ଶ୍ରେଣୀଗୃହ ନାହିଁ ! ଚାଳ ଛପର ଭଙ୍ଗା କୁଡିଆରେ ଗଢା ହେଉଛି ପିଲାଙ୍କ ଭବିଷ୍ୟତ
Advertisement

ଶ୍ରେଣୀଗୃହ ନାହିଁ ! ଚାଳ ଛପର ଭଙ୍ଗା କୁଡିଆରେ ଗଢା ହେଉଛି ପିଲାଙ୍କ ଭବିଷ୍ୟତ

ବାରଣ୍ଡାରେ ଚାଲିଛି ଶିକ୍ଷା ଦାନ। ବର୍ଷା ଖରା ସହି ପାଠ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଲୋବା ପଞ୍ଚାୟତର ତାଲାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହି ଭଳି ଚିତ୍ର ଦେଖିବାକୁ ମିଳିଛି।

ଶ୍ରେଣୀଗୃହ ନାହିଁ ! ଚାଳ ଛପର ଭଙ୍ଗା କୁଡିଆରେ ଗଢା ହେଉଛି ପିଲାଙ୍କ ଭବିଷ୍ୟତ

ଗଜପତି: ବିଦ୍ୟାଳୟ ବାରଣ୍ଡାରେ ଚାଲିଛି ଶିକ୍ଷା ଦାନ। ବର୍ଷା ଖରା ସହି ପାଠ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଲୋବା ପଞ୍ଚାୟତର ତାଲାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହି ଭଳି ଚିତ୍ର ଦେଖିବାକୁ ମିଳିଛି। ପ୍ରଶାସନର ନଜର ଆଢ଼ୁଆଳରେ ରହିଯାଇଥିବା ଏହି ଶିକ୍ଷାନୁଷ୍ଠାନ କୌଣସି ଏକ ପୁରାତନ ଆଶ୍ରମ ପରି ପ୍ରତିତ ହେଉଛି। ସ୍କୁଲ ଘର ଅଭାବ କାରଣରୁ ଗ୍ରାମର ଏକ ଚାଳ ଛପର ଘରେ ପାଠ ପଢ଼ା ଚାଲିଛି । ୧୯୫୯ ମସିହାରେ ତାଲାସାହି ଗ୍ରାମରେ ଏହି ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ଅନେକ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ଗଲେଣି। ହେଲେ ବିଦ୍ୟାଳୟର ଚିତ୍ର ବଦଳିବା ଯେମିତି ସ୍ବପ୍ନ ହୋଇଯାଇଛି। 

ଗୋଟିଏ ପଟେ ଅତ୍ୟାଧୁନିକ ପଦ୍ଧତିରେ ପାଠପଢ଼ା ସୁବିଧା ଯୋଗାଇଦେବା ନିମନ୍ତେ ସରକାର ବିଦ୍ୟାଳୟ ମାନଙ୍କୁ ୫ଟି ରୁପାୟନ କରି ସ୍ମାର୍ଟ କ୍ଳାସ ଓ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥାର ଯୋଜନା କରୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ପ୍ରକୃତ ଯୋଜନାର ବାସ୍ତବ ଚିତ୍ର କିନ୍ତୁ ଓଲଟା ଦେଖିବାକୁ ମିଳିଛି ।‌ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ଏବେ ବି ଏମିତି ରହିଛି ଯେଉଁଠି ଶ୍ରେଣୀ ଗୃହ ଅଭାବରୁ ଛାତ୍ରଛାତ୍ରୀ ବସିବାକୁ ଜାଗା ନାହିଁ । ଅଧିକାଂଶ ବିଦ୍ୟାଳୟରେ ବାରଣ୍ଡାରେ ପାଠ ପଢା ହେଉଛି । ଏବଂ ଅନେକ ଭଙ୍ଗା କୁଡିଆରେ ବସି ପାଠ ପଢୁଛନ୍ତି। ବର୍ଷା ହେଲେ ପାଠ ପଢ଼ା ସମ୍ପୂର୍ଣ୍ଣ ବନ୍ଦ ହେଇଯାଉଥିବା ବେଳେ ଆନୁସାଙ୍ଗିକ ଅଭାବ ଅସୁବିଧାରେ ଭବିଷ୍ୟତ ଗଢା ହେଉଛି ।

ଏହି ବିଦ୍ୟାଳୟ ଉପରେ ଆଖପାଖରେ ଅବସ୍ଥିତ ଭ୍ରମରସିଂ, ତମରେଙ୍ଗ, ମାଧେପୁର ଏବଂ ତାଲାସାହି ଆଦି ଗ୍ରାମର ପିଲାମାନେ ପାଠପଢା ପାଇଁ ନିର୍ଭର କରିଥାନ୍ତି । ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ଅଛନ୍ତି । ତେବେ ପିଲାମାନେ ବସି ପାଠ ପଢ଼ିବାକୁ ଗୋଟିଏ ମାତ୍ର ଶ୍ରେଣୀ ଗୃହ ରହିଥିବା ବେଳେ ଆବଶ୍ୟକୀୟ ଶ୍ରେଣୀ ଗୃହ ନଥିବା କାରଣରୁ ପାଠ ପଢ଼ାରେ ସମସ୍ୟା ଦେଖାଦେଇଛି I

ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଲାଗିରହିଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ଜନ ଅସନ୍ତୋଷ ବୃଦ୍ଧି ପାଇଲାଣି। ପାଞ୍ଚଟି ଶ୍ରେଣୀକୁ ଗୋଟିଏ କୋଠରୀରେ ପାଠ ପଢ଼ାଇବା ସହ ଶିକ୍ଷକ ମାନେ ସ୍କୁଲ ବାରଣ୍ଡା ଓ ଝାଟି ମାଟି କୁଡ଼ିଆକୁ କ୍ଳାସ ରୁମ ଭାବେ ବ୍ୟବହାର କରିଆସୁଛନ୍ତି । ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ବହୁବାର ସ୍ଥାନୀୟ ସରପଞ୍ଚଙ୍କଠାରୁ ଜିଲ୍ଲାପ୍ରଶାସନ ପର୍ଯ୍ୟନ୍ତ ଅଞ୍ଚଳବାସୀ ଗୁହାରି ଜଣାଇଥିଲେ ମଧ୍ଯ କେହି ଶୁଣୁ ନାହାଁନ୍ତି । ବାରମ୍ବାର ଅଭିଯୋଗ ପରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଗ୍ରାମବାସୀ ବାଧ୍ୟହୋଇ ନିଜେ ଶ୍ରମଦାନ କରି ଏକ ଚାଳ ଛପର କୁଡିଆ ଘର ତିଆରି କରିଥିବା କହିଛନ୍ତି । ଏଥି ସହ ସୁରକ୍ଷା ପାଚିରୀ ନାହିଁ, ପରିତ୍ୟକ୍ତ ଅବସ୍ଥାରେ ଶୌଚାଳୟ ରହିଥିବାରୁ ବିପଦ ସଙ୍କୁଳ ଅବସ୍ଥାରେ ରହିଛି ବିଦ୍ୟାଳୟ । ତୁରନ୍ତ ଉକ୍ତ ବିଦ୍ୟାଳୟରେ ଲାଗି ରହିଥିବା ସମସ୍ଯା ସମାଧାନ କରିବା ପାଇଁ ଗ୍ରାମର ପଦ୍ମଚରଣ ଭୂୟାଁ, ଲୋଚନ ମଣ୍ଡଳ, ବାଲାଜୀ ଗମାଙ୍ଗ, ମଞ୍ଜୁଳା ମଣ୍ଡଳ, ମମତା ଭୂୟାଁଙ୍କ ସମେତ ଅଭିଭାବକ, ଗ୍ରାମବାସୀ ଦାବି କରିଛନ୍ତି । 

ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦ୍ୟୁଷ କୁମାର ନାୟକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୋୖଣସି ପ୍ରତିକ୍ରିୟା ମିଳିପାରିନାହିଁ। ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମିକୁ ସୁଦୃଢ ପାଇଁ ସରକାର ଗୁରୁତ୍ବ ଦେଉଥିବା ନେଇ ବାଃ ବାଃ ମାରୁଥିବା ବେଳେ ଗଜପତି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ପ୍ରତି ଚରମ ଅବହେଳା ହେଉଥିବା ପରିଲକ୍ଷିତ ହେଉଛି । ଜିଲ୍ଲା ପ୍ରଶାସନ ସମସ୍ୟା ପ୍ରତି ଯଥା ଶୀଘ୍ର ଦୃଷ୍ଟି ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Also Read- indian economy: ଆସନ୍ତା ସାତ ବର୍ଷ ମଧ୍ୟରେ ୩ ନମ୍ୱରରେ ରହିବ ଭାରତର ଅର୍ଥନୀତି

Also Read- Ollywood news: ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ, ସନଲିସାଙ୍କ ସହ କଥା ହେଲେ କୁନା ତ୍ରିପାଠୀ