Rath Yatra 2022: ଆଜି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ, ଜାଣନ୍ତୁ ନୀତି ନିର୍ଘଣ୍ଟ
Advertisement
Article Detail0/zeeodisha/odisha1253678

Rath Yatra 2022: ଆଜି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ, ଜାଣନ୍ତୁ ନୀତି ନିର୍ଘଣ୍ଟ

ନିର୍ଘଣ୍ଟ ନୀତି ଅନୁଯାୟୀ, ମଙ୍ଗଳବାର ଭୋର ୪ଟାରେ ତିନି ରଥରେ ମଙ୍ଗଳ ଆଳତି ପରେ ସାଢ଼େ ୪ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୫ଟାରେ ଅବକାଶ ନୀତି, ସକାଳ ସାଢ଼େ ୫ଟାରେ ବେଶ ଶେଷ।

ସୌ- ଟ୍ୱିଟର @SJTA_Puri

Rath Yatra 2022: ସୁରୁଖୁରୁରେ ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ୧୨ ଦିନର ଲୀଳାଖେଳା ଶେଷ ପରେ ମଙ୍ଗଳବାର ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରି ବିଜେ କରିବେ। ରଥାରୂଢ଼ ଶ୍ରୀଅଙ୍ଗ ପୁଣି ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନମଣ୍ଡପକୁ ବିଜେ କରିବେ। ୧୨ ଦିନ ଧରି ମାନ କରି ରହିଥିବା ମା’ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ସ୍ବୟଂ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। 

ସୋମବାର ବିଳମ୍ୱିତ ରାତିରେ ଅଧର ନୀତି ଶେଷ ପରେ ମଙ୍ଗଳବାର ନୀତି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେଉଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ମଙ୍ଗଳବାର ଭୋର ୪ଟାରେ ତିନି ରଥରେ ମଙ୍ଗଳ ଆଳତି ପରେ ସାଢ଼େ ୪ଟାରେ ମଇଲମ ଓ ତଡ଼ପଲାଗି, ସକାଳ ୫ଟାରେ ଅବକାଶ ନୀତି, ସକାଳ ସାଢ଼େ ୫ଟାରେ ବେଶ ଶେଷ। ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢ଼େ ୩ଟାରେ ସିଂହାସନ ମାଜଣା କରାଯିବ। ୩ଟା ୫୦ରେ ପୁଷ୍ପାଞ୍ଜଳି ପରେ ଅପରାହ୍ଣ ୪ଟାରେ ପହଣ୍ଡି ଆରମ୍ଭ ହେବ। 

Also Read: Horoscope of 12nd July 2022: ମଙ୍ଗଳ ହେବ ମଙ୍ଗଳବାର! ଏହି ବ୍ୟକ୍ତି ସତର୍କ ରୁହନ୍ତ

ସେହିପରି ରାତି ୧୦ଟା ସୁଦ୍ଧା ଗୋଟିପହଣ୍ଡି ଶେଷ ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ। ରାତି ସାଢ଼େ ୧୨ଟା ସୁଦ୍ଧା ରୁନ୍ଧା ସରିବା ପରେ ଗୋଟାଏରେ ଦଇତାପତି ସର୍ବାଙ୍ଗ, ଗୋଟାଏ ୧୦ରେ ଶ୍ରୀମୁଖ ଖଣ୍ଡୁଆ, ରାତି ଗୋଟାଏ ୧୫ରୁ ୨ଟା ୧୫ ଚାରମାଳ ଫିଟା ନୀତି ଅନୁଷ୍ଠିତ ହେବ। ରାତି ସାଢ଼େ ୨ଟାରେ ସୁଦର୍ଶନ ସିଂହାସନକୁ ବିଜେ କରିବେ। ଶ୍ରୀମୁଖ ଖଣ୍ଡୁଆ ମଇଲମ ପରେ ରାତି ୨ଟା ୪୫ରେ ଚକା ପୋଛା, ରାତି ୩ଟାରେ ସିଂହାସନ ଧୁଆ, ରାତି ୩ଟା ୧୦ ସୁଧା ମାଧବ, ଶ୍ରୀଦେବୀ, ଭୂଦେବୀ ସିଂହାସନକୁ ବିଜେ ପରେ ସାଢ଼େ ୩ଟାରେ ମହାସ୍ନାନ ଶେଷ ହେବ। 

ରାତି ୩ଟା ୩୫ରେ ରୋଷହୋମ, ମଇଲମ, ୩ଟା ୪୫ରେ ଚନ୍ଦନଲାଗି, ୪ଟାରେ ସୂର୍ଯ୍ୟପୂଜା, ୪ଟା ୧୫ରେ ଦ୍ବାରପାଳ ପୂଜା, ବଡ଼ସିଂହାର ବେଶ, ୪ଟା ୪୫ରେ ବଡ଼ସିଂହାର ଭୋଗ ହୋଇ ସକାଳ ୫ଟାରେ ରାତି ପହୁଡ଼ ହେବ। ତେବେ ରଥଯାତ୍ରା ଓ ବାହୁଡା ପରି ନିର୍ଦ୍ଧାରିତ ନିର୍ଘଣ୍ଟ ପୂର୍ବରୁ ନୀତି ସମାପନ ହୋଇପାରେ। ସୁରକ୍ଷା ଦୃଷ୍ଟିରୁ ଏବେ ମଧ୍ୟ ବଡଦାଣ୍ଡରେ ବିପୁଳ ସଂଖ୍ୟାରେ ଫୋର୍ସ ମୁତୟନ କରାଯାଇଛି।