Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha1868848

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର ।

ସୌ(ସୋସିଆଲ ମିଡିଆ)

Odisha Morning Top 10 News Headlines: ୨୦୨୫ରେ ବାଲିକୁ ଯାତ୍ରା: ୨୦୨୫ ବାଲିଯାତ୍ରାରେ ସମୟରେ କଟକରୁ ଇଣ୍ଡୋନେସିଆ ବାଲି ଯାଏଁ ଆରମ୍ଭ ହେବ ନୌବାଣିଜ୍ୟ ଯାତ୍ରା । ମହାନଦୀ ପଠା ସହ ପାରମ୍ପରିକ ସାମୁଦ୍ରିକ ରାସ୍ତାରେ ଏହି ନୌବାଣିଜ୍ୟ ଯାତ୍ରା କରାଯିବ । ଏଥିଲାଗି ଭାରତୀୟ ବଣିକମାନେ ବ୍ୟବହାର କରୁଥିବା ପାରମ୍ପରିକ ଡଙ୍ଗାକୁ ବ୍ୟବହାର କରାଯିବ। ଭାରତୀୟ ନୌବାହିନୀ ଏହାକୁ ବିକଶିତ କରୁଛନ୍ତି। ଏହାର ପ୍ରଥମ ଅଧ୍ୟାୟ ସ୍ୱରୂପ ଆଜିଠାରୁ ‘କୀଲ’ ପ୍ରତିଷ୍ଠା ହେବ। ଏନେଇ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତିକ ପରାମର୍ଶଦାତା ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲ୍‍ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି।

ଆଜିଇଣ୍ଡିଆ’ ବୈଠକ: ଆଜି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବୈଠକ ଅନୁଷ୍ଠିତ ହେବ। ଏଥିରେ ଆସନ ବଣ୍ଟନ ସମ୍ପର୍କରେ ବୁଝାମଣା ହୋଇପାରେ ବୋଲି ଆପ୍‍ ଏମ୍‍ପି ରାଘବ ଚଢ଼ା ସୂଚନା ଦେଇଛନ୍ତି। କଂଗ୍ରେସ ଓ ଆପ୍‍ ଭିତରେ ହରିୟାଣା ଓ ଦିଲ୍ଲୀରେ ଆସନ ବୁଝାମଣା ଏଥିରେ ହୋଇପାରେ। ଗତକାଲି ଆପ୍‍ର ସଂଗଠନ ମହାସଚିବ ହରିୟାଣାରେ ଦଳ ଏକୁଟିଆ ଲଢ଼ିବ ବୋଲି ସୂଚନା ଦେଇଥିଲେ। ଆାଜିର ବୈଠକ ଏନ୍‍ସିପି ପ୍ରତିଷ୍ଠାତା ଶରଦ୍‍ ପାଓ୍ୱାରଙ୍କ ଦିଲ୍ଲୀ ବାସଭବନରେ ଅନୁଷ୍ଠିତ ହେବ।

କେରଳରେ ପୁଣିଥରେନିପା’ ଆତଙ୍କ:  କେରଳରେ ପୁଣିଥରେ ଦେଖିବାକୁ ମିଳିଛି ନିପା ଭୂତାଣୁ ଆତଙ୍କ । ପାଞ୍ଚ ବର୍ଷ ଭିତରେ ତୃତୀୟ ଥର ଅଟେ । ଚାରି ଜଣଙ୍କ ନମୂନାରେ ନିପା ଭୂତାଣୁ ନିଶ୍ଚିତ କରାଯିବା ପରେ ଏବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଛି। ୧୬ଟି କୋର୍‍ ଟିମ୍‍ ଗଠନ କରାଯାଇ ନିର୍ଦ୍ଧାରିତ ପ୍ରୋଟକଲ ଅନୁସାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି। ୨୦୧୮ ମସିହାରେ ପ୍ରଥମେ ଏହି ଭୂତାଣୁ କେରଳରେ ଚିହ୍ନଟ କରାଯାଇଥିଲା, ଯେଉଁଥିରେ ୧୭ ଜଣଙ୍କ ଜୀବନ ଯାଇଥିଲା। ସେହିପରି ୨୦୨୧ ମସିହାରେ ଏହି  ଭୂତାଣୁ ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏସିଆ କପ୍ଫାଇନାଲ୍ରେ ଭାରତ: କଲମ୍ବୋରେ ଖେଳାଯାଇଥିବା ସୁପର-୪ର ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ୪୧ ରନରେ ପରାସ୍ତ କରିଛି ଟିମ୍ ଇଣ୍ତିଆ । ଏହି ବିଜୟ ସହ ଆସନ୍ତା ସେପ୍ଟେମ୍ବର ୧୭ରେ ହେବାକୁ ଥିବା ଏସିଆ କପ୍‍-୨୦୨୩ ଫାଇନାଲ୍‍ ମ୍ୟାଚ୍‍ ଲାଗି ଭାରତ ଯୋଗ୍ୟ ହୋଇଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ କ୍ରମାଗତ ଦୁଇ ଦିନରେ ପାକିସ୍ତାନ ଓ ପରେ ଶ୍ରୀଲଙ୍କାକୁ ପରାସ୍ତ କରିପାରିଛି।

ଲାଲୁଙ୍କ ବିରୁଦ୍ଧରେ ସିବିଆଇ ମାମଲାକୁ ଅନୁମତି: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଲାଲୁପ୍ରସାଦ ଯାଦବ ପୁଣିଥରେ ସିବିଆଇ ମାମଲାରେ ଫଶିଛନ୍ତି। ‘ଚାକିରି ପାଇଁ ଜମି’ ଦୁର୍ନୀତି ମାମଲାରେ ତାଙ୍କ ବିରୁଦ୍ଧରେ ମାମଲା ଆରମ୍ଭ କରିବାକୁ ସିବିଆଇ ସବୁଜ ସଙ୍କେତ ପାଇଥିବା କହିଛି। ଗୃହ ମନ୍ତ୍ରଣାଳୟ ସିବିଆଇକୁ ଏହି ଅନୁମତି ପ୍ରଦାନ କରିଛି।

ଦେଶଦ୍ରୋହ ମାମଲାର ବିଚାର କରିବ ସୁପ୍ରିମକୋର୍ଟ:  ବହୁ ଚର୍ଚ୍ଚିତ ଦେଶ ଦ୍ରୋହ ମାମଲା କେତେ ଯଥାର୍ଥ ତାହାକୁ ବିଚାର କରିବେ ସୁପ୍ରିମ୍‍ କୋର୍ଟ। ଆଇପିସିର ଧାରା ୧୨୪ ଏ ଅନୁସାରେ ଏହି ଆରୋପ ପୋଲିସ ଲଗାଇଥାଏ। କିନ୍ତୁ ଏହାର ଅପବ୍ୟବହାର ହେଉଥିବା ନେଇ କୋର୍ଟଙ୍କ ଧ୍ୟାନ ଆକର୍ଷଣ କରାଯାଇଥିଲା। ସୁପ୍ରିମ କୋର୍ଟ ଏ ମାମଲାରେ ସରକାରଙ୍କ ପକ୍ଷ ଜାଣିବାକୁ ଚାହିଁଥିଲେ। ସରକାର ନୂତନ ଭାରତ ନ୍ୟାୟ ସଂହିତାକୁ ଅପେକ୍ଷା କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ। ହେଲେ କୋର୍ଟ ସରକାରଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏକ ପାଞ୍ଚଜଣିଆ ଖଣ୍ଡପୀଠକୁ ଏହାର ବିଚାର ଦାୟିତ୍ୱ ଦେଇଛନ୍ତି।

ଆଜିଠୁ ଲଘୁଚାପ ବର୍ଷା: ଆଜି ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଆଜି ପାଇଁ ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଆଦି ୬ଟି ଜିଲ୍ଲାକୁ ସତର୍କ କରାଯାଇଛି। ଏସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି କେନ୍ଦ୍ରୀୟ ଓଡ଼ିଶାର ଅନୁଗୁଳ, ନୟାଗଡ଼, କଟକ, ଢେଙ୍କାନାଳ, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ସୋନପୁର ପ୍ରଭୃତି ୮ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଶଙ୍କା ରହିଛି।

ଡାକ୍ତର ନିଯୁକ୍ତି ପର୍ବ: ଶ୍ରମ ଓ ଇଏସ୍‍ଆଇ ବିଭାଗ ଦ୍ୱାରା ପରିଚାଳିତ ହସ୍‍ପିଟାଲରେ ୪୫ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର। ଏନେଇ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିକ ନିଯୁକ୍ତି ପର୍ବରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଏନେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାର ଲକ୍ଷ୍ୟ ହେଉଛି ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା। ଏହାକୁ ହାସଲ କରିବାରେ ନବ ନିଯୁକ୍ତ ଡାକ୍ତରମାନେ ବ୍ରତୀ ରହିବେ। ଏହି ବିଭାଗ ଅଧୀନରେ ଆହୁରି ୫ଟି ହସ୍‍ପିଟାଲ୍‍କୁ ସଂଯୋଗ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ରାଜ୍ୟରେ ସ୍କ୍ରବ ଟାଇଫସ୍ଜ୍ୱର: ଚାଷବାସ ହେଉ ବା ଅନ୍ୟ କାର୍ଯ୍ୟ ପାଇଁ ବିଲକୁ ଯାଉଥିବା ଲୋକଙ୍କୁ ସ୍କ୍ରବ୍‍ ଟାଇଫସ୍‍ ଜ୍ୱର ହେବାର ଆଶଙ୍କା ରହିଛି। ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼ ପରେ ଏବେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏପରି ଜ୍ୱର ଚିହ୍ନଟ କରାଯାଇଛି। ଏକ ପ୍ରକାର କୀଟ କାମୁଡ଼ିବା ଦ୍ୱାରା ଏହି ଜ୍ବର ହୋଇଥାଏ। ପୁଣି ଶରୀରର ଯେଉଁ ସ୍ଥାନକୁ ଏହି କୀଟ କାମୁଡେ଼, ସେଠାରେ ଚର୍ମ ଅକାମୀ ( ସ୍କିନ୍‍ ଡେଡ୍‍) ହୋଇଯାଏ।  ଏପରି ହେଲେ ତୁରନ୍ତ ତାହାର ପରୀକ୍ଷା କରାଇ ସାଧାରଣ ଆଣ୍ଟିବାୟୋଟିକ୍‍ ଦ୍ୱାରା ଚିକିତ୍ସା କରାଯାଇପାରିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। 

୪୦ ପ୍ରତିଶତ ଏମ୍ପି ଦାଗୀ: ଦେଶର ମୋଟ୍‍ ୭୬୩ ଜଣ ସାଂସଦଙ୍କ ମଧ୍ୟରୁ ୪୦% ଅର୍ଥାତ୍‍ ୩୦୬ ଜଣଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ରହିଛି । ପୁଣି ୨୫% ସାଂସଦ ଅର୍ଥାତ୍‍ ୧୯୪ ଜଣ ସାଂଘାତିକ ଅପରାଧିକ ମାମଲାରେ ଜଡ଼ିତ ଥିବାବେଳେ ୨୧ଜଣ ମହିଳା ବିରୋଧି ହିଂସା ମାମଲାରେ ସମ୍ପୃକ୍ତ ରହିଛନ୍ତି। ଲୋକସଭାର ୫୩୮ ଜଣ ସାଂସଦଙ୍କ ମଧ୍ୟରୁ ୨୩୨ ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଥିବାବେଳେ ରାଜ୍ୟସଭାର ୨୨୫ ଜଣ ସାଂସଦଙ୍କ ମଧ୍ୟରୁ ୭୪ ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଥିବା ଆସୋସିଏସନ୍‍ ଫର ଡେମୋକ୍ରାଟିକ୍‍ ରିଫର୍ମ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି।