Odisha News : ପ୍ରତିଶୃତି ହେଲା ପାଣିର ଗାର: ମାସକୁ ୩ ସପ୍ତାହ ବନ୍ଦ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
Advertisement
Article Detail0/zeeodisha/odisha2407848

Odisha News : ପ୍ରତିଶୃତି ହେଲା ପାଣିର ଗାର: ମାସକୁ ୩ ସପ୍ତାହ ବନ୍ଦ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

Odisha News : ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପରିଚୟ ଦେବାକୁ ଯାଇ ୧୬ ବର୍ଷ ପରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସାପ୍ତାହିକ ଜନଶୁଣାଣୀ ମାସକୁ ତିନି ସପ୍ତାହ ବନ୍ଦ ରହୁଛି। ଶୁଣାଣି ଆରମ୍ଭ ହୋଇଥିବା ପ୍ରଥମ ମାସରୁ ହିଁ ଏହା ସ୍ପଷ୍ଟ ହୋଇଛି। ଅର୍ଥାତ୍‍ ପ୍ରତି ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ଯେଉଁ ନାରା ତାହା ଅବାସ୍ତବ ପରିଣତ ହୋଇଛି। 

Odisha News : ପ୍ରତିଶୃତି ହେଲା ପାଣିର ଗାର: ମାସକୁ ୩ ସପ୍ତାହ ବନ୍ଦ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି
 
ଭୁବନେଶ୍ୱର: ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପରିଚୟ ଦେବାକୁ ଯାଇ ୧୬ ବର୍ଷ ପରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସାପ୍ତାହିକ ଜନଶୁଣାଣୀ ମାସକୁ ତିନି ସପ୍ତାହ ବନ୍ଦ ରହୁଛି। ଶୁଣାଣି ଆରମ୍ଭ ହୋଇଥିବା ପ୍ରଥମ ମାସରୁ ହିଁ ଏହା ସ୍ପଷ୍ଟ ହୋଇଛି। ଅର୍ଥାତ୍‍ ପ୍ରତି ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ଯେଉଁ ନାରା ତାହା ଅବାସ୍ତବ ପରିଣତ ହୋଇଛି। 
 
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ସାଧାରଣ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ କଥା ହେବା କାଠିକର ପାଠ ହୋଇଥିଲା। ୨୦୧୬ ଅଗଷ୍ଟ ମାସରେ ଶ୍ରୀ ମଟ୍ଟନାୟକ ଶେଷଥର ପାଇଁ ଅଭିଯୋଗ ପ୍ରକୋଷ୍ଠରେ ବସି ଲୋକଙ୍କ ଅଭିଯୋଗ ଅଧିକାରୀଙ୍କ ସହ ଶୁଣିଥିଲେ। ହେଲେ ଏହାପରେ ଅଭିଯୋଗ ଶୁଣାଣି ଅନ୍‍ ଲାଇନ ଆବେଦନ ମାଧ୍ୟମରେ ହିଁ ହେଉଥିଲା। ମୁହାଁମୁହିଁ ହୋଇ କଥା ହେବାପାଇଁ ଆଉ ସୁଯୋଗ ମିଳିଲା ନାହିଁ। ଏପରିକି ମୁଖ୍ୟମନ୍ତ୍ରୀଙ୍କ  ଅଭିଯୋଗ ପ୍ରକୋଷ୍ଠରେ ତାଲା ପଡ଼ିଲା। 
 
ଏ ବିଷୟକୁ ଏକ ପ୍ରସଙ୍ଗ କରି ବିଜେପି ବିରୋଧୀ ଦଳ ଭାବେ ଅନେକଥର ଉଠାଇଛି। ଯେତେବଳେ ସରକାରଙ୍କୁ ଆସିଲା ସେତେବଳେ ଖୋଦ୍‍ ମୁଖ୍ୟମନ୍ତ୍ରୀ  ‘ଜନ ସାଧାରଣଙ୍କ ମୁଖ୍ୟମନ୍ତ୍ରୀ’ ବୋଲି ପରିଚୟ ଦେବାକୁ ଯାଇ ସାଧାରଣ ଲୋକଙ୍କୁ ଭେଟିବା, ତାଙ୍କ ଦୁଃଖ ସୁଖ ବୁଝିବାକୁ ପ୍ରତିଶୃତି ଦେଇଥିଲେ। ଏଥିଲାଗି ପ୍ରତି ସପ୍ତାହରେ ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଲୋକଙ୍କ ଦୁଃଖ ଶୁଣିବାକୁ ବ୍ୟବସ୍ଥା କରାଗଲା। ଜୁଲାଇ ୧ ତାରିଖରେ ଏନେଇ ପ୍ରଥମ ଦରବାର ବସିଥିଲା। ଦୁଇ ଉପମୁଖ୍ୟମନ୍ତ୍ରୀ, ଅଧିକାରୀଙ୍କ ସହ ବସିଥିଲେ ମୁଖ୍ୟମନ୍ତ୍ରୀ। ଏହା ପରେ ଖବରକାରଗଜ ଓ ମିଡିଆରେ ଅନେକ ପ୍ରଶଂସା ବି ସେ ସାଉଁଟିଥିଲେ।  କିନ୍ତୁ ଏହାପର ସୋମବାରକୁ ଅଭିଯୋଗ ଶୁଣାଣି ବନ୍ଦ ରହିଲା। ରଥଯାତ୍ରା ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ ବୋଲି କୁହାଗଲା। ଯେଉଁ ବ୍ୟକ୍ତିମାନେ ଆଶା ବାନ୍ଧିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିଧାସଳଖ କିଛି ଲାଭ ପାଇବେ ତାହା ମଉଳି ଗଲା। ପୁଣି ୧୫ ତାରିଖରେ ସଭା ବସିଲା। ଅନେକ ଆୟୋଜନ ବି ଏଥର ହୋଇଥିଲା। ହେଲେ ତା ପରେ ୨ ସୋମବାର ଅଭିଯୋଗ ଶୁଣାଣି ବନ୍ଦ ରହିଲା। ଅର୍ଥାତ୍‍ ଜୁଲାଇର ୫ ସୋମବାରରୁ ୨ ସେମାବାର ଶୁଣାଣି ହେଲା ଆଉ ୩ ସୋମବାର ଶୁଣାଣି ବନ୍ଦ। 
 
ଅବିକଳ ସେଇ କଥା ଅଗଷ୍ଟରେ ମଧ୍ୟ ଘଟିଛି। ଆଉ ସେପ୍ଟେମ୍ବରରେ ବି ଘଟିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ହ୍ୟାଣ୍ଡଲରେ ସୂଚନା ଦିଆଯାଇଛି। 
ଅଗଷ୍ଟ ମାସରେ ୪ଟି ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ପ୍ରଥମ ସୋମବାରକୁ ଛାଡ଼ିଦେଲେ ଦ୍ୱିତୀୟ. ତୃତୀୟ ଏବଂ ଚତୁର୍ଥ ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଲା। ସରକାରୀ ଛୁଟି ଓ ବିଧାନସଭା ଚାଲିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି ହେବ ବୋଲି ଏହାର କାରଣ ଭାବେ ଦର୍ଶାଯାଇଥିଲା।
 
ଏବେ ସେପ୍ଟେମ୍ବର ଆରମ୍ଭ ହେବାକୁ ଯାଉଥିବା ବେଳେ ସରକାରଙ୍କ ପକ୍ଷରୁ ଅଭିଯୋଗ ଶୁଣାଣି ମାସର ତିନି ସୋମବାର ବନ୍ଦ ରହିବ ବୋଲି ପୂର୍ବ ଘୋଷଣା କରାଯାଇଛି। ସାଧାରଣ ପ୍ରଶାସନ ପକ୍ଷରୁ କୁହାଯାଇଛି,  ଆସନ୍ତା ସେପ୍ଟେମ୍ୱର ୨ତାରିଖ, ୯ତାରିଖ ଏବଂ ସେପ୍ଟେମ୍ୱର ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ସମ୍ପ୍ରତି ସପ୍ତଦଶ  ଓଡ଼ିଶା  ବିଧାନସଭାର ପ୍ରଥମ ଅଧିବେଶନ ଚାଲୁ ରହିଥିବାରୁ ସେପ୍ଟେମ୍ୱର ୨ ତାରିଖ ଏବଂ ସେପ୍ଟେମ୍ୱର ୯ ତାରିଖରେ ନୂଆଖାଇ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ସରକାରୀ ଛୁଟି ଏବଂ ସେପ୍ଟେମ୍ୱର ୧୬ ତାରିଖରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ସରକାରୀ ଛୁଟି ରହୁଛି । ତେଣୁ ଉପରୋକ୍ତ ଦିବସମାନଙ୍କରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ସମ୍ପୂର୍ଣ୍ଣ ତଥୃ୍ୟକୁ ଆଧାର କଲେ ମାସକୁ ଥରେ ହିଁ ବସୁଛି ମୁଖ୍ୟମନ୍ତ୍ରୀଙ୍କ ସାପ୍ତାହିକ  ଜନଶୁଣାଣି। ଏହିକ୍ରମରେ କିପରି ଅଭିଯୋଗ ଶୁଣାଣିକୁ ସରକାର ଧ୍ୟାନ ଦେବେ ତାହାକୁ ନେଇ ପ୍ରଶ୍ନ ଉଠିଛି। ନା ଅଭିଯୋଗ ଶୁଣାଣି ଏକ ପ୍ରଚାରରେ ହିଁ ସୀମିତ ରହିବ?