Cyclone Dana: ଦାନା ପାଇଁ ତତ୍ପର: ଆଲର୍ଟରେ ସରକାର, ପଢନ୍ତୁ ବାତ୍ୟ ସମ୍ପର୍କିତ ଟିକିନିକି ରିପୋର୍ଟ
Advertisement
Article Detail0/zeeodisha/odisha2484220

Cyclone Dana: ଦାନା ପାଇଁ ତତ୍ପର: ଆଲର୍ଟରେ ସରକାର, ପଢନ୍ତୁ ବାତ୍ୟ ସମ୍ପର୍କିତ ଟିକିନିକି ରିପୋର୍ଟ

ଦାନାର ମୁକାବିଲା ପାଇଁ ଆଲର୍ଟ ମୋଡ଼ରେ କାମ କରୁଛନ୍ତି ସରକାର। ଏନଡିଆରଏଫ, ଓଡ୍ରାଫ ଟିମ ସହିତ ସମ୍ବଦନଶୀଳ ଜିଲ୍ଲାରେ ସଚିବ ଓ ବିଧାୟକମାନେ। ସମ୍ବେଦନଶୀଳ ସ୍ଥାନରୁ ଚାଲିଛି ସ୍ଥାନାନ୍ତର ପ୍ରକ୍ରିୟା। ପଢନ୍ତୁ ପୂରା ରିପୋର୍ଟ

Cyclone Dana: ଦାନା ପାଇଁ ତତ୍ପର: ଆଲର୍ଟରେ ସରକାର, ପଢନ୍ତୁ ବାତ୍ୟ ସମ୍ପର୍କିତ ଟିକିନିକି ରିପୋର୍ଟ

Cyclone Dana: ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ମଙ୍ଗଳବାର ସକାଳେ ସମ୍ଭବତଃ ଅବପାତରେ ପରିଣତ ହେବ। ଏହା ପରେ ଲଘୁଚାପ ଘନିଭୂତ ହେବା ସହିତ ଘୂର୍ଣ୍ଣିଝଡ଼ରେ ପରିଣତ ହେବ। ବୁଧବାର ପୂର୍ବାହ୍ଣ ସୁଦ୍ଧା ବାତ୍ୟାରେ ପରିଣତ ହୋଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି କି ପାରାଦ୍ୱୀପ ଠାରୁ ଏହା ୬୯୦ କିମି ଦୂରରେ ରହିଛି। ଘଣ୍ଟାକୁ ୭ କିମି ବେଗରେ ଗତି କରୁଛି। ୨୩ ତାରିଖ ସକାଳେ ଏହା ବାତ୍ୟାର ରୂପ ନେବା ପରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳମୁହାଁ ହେବ। ତେବେ ବାତ୍ୟା ଦାନାର ପ୍ରଭାବ କେନ୍ଦ୍ରାପଡ଼ା ଠାରୁ ବାଲେଶ୍ୱର ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

ପାଣିପାଗ ବିଭାଗ ଅନୁଯାୟୀ ବାତ୍ୟା ଦାନା ସ୍ଥଳ ଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବ। ଅତିରୁ ଅତି ପ୍ରବଳ ବର୍ଷା ହେବ। ଏହାରି ମଧ୍ୟରେ ପବନର ବେଗ ୧୨୦ ମଧ୍ୟ ଛୁଇଁପାରେ। ୨୪ ତାରିଖ ମଧ୍ୟ ରାତ୍ରିରେ ସ୍ଥଳଭାଗ ଛୁଇଁବାକୁ ଥିବା ଏହି ବାତ୍ୟାର ପ୍ରଭାବ ବହୁ କମ ସମୟ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସ୍ଥଳଭାଗରେ ମାତ୍ର ୩୦ କିମି ପର୍ୟ୍ୟନ୍ତ ବାତ୍ୟା ତାଣ୍ଡବ ରଚିବ। ସେପଟେ ବାତ୍ୟାକୁ ନେଇ ରାଜ୍ୟ ସରକାର ବେଶ ଆଲର୍ଟ ମୋଡରେ କାର୍ଯ୍ୟ କରୁଛନ୍ତି। ଏନଡିଆରଏଫ ଟିମକୁ ସରକାର ସଜାଗ ରଖିଥିବା ବେଳେ ବିପଦ ରହିଥିବା ଜିଲ୍ଲା ଗୁଡ଼ିକ ଦାୟିତ୍ୱରେ ସଚିବ ଓ ନେତା ମନ୍ତ୍ରୀ ରହିଛନ୍ତି। 

୯ ଜିଲ୍ଲା ଦାୟିତ୍ୱରେ ନେତା, ସଚିବ
ସମ୍ଭାବ୍ୟ ବାତ୍ୟା ଦାନା ୧୧ଟି ଜିଲ୍ଲା ଉପରେ ପଡିବ ବୋଲି ଆକଳନ କରାଯାଇଛି। ତେବେ ବିଶେଷ କରି ୯ଟି ଜିଲ୍ଲା ଅଧିକ ମାତ୍ରା ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ଏହି ୯ଟି ଜିଲ୍ଲା ଉପରେ ବାତ୍ୟା ପରିଚାଳନା ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୯ ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏଙା ସହିତ ୬ଟି ଜିଲ୍ଲା ଉପରେ ସଚିବଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାରର ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ଓ ଆଇଏଏସଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। 

ବାତ୍ୟାରେ ସର୍ବାଧିକ ଜଗତସିଂହପୁର ଜିଲ୍ଲା ପ୍ରଭାବିତ ହେବ ବୋଲି କୁହାଯାଇଛି। ଜଗତସିଂହପୁର ଜିଲ୍ଲାରେ ପ୍ରଶାସନ ବାତ୍ୟା ପରିଚାଳନା ଉପରେ ନଜର ରଖିବେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। ସେହିପରି ବାଲେଶ୍ୱର ଜିଲ୍ଲାରେ ରବିନାରାୟଣ ନାଏକ, ଭଦ୍ରକ ପାଇଁ କ୍ରୀଡା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ମୟୂରଭଞ୍ଜ ପାଇଁ କୃଷ୍ଣଚନ୍ଦ୍ର ମହାପାତ୍ର, ପୁରୀ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କେନ୍ଦ୍ରାପଡ଼ା ପାଇଁ କନକବର୍ଦ୍ଧନ ସିଂହଦେଓ, ଗଞ୍ଜାମ ପାଇଁ ବିଭୂତି ଭୂଷଣ ଜେନା, କେନ୍ଦୁଝର ପାଇଁ କୃଷ୍ଣଚନ୍ଦ୍ର ପାତ୍ର, କଟକ ପାଇଁ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ଲଘୁ ଖଣିଜ ନିର୍ଦ୍ଦେଶକ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ, ବଲୱନ୍ତ ସିଂହଙ୍କୁ ପୁରୀ, ବିନୀତ ଭରଦ୍ୱାଜଙ୍କୁ ମୟୂରଭଞ୍ଜ, ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡ଼ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି। 

ନିୟୋଜିତ ହେବେ ୮୦ ପ୍ଲାଟୁନ ଫୋର୍ସ
ସାମୁଦ୍ରିକ ବାତ୍ୟା ଦାନାର ମୁକାବିଲା କରିବା ପାଇଁ ରାଜ୍ୟ ପୋଲିସ ବିଭାଗ ମଧ୍ୟ ଆଲର୍ଟରେ ରହିଛି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ଉପକୂଳ ଜିଲ୍ଲାର ସମସ୍ତ ଏସପିମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ପୁରଣ କରିବାରେ ପୋଲିସ ପକ୍ଷରୁ ଯେଭଳି କୌଣସି ଅବହେଳା ନ ହୁଏ ସେଥିପ୍ରତି ନଜର ରଖିବାକୁ ଡିଜିପି ଖୁରାନିଆ ଏସପି ମାନଙ୍କୁ ସତର୍କ କରିଛନ୍ତି। ଶ୍ରୀ ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବାତ୍ୟା ସମୟରେ ଓ ପରେ ପୋଲିସର ଭୂମିକା ସମ୍ପର୍କରେ ଅବଗତ କରାଯାଇଛି। ଉପକୂଳ ଜିଲ୍ଲା ଗୁଡିକର ସମସ୍ତ ଥାନା ଓ ଫାଣ୍ଡି ପୋଲିସ ସହିତ ଅଲଗା ୮୦ ପ୍ଲାଟୁନ ପୋଲିସ ବଳ ମୁତୟନ ହେବେ। ସମସ୍ତ ବାତ୍ୟା ଆଶ୍ରୟସ୍ଥରେ ପୋଲିସ ଫୋର୍ସ ଜଗି ରହିବେ। ବିଶେଷ କରି ମହିଳା ଓ ଶିଶୁଙ୍କ ସୁରକ୍ଷା ଦିଗରେ ପୋଲିସ ସଜାଗ ରହିବ। ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସହ ସମ୍ପୂର୍ଣ୍ଣ ଯୋଗାଯୋଗ ରଖି ପୋଲିସ ଫୋର୍ସ କାମ କରିବେ ବୋଲି ବୈଠକରେ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। 

୩ ଦିନ ବନ୍ଦ ରହିବ ଶିକ୍ଷାନୁଷ୍ଠାନ
ବାତ୍ୟା ଦାନା ପାଇଁ ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୪ଟି ଜିଲ୍ଲାରେ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ବନ୍ଦ ରହିବ। ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ମଙ୍ଗଳବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ସମ୍ଭାବ୍ୟ ବାତ୍ୟା ଦାନା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ନୟାଗଡ଼, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ବନ୍ଦ ରହିବ। ଏନେଇ ସମ୍ପୃକ୍ତ ଜିଲ୍ଲାର ଥିବା ସମସ୍ତ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ଚେୟାରମ୍ୟାନମାନଙ୍କୁ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ: ଜଗିଛନ୍ତି ୨୦ ଏନଡିଆରଏଫ, ୫୧ ଓଡ୍ରାଫ ଟିମ; ୧୭୮ ଅଗ୍ନିଶମ ଦଳ ମଧ୍ୟ କରିବେ ସାହାଯ୍ୟ
ସମ୍ଭାବ୍ୟ ବାତ୍ୟା ଦାନା ମୁକାବିଲା ଦିଗରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଘନ ଘନ ବୈଠକ ସହିତ ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲାଗୁଡ଼ିକୁ ପଠାଇ ଦିଆଯାଇଛି। ସେଠାରେ ବିପଦସଂକୁଳ ଅଞ୍ଚଳକୁ ଚିହ୍ନଟ କରାଯାଇଛି। ସେଠାରେ ବସବାସ କରୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଆବଶ୍ୟକ ପଡିଲେ ସମ୍ବେଦନଶୀଳ ଅଞ୍ଚଳରୁ ଉଦ୍ଧାର କରି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଅଶ୍ରୟସ୍ଥଳୀ/ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନକୁ ଚିହ୍ନଟ ହୋଇଛି। ସ୍ଥାନାନ୍ତର କାର୍ଯ୍ୟପାଇଁ ୨୦ଟି ଏନଡିଆରଏଫ ନିୟୋଜିତ ହୋଇଛନ୍ତି।୫୧ ଟି ଓଡ୍ରାଫ ଓ ୧୭୮ଟି ଅଗ୍ନିଶମ ଟିମ ମୁତୟନ କରିବାକୁ ଆକ୍ସନ ପ୍ରାନ ପ୍ରସ୍ତୁତ ହୋଇଛି। ୪୦ଟି ଅଗ୍ନିଶମ ଟିମ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ହୋଇଛନ୍ତି। ଭଟିଣ୍ଡାରୁ ୫ଟି ଏନଡିଆରଏଫ ଟିମ ଭୁବନେଶ୍ୱରରେ ହେଲିକପ୍ଟର ଯୋଗେ ପହଞ୍ଚିଛନ୍ତି।  

ତେବେ ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଆଲର୍ଟ ମୋଡ଼ରେ କାର୍ଯ୍ୟ କରୁଛନ୍ତି। ଜନସାଧାରଣ ମଧ୍ୟ ବେଶ ସଚେତନ ରହିଛନ୍ତି। ରାଜ୍ୟବାସୀଙ୍କ ବାତ୍ୟା ମୁକାବିଲା ନୁଆ ନୁହେଁ। ପୂର୍ବରୁ ଅନେକ ଝଡ଼ବାତ୍ୟା ରାଜ୍ୟ ଦେଖି ସାରିଛି। କିନ୍ତୁ ରାଜ୍ୟରେ ନୂଆ କରି କ୍ଷମତାକୁ ଆସିଥିବା ବିଜେପି ସରକାର ପାଇଁ ଏହି ବାତ୍ୟା ପରିଚାଳନା ସମ୍ପୂର୍ଣ୍ଣ ନୂଆ। ପୂର୍ବରୁ ବିଜେଡି ସରକାର ବାତ୍ୟା ପରିଚାଳନା କ୍ଷେତ୍ରରେ ବେଶ ସଫଳତାର ଫର୍ଦ୍ଦ ଯୋଡ଼ି ପାରିଥିଲା। ତେବେ ବିଜେପି ବାତ୍ୟା ପରିଚାଳନା କ୍ଷେତ୍ରରେ କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।