Political News: ଛାୟା ସରକାରକୁ ନେଇ ରାଜନୀତି
Advertisement
Article Detail0/zeeodisha/odisha2341859

Political News: ଛାୟା ସରକାରକୁ ନେଇ ରାଜନୀତି

ସେହିପରି ବିରୋଧୀ ଦଳ ନେତାଙ୍କ ଚିଠିର ମୁଖ୍ୟମନ୍ତ୍ରୀ ତୁରନ୍ତ ଜବାବ ଦେବା ରାଜ୍ୟରେ ଏକ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ପ୍ରତିଷ୍ଠା କରିଛି, ଯାହାକୁ ବଜାୟ ରଖିବା ଦରକାର।

Political News: ଛାୟା ସରକାରକୁ ନେଇ ରାଜନୀତି

ଜନମତକୁ ସମ୍ମାନ ଦେବା ଶିଖୁ ବିଜେଡି: ବାବୁ ସିଂ
ଛାୟା ସରକାର ଷ୍ଟ୍ରାଟେଜିରେ ବିଜେଡି ଦଳୀୟ ବିଧାୟକଙ୍କୁ ବିଭାଗ ବଣ୍ଟନ କରିବାକୁ ନେଇ ସମାଲୋଚନା କରିଛି ବିଜେପି। ଏକାମ୍ର ବିଧାୟକ ବାବୁ ସିଂ ବିଜେଡିକୁ କଟାକ୍ଷ କରି କହିଛନ୍ତି, ଲୋକେ ତାଙ୍କୁ କ୍ଷମତାରୁ ବାହାର କରିସାରିଛନ୍ତି, ତଥାପି ସେମାନେ ଭାବୁଛନ୍ତି ଆଜି ସରକାରରେ ଅଛନ୍ତି। ସରକାର ବିଭାଗ ବଣ୍ଟନ କରନ୍ତି ବିରୋଧୀ ଦଳ ନୁହେଁ, ଲୋକେ ଭୁଲ୍‍ ଠିକ୍‍ ନିର୍ଦ୍ଧାରଣ କରନ୍ତି। ବିରୋଧୀ ଦଳ ଯଦି କ୍ଷମତାରେ ରହିବା ପାଇଁ ଏତେ ବ୍ୟାକୁଳ, ତେବେ ନିର୍ବାଚନ ଯାଏ ଅପେକ୍ଷା କରନ୍ତୁ ବୋଲି କହିଛନ୍ତି ବାବୁ ସିଂ। ଏକାମ୍ର ବିଧାୟକ  ବାବୁ ସିଂ ଆହୁରି କହିଛନ୍ତି, ଏବେ ବିରୋଧୀ ଦଳରେ ଥିବା ବିଜେଡିର ଯେହେତୁ ସରକାରରେ ରହିବାର ହ୍ୟାଙ୍ଗ ଓଭର ଯାଇନି, ସେଥିପାଇଁ ଦଳ ପକ୍ଷରୁ ଏଭଳି ବିଭାଗ ବଣ୍ଟନର କରାଯାଇଛି। ଲାଗୁଛି ବିଜୁ ଜନତା ଦଳର ଛାୟା କେନ୍ଦ୍ର ସାଜିଥିବା ତାମିଲ ବାବୁଙ୍କ ନିର୍ଦ୍ଦେଶରେ ଏ ସବୁ ହେଉଛି। ବିଜେଡିକୁ ଲୋକେ ସରକାରରୁ ବାହାର କରି ଦେଇଛନ୍ତି, ସେଥିପାଇଁ ସେମାନେ ବିରୋଧୀ ଦଳର ଭୂମିକାକୁ ସଠିକଭାବେ ନିର୍ବାହ କରନ୍ତୁ। ସରକାରର ହ୍ୟାଙ୍ଗ ଓଭରରୁ ଦୂରେଇ ରୁହନ୍ତୁ। ଜନସାଧାରଣ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହାକୁ ସରକାର ପୂରା କରିବେ। ଏହାସହ ବାବୁ ସିଂ କହିଛନ୍ତି, ନୂଆ ସରକାର ଆସିବା ଦିନଠାରୁ ଯେଉଁ ସବୁ ନିଷ୍ପତ୍ତି ନିଆଯାଉଛି, ତାହା ପୂର୍ବ ସରକାରରେ ଥିବା ନେତାଙ୍କୁ କଷ୍ଟ ହେଉଛି। ନିଜର ପୋଲ ଖୋଲିବା ଭୟରେ ଏଭଳି କରୁଛି ବିଜେଡି। ଏସବୁକୁ ଛାଡ଼ି ଜନମତକୁ ବିଜେଡି ସମ୍ମାନ ଦେବା ଶିଖୁ ବୋଲି କହିଛନ୍ତି ଏକାମ୍ର ବିଧାୟକ।

ଦଳ ସରକାରରେ ଥିବା ବେଳେ କ’ଣ କରୁଥିଲା : ଅମର
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୫୦ ଜଣ ବିଧାୟକଙ୍କୁ ନେଇ ଛାୟା କ୍ୟାବିନେଟ୍ ଗଠନ କରିବାର ଦୁଇଦିନ ପରେ ବିଜେଡିର ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ ଏହାକୁ ସ୍ୱାଗତ କରିବା ସହ ଦଳ ସରକାରରେ ଥିବା ବେଳେ ସମାନ ଭାବନା ପ୍ରଦର୍ଶନ କରିବା ଉଚିତ ବୋଲି କହିଛନ୍ତି। ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଏହି ପୂର୍ବତନ ମନ୍ତ୍ରୀ କହିଛନ୍ତି, ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନପ୍ରତିନିଧିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଆମକୁ ଏହାକୁ ଗ୍ରହଣ କରିବାକୁ ପଡ଼ିବ।

ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ବୁଧବାର ବିଜେଡିର ୫୦ ଜଣ ବିଧାୟକଙ୍କୁ ନେଇ 'ଛାୟା କ୍ୟାବିନେଟ୍' ଗଠନ କରି ସେମାନଙ୍କୁ ବିଜେପି ସରକାରରେ ବିଭିନ୍ନ ସରକାରୀ ବିଭାଗ ପ୍ରଦାନ କରିଛନ୍ତି। ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବା ସହ ବିଧାନସଭାରେ ସେମାନଙ୍କ ସହ ଜଡ଼ିତ ପ୍ରସଙ୍ଗ ଉଠାଇବାକୁ କୁହାଯାଇଛି। ଏହି ପଦକ୍ଷେପକୁ ସ୍ୱାଗତ କରି ଶ୍ରୀ ଶତପଥୀ ଗଣମାଧ୍ୟମକୁ କହିଛନ୍ତି ଯେ ଯଦି ବିଜେଡି କ୍ଷମତାରେ ଥିବା ବେଳେ ନିର୍ବାଚିତ ପ୍ରତିନିଧିଙ୍କ ପ୍ରତି ସମାନ ଆଭିମୁଖ୍ୟ ଗ୍ରହଣ କରିଥାନ୍ତା ତେବେ ନିକଟ ନିର୍ବାଚନରେ ବିଜେଡିକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା। ଯଦି ବିଜେଡି ଅତୀତରେ ସମାନ ଆଭିମୁଖ୍ୟ ଅବଲମ୍ବନ କରିଥାନ୍ତା, ତେବେ ଏବେ ବିରୋଧୀ ଦଳ ହୋଇନଥାନ୍ତା।

ଯଦିଓ ଦଳ ନିର୍ବାଚିତ ପ୍ରତିନିଧିମାନଙ୍କ ଗୁରୁତ୍ୱ ବୁଝିବାରେ ବିଳମ୍ବ କରିଛି, ତଥାପି ଏହା ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ ବୋଲି ନିକଟନିର୍ବାଚନରେ ଦଳୀୟ ଟିକେଟ୍‍ରୁ ବଞ୍ଚିତ ହେବା ପରେ ବିଜେଡିର ବରିଷ୍ଠ ଉପସଭାପତି ହୋଇଥିବା ଶତପଥୀ କହିଛନ୍ତି। ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ବିରୋଧୀ ଦଳ ନେତାଙ୍କ ପାଇଁ ଏକ ଭଲ ଉଦାହରଣ ବୋଲି ସେ କହିଛନ୍ତି।
ସେହିପରି ବିରୋଧୀ ଦଳ ନେତାଙ୍କ ଚିଠିର ମୁଖ୍ୟମନ୍ତ୍ରୀ ତୁରନ୍ତ ଜବାବ ଦେବା ରାଜ୍ୟରେ ଏକ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ପ୍ରତିଷ୍ଠା କରିଛି, ଯାହାକୁ ବଜାୟ ରଖିବା ଦରକାର।