Gajapati News Today: ଜିଲ୍ଲାରେ ବଢୁଛି ଚନ୍ଦନ ଗଛ ଚୋରାଚାଲାଣ, ଚୋରି କରୁଥିବା ବେଳେ ୩ ଦୁର୍ବୃତ୍ତଙ୍କୁ ଧରିଲେ ଗ୍ରାମବାସୀ
Advertisement
Article Detail0/zeeodisha/odisha1782558

Gajapati News Today: ଜିଲ୍ଲାରେ ବଢୁଛି ଚନ୍ଦନ ଗଛ ଚୋରାଚାଲାଣ, ଚୋରି କରୁଥିବା ବେଳେ ୩ ଦୁର୍ବୃତ୍ତଙ୍କୁ ଧରିଲେ ଗ୍ରାମବାସୀ

Gajapati Latest News: ଗଜପତି ଜିଲ୍ଲାରେ ବଢୁଛି ଚନ୍ଦନ ଗଛ ଚୋରା ଚାଲାଣ ଘଟଣା। ସଦ୍ୟ ଜିଲ୍ଲାର ରାଜପୁର ଗ୍ରାମ୍ୟ ଜଙ୍ଗଲରେ ଚନ୍ଦନ ଗଛ କାଟି ଚୋରି କରୁଥିବା ବେଳେ ୩ ଜଣ ଦୁର୍ବୃତ୍ତଙ୍କୁ ଧରିଛନ୍ତି ଗ୍ରାମବାସୀ।

Gajapati News Today: ଜିଲ୍ଲାରେ ବଢୁଛି ଚନ୍ଦନ ଗଛ ଚୋରାଚାଲାଣ, ଚୋରି କରୁଥିବା ବେଳେ ୩ ଦୁର୍ବୃତ୍ତଙ୍କୁ ଧରିଲେ ଗ୍ରାମବାସୀ

Sandalwood Tree Smuggling in Gajapati: ଗଜପତି ଜିଲ୍ଲାରେ ଲୋପ ପାଇବାକୁ ବସିଛି ବିରଳ ଚନ୍ଦନ ଗଛ। କୋର୍ଟ ପରିସର ହେଉ କିମ୍ବା ସଂରକ୍ଷିତ ଥିବା ଜଙ୍ଗଲ ସବୁଠି କଟା ହେଉଛି ଚନ୍ଦନ ଗଛ। ଦିନ ପ୍ରତିଦିନ ଚନ୍ଦନ ଗଛ ଚୋରି ସଂଖ୍ୟା ବୃଦ୍ଧି ପାଉଥିବାରୁ ଏବେ ଏହା ବିଲୁପ୍ତପ୍ରାୟ ଅବସ୍ଥା ଆଡକୁ ମୁହାଁଉଛି। ଜଙ୍ଗଲରେ ରହିଥିବା ଚନ୍ଦନ ଗଛର ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଅଭାବରୁ ସ୍ପଷ୍ଟ ଦିବା ଲୋକରେ ସକ୍ରିୟ ହୋଇଉଠିଛନ୍ତି ଜଙ୍ଗଲ ମାଫିଆ। 

ଶୁକ୍ରବାର ସଂଧ୍ୟାରେ ଗଜପତି ଜିଲ୍ଲା (Gajapati District) ମୋହନା ଥାନା (Mohana Police Station) ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ ପଞ୍ଚାୟତର ରାଜପୁର ଜଙ୍ଗଲରେ (Rajpur Village Forest) ବାଲିପଙ୍କ ଗ୍ରାମର ୩ ଜଣ ଦୁର୍ବୃତ୍ତ ଚନ୍ଦନ ଗଛ କାଟୁଥିବା ଦେଖିବାକୁ ପାଇଥିଲେ ରାଜପୁର ଗ୍ରାମବାସୀ (Rajpur Village Gajapati)। ସେମାନଙ୍କ ମିଳିତ ଉଦ୍ୟମରେ ସେହି ଦୁର୍ବୃତ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ ସେମାନେ। ଗ୍ରାମବାସୀଙ୍କ ଦ୍ୱାରା ଧରା ପଡ଼ିଥିବା ଦୁର୍ବୃତ୍ତ ରାଜପୁର ଜଙ୍ଗଲରେ ଚନ୍ଦନ ଗଛ (Sandalwood Tree Cutting in Gajapati) କାଟୁଥିଲେ। ସେମାନଙ୍କ ଠାରୁ ଗଛ କାଟିବା ପାଇଁ ବ୍ୟବହୃତ ହେଉଥିବା ଛୋଟ କରତ, ଗୋଟିଏ ବାଇକ ସହ କଟା ଯାଉଥିବା ଚନ୍ଦନ ଗଛକୁ ଜବତ କରିଥିଲେ। ଚନ୍ଦନ ଗଛ କାଟୁଥିବା ଦୁର୍ବୃତ୍ତଙ୍କୁ ଗ୍ରାମବାସୀ ଅଟକ ରଖିବା ସହ ଏହି ଘଟଣା ବାବଦରେ ବନ ବିଭାଗକୁ ଅବଗତ କରାଇଥିଲେ। 

ହେଲେ ବନବିଭାଗ ପହଞ୍ଚିବା (Forest Department Gajapati) ପୁର୍ବରୁ ମୋହନା ପୋଲିସ (Mohana Police) କୌଣସି ସୂତ୍ରରୁ ଖବର ପାଇ ସେହି ଦିନ ରାତି ସମୟରେ ରାଜପୁର ଗ୍ରାମରେ ପହଞ୍ଚି ସେହି ୩ ଜଣଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା। ଗତକାଲି ଅପରାହ୍ନ ପର୍ଯ୍ୟନ୍ତ ସେହି ୩ ଦୁର୍ବୃତ୍ତଙ୍କ ବିରୋଧରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବାରୁ ପୋଲିସ କୁଆଡେ ସେମାନଙ୍କୁ ଛାଡି ଦେଇଥିବାର ଜାଣିବାକୁ ପାଇଥିଲେ ଗ୍ରାମବାସୀ। ଏହା ପରେ ଗ୍ରାମବାସୀ ପୋଲିସ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ (Gajapati District Police) ଏବଂ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀଙ୍କୁ (Chandragiri Forest Officer) ଘଟଣା ସମ୍ପର୍କରେ ଜଣାଇଥିଲେ। 

ଗତକାଲି ରାତି ପର୍ଯ୍ୟନ୍ତ ସେହି ୩ ଜଣ ଦୁର୍ବୃତ୍ତଙ୍କୁ ଥାନା ଅଟକ ରଖା ଯାଇଥିବା ବେଳେ ତଦନ୍ତ ଜାରି ରହିଛି ଏବଂ ବନ ବିଭାଗକୁ ଏହି କେସ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏନେଇ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ସୁବାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଅଦ୍ୟାବଧି ଘଟଣା ସମ୍ପର୍କରେ ବନ ବିଭାଗ ପାଖକୁ କୌଣସି ଖବର ଆସିନାହିଁ। ଯଦି ଘଟଣା ସମ୍ପର୍କରେ ଜଣାପଡେ ତାାହଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବନାଞ୍ଚଳ ଅଧିକାରୀ।

ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ (Paralakhemundi Forest Division) ଚନ୍ଦ୍ରଗିରି ବନାଞ୍ଚଳ (Chandragiri Forest Range) ଅଧିନରେ ଅବସ୍ଥିତ ରାଜପୁର ଗ୍ରାମ୍ୟ ଜଙ୍ଗଲରେ କେଉଁ ଆବାହମାନ କାଳରୁ ଗଛିତ ଚନ୍ଦନ ବଣ (Sandalwood Tree Forest Gajapati) ରହିଛି। ଚନ୍ଦନ ଗଛ ସହ ବହୁ ମୂଲ୍ୟବାନ ବୃକ୍ଷକୁ ଗ୍ରାମବାସୀ ନିଜ ଉଦ୍ୟମରେ ରକ୍ଷଣା ବେକ୍ଷଣ କରିଆସୁଥିବା ବେଳେ ବନବିଭାଗ ପକ୍ଷରୁ ଗ୍ରାମରେ ବନ୍ୟ ସୁରକ୍ଷା ସମିତି (Village Forest Protection Committee Rajpur) ଗଠନ କରାଯାଇଛି। ଏହା ମଧ୍ୟରେ ଗ୍ରାମବାସୀ ପୂର୍ବରୁ ଅନେକ ଥର ଏଭଳି ଚନ୍ଦନ ଗଛ ଚୋରି ହେବା ସମୟରେ ଚୋରକୁ ଧରି ବନ ବିଭାଗ ହାତରେ ଦେଇଥିଲେ। ହେଲେ ଧରାପଡ଼ିଥିବା ଦୁର୍ବୃର୍ତ୍ତ କିଛି ଦିନ ଜେଲ ଯିବାର କିଛି ମାସ ପରେ ମୁକୁଳି ଯାଇଥିଲେ। ହେଲେ ବିଗତ କିଛି ବର୍ଷ ହେବ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି ଚନ୍ଦନ ଗଛ ଚୋରା ଚାଲାଣକାରୀ (Sandalwood Tree Smuggler in Gajapati)। 

ଯାହା ଫଳରେ ବିଗତ ପାଞ୍ଚ ବର୍ଷ ଅପେକ୍ଷା ବର୍ତ୍ତମାନ କେବଳ ହାତ ଗଣତି ଚନ୍ଦନ ଗଛ ରାଜପୁର ଜଙ୍ଗଲରେ ରହିଛି। ବାହାର ରାଜ୍ୟରେ ବିକ୍ରି କରିବା ସହ ଅଧିକ ଅର୍ଥ ଉପାର୍ଜନ ଲକ୍ଷରେ ଛୋଟ ହେଉ କିମ୍ବା ସାମାନ୍ୟ ବଡ଼ ଚନ୍ଦନ ଗଛକୁ କାଟି ନେଇ ଯାଉଛନ୍ତି ଜଙ୍ଗଲ ମାଫିଆ। ଅଧିକାଂଶ ସ୍ଥାନରେ ଚେର ମୂଳ ଖୋଳି ସଫା କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଚନ୍ଦନ ଗଛ କାଟି ନେଉଥିବା ଚୋରଙ୍କୁ ଗିରଫ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ରାଜପୁର ଗ୍ରାମବାସୀ। ଏହା ସହିତ ବନବିଭାଗ ଦ୍ୱାରା ସ୍ବତନ୍ତ୍ର ଦୃଷ୍ଟି ଦେବା ସହ ବଞ୍ଚି ରହିଥିବା ଚନ୍ଦନ ଗଛର ରକ୍ଷଣା ବେକ୍ଷଣ କରିବା ଦିଗରେ ଆଗୁଆ ପଦକ୍ଷେପ ନେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।