ଶହେରୁ ଉର୍ଦ୍ଧ୍ଵ କମ୍ପାନୀର ସିଇଓଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2621213

ଶହେରୁ ଉର୍ଦ୍ଧ୍ଵ କମ୍ପାନୀର ସିଇଓଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାର ପ୍ରତି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

ଶହେରୁ ଉର୍ଦ୍ଧ୍ଵ କମ୍ପାନୀର ସିଇଓଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଉତ୍କର୍ଷ ଓଡ଼ିଶା- ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଜନତା ମଇଦାନଠାରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଥିବା ବିଭିନ୍ନ କମ୍ପାନୀର ସିଇଓ ମାନଙ୍କ ସହିତ ସ୍ଵତନ୍ତ୍ର ଭାବେ ଆଲୋଚନା କରିଛନ୍ତି ।  ଏହି ଆଲୋଚନାରେ ଇସ୍ପାତ, ଗ୍ରୀନ ଏନର୍ଜି, ଗ୍ରୀନ ଅମୋନିଆ, ଗ୍ରୀନ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, କେମିକାଲ୍ସ, ସେମିକଣ୍ଡକ୍ଟର, ଆଇଟି, ସିମେଣ୍ଟ ଭଳି କ୍ଷେତ୍ରର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଷ୍ଠିତ କମ୍ପାନୀର ସିଇଓମାନେ ଅଂଶଗ୍ରହଣ କରିଥିଲେ ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବର୍ତ୍ତମାନ ପ୍ରକୃଷ୍ଟ ଅବସର । ଆଜିର ସମୟରେ ଓଡ଼ିଶାର ଜିଡ଼ିପି ଦେଶରେ ସର୍ବୋଚ୍ଚ ସ୍ତରରେ ରହିଛି । ଆଜି ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମକୁ ନେଇ ବହୁ ଉତ୍ସାହିତ ଥିଲେ । ଓଡ଼ିଶା ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ପ୍ରତି ସମର୍ଥନ ରହିଛି ।  ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଷ୍ଟିରେ ଓଡ଼ିଶା ହେଉଛି ସମ୍ଭାବନାର ରାଜ୍ୟ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି ।

ସେ ପୁଣି କହିଥିଲେ, ଓଡ଼ିଶାର ପ୍ରତି ଜିଲ୍ଲାରେ ଆମେ ଶିଳ୍ପ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଛୁ । ଏଥିପାଇଁ ଆମେ ଭିତ୍ତିଭୂମି ବିକାଶ କରୁଛୁ । ରାଜ୍ୟରେ ରେଳପଥ,ସଡ଼କପଥ ଓ ପୋର୍ଟ ସେକ୍ଟରର ବିକାଶ କରାଯାଉଛି । ଯଦ୍ଵାରା କି ଆଜି ମାଲକାନଗିରି ଭଳି ସୀମାନ୍ତ ଅଞ୍ଚଳରେ ମଧ୍ୟ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବାକୁ ଯାଉଛି । ଏହା ସମ୍ପୃକ୍ତ ଅଞ୍ଚଳଗୁଡିକର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବା ସହିତ ଯୁବବର୍ଗଙ୍କୁ ବ୍ୟାପକ ନିଯୁକ୍ତି ପ୍ରଦାନ କରିବ । 

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆମ ସରକାର ମାତ୍ର ସାତ ମାସର ସରକାର ।  କିନ୍ତୁ ଏହି ସାତ ମାସ ମଧ୍ୟରେ ଆମେ ଓଡ଼ିଶାରେ ଜାତୀୟ ସ୍ତରର ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରିଛୁ । ଆଜିର ଏହି ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଉଦ୍ୟୋଗୀମାନଙ୍କୁ ଓଡ଼ିଶାରେ ଅଧିକରୁ ଅଧିକ ପୁଞ୍ଜିନିବେଶ ପାଇଁ ଉତ୍ସାହିତ କରିଛି । ଓଡ଼ିଶା ପ୍ରାକୃତିକ ସମ୍ବଳ ଓ ଖଣିଜ ସମ୍ପଦରେ ଭରପୂର । ଏସବୁର ସଠିକ ଉପଯୋଗରେ ଓଡ଼ିଶା ବିକଶିତ ଭାରତର ଗ୍ରୋଥ ଇଞ୍ଜିନ ହେବ ବୋଲି ମୋଦିଜୀ କହିଛନ୍ତି । ଆପଣ ମାନଙ୍କ ସହଯୋଗରେ ମୋଦିଜୀଙ୍କ ଏହି ଲକ୍ଷ୍ୟ ପୂରଣ ହେବ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସ୍ଵାଗତ ଅଭିଭାଷଣ ରଖି ଅଂଶଗ୍ରହଣକାରୀ ସମସ୍ତ କମ୍ପାନୀ ଗୁଡିକୁ ଓଡ଼ିଶାକୁ ସ୍ଵାଗତ କରି ଉଦ୍ୟୋଗ ସ୍ଥାପନ ନିମନ୍ତେ ସମସ୍ତ ସୁବିଧା ସୁଯୋଗ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି କହିଥିଲେ । ସିଆଇଆଇର ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ ଅଧିବେଶନକୁ ସଂଚାଳନ କରିଥିବାବେଳେ, ପିଡବ୍ଲୁସି (pwc)ର ଅଧ୍ୟକ୍ଷ ସଂଜୀବ କ୍ରିଷନ, କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ। ଶେଷରେ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।

Also Read- Mercury Transit: ୩ ରାଶିକୁ ମିଳିବ ଅପାର ଧନ ! ବୁଧ କରୁଛନ୍ତି ନକ୍ଷତ୍ର ପରିବର୍ତ୍ତନ

Also Read- Sanatani: ସିନେମା ରିଲିଜ୍ ହେଲେ ସୃଷ୍ଟି ହେବ ଦଙ୍ଗା! ସତର୍କ କରାଇଲା ଗୁଇନ୍ଦା ବିଭାଗ