)
Richest village of india: ଭାରତରେ ଏଭଳି ଗୋଟିଏ ଗାଁ ଅଛି ଯାହାକୁ କୋଟିପତିଙ୍କ ଗାଁ ବୋଲି କୁହାଯାଏ । ଏହି ଗାଁର ସମୁଦାୟ ଜନସଂଖ୍ୟା ୧୨୫୦ ଅଧିକ । ଗାଁରେ ୩୦୫ ପରିବାର ବସବାସ କରନ୍ତି । ସେଥିମଧ୍ୟରୁ ୮୦ ପରିବାର କୋଟିପତି । ୫୦ ପରିବାରର ବାର୍ଷିକ ଆୟ ୧୦ ଲକ୍ଷରୁ ଅଧିକ । ଗୋଟିଏ ଗାଁରେ ଏତେ ସଂଖ୍ୟକ କୋଟିପତି ଥିବା କଥା ଶୁଣି ଆପଣ ଭାବୁଥିବେ ଯେ, ହୁଏତ ଏହି ଗାଁ ଲୋକ ଖାନଦାନୀ ଧନି ହୋଇଥିବେ କିମ୍ବା ବ୍ୟବସାୟୀ ହୋଇଥିବେ । ଉତ୍ତରାଧିକାରୀସୂତ୍ରରେ ସେମାନଙ୍କୁ ପ୍ରବଳ ସମ୍ପତ୍ତି ମିଳିଥିବ । କିନ୍ତୁ ଏହା ଠିକ ନୁହେଁ ।ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଗାଁର ସଂଖ୍ୟାଧିକ ବାସିନ୍ଦା ଚାଷ ଉପରେ ନିର୍ଭର କରନ୍ତି । କିନ୍ତୁ ଏକାଠି ହୋଇ ଚାଷ କରି ସେମାନେ ଗାଁ’ର ଜିଡିପିରେ ଏମିତି ବୃଦ୍ଧି କରିଛନ୍ତି ଯେ, ଏବେ ଗାଁକୁ କୋଟିପତିଙ୍କ ଗାଁ ବୋଲି କୁହାଯାଉଛି ।
ମହାରାଷ୍ଟ୍ରରେ ଅଛି କୋଟିପତିଙ୍କ ଗାଁ
ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାରେ ରହିଛି ଏହି ଗାଁ । ଯାହାର ନାମ ହେଉଛି ହିବରେ ବଜାର ଗାଁ । ଏଠାରେ ଥିବା ଲୋକମାନେ ଏକତ୍ର କୃଷି ଉପରେ ଗୁରୁତ୍ୱ ଦେଇ ଗାଁର ଜିଡିପି ବୃଦ୍ଧି କରିଥିଲେ । କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ଅଧିକାଂଶ ଲୋକ ଅନାହାରର ସମ୍ମୁଖୀନ ହୋଇଥିଲେ । ଗାଁର ସବୁଆଡେ ଦାରିଦ୍ର୍ୟ ବ୍ୟାପି ଯାଇଥିଲା। ତେଣୁ ଗାଁର ଲୋକମାନେ ଜୀବିକା ଅନ୍ୱେଷଣରେ ହିବରେ ବଜାରରୁ ସହରକୁ ଯିବା ଆରମ୍ଭ କଲେ । ୧୯୯୦ ମସିହାରେ ଏଠାରେ ୯୦ ପ୍ରତିଶତ ପରିବାର ଗରିବ ଥିଲେ । କାରଣ ଏହି ଗାଁ ୮୦ ଏବଂ ୯୦ ଦଶକରେ ଭୟଙ୍କର ମରୁଡ଼ିର ଶିକାର ହୋଇଥିଲା । ପରିସ୍ଥିତି ଏତେ ଖରାପ ହେଲା ଯେ ପିଇବା ପାଇଁ ମଧ୍ୟ ପାଣି ମିଳିନଥିଲା। ସେତେବେଳେ ଗାଁରେ ୯୩ ଟି କୂଅ ଥିଲା। ଭୂତଳ ଜଳ ସ୍ତର ମଧ୍ୟ ୧୧୦ ଫୁଟ ତଳକୁ ଖସି ଆସିଥିଲା । କିଛି ଲୋକ ନିଜ ପରିବାର ସହିତ ଗାଁ ଛାଡି ପଳାଇଥିଲେ। ତା’ପରେ ଏହି ଗାଁର ଲୋକମାନେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ।
ନିଜ ଭାଗ୍ୟ ନିଜେ ବଦଳାଇଥିଲେ
୧୯୯୦ ମିଳିତ ଜଙ୍ଗଲ ପରିଚାଳନା କମିଟି ଗଠନ କରାଯାଇଥିଲା। ଏହା ଅଧୀନରେ ଗ୍ରାମରେ କୂଅ ଖୋଳିବା ସହ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟ ପାଇଁ ମହାରାଷ୍ଟ୍ର ରୋଜଗାର ଗ୍ୟାରେଣ୍ଟି ଯୋଜନା ଅଧୀନରେ ଅର୍ଥ ପ୍ରଦାନ କରାଯାଇଥିଲା । ଏହା ପରେ, ୧୯୯୪-୯୫ ରେ ଆଦର୍ଶ ଗ୍ରାମ ଯୋଜନା ଆରମ୍ଭ ହେବା ପରେ, ଏହି କାର୍ଯ୍ୟ ଆଗକୁ ବଢିଲା । ଏହା ପରେ କମିଟି ହିବରେ ଗ୍ରାମରେ ଅଧିକ ଜଳ ଆବଶ୍ୟକ କରୁଥିବା ଫସଲ ବୁଣିବାକୁ ବାରଣ କରିଥିଲା । କାରଣ ଗାଁର ସମସ୍ତ ପରିବାର କେବଳ ଚାଷରୁ ରୋଜଗାର କରନ୍ତି । ଗାଁ ଲୋକମାନେ ପ୍ରତିବର୍ଷ ପନିପରିବା ଚାଷ କରି ବିପୁଳ ରୋଜଗାର କରନ୍ତି । କେବଳ ଏତିକି ନୁହେଁ, ସେମାନଙ୍କର ଆୟ ମଧ୍ୟ ପ୍ରତିବର୍ଷ ବୃଦ୍ଧି ପାଉଛି । ହିବରେ ଗାଁର ଲୋକଙ୍କ ଏକତା ହେତୁ ଦାରିଦ୍ର୍ୟ ସମାପ୍ତ ହେଲା । ଏହାପରେ ଲୋକମାନେ ସହରକୁ ଯିବା ବନ୍ଦ କରିଦେଲେ । କିନ୍ତୁ ଗାଁର ସରପଞ୍ଚ ପୋପାଟ ରାଓ ପାୱାର ଦେଶର ସେହି ଅଳ୍ପ ଲୋକଙ୍କ ମଧ୍ୟରେ ଗଣତି, ଯେଉଁ କାରଣରୁ ଗାଁର ଅବସ୍ଥା ବଦଳିଗଲା ।
ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମଧ୍ୟ ହିବ୍ରେ ବଜାର ଗାଁକୁ ପ୍ରଶଂସା କରିଛନ୍ତି । ୨୪ଏପ୍ରିଲ ୨୦୨୦ରେ 'ମନ କି ବାତ' କାର୍ଯ୍ୟକ୍ରମରେ ହିବରେ ବଜାର ଗାଁକୁ ପ୍ରଶଂସା କରି କହିଥିଲେ ଜଳର ମୂଲ୍ୟ ଏହି ଗ୍ରାମବାସି ଜାଣିଛନ୍ତି । ସବୁଠୁ ବଡକଥା ହେଉଛି ହିବରେ ବଜାର ଗାଁରେ ଅନେକ କୋଟିପତି ଅଛନ୍ତି । କିନ୍ତୁ ଗୋଟିଏ ବି ମଶା ଦେଖିବାକୁ ମିଳେନାହିଁ । ସରପଞ୍ଚ ପୋପାଟ ରାଓ କହିଛନ୍ତି ଯେ ଯିଏ ଏଠାରେ ମଶା ଧରିଥାଏ ତାଙ୍କୁ ୪୦୦ ଟଙ୍କା ପୁରସ୍କାର ଦିଆଯାଏ । ଏହି ଗାଁର ଚେହେରା ବଦଳାଇବା ପାଇଁ ପାଞ୍ଚ ବର୍ଷର ଯୋଜନାକୁ ଗ୍ରାମବାସି ମାତ୍ର ଦୁଇ ବର୍ଷ ମଧ୍ୟରେ ସମାପ୍ତ କରିଥାନ୍ତି ।