Ama Odisha Ama Nabin Scheme: ରାଜ୍ୟରେ ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ 'ଆମ ଓଡ଼ିଶା ନବୀନ ଓଡ଼ିଶା' ଅଭିଯାନ
Advertisement
Article Detail0/zeeodisha/odisha1914191

Ama Odisha Ama Nabin Scheme: ରାଜ୍ୟରେ ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ 'ଆମ ଓଡ଼ିଶା ନବୀନ ଓଡ଼ିଶା' ଅଭିଯାନ

Ama Odisha Ama Nabin Campaign: ପୁରୀ ଏବଂ ନୟାଗଡ ଜିଲ୍ଲାରେ"ଆମ ଓଡ଼ିfଶା ନବୀନ ଓଡ଼ିଶା" ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଯୋଜନା ମାଧ୍ୟମରେ ପୁରୀ ଜିଲ୍ଲାରେ ୧୩୪ କୋଟି ଟଙ୍କା ବ୍ୟୟରେ ୪୧୩୦ ଏବଂ ନୟାଗଡ ଜିଲ୍ଲାରେ ୯୭ କୋଟି  ଟଙ୍କା ବ୍ୟୟରେ ୨୯୨୪ ପ୍ରକଳ୍ପ କାର୍ଯ୍ୟକାରୀ ହେବ।

 

 

 Ama Odisha Ama Nabin Scheme: ରାଜ୍ୟରେ ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ 'ଆମ ଓଡ଼ିଶା ନବୀନ ଓଡ଼ିଶା' ଅଭିଯାନ

Ama Odisha Ama Nabin Mission: ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା "ଆମ ଓଡିଶା ନବୀନ ଓଡିଶା" ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତ୍ୟେକ ପଞ୍ଚାୟତ ସହ ପ୍ରତି ଗାଁ ଗଣ୍ଡା। ଅକ୍ଟୋବର ୧୩ ତାରିଖ ଶୁକ୍ରବାର ରାଜଧାନୀ ଭୁବନେଶ୍ବର ଠାରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ପୁରୀ ଓ ନୟାଗଡ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା। ଏଥିପାଇଁ ପୁରୀ ଜିଲ୍ଲାର ୬ ନିର୍ବାଚନମଣ୍ଡଳୀକୁ ମିଳିଛି ୧୩୪ କୋଟି ଟଙ୍କା ଏବଂ ଯେଉଁଥିରେ ୪୧୩୦ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ସେହିପରି ନୟାଗଡ ଜିଲ୍ଲାର ୪ ନିର୍ବାଚନମଣ୍ଡଳୀ ପାଇଁ ୯୭ କୋଟି ଟଙ୍କା ଏବଂ ଯେଉଁଥିରେ ୨୯୨୪ ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗ୍ରାମରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡ଼ିଆ ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ପାଇଁ ନୂଆ ଓଡିଶା ତାହାର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ। ଆମେ ଗଢିବା "ନୂଆ ଓଡିଶା ନବୀନ ଓଡିଶା। "

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏହି ଯୋଜନାରେ ସଂସ୍କୃତି ସହିତ ଆଧୁନିକତାର ହେବ ସମନ୍ବୟ। ଏହି ସମନ୍ବୟରେ ଗାଁ ଗଣ୍ଡାରେ ଆସିବ ସମୃଦ୍ଧି। ଏହା ହେଉଛି ଏକବିଂଶ ଶତାଦ୍ଦୀର ଓଡ଼ିଶା ପାଇଁ ଆମର ସଂକଳ୍ପ। ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଭୂମି। ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବନା, ସମାନତା, ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା। ଜାତି, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗଣ୍ଡାରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧରଙ୍କ ଲାଗିଲ ଆମ ସଂସ୍କୃତି ଏବଂ ଐତିହ୍ୟ ସ୍ଥଳୀର ସଂରକ୍ଷଣ ସହିତ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାଁ ଗଣ୍ଡାରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଗ୍ରାମରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ। ବିଜ୍ଞାନ ପାର୍କ ହେବ। ଦକ୍ଷତା ବିକାଶ କେନ୍ଦ୍ର ହେବ। Works hub ହେବ। ବ୍ୟାଙ୍କିଂ ସୁବିଧା ମିଳିପାରିବ। ଏହି କାର୍ଯ୍ୟକ୍ରମରେ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ମଧ୍ୟ ସାମିଲ ହେବ। ଯାହା ଆମର ଯୁବ ସମାଜ ପାଇଁ, ମାଆଙ୍କ ପାଇଁ, ଚାଷୀ ଭାଇ ଭଉଣୀଙ୍କ ପାଇଁ, ଛାତ୍ରଛାତ୍ରୀଙ୍କ ପାଇଁ ଅମାପ ସୁଯୋଗ ଆଣିବ। ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡ଼ିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ। ଏହି ନୂଆ ଓଡ଼ିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। "ଆମ ଓଡ଼ିଶା ନବୀନ ଓଡିଶା" କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। 

ଆଜିର କାର୍ଯ୍ୟକ୍ରମ ପାଇଁ ପୁରୀ ଜିଲ୍ଲାର ୬ ଏବଂ ନୟାଗଡ଼ ଜିଲ୍ଲାର ୪ ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ଆମ ଓଡି଼ଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ୬ ନିର୍ବାଚନମଣ୍ଡଳୀର ୨୬୮ ଗ୍ରାମ ପଞ୍ଚାୟତର ୪୧୩୦ ପ୍ରକଳ୍ପ ପାଇଁ ୧୩୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ନୟାଗଡ଼ ଜିଲ୍ଲାର ୪ ନିର୍ବାଚନମଣ୍ଡଳୀର ୧୯୪ ଗ୍ରାମ ପଞ୍ଚାୟତର ୨୯୨୪ ପ୍ରକଳ୍ପ ପାଇଁ ୯୭ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହି କାର୍ଯ୍ୟକ୍ରମକୁ ୫ଟି ସଚିବ ଭି.କେ. ପାଣ୍ଡିଆନ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ସମୀର ରଞ୍ଜନ ଦାଶ, ବିଧାୟକ ରୁଦ୍ରପ୍ରତାପ ମହାରଥୀ, ବିଧାୟକ ଉମାକାନ୍ତ ସାମନ୍ତରାୟ, ଜିଲ୍ଲାପରିଷଦ ସଭାପତି, ସଦସ୍ୟ ଗଣ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗଣ୍ଡାରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ। ନୟାଗଡ ଜିଲ୍ଲା ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ସତ୍ୟନାରାୟଣ ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ଅରୁଣ କୁମାର ସାହୁଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ ଯୋଗ ଦେଇ ମତାମତ ରଖିଥିଲେ। ୫ଟି ସଚିବଙ୍କ ଗସ୍ତ କାରଣ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି଼ ରହିଥିବା ସମସ୍ୟା ମଧ୍ୟ ଦୂର ହୋଇଛି ବୋଲି ସେମାନେ କହିଥିଲେ। 

ତାଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପାଇଁ ଯେଉଁ ଯେଉଁ ପ୍ରକଳ୍ପ ସବୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି, ସେ ସମ୍ପର୍କରେ ୫ଟି ସଚିବ ଭି.କେ ପାଣ୍ଡିଆନ ସୂଚନା ଦେଇଥିଲେ। "ଆମ ଓଡିଶା, ନବୀନ ଓଡିଶା" କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଏବଂ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ, ଲିଙ୍ଗରାଜ  ମନ୍ଦିର ଏକାମ୍ର  ପ୍ରକଳ୍ପ, ତାଳଦଣ୍ଡା କେନାଲ ଆଦି ପ୍ରମୁଖ ରୂପାନ୍ତର କାର୍ଯ୍ୟକ୍ରମର  ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଏହି ରୂପାନ୍ତର ନବୀନ ଓଡିଶାର ଗୋଟିଏ ଗୋଟିଏ ନମୁନା ବୋଲି ୫ଟି ସଚିବ ମତ ଦେଇଥିଲେ। ଏହାକୁ ସମସ୍ତେ ସ୍ବଚ୍ଛତାର ସହ ଏବଂ ଠିକ୍‌ ସମୟରେ ଶେଷ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ।