)
ଭୁବନେଶ୍ୱର: ମୟୂରଭଞ୍ଜରେ ଏକ ଅଭାବନୀୟ ରାଜନୀତିକ ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟର ସର୍ବବୃହତ ଦଳ ତଥା ୫ ଥର ନିର୍ବାଚନ ଜିତି ନିରଙ୍କୁଶ କ୍ଷମତାରେ ଥିବା ବିଜୁ ଜନତା ଦଳ ପାଖରେ ଏପରି ପ୍ରାର୍ଥୀ ଅଭାବ ଦେଖିବାକୁ ମିଳିଛି। ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାରେ ଗୋଟିଏ ପରିବାରର ଦୁଇଜଣଙ୍କୁ ଦଳ ପ୍ରାର୍ଥୀ କରିଛି। ପୁଣି ସ୍ୱାମୀଙ୍କୁ ସାଂସଦ ଭାବେ ପ୍ରାର୍ଥୀ କରିଥିବାବେଳେ ଦଳ ସ୍ତ୍ରୀଙ୍କ ବିଧାୟକ ଟିକଟ ଦେଇଛି।
ଜେଏମ୍ଏମ୍ ଦଳରୁ ସମର୍ଥକଙ୍କ ସହ ଆସି ବିଜେଡିରେ ମିଶିଥିବା ସୁଦାମ ମାରାଣ୍ଡି ୨୦୧୯ରେ ବାଙ୍ଗିରିପୋଷୀରେ ବିଜେଡିର ବିଧାୟକ ପ୍ରାର୍ଥୀ ହୋଇଥିଲେ। ତାଙ୍କୁ ଏହି ସମୟରେ ଦଳ ଏତେ ଗୁରୁତ୍ୱ ଦେଇଥିଲା ଯେ ସେ ରାଜ୍ୟ କ୍ୟାବିନେଟରେ ମନ୍ତ୍ରୀପଦ ବି ପାଇଥିଲେ। ୨୦୨୪ ନିର୍ବାଚନରେ ଦଳ ତାଙ୍କୁ ମୟୁରଭଞ୍ଜ ଆସନ ଲାଗି ସାଂସଦ ପ୍ରାର୍ଥୀ କରିଛି। ଏଥିଲାଗି ପ୍ରଚାର କାର୍ଯ୍ୟ ବି ଆରମ୍ଭ ହୋଇଗଲାଣି। କିନ୍ତୁ ତାଙ୍କର ପୁରୁଣା ବିଧାନସଭା ଆସନରୁ କିଏ ପ୍ରାର୍ଥୀ ହେବ ସେ ନେଇ ବି ତାଙ୍କର ପ୍ରଭାବ କାଏମ ରହିଛି। ଦଳ ଏଠାରେ ଆଉ କାହାକୁ ପ୍ରାର୍ଥୀ କରିବାକୁ ସାହସ କରିପାରି ନାହିଁ। ଏଣୁ ବିଜେଡି ସୁଦାମଙ୍କ ପତ୍ନୀ ରଞ୍ଜିତାଙ୍କୁ ପ୍ରାର୍ଥୀ କରିଛି।
ଏହାଦ୍ୱାରା ଦଳ ଭିତରେ ଅସନ୍ତୋଷ ପୁଣି ଦାନା ବାନ୍ଧିଛି। ସେହିପରି ଦଳ ଘୋଷଣା କରିଥିବା ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବାରେ ସମର୍ଥ ହୋଇ ନାହିଁ। ବାଙ୍ଗିରିପୋଷୀ ପରା ରଘୁନାଥପଲ୍ଲୀରେ ଦଳ ବର୍ତ୍ତମାନର ବିଧାୟକଙ୍କ ପତ୍ନୀ ଅର୍ଚନାରେଖା ବେହୁରାଙ୍କୁ ପ୍ରାର୍ଥୀ କରି ଗଡ଼ ରକ୍ଷା କରିବ ବୋଲି ଆଶା କରିଛି। ହେଲେ ଏଠାରେ ବିଧରାୟକ ସୁବ୍ରତ ତରାଇଙ୍କ ନାଁ ବିଧାୟକ ତାଲିକାରୁ କଟିବା ସୁନିଶ୍ଚିତ ହୋଇଛି।
ବରି ଆସନ ଲାଗି ବିଜୁ ଜନତା ଦଳ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଟିକଟ ଦେଇଛି। ସେ ଦଳର ଆମଦାନୀ ନେତା। ୨୦୧୯ରେ ବିଜେପି ଟିକଟରେ ସେ ଲଢ଼ି ପରାଜୟ ହୋଇଥିଲେ। ବିଜେଡି ଟିକଟରେ ସୁନନ୍ଦା ଦାସ ତାଙ୍କୁ ପରାସ୍ତ କରିଥିଲେ। ହେଲେ ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ଟିକଟ ଦେଇଛି ଦଳ। ଏ ବିଷୟକୁ ନେଇ ବିଧାୟକ ସୁନନ୍ଦା ଦାସ ଉତ୍କ୍ଷୀପ୍ତ ହୋଇଛନ୍ତି। କୁ-ଚକ୍ରୀ ଗୋଷ୍ଠୀ ଏପରି ଚକ୍ରାନ୍ତ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏପରିକି ବିଜେଡିର ରଣନୀତିକାର ତାଙ୍କଠାରୁ କିଛି ପାଇଥିବେ ବୋଲି ତାଙ୍କୁ ଟିକଟ ଦେଇଥିବା କହିଛନ୍ତି।