ବୋମାମାଡ଼ରେ ଥରିଲା ରାଜଧାନୀ, ୩ଟି ସ୍ଥାନରେ ପ୍ରାୟ ୬ଟି ବୋମା ମାଡ଼
Advertisement
Article Detail0/zeeodisha/odisha2436969

ବୋମାମାଡ଼ରେ ଥରିଲା ରାଜଧାନୀ, ୩ଟି ସ୍ଥାନରେ ପ୍ରାୟ ୬ଟି ବୋମା ମାଡ଼

Bombs hurled: ତେବେ କିଏ ଓ କାହିଁକି ବୋମା ମାଡ଼ କଲା ସେନେଇ ସୂଚନା ମିଳିନି। ସିସିଟିଭି ଆଧାରରେ ଦୁର୍ବୃତ୍ତଙ୍କୁ ଖୋଜୁଛି କ୍ୟାପିଟାଲ ପୋଲିସ।

ବୋମାମାଡ଼ରେ ଥରିଲା ରାଜଧାନୀ, ୩ଟି ସ୍ଥାନରେ ପ୍ରାୟ ୬ଟି ବୋମା ମାଡ଼

ଭୁବନେଶ୍ଵର: ରାଜଧାନୀରେ ପୁଣି ବୋମାମାଡ଼ ହୋଇଛି। କ୍ୟାପିଟାଲ୍‌ ଥାନା କେଦାରପଲ୍ଲୀ ଅଞ୍ଚଳରେ ଦୁଇଟି ଜାଗାରେ ୬ ବୋମା ଫୁଟିଛି। ୨ ବାଇକ୍‌ରେ ଥିବା ୪ ଦୁର୍ବୃତ୍ତ ବୋମାମାଡ଼ କରି ଫେରାର୍ ହୋଇଯାଇଛନ୍ତି। ସ୍ଥାନୀୟ ଯୁବକଙ୍କ ଖଟିକୁ ଲକ୍ଷ୍ୟ କରି ବୋମାମାଡ଼ ହୋଇଥିବାରୁ କିଛି ଯୁବକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଛି।

ରାତି ପ୍ରାୟ ୧୧ଟା ବେଳେ କେଦାରପଲ୍ଲୀ ଅଞ୍ଚଳରେ ଗୋଟିଏ ଗୋଷ୍ଠୀର କିଛି ଯୁବକ ବସି ଖଟି କରୁଥିଲେ। ହଠାତ୍ ୨ଟି ବାଇକ୍‌ ଖଟିଠାରୁ ମାତ୍ର କେଇ ଗଜ ଦୂରରେ ଅଟକିଥିଲା। ଖଟି କରୁଥିବା ଯୁବକମାନେ କିଛି ବୁଝିବା ପୂର୍ବରୁ ସେମାନେ ଲାଗଲାଗ ୪ଟି ବୋମା ଫୋପାଡ଼ିଥିଲେ। ପ୍ରଚଣ୍ଡ ବିସ୍ଫୋରଣରେ ଉକ୍ତ ଅଞ୍ଚଳ ଥରି ଉଠିଥିଲା। ଜୀବନ ବିକଳରେ ଖଟି କରୁଥିବା ଯୁବକମାନେ ଧାଇଁବାକୁ ଲାଗିଥିଲେ। କିଏ କୁଆଡ଼େ ଧାଇଁଲା, ତା’ର ହିସାବ ନଥିଲା। ବିସ୍ଫୋରଣ ପରେ ଉକ୍ତ ଅଞ୍ଚଳ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ଏହି ମଉକାରେ ଦୁର୍ବୃତ୍ତମାନେ ସେଠାରୁ ପଳାଇଥିଲେ। କିଛି ମିନିଟ୍‌ ପରେ ଖଟି କରୁଥିବା ଯୁବକମାନେ ପୁଣି ଏକାଠି ହୋଇଥିଲେ। କିନ୍ତୁ ସେତେବେଳକୁ ଦୁର୍ବୃତ୍ତମାନେ ପାର୍ ହୋଇସାରିଥିଲେ। ସେମାନେ ପୁଲିସକୁ ‌ଫୋନ୍‌ କରିଥିଲେ। କିନ୍ତୁ ପୁଲିସ ପହଞ୍ଚିବା ପୂର୍ବରୁ ପୁଣି ବୋମା ବିସ୍ଫୋରଣ ଶବ୍ଦ ଶୁଭିଥିଲା। ଏଥର ଶିଶୁଭବନ ଛକ ବ୍ରହ୍ମପୁରସାହିରେ ବୋମାମାଡ଼ ହୋଇଥିଲା।

ବୋମା ମାଡ଼ କରି ଚାଲିଯାଉଥିବା ବେଳର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ତେବେ କିଏ ଓ କାହିଁକି ବୋମା ମାଡ଼ କଲା ସେନେଇ ସୂଚନା ମିଳିନି। ସିସିଟିଭି ଆଧାରରେ ଦୁର୍ବୃତ୍ତଙ୍କୁ ଖୋଜୁଛି କ୍ୟାପିଟାଲ ପୋଲିସ। ଗତ କିଛି ଦିନ ମଧ୍ୟରେ ଭୁନେଶ୍ବରରେ ଏହା ତୃତୀୟ ବୋମା ମାଡ଼ ଘଟଣା।