ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି
Advertisement
Article Detail0/zeeodisha/odisha2334563

ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଏସମସ୍ତ ଘଟଣା ପ୍ରତି ଦୃଷ୍ଟି ଦେଇ ତାଙ୍କୁ ନ୍ୟାୟ ଦେବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୈକୁଣ୍ଠନାଥ ଦାବି କରିଛନ୍ତି। ତେବେ ଆଜି ମାଡ଼ ମାରିଥିବା ନେଇ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି ବୈକୁଣ୍ଠ। 

ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ୱର: ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ପରେ ଏବେ ଏହି ଘଟଣା ତେଜିବାରେ ଲାଗିଛି। ଘଟଣାକୁ ନେଇ ଏବେ ବିରୋଧୀ ଆକ୍ରାମକ ହୋଇପଡ଼ିଛନ୍ତି। ସରକାରଙ୍କୁ ଚାରିଆଡ଼ୁ ଘେରିବାକୁ ପ୍ରୟାସ ଚଳାଇଛନ୍ତି ବିରୋଧୀ। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି କଂଗ୍ରେସ ରାଜଭବନ ଆଗରେ ଆନ୍ଦୋଳନ କରିଛନ୍ତି। ସେହିପରି ବିଜୁ ଜନତା ଦଳ ମଧ୍ୟ କାର୍ଯ୍ୟାନୁଷ୍ଠାନ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଛି। 

ଏନେଇ ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ କହିଛନ୍ତି କି ମାମଲା ବାବଦରେ ଏତଲା ଦାୟର ହୋଇଛି। ଥାନାରେ ମାମଲା ରହିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ପ୍ରତାପ ଆହୁରି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ରହିଛି। ଅଭିଯୋଗ କୋଠରୀ ମଧ୍ୟ ଖୋଲିଛନ୍ତି। ଲୋକଙ୍କ ଅଭିଯୋଗ ନିଜେ ସିଧାସଳଖ ବୁଝୁଛନ୍ତି। କିନ୍ତୁ ଏଭଳି ଜଣେ ଅଧିକାରୀଙ୍କ ଅଭିଯୋଗକୁ ଅଣଦେଖା ନ କରି ନ୍ୟାୟ ଦିଅନ୍ତୁ ବୋଲି ପ୍ରତାପ କହିଛନ୍ତି। 

ଏଠାରେ କହି ରଖୁ କି ବୈକୁଣ୍ଠ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ବୈକୁଣ୍ଠ ସଂସଦୀୟ ବ୍ୟାପାର ବିଭାଗରେ ନିଯୁକ୍ତ ପାଇଛନ୍ତି ଓ ଡେପୁଟେସନରେ ରାଜଭବନର ହାଉସହୋଲ୍ଡ ସେକ୍ସନରେ ଏଏସଓ (ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ଭାବେ କାର୍ଯ୍ୟରତ ଅଛନ୍ତି। ପୁରୀ ରାଜଭବନରେ ଗତ ୭ତାରିଖ ରାତିରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କର ଅନ୍ୟ ୫ଜଣ ସହଯୋଗୀ ମିଳିତ ଭାବେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗତ ୭ ଓ ୮ ତାରିଖ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ତାଙ୍କର ରାଜଭବନ ରହଣୀର ପ୍ରସ୍ତୁତି ତଦାରଖ ପାଇଁ ସେ(ପୁରୀ ରାଜଭବନର ଇନଚାର୍ଜ ଭାବେ) ଗତ ୫ତାରିଖରୁ ପୁରୀରେ ରହିଥିଲେ। ୭ ତାରିଖରେ ରାଷ୍ଟ୍ରପତିଙ୍କ ଗସ୍ତ ବେଶ ଭଲରେ ସମ୍ପାଦନ ହୋଇଥିଲା।

କିନ୍ତୁ ସେହି ରାତି ପ୍ରାୟ ୧୧ଟା ୪୫ମିନିଟରେ ସେ ରାଜଭବନସ୍ଥିତ ଅଫିସ ରୁମରେ ବସିଥିବାବେଳେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ରୋଷେୟା ଆକାଶ ସିଂ ତାଙ୍କ ପାଖକୁ ଆସି ଲଳିତ କୁମାର ଡାକୁଥିବା କହିଥିଲେ। ଲଳିତଙ୍କୁ ଭେଟିବାକୁ ସେ ଯାଇଥିଲେ କିନ୍ତୁ ତାଙ୍କୁ ଦେଖୁଦେଖୁ ଲଳିତ ଉତକ୍ଷିପ୍ତ ହୋଇ ଅତ୍ୟନ୍ତ ଆଶାଳୀନ ଭାଷାରେ ବଡ଼ ପାଟିରେ ଗାଳିଗୁଲଜ କରିଥିଲେ। ତାଙ୍କର ଏଭଳି ଆଚରଣକୁ ପ୍ରତିବାଦ କରିବାରୁ ଲଳିତ ତାଙ୍କୁ ଚାପୁଡ଼ା ମାରିବା ଆରମ୍ଭ କରିଥିଲେ। ନିଜକୁ ଅସହାୟ ମଣି ସେ ଉକ୍ତ ରୁମରୁ ଦୌଡ଼ି ପଳାଇ ଆସି ଆନେକ୍ସ ବିଲିଡିଂରେ ଲୁଚି ରହିବାକୁ ଚେଷ୍ଟା କରିଥିଲେ।

ମାତ୍ର ଲଳିତଙ୍କର ଦୁଇଜଣ ପିଏସଓ ତାଙ୍କୁ ଖୋଜି ପୁଣିଥରେ ଲଳିତଙ୍କ ପାଖକୁ ଟେକି ନେଇଯାଇଥିଲେ ଆଉ ସେଠାରେ ତାଙ୍କ ମୁହଁକୁ ଚାପୁଡ଼ା ସହ ଶରୀରର ବିଭିନ୍ନ ଭାଗକୁ ଗୋଇଠା ମାରିଥିଲେ ଏବଂ ଲଳିତ ତାଙ୍କୁ ହତ୍ୟା ପାଇଁ ଧମକ ଦେବା ସହ କେହିବି ତାଙ୍କୁ ବଞ୍ଚାଇ ପାରିବେ ନାହିଁ ବୋଲି ଚେତାବନୀ ଦେଇଥିବା ନେଇ ବୈକୁଣ୍ଠନାଥ ଅଭିଯୋଗ କରିଛନ୍ତି। ତେଣୁ ଏସମସ୍ତ ଘଟଣା ପ୍ରତି ଦୃଷ୍ଟି ଦେଇ ତାଙ୍କୁ ନ୍ୟାୟ ଦେବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୈକୁଣ୍ଠନାଥ ଦାବି କରିଛନ୍ତି। ତେବେ ଆଜି ମାଡ଼ ମାରିଥିବା ନେଇ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି ବୈକୁଣ୍ଠ।