Jagannath Temple: ଶ୍ରୀକ୍ଷେତ୍ରରେ ଆଜି ପାଳିତ ହେଉଛି ଆବିର୍ଭାବ ଦିବସ, ଜାଣନ୍ତୁ ଏହାର ବିଶେଷତ୍ୱ
Advertisement

Jagannath Temple: ଶ୍ରୀକ୍ଷେତ୍ରରେ ଆଜି ପାଳିତ ହେଉଛି ଆବିର୍ଭାବ ଦିବସ, ଜାଣନ୍ତୁ ଏହାର ବିଶେଷତ୍ୱ

Srikhetra: ଆଜି ଅର୍ଥାତ ରବିବାର ହେଉଛି ପବିତ୍ର ମାର୍ଗଶିର ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି । ଏହି ପବିତ୍ର ତିଥିରେ ଶ୍ରୀକ୍ଷେତ୍ର ପରିକ୍ରମା କରିବାର ବିଧାନ ରହିଛି । ଯାହାକୁ ଶ୍ରୀକ୍ଷେତ୍ର ଆବିର୍ଭାବ ଦିବସ ଭାବେ ବଡ ଧୁମଧାମରେ ପାଳନ କରାଯାଇଥାଏ । ଆସନ୍ତୁ ଜାଣିବା ଏହା ବିଷୟରେ ... 

ସୌ: ସୋସିଆଲ ମିଡିଆ

Jagannath Temple: ଶ୍ରୀକ୍ଷେତ୍ର ବା ଶଙ୍ଖକ୍ଷେତ୍ରର ଆଜି ଆବିର୍ଭାବ ଦିବସ ପାଳିତ ହେଉଛି । ବିଶେଷକରି ଶ୍ରୀକ୍ଷେତ୍ରର ମହାନ ସାସ୍କୃତିକ ତଥା ଆଧ୍ୟାତ୍ମିକ ପରମ୍ପରାରେ ମାର୍ଗଶୀର ମାସ କୃଷ୍ଣପକ୍ଷ ପଂଚମୀ ତିଥିରେ ଭକ୍ତମାନେ ପଂଚତୀର୍ଥ ଭ୍ରମଣ କରିଥାନ୍ତି । ପୌରାଣିକ ତଥ୍ୟ ଅନୁସାରେ ପଂଚଜନ୍ୟ ବା ଶଙ୍ଖର ଜନ୍ମୋତ୍ସବ ମଧ୍ୟ ପାଳିତ ହୋଇଥାଏ । ଶ୍ରୀକ୍ଷେତ୍ରର ଅନ୍ୟନାମ ଶଙ୍ଖକ୍ଷେତ୍ର ହୋଇଥିବାରୁ ଭକ୍ତମାନେ ଏହି ଦିବସରେ ଶ୍ରୀକ୍ଷେତ୍ର ପରିକ୍ରମା ସହିତ ପୁରୀର ବିଭିନ୍ନ ତୀର୍ଥସ୍ଥଳକୁ ପରିଦର୍ଶନ କରିଥାନ୍ତି । ଯାହାକୁ ନେଇ ଶହଶହ ଭକ୍ତ ଆଜି ଶ୍ରୀକ୍ଷେତ୍ର ଆବିର୍ଭାବ ଦିବସ ଅବସରରେ ଶ୍ରୀକ୍ଷେତ୍ର ପରିକ୍ରମା କରିଛନ୍ତି । ପ୍ରଥମେ ମହାପ୍ରଭୁଙ୍କ ଦର୍ଶନ ଆଉ ତାପରେ ପଞ୍ଚତୀର୍ଥ ପୁଷ୍କରିଣୀ ସହ ମହୋଦଧି ତୀରେ କୀର୍ତ୍ତନ କରି ଶ୍ରୀଲୋକନାଥ ଦର୍ଶନ କରିବାର ବିଧି ରହିଛି ।

ଆଜି ପବିତ୍ର ମାର୍ଗଶିର ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି । ଏହି ପବିତ୍ର ତିଥିରେ ଶ୍ରୀକ୍ଷେତ୍ର ପରିକ୍ରମା କରିବାର ବିଧାନ ରହିଛି । ଯାହାକୁ ଶ୍ରୀକ୍ଷେତ୍ର ଆବିର୍ଭାବ ଦିବସ ଭାବେ ବଡ ଧୁମଧାମରେ ପାଳନ କରାଯାଇଥାଏ । ଶ୍ରୀକ୍ଷେତ୍ର ପରିକ୍ରମା କଲେ ପୃଥିବୀ ପରିକ୍ରମା କରିବାର ଫଳପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ଏଣୁ ଧର୍ମ ମହାକାର୍ତ୍ତୀକ ପରେ ପରେ ପଞ୍ଚମୀରେ ଶ୍ରୀକ୍ଷେତ୍ରରେ ଥିବା ପଞ୍ଚତୀର୍ଥ ପୁଷ୍କରିଣୀ ଓ ଦେବାଳୟ ନିକଟରେ ଦେବଦର୍ଶନ କଲେ ଅନନ୍ତ ପୁଣ୍ଯ ଦାୟକ ହୋଇଥାଏ । ଏଣୁ ଆଜି ସକାଳୁ ସକାଳୁ ଶ୍ରୀକ୍ଷେତ୍ର ପରିକ୍ରମାରେ ଇସ୍କନ, ଗୌଡିୟ, ବୈଷ୍ଣବ ଆଦି ବିଭିନ୍ନ ସମ୍ପ୍ରଦାୟର ଶହଶହ ଭକ୍ତ ଓ ଦର୍ଶନାର୍ଥି ସାମିଲ ହୋଇଥିଲେ । ହରେକୃଷ୍ଣ ହରେରାମ ଆଉ ହରିବୋଲ ଧ୍ୱନିରେ ପ୍ରକମ୍ପିତ ସମଗ୍ର ପରିବେଶ ଦେଖିବାକୁ ମିଳିଥିଲା ।

ପ୍ରଥମେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଆଉ ତାପରେ ସିଂହଦ୍ଵାର ଦେଇ ଶେତଗଙ୍ଗା ଜଳ ସ୍ପର୍ଶ କରି ମହୋଦଧିରେ ପହଞ୍ଚିଥିଲେ । ମହୋଦଧି କୂଳେକୂଳେ କୀର୍ତ୍ତନ କରିକରି ଶ୍ରୀଲୋକନାଥଙ୍କ ପିଠରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ତାପରେ ମାର୍କଣ୍ଡେୟ ପୁଷ୍କରିଣୀ, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ଜଳ ସ୍ପର୍ଶ କରିଥିଲେ। ସେହିଭଳି ସିଦ୍ଧମହାବିର ଓ ଦରୀଆ ମହାବିର ଦର୍ଶନ ସହ ସୁନାର ଗୌରାଙ୍ଗ ଦେଇ ଚକ୍ରନାରାୟଣଙ୍କୁ ଦର୍ଶନ କରିଥିଲେ। ଶେଷରେ ସମୁଦ୍ର କୂଳ ଦେଇ ପୁନର୍ବାର ସିଂହଦ୍ଵାରରେ ପହଞ୍ଚି କୀର୍ତ୍ତନ କରିବା ସହ ଶେଷ  ଶ୍ରୀକ୍ଷେତ୍ର ପରିକ୍ରମା କରିଥିଲେ ।

ସେହିପରି ଅଗଣିତ ଭକ୍ତମାନେ ଭିନ୍ନ ଭିନ୍ନ ତୀର୍ଥ ଜଳରେ ସ୍ନାନ କରି ନିଜକୁ ପବିତ୍ର କରି ଶ୍ରୀକ୍ଷେତ୍ରର ପୂର୍ବ ଭାଗରେ ଶ୍ରୀରାମଙ୍କର ପରମ ସେବକ ସିଦ୍ଧମହାବୀରଙ୍କ ନାଗାର୍ଜୁନ ବେଶ ଦର୍ଶନ କରି ଅଶେଷ ପୁଣ୍ୟର ଅଧିକାରୀ ହୋଇଥାନ୍ତି । ଏନେଇ ସିଦ୍ଧମହାବୀର ମନ୍ଦିରରେ ଭକ୍ତମାନେ ବିଭିନ୍ନ ପୂଜାସାମଗ୍ରୀ ସହ ଭୋଗରାଗ କରି ପ୍ରଭୁଙ୍କ ନାଗା ବେଶ ଦର୍ଶନ କରିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିବା ପରିଲକ୍ଷିତ ହୋଇଛି । ସେପଟେ ଇସ୍କନ, ଗୌଡିୟ, ବୈଷ୍ଣବ ଆଦି ବିଭିନ୍ନ ସମ୍ପ୍ରଦାୟର ଶହଶହ ଭକ୍ତ ଓ ଦର୍ଶନାର୍ଥି ବର୍ଷ ତମାମ ଆଜିର ଦିନଟିକୁ ଅପେକ୍ଷା କରିଥାନ୍ତି । ଆଉ ସପରିବାର ଆସି ଶ୍ରୀକ୍ଷେତ୍ର ପରିକ୍ରମରେ ସାମିଲ ହୋଇଥାନ୍ତି ।

ଶ୍ରୀକ୍ଷେତ୍ର ପରିକ୍ରମା ସମୟରେ ପଥକ୍ଳାନ୍ତି ମେଣ୍ଟାଇବା ପାଇଁ ଭକ୍ତ ଚୁଡାଘସା ଆଦି ବିଭିନ୍ନ ପ୍ରକାର ପ୍ରସାଦ ପାଇଥାନ୍ତି । ଆଉ ଏହିଭଳି ପବିତ୍ର ଦିନରେ ଶ୍ରୀକ୍ଷେତ୍ର ପରିକ୍ରମା କଲେ ଭକ୍ତ ମନରେ ଅପାର ଆନନ୍ଦ ଯାତ ହେବା ସହ ଭକ୍ତି ସଂଚାର ହୋଇଥାଏ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମାନଙ୍କର ମତ ରହିଛି ।