)
ପୁରୀ: ଜଣେ ବିଦେଶୀ ପର୍ଯ୍ୟଟକ ଆଜି ଶ୍ରୀମନ୍ଦିର ନିକଟରେ ପହଞ୍ଚି ଭିତରକୁ ଯିବା ପାଇଁ ଉଦ୍ୟମ କରୁଥିଲେ । ସେହି ସମୟରେ ପୋଲିସ କର୍ମଚାରୀ ତାଙ୍କୁ ଅଟକାଇବାରୁ ସେ ପୋଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିବା ସହ ଆକ୍ରମଣ କରିଥିଲେ । ଜଣେ ସେବାୟତ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଖବର ମିଳିଛି ।
ମିଳିଥିବା ସୂଚନା ମୁତାବକ, ଥୋମାସ୍ କ୍ରେଜ୍ ସେଲଡନ୍ ନାମକ ଜଣେ ବିଦେଶୀ ପର୍ଯ୍ୟଟକ ପୁରୀ ସମୁଦ୍ର ବେଳାଭୂମିରେ ଆଜି ସକାଳେ ନିଶା ଖାଇ ବିଭିନ୍ନ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏ ସମ୍ପର୍କରେ ଥାନାରେ ଖବର ପହଞ୍ଚିବା ପରେ ପୋଲିସ ତାଙ୍କୁ ଅଟକ ରଖିଥିଲା । ସେଲଡନଙ୍କୁ ପଚରା ଉଚରା କରିବା ସହ ଅଣ୍ଡଟେକିଂ ଲେଖିବା ପରେ ତାଙ୍କୁ ଛାଡିଦେଇଥିଲା । କିନ୍ତୁ ମଧ୍ୟାହ୍ନ ସମୟରେ ସେଲଡନ୍ ଶ୍ରୀମନ୍ଦିର ନିକଟରେ ପହଞ୍ଚି ମନ୍ଦିର ଭିତରକୁ ଯିବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସେ ବିଦେଶୀ ପର୍ଯ୍ୟଟକ ହୋଇଥିବା କାରଣରୁ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ତାଙ୍କୁ ଅଟକାଇଥିଲେ । ତାପରେ ସେ ସିଂହଦ୍ୱାର ସମ୍ମୁଖରେ ହଙ୍ଗାମା ମଚାଇଥିଲେ । ଫଳରେ ପୋଲିସ ଉତ୍ୟକ୍ତ ବିଦେଶୀଙ୍କୁ କାବୁ କରିବା ସହ ଥାନାକୁ ନେଇଛି । ଥାନାରେ ପହଞ୍ଚିବା ପରେ ମଧ୍ୟ ପର୍ଯ୍ୟଟକ ଜଣକଙ୍କ ଉତ୍ପାତ କମିନଥିଲା । ସେ ଥାନାର କାଚ ଝରକା ଭାଙ୍ଗିଦେଇଥିବା ଜଣାପଡିଛି । ପୋଲିସ ତାଙ୍କର ପୂର୍ବ ରେକର୍ଡ ଯାଞ୍ଚ କରିବା ସହ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।