହାପ୍ରଭୁଙ୍କୁ ଦେଖିବା ପାଇଁ । କଟକଣା ସତ୍ତ୍ୱେ ଶ୍ରୀମନ୍ଦିର ସମ୍ମୁଖରେ ଠିଆ ହୋଇ ପତିତପାବନଙ୍କୁ ଦର୍ଶନ କରି ନିଜ ଅଳି ଅର୍ଘ୍ୟକୁ ମହାପ୍ରଭୁଙ୍କୁ ଜଣାଇଛି । ସେପଟେ ରଥଖଳା ବି ଚାହିଁ ରହିଛି ତାର ମହାପ୍ରଭୁଙ୍କର କେବେ ହେବ କାମ ଓ ନରେନ୍ଦ୍ରରେ ନନ୍ଦା ଭଦ୍ରା ଚାପ ଡଙ୍ଗା ବି ଆଜି ଶ୍ରୀହିନ ହୋଇପଡିଛି ମହାପ୍ରଭୁଙ୍କୁ ନପାଇ  । ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ଚନ୍ଦନ ଉତ୍ସବରେ ନିରାଡମ୍ବର ଭାବେ ପାଳନ କରାଯାଇଥିବାରୁ ସବୁକିଛି ମହାପ୍ରଭୁଙ୍କ ଇଛା କହି କାନ୍ଦି ପକାଉଛନ୍ତି ଭକ୍ତ । ଦୀର୍ଘ ଦେଢ଼ମାସ ହେବ ମହାପ୍ରଭୁଙ୍କୁ ଦର୍ଶନ କରି ନ ପାରି ମନରେ କୋହ ସୃଷ୍ଟି ହେଉଥିବା କହିଛନ୍ତି ।

ଗଜପତିଙ୍କ ପରାମର୍ଶ ଓ ଜଗଦଗୁରୁଙ୍କ ନିର୍ଦ୍ଦେଶରେ ବିଧି ରକ୍ଷା ପାଇଁ ଶ୍ରୀମନ୍ଦିର ଭିତରେ ପାଳିତ ହେଲା ଅକ୍ଷୟ ତୃତୀୟାର ରଥ ନିର୍ମାଣ ଅନୁକୂଳ ନୀତି ଓ ଚନ୍ଦନ ଯାତ୍ରା । ସେପଟେ ମେ ୩ରେ ଲକଡାଉନ ନିୟମକୁ ଅପେକ୍ଷା କରିଛନ୍ତି ରାଜ୍ୟ ସରକାର । ତାପରେ ଦୂର ହେବ ରଥଯାତ୍ରାକୁ ନେଇ ଆଶଙ୍କା ।