Banaka lagi ritual: ବନକଲାଗି ନୀତି ବିଶୃଙ୍ଖଳା ପ୍ରସଙ୍ଗ, ଦତ୍ତମହାପାତ୍ର ନିଯୋଗଙ୍କୁ ନୋଟିସ୍ କଲା ମନ୍ଦିର ପ୍ରଶାସନ
Advertisement
Article Detail0/zeeodisha/odisha1789465

Banaka lagi ritual: ବନକଲାଗି ନୀତି ବିଶୃଙ୍ଖଳା ପ୍ରସଙ୍ଗ, ଦତ୍ତମହାପାତ୍ର ନିଯୋଗଙ୍କୁ ନୋଟିସ୍ କଲା ମନ୍ଦିର ପ୍ରଶାସନ

Banaka Lagi Ritual: ୨୦୧୮ ମସିହାରେ ପ୍ରତି ବୁଧବାର ବନକଲାଗି ନୀତି କରାଯିବ ବୋଲି ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦୀର୍ଘ ୬ ବର୍ଷ ଧରି ବନକଲାଗି ନୀତି ବୁଧବାର ହେଉଥିବା ବେଳେ ଏବେ କାହିଁକି ତାହା ଗୁରୁବାର କରିବା ନେଇ ଦତ୍ତମହାପାତ୍ର ନିଯୋଗ ଜିଦ୍ ଧରିଛି ବୋଲି ମନ୍ଦିର ପ୍ରଶାସନ ପ୍ରଶ୍ନ କରିଛି ।

ସୌ(ସୋସିଆଲ ମିଡିଆ)

Banaka Lagi Ritual: ଜୋର ଧରିଛି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି (Banaka lagi ritual) ବିଶୃଙ୍ଖଳା ପ୍ରସଙ୍ଗ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦତ୍ତମହାପାତ୍ର ନିଯୋଗଙ୍କୁ (Dutta Mohapatra Nijog) କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ଚାରିଦିନ ମଧ୍ଯରେ ଏହାର ଉତ୍ତର ରଖିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀମନ୍ଦିର ଆଇନ ୨୦ ଓ ୩୦ ଧାରାରେ ଏହି ନୋଟିସ୍ ହୋଇଛି । ୨୦୧୮ ମସିହାରେ ପ୍ରତି ବୁଧବାର ବନକଲାଗି ନୀତି କରାଯିବ ବୋଲି ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦୀର୍ଘ ୬ ବର୍ଷ ଧରି ବନକଲାଗି ନୀତି ବୁଧବାର ହେଉଥିବା ବେଳେ ଏବେ କାହିଁକି ତାହା ଗୁରୁବାର କରିବା ନେଇ ଦତ୍ତମହାପାତ୍ର ନିଯୋଗ ଜିଦ୍ ଧରିଛି ବୋଲି ମନ୍ଦିର ପ୍ରଶାସନ ପ୍ରଶ୍ନ କରିଛି ।

ସୂଚନା ଅନୁଯାୟୀ, ନୀଳାଦ୍ରୀ ବିଜେକୁ (Niladri bije) ୨୦ ଦିନ ବିତିଯାଇଥିବା ବେଳେ ଏଯାଏଁ ରତ୍ନବେଦୀରେ ବନକଲାଗି ନୀତି ହୋଇପାରିନାହିଁ । ତେବେ କେଉଁ ବାରରେ ଏହି ଗୁପ୍ତ ନୀତି କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବକଙ୍କ ମଧ୍ଯରେ ବିବାଦ ଲାଗିରହିଛି । ଫଳରେ ମଳିନ ମୁଖକୁ ଦର୍ଶନ କରି କ୍ଷୁବ୍ଧ ହୋଇ ଫେରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ନୋଟିସ୍ ପରେ ଦୁଇଦିନ ଭିତରେ ଏହାର ଜବାବ ଦିଆଯିବ ବୋଲି ଦତ୍ତମହାପାତ୍ର ନିଯୋଗ କହିଛନ୍ତି । ନିଯୋଗ ପକ୍ଷରୁ କୁହାଯାଇଛି ଯେ, ପ୍ରଶାସନର ନିର୍ଦ୍ଦେଶ ପରେ ବନକଲାଗି ନୀତି କରିବା ନେଇ ଅଭିଯୋଗ ହୋଇଛି । ତେଣୁ ସତ୍ବଲିପି ଆଧାରରେ ବନକଲାଗି ନୀତି କରାଯିବା ଦରକାର । ନହେଲେ ଏହାକୁ ସତ୍ବଲିପି ଉଚ୍ଛେଦ କରାଯାଉ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି । ଆବଶ୍ୟକ ପଡ଼ିଲେ ଆମେ କୋର୍ଟର ଦ୍ବାରସ୍ଥ ହେବୁ ବୋଲି କହିଛନ୍ତି ଦତ୍ତମହାପାତ୍ର ସେବକ ସଂଜୟ ଦତ୍ତମହାପାତ୍ର କହିଛନ୍ତି । ସେପଟେ ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି- ବୁଧବାର ଦିନ ବନକଲାଗି କରାଯିବାକୁ ୨୦୧୮ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା ।  ଦତ୍ତ ମହାପାତ୍ର ଯେଉଁ ଜିଦ୍ ଧରିଛନ୍ତି ତାହାକୁ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତୁ ସମାଧାନ କରନ୍ତୁ।

ସେପଟେ ଦିନକୁ ଦିନ ତେଜିବାରେ ଲାଗିଛି ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ପ୍ରସଙ୍ଗ । ଦିନ ବଢିବା ସହ ଭକ୍ତ ଓ ସେବାୟତଙ୍କ ମହଲରେ ବୃଦ୍ଧି ପାଇବାରେ ଲାଗିଛି ଅସନ୍ତୋଷ । ପ୍ରଶାସନ ପକ୍ଷରୁ ଏହାକୁ ଅଣଦେଖା କରାଯାଉଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ଖୋଲା ବିରୋଧ ଆରମ୍ଭ କରିଛନ୍ତି ସେବାୟତ, ଆଇନଜୀବୀ, ନେତା ଓ ବିଭିନ୍ନ ସଂଗଠନ । ସେପେଟ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ମୁହଁ ଖୋଲିଛି ଶ୍ରୀମନ୍ଦିର ଛାମୁ ଖୁଣ୍ଟିଆ ନିଯୋଗ । ଏନେଇ ଶୁକ୍ରବାର ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଛତିଶା ନିଯୋଗ ବୈଠକ ଡକାଯାଇଛି । ଅପରାହ୍ନ ୫ଟାରେ ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ଅନୁଷ୍ଠିତ ହେବ ।

Also Read- Sambalpur News: ବର୍ଷେ ଯାଏଁ ସମ୍ବଲପୁରରେ ଧାର୍ମିକ ଶୋଭାଯାତ୍ରା ଉପରେ ଲାଗିଲା କଟକଣା

ସେପଟେ, ଗୁରୁବାର ଦିନ ପୁରୀ ଓକିଲ ସଂଘ ପକ୍ଷରୁ କାର୍ଯ୍ୟକାରୀ ପରିଷଦ ବୈଠକରେ ଏନେଇ ଆଲୋଚନା ହୋଇଥିଲା । ବୈଠକ ପରେ ସଂଘ ସଂପାଦକ ତଥା ଆଇନଜୀବୀ ବିଭୂତି ଶଙ୍କର ତ୍ରିପାଠୀ କହିଛନ୍ତି ଯେ, ପୂର୍ବଭଳି ଶ୍ରୀମନ୍ଦିର ଚାରିଦ୍ବାର ଦେଇ ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରିବାକୁ ପୁରୀ ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଏହି ଦାବି ଉପସ୍ଥାପନ ପାଇଁ କାର୍ଯ୍ୟକାରୀ ପରିଷଦର ସଭାପତି, ଉପସଭାପତି, ସଂପାଦକଙ୍କ ସହ ଅନ୍ୟ ବରିଷ୍ଠ ଆଇନଜୀବୀଙ୍କୁ ନେଇ ୧୦ ଜଣିଆ କମିଟି ମଧ୍ଯ ଗଠନ କରାଯାଇଛି। ଶୁକ୍ରବାର ଦିନ ଏହି ଦାବି ନେଇ କମିଟି ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟିବା ନେଇ ନିଷ୍ପତି ହୋଇଛି। ପରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବ । ଆବଶ୍ୟକ ପଡ଼ିଲେ କମିଟି ମୁଖ୍ୟମନ୍ତ୍ରୀଙ୍କୁ ବି ସାକ୍ଷାତ କରିବ। ତଥାପି ଯଦି ଦାବି ପୂରଣ ନ ହୁଏ ତେବେ ସଂଘ ପକ୍ଷରୁ ପୁନର୍ବାର ବୈଠକ ଡକାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସଂଘ ସଂପାଦକ ମତ ଦେଇଛନ୍ତି ।