Rathyatra2024: ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ପାରଳାରେ ଅନନ୍ୟ ପରମ୍ପରାରେ ରଥଯାତ୍ରା
Advertisement
Article Detail0/zeeodisha/odisha2325536

Rathyatra2024: ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ପାରଳାରେ ଅନନ୍ୟ ପରମ୍ପରାରେ ରଥଯାତ୍ରା

ଗଜପତି: ଗଙ୍ଗବଂଶୀୟ ପ୍ରାରମ୍ଭ ରାଜତ୍ୱ କାଳରୁ ପାରଳାଖେମୁଣ୍ଡି ଠାରେ ରଥଯାତ୍ରା ପାଳନ ହୋଇଆସୁଛି। ସେହି ସମୟ ଠାରୁ ପାରଳା ରଥଯାତ୍ରାକୁ ଓଡିଶାର ଦ୍ଵିତୀୟ ତଥା ଦକ୍ଷିଣ ଓଡ଼ିଶା ର ଶ୍ରୀକ୍ଷେତ୍ର ବୋଲି ପ୍ରସିଦ୍ଧି ରହିଆସିଛି। ପୃଥିବୀ ପ୍ରସିଦ୍ଧ ପୁରୀ ରଥଯାତ୍ରା ଭଳି ପାରଳାଖେମୁଣ୍ଡି ରଥଯାତ୍ରା ଅବିକଳ ନୀତିନିୟମରେ ବହୁ ପ୍ରାଚୀନ କାଳରୁ ଆଜି ପର୍ଯ

Rathyatra2024: ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ପାରଳାରେ ଅନନ୍ୟ ପରମ୍ପରାରେ ରଥଯାତ୍ରା

Rathyatra2024: ଗଜପତି: ଗଙ୍ଗବଂଶୀୟ ପ୍ରାରମ୍ଭ ରାଜତ୍ୱ କାଳରୁ ପାରଳାଖେମୁଣ୍ଡି ଠାରେ ରଥଯାତ୍ରା ପାଳନ ହୋଇଆସୁଛି। ସେହି ସମୟ ଠାରୁ ପାରଳା ରଥଯାତ୍ରାକୁ ଓଡିଶାର ଦ୍ଵିତୀୟ ତଥା ଦକ୍ଷିଣ ଓଡ଼ିଶା ର ଶ୍ରୀକ୍ଷେତ୍ର ବୋଲି ପ୍ରସିଦ୍ଧି ରହିଆସିଛି। ପୃଥିବୀ ପ୍ରସିଦ୍ଧ ପୁରୀ ରଥଯାତ୍ରା ଭଳି ପାରଳାଖେମୁଣ୍ଡି ରଥଯାତ୍ରା ଅବିକଳ ନୀତିନିୟମରେ ବହୁ ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ପାଳିତ ହୋଇଆସୁଛି । ଆସନ୍ତାକାଲି ଠାରୁ ଏହି ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏନେଇ ତିନିରଥର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଚଳିତ ବର୍ଷ ଅତ୍ୟନ୍ତ ଆକାର୍ଷଣୀୟ ଭାବେ ତିନିରଥକୁ ଖୁବ୍ ସୁନ୍ଦର ଭାବେ ସଜ୍ଜିତ କରାଯାଇଛି । ବହୁ ବର୍ଷ ପରେ ଚଳିତ ବର୍ଷ ମଧ୍ୟ ଗୋଟିଏ ଦିନରେ ତିନି ଠାକୁରଙ୍କ ନବ ଯୌବନ ଦର୍ଶନ ଓ ରଥଯାତ୍ରା ଗୋଟିଏ ଦିନରେ ଅନୁଷ୍ଠିତ ହେଉଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଯୋଗଦେବେ। ତେଣୁ ରଥ ଟଣା ଓ ଯାତ୍ରାର ସଫଳ ରୂପାୟନ ପାଇଁ ଜିଲ୍ଲା ପ୍ରଶାସନ, ଯାତ୍ରା କମିଟି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । 

ଗଜପତି ମହାରାଜାଙ୍କ ପାରଳାଖେମୁଣ୍ଡିର ଗଙ୍ଗବଂଶୀୟ ଗଜପତି ମହାରାଜା ଜଗନ୍ନାଥ ନାରାୟଣ ଦେବ ଜଗନ୍ନାଥମଠ ନିର୍ମାଣ କରି ଯଥାକ୍ରମେ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧାମୂର୍ତ୍ତି ପ୍ରତିଷ୍ଠା କରିଥିଲେ । ଏହା ଆନୁମାନିକ ୧୭୬୭ ଓ ପରବର୍ତ୍ତୀ କିଛି ବର୍ଷ ମଧ୍ୟରେ ହୋଇଥିବା ଗବେଷକ ମତ ଦିଅନ୍ତି । ସେହି ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାରଳାଖେମୁଣ୍ଡିରେ ଜଗନ୍ନାଥ ଚେତନା ଓ ସଂସ୍କୃତିର ପ୍ରଚାରପ୍ରସାର ଆଗେଇ ଚାଲିଛି। ଶ୍ରୀଜଗନ୍ନାଥ ମନ୍ଦିରଟି ପ୍ରଥମେ ମଠ ଆକୃତିରେ ନିର୍ମିତ ହୋଇଥିଲା । ଯାହାକି ବହୁ ପ୍ରାଚୀନ ଅଟେ। ବର୍ତ୍ତମାନ ସେହି ପ୍ରାଚୀନ ମନ୍ଦିରକୁ ଭାଙ୍ଗି ଏକ ନୂତନ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ପାରଳା ଗଜପତି ମହାରାଜାଙ୍କ ପରିବାର ତରଫରୁ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପ୍ରଥମେ ତିନିଟି ରଥ ନିର୍ମାଣ କରାଯାଉଥିଲା। 

କୌଣସି କାରଣରୁ ମଧ୍ୟବର୍ତ୍ତୀ କାଳରେ ତିନିଟି ରଥ ପରିବର୍ତ୍ତେ ଗୋଟିଏ ରଥ ନିର୍ମାଣ କରି ରଥଯାତ୍ରା ହୋଇ ଆସୁଥିଲା । ଜମିଦାରୀ ଉଚ୍ଛେଦ ପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସମୟରେ ପରିଚାଳନା ଗତ ସୁବିଧା ପାଇଁ ରଥଯାତ୍ରାର ଦାୟିତ୍ଵ ସର୍ବସାଧାରଣଙ୍କ ପକ୍ଷରୁ ଗଠିତ କମିଟି ଉପରେ ନ୍ୟସ୍ତ କରିଥିଲେ। କିନ୍ତୁ ମନ୍ଦିର ପରିଚାଳନାର ସମସ୍ତ ଅଧିକାର ରାଜପରିବାର ଅଧୀନରେ ଆଜି ପର୍ଯ୍ୟନ୍ତ ରହି ଆସିଛି। ପରବର୍ତ୍ତୀ ସମୟରେ ପାରଳାରେ ରଥଯାତ୍ରା ସହ ସ୍ଥାନୀୟ ପ୍ରଶାସନ ଯୋଡ଼ି ହେବା ସହ ସବୁବର୍ଗର ଲୋକଙ୍କ ଉପସ୍ଥିତରେ ପ୍ରତିବର୍ଷ ନୂତନ ଭାବେ ଯାତ୍ରା କମିଟି ସମ୍ପ୍ରସାରଣ କରାଯାଇ ନୂତନ ସଭ୍ୟ ଓ ପୁରାତନ ସଭ୍ୟଙ୍କୁ ନେଇ ସୁରୁଖୁରୁରେ ରଥଯାତ୍ରା ପରିଚାଳନା ହୋଇ ଆସୁଛି। ଏଠାକାର ରଥଯାତ୍ରା ପୁରୀ ପରେ ବାରିପଦା ଓ କେନ୍ଦୁଝର ସହ ତୁଳନୀୟ । କେହି କେହି ଏହି ଯାତ୍ରାକୁ ଓଡ଼ିଶାର ଦ୍ବିତୀୟ ବୃହତ୍ତମ ରଥଯାତ୍ରା ଏବଂ ଦକ୍ଷିଣ ଓଡିଶାର ଶ୍ରୀକ୍ଷେତ୍ର ବୋଲି କହନ୍ତି । 

ପୁରୀ ଗଜପତି ତିନିରଥରେ ଛେରାପହଁରା କଲାଭଳି ଏଠାରେ ମଧ୍ୟ ପାରଳାର ଗଜପତି ଛେରାପହଁରା କରନ୍ତି | ବର୍ତ୍ତମାନ ଗଜପତି ରାଜବଂଶର ଦାୟାଦ କଲ୍ୟାଣୀ ଗଜପତି ତିନି ରଥରେ ଛେରା ପହଁରା କାର୍ଯ୍ୟ ତୁଲାଇ ଆସୁଛନ୍ତି. ପ୍ରଥମେ ବଳଭଦ୍ର ଠାକୁରଙ୍କ ରଥ, ପରେ ମା'' ସୁଭଦ୍ରାଙ୍କ ରଥ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ଟଣା ହୋଇ ସେହି ଦିନ ହିଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଥାଏ। ଜଗନ୍ନାଥ ଓ ବଳଭଦ୍ରଙ୍କ ରଥକୁ ପୁରୁଷ ମାନେ ଟାଣୁଥିବା ବେଳେ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣନ୍ତି। ରଥ ଗୁଣ୍ଡିଚାବାଡ଼ିକୁ ଯାତ୍ରା ରାସ୍ତାରେ ଶ୍ରୀଜିଉମାନଙ୍କୁ ପୋଡ଼ପିଠା ଭୋଗ କରାଯିବାର ଏଠାକାର ବିଧି ରହିଛି। ଶ୍ରୀଗୁଣ୍ଡିଚାରେ ଯଥାବିଧି ଠାକୁରମାନ ମାନଙ୍କୁ ଆଡ଼ପ ମଣ୍ଡପକୁ ନିଆଯାଏ । ସେଠାରେ ଠାକୁରମାନଙ୍କୁ ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ରାମ, ବଳରାମ ଆଦି ବିଭିନ୍ନ ବେଶରେ ଅଳଙ୍କୃତ କରି ଭକ୍ତଙ୍କୁ ଦର୍ଶନ ଦେବା ପରମ୍ପରା ରହି ଆସିଛି। ଏକ ନିଆରା ପରମ୍ପରା ନଅ ଦିନର ଯାତ୍ରା ପରେ ବାହୁଡ଼ା ଯାତ୍ରା ହୁଏ। ରାସ୍ତାରେ ଶ୍ରୀଜିଉମାନେ ଏକାଦଶୀ ପାଳ କରନ୍ତି ଓ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏକାଦଶୀ ଓ ସୁନାବେଶ ଦର୍ଶନ ପରେ ପୁଣି ରଥଟଣା ହୋଇ ନିର୍ଦ୍ଧିତ ଶୁଭ ବେଳାରେ ନୀଳାଦ୍ରି ବିଜେ କରନ୍ତି ତିନି ଠାକୁର। ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ପାରଳା ରଥଯାତ୍ରାକୁ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ଦୂରଦୂରାନ୍ତରୁ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ସମାବେଶ ହୁଅନ୍ତି। ଚଳିତ ବର୍ଷର ରଥଯାତ୍ରାକୁ ସମ୍ପୂର୍ଣ ସଫଳ ରୂପାୟନ ଓ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ କାର୍ଯ୍ୟକ୍ରମ ଓ ପଦକ୍ଷେପ ଗ୍ରହଣ କରାଯାଇଛି।