Ratha Khala Work: ଦିନକୁ ରଥ ଯାତ୍ରା ପାଖେଇ ଆସୁଥିବା ବେଳେ ରଥ ଖଳାରେ ଜୋରସୋରରେ ଜାରି ରହିଛି ରଥ ନିର୍ମାଣ।
Trending Photos
Chariot Construction Update: ମହାପ୍ରଭୁ ରଥ ନିର୍ମାଣ ନେଇ ଚଳଚଞ୍ଚଳ ରଥ ଖଳା। ତିନିରଥର ୧୪ ନାହାକା ଏବଂ ଚାରି ନାହାକା ନିର୍ମାଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ରଥ ଆମୀନ ବାକିଥିବା ତିନିରଥ ପାଇଁ ୧୪ ନାହାକା ପାଇଁ ୬ ଖଣ୍ଡ ଲେଖାଁଏ ୨୦ ଫୁଟିଆ ଧଉରା କାଠ ଏବଂ ଚାରି ନାହାକା ନିର୍ମାଣ ପାଇଁ ଦୁଇଟି ଲେଖାଁଏ ୨୦ଫୁଟିଆ ଧଉରା କାଠ ଭୋଇ ସେବକଙ୍କ ମାଧ୍ୟମରେ ଯୋଗାଇ ଥିଲେ। ତିନିରଥର ମହାରଣା ବାକି ଚଉଦ ନାହାକା ଏବଂ ବାକି ରହିଥିବା ଚାରି ନାହାକା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ତିନି ରଥର ଚାଳିରେ ଗରଗରା, ତିନି ରଥର ପାଞ୍ଚ ଦଣ୍ଡା, ଚାରି ନାହାକା, ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ, ରୂପକାର ସେବକଙ୍କ ଦ୍ଵାରା କୋଣ ଗୁଜ ଏବଂ ତିଖ ଗୁଜରେ ରୂପ ଖୋଦେଇ, ଓଝା ସେବକଙ୍କ ଦ୍ୱାରା ରଥ କଣ୍ଟା ଏବଂ ପାହୀ ମହାରଣାଙ୍କ ଦ୍ୱାରା ମହାପ୍ରଭୁଙ୍କ ସ୍ନାନଯାତ୍ରା, ଅନ୍ନବସର ଏବଂ ରଥ ଯାତ୍ରାରେ ମହାପ୍ରଭୁ ଙ୍କ ନୀତି କାନ୍ତି ପାଇଁ ଆବଶ୍ୟକୀୟ କାଠ ନିର୍ମିତ ସରଞ୍ଜାମ ନିର୍ମାଣ କରୁଛନ୍ତି ।
ବେଶ ପାଇଁ ବେଶ ଘୋଡ଼ିଆ, ଫୁଲ ପାଟ ଅସ୍ତ୍ର ରଖିବା ପାଇଁ ଚାଙ୍ଗଡ଼ା ଷ୍ଟାଣ୍ଡ, ପୂଜା ପାଇଁ କୁରୁମ ପିଢ଼ା, ବନକ ପାଇଁ ବନକ ବନକ ପେଡି, ସ୍ନାନ ଯାତ୍ରା ରେ ଠାକୁରଙ୍କ ରୁନ୍ଧା ପାଇଁ ଅଞ୍ଜନା ଖୁଣ୍ଟି ଇତ୍ୟାଦି କାର୍ଯ୍ୟ ଦୋଳବେଦୀ ଠାରେ କରୁଛନ୍ତି। ତାଳଧ୍ୱଜ ରଥର ତିନୋଟି ଚାରି ନାହାକର ଚଉପଟ କାର୍ଯ୍ୟ ଶେଷ ପରେ ସେଗୁଡିକର ଆଠ କୋଣି କାର୍ଯ୍ୟ ହେବ। ଏଥିସହ ବାକି ଥିବା ଛଅ ଗୋଟି ଚଉଦ ନାହାକର ନିର୍ମାଣ କାର୍ଯ୍ୟ ଜାରୀ ରହିଛି। ଏତତ୍ ବ୍ୟତିତ ନିର୍ମାଣ ଚାଲିଥିବା ପାଞ୍ଚ ଦଣ୍ଡାରୁ ଗୋଟିକର ଚଉପଟ କାର୍ଯ୍ୟ ଶେଷ ହୋଇଛି। ଗୋଟିଏ ଗରଗରା ର ଚଉପଟ କାର୍ଯ୍ୟ ଶେଷ ହୋଇଛି।
ଦର୍ପଦଳନ ରଥର ଦୁଇଟି ଗରଗରା ଚଉପଟ କାର୍ଯ୍ୟ ଶେଷ ହୋଇଛି ବିନ୍ଧ କାର୍ଯ୍ୟ ଚାଲିଛି। ଦୁଇଟି ଚାରି ନାହାକା ର ନିର୍ମାଣ ଶେଷ ହୋଇଥିଲା, ଆଜି ଆଉ ଗୋଟି କର ଚଉପଟ ଶେଷ ହୋଇଛି। ଆଠ କୋଣି କାମ ବାକି ଅଛି ଏଥିସହ ଦେବୀ ରଥ ର ତିନୋଟି ପାଞ୍ଚ ଦଣ୍ଡା ନିର୍ମାଣ ଶେଷ ହୋଇଛି। ନନ୍ଦିଘୋଷ ରଥର ଦୁଇଟି ଚାରି ନାହାକର ନିର୍ମାଣ ଶେଷ ହୋଇ ଅନ୍ୟ ଗୋଟିକର ଚଉପଟ ଶେଷ ହୋଇଛି। ତାହାର ଆଠ କୋଣି କାର୍ଯ୍ୟ ଜାରି ରହିଛି। ୧୪ ନାହାକା ମଧ୍ୟରୁ ଆଠଟି ଶେଷ ହୋଇଥିଲା, ଆଜି ବାକି ଛଅର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଏହା ସହ ପାଞ୍ଚ ଦଣ୍ଡାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନି ରଥର ରୂପକାର ସେବକ ତିନି ରଥର ତିଖ ଗୁଜ ଏବଂ କୋଣ ଗୁଜ ଗୁଡିକରେ ରୂପ ଖୋଦେଇ ସହ ଅଳଙ୍କାର ଏବଂ ରୂପ ପଲିସ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କରତି ସେବକ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦୀ କମାର ଶାଳରେ ଓଝା ସେବକ ତିନି ରଥର ଦଣ୍ଡା ପଡିବା ପାଇଁ ଆବଶ୍ୟକ ଅଗ ପାତେଳି ଚଉରସ କଣ୍ଟା ନିର୍ମାଣ ସାରି ସେଗୁଡିକର ମଠା କାର୍ଯ୍ୟ କରୁଛନ୍ତି।