Srimandir Administration Letter on Dress Code: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ଲାଗି ସ୍ଥିର ହୋଇଥିବା ଡ୍ରେସ କୋଡ଼ ସମ୍ପର୍କରେ ଚିଠି ଲେଖି ଅଗବତ କରାଇଛି ଶ୍ରୀମନ୍ଦିର ପ୍ରଶାସନ।
Trending Photos
Shree Jagannath Temple Administration: ଭୁବନେଶ୍ୱର: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ପିନ୍ଧିବେ କ'ଣ? ଶ୍ରୀମନ୍ଦିର ପ୍ରଶାସନର "ଶାଳୀନତା ପୂର୍ଣ୍ଣ ପୋଷାକ" ସଂଜ୍ଞା କ'ଣ? ଏଭଳି ପ୍ରଶ୍ନର ଉତ୍ତର ଆଜି ପ୍ରଶାସନ ନିଜର ଚିଠି ମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଏହା କୌଣସି ଡ୍ରେସ୍ କୋଡ୍ ନୁହେଁ କିନ୍ତୁ ବିବେକ ଅନୁସାରେ ମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ରକ୍ଷା ଲାଗି ଉଦ୍ଦିଷ୍ଟ।
ନୂଆ ବର୍ଷ ଅର୍ଥାତ୍ ଜାନୁୟାରୀ ୧ ତାରିଖରୁ ଏହି ‘ଶାଳୀନତାପୂର୍ଣ୍ଣ’ ପୋଷାକ ପିନ୍ଧିବାକୁ ପ୍ରଶାସନ ଭକ୍ତଙ୍କୁ ଅନୁରୋଧ କରିଛି। ଯଦି ତାହା ନହେବ ତେବେ ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ବାରଣ କରାଯିବ। ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ଉପସ୍ଥିତ ରହୁଥିବା ପ୍ରତିହାରୀ ସେବକ ଏବଂ ଜଗନ୍ନାଥ ମନ୍ଦିର ପୁଲିସ ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦେବେ ନାହିଁ। ନୀତି ସବ୍ କମିଟି ଏ ବାବଦରେ ନିଷ୍ପତ୍ତି ନେବା ପରେ ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଅଣ୍ଟା ଭିଡ଼ିଛି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେଚତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ସମସ୍ତ ନିଯୋଗ ଏବଂ ପୁରୀ ସହରର ହୋଟେଲ୍, ଲଜିଂ, ଗେଷ୍ଟ ହାଉସ୍ ଠାରୁ ସହଯୋଗ ମଗାଯାଇଛି। ସମସ୍ତଙ୍କୁ କୁହାଯାଇଛି ସେମାନଙ୍କ ନିକଟକୁ ଆସୁଥିବା ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ପୂର୍ବରୁ ତାଙ୍କ ପରିଧାନ କିପରି ହେବା ଉଚିତ, ତାହା ଜଣାଇ ଦେବା ଆବଶ୍ୟକ।
ଏହି ପୋଷାକ କିଭଳି ହେବ ତାହା ମଧ୍ୟ ପ୍ରଶାସନ ପକ୍ଷରୁ ଲେଖା ଯାଇଥିବା ଚିଠି ଯୋଗେ ଜଣାଇ ଦିଆଯାଇଛି। ଯେଉଁଥିରେ କୁହାଯାଇଛି ପୁରୁଷ ଭକ୍ତ ପ୍ୟାଣ୍ଟସାର୍ଟ, ଧୋତି ଆଦି ପରିଧାନ କରିପାରିବେ। ଏଥିଲାଗି ବିଧିବଦ୍ଧ ଭାବେ କୌଣସି ଡ୍ରେସ୍କୋଡ୍ ଲାଗୁ କରାଯାଇନାହିଁ। ହେଲେ ଏକ ଆଧ୍ୟାତ୍ମିକ ପରିବେଶ ରକ୍ଷା, ଭକ୍ତଙ୍କ ମନରେ ବିଭ୍ରାନ୍ତ ସୃଷ୍ଟି ନକରିବା ଲାଗି ଏପରି ପୋଷାକ ପିନ୍ଧିବାକୁ ଅନୁରୋଧ କରାଯାଇଛି। ମୁଖ୍ୟ ପ୍ରଶାସକ କହିଛନ୍ତି, "ନିୟମ ଲାଗୁ ହୋଇନାହିଁ, ବିବେକ ଅନୁସାରେ ଶାଳୀନତା ପୋଷାକ ପିନ୍ଧନ୍ତୁ। " ଅର୍ଥାତ୍ ଯଥାଶୀଘ୍ର ଏପରି ପରିଧାନକୁ ଗ୍ରହଣ କରାଯାଉ।
ପ୍ରଶ୍ନ ଉଠୁଛି ଯେ ମନ୍ଦିରକୁ ଆସୁଥିବା ମହିଳା ଭକ୍ତ କ'ଣ ପିନ୍ଧିବେ? ଶ୍ରୀମନ୍ଦିର ପ୍ରଶାସକଙ୍କ ପକ୍ଷରୁ ସବୁ ନିଯୋଗ ସହ ହୋଟେଲ ଉଦ୍ଦେଶ୍ୟରେ ଲେଖାଯାଇଥିବା ଚିଠିରେ କୁହାଯାଇଛି -ଭକ୍ତଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ହେବ। ମହିଳା ଭକ୍ତଙ୍କୁ ଶାଢ଼ୀ, ଶାଲୱାର୍ କମିଜ୍ ପିନ୍ଧିବା ଆବଶ୍ୟକ। ତାହା ମଧ୍ୟ ବିବେକ ଅନୁସାରେ ପିନ୍ଦିବାକୁ ସେମାନଙ୍କୁ କୁହାଯାଇଛି। ଏବେ ଆଉ ଏକ ପ୍ରଶ୍ନ ଉଠୁଛି ଏହି ବିବେକ ଅନୁସାରେ ଶବ୍ଦ ବିଭ୍ରାନ୍ତ ସୃଷ୍ଟି କରିବ ନାହିଁ ତ? ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଆଗରେ ପୁଣି ଏକ ବିବାଦ ସୃଷ୍ଟି କରିବନି ତ?