୩ଦିନ ମଧ୍ୟରେ ରାଜ୍ୟରୁ ସରିଯିବ ଆଳୁ- ରାଜ୍ୟ ବ୍ୟବସାୟୀ ମହାସଂଘ
Advertisement
Article Detail0/zeeodisha/odisha2391213

୩ଦିନ ମଧ୍ୟରେ ରାଜ୍ୟରୁ ସରିଯିବ ଆଳୁ- ରାଜ୍ୟ ବ୍ୟବସାୟୀ ମହାସଂଘ

ବର୍ତ୍ତମାନ ଗୋଦାମରେ ଯେତିକି ଆଳୁ ରହିଛି ତାହା ୩ଦିନ ଚଳିଯିବ କିନ୍ତୁ କାଲି ଭିତରେ ଯଦି କୌଣସି ଉପାୟ ନବାହାରେ ତେବେ ପରିସ୍ଥିତି ଅଣାୟତ ହୋଇପାରେ । ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀ ଏବଂ ଶୀତଳଭଣ୍ଡାର ମାଲିକ ଧର୍ମଘଟ କରିବାର ଆଶଙ୍କା ରହିଛି ବୋଲି ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

୩ଦିନ ମଧ୍ୟରେ ରାଜ୍ୟରୁ ସରିଯିବ ଆଳୁ- ରାଜ୍ୟ ବ୍ୟବସାୟୀ ମହାସଂଘ

ଭୁବନେଶ୍ୱର: ରୋଷେଇ ଘରେ ପୁଣି ପଡିପାରେ ଆଳୁ ଚଡକ । ଆସନ୍ତା କାଲି ସୁଦ୍ଧା ଆଳୁ ସମସ୍ୟାର ସମାଧାନ ନହେଲେ ରାଜ୍ୟରୁ ୩ ଦିନ ମଧ୍ୟରେ ଆଳୁ ସରିଯିବ ବୋଲି କହିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା । ବର୍ତ୍ତମାନ ଗୋଦାମରେ ଯେତିକି ଆଳୁ ରହିଛି ତାହା ୩ଦିନ ଚଳିଯିବ କିନ୍ତୁ କାଲି ଭିତରେ ଯଦି କୌଣସି ଉପାୟ ନବାହାରେ ତେବେ ପରିସ୍ଥିତି ଅଣାୟତ ହୋଇପାରେ । ପଶ୍ଚିମବଙ୍ଗର ଆଳୁ ବ୍ୟବସାୟୀ ଏବଂ ଶୀତଳଭଣ୍ଡାର ମାଲିକ ଧର୍ମଘଟ କରିବାର ଆଶଙ୍କା ରହିଛି ବୋଲି ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ରାଜ୍ୟରେ ଆଳୁ ଅଭାବ ଦୂର କରିବାକୁ ଗତକାଲି ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯିବ ବୋଲି କୁହାଯାଇଥିଲା । ଟ୍ରେନ୍ ମାଧ୍ୟମରେ ଉତ୍ତରପ୍ରଦେଶରୁ ରାଜ୍ୟକୁ ଆଳୁ ଆସିବ ବୋଲି କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ୨ଟି ଟ୍ରେନ୍‌ରେ ଆଳୁ ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି ଏବଂ ଏ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ୱୀନ ବୈଷ୍ଣବଙ୍କ ସହ ଯୋଗାଯୋଗ ଚାଲିଛି ବୋଲି ମନ୍ତ୍ରୀ କହିଥିଲେ ।

ଆପଣଙ୍କୁ କହିରଖୁଛୁ ଯେ, ପଞ୍ଚିମବଙ୍ଗରୁ ଆଳୁ ଗାଡି ରାଜ୍ୟକୁ ପ୍ରବେଶ ନକରିବା କାରଣରୁ ରାଜ୍ୟରେ ଆଳୁ ସଙ୍କଟ ଦେଖା ଦେଇଥିଲା । ଏପରି କି କିଛି ଦିନ ତଳେ ଆଳୁ କେଜି ପିଛା ୫୦ରୁ ୬୦ ଟଙ୍କା ଦରରେ ବିକ୍ରି କରାଯାଉଥିଲା । ସରକାର ଘଟଣାରେ ହସ୍ତକ୍ଷେପ କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋଚନା କରିଥିଲେ । ଆଳୁ ଦର ସମ୍ପର୍କରେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କେବଳ ସେତିକି ନୁହେଁ ପଶ୍ଚିମବଙ୍ଗ ସରକାରଙ୍କ ମନମାନୀ ପରେ ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ସରକାର ପଦକ୍ଷେପ ନେବା ସହ ରାଜ୍ୟକୁ ଉତ୍ତରପ୍ରଦେଶରୁ ଆଳୁ ଆସିଥିଲା । ଦରକାର ପଡିଲେ ପଞ୍ଜାବରୁ ଆଳୁ ଅଣାଯିବ ବୋଲି ଖାଦ୍ୟ ସୁରକ୍ଷା ତଥା ଯୋଗାଣ ମନ୍ତ୍ରୀ ଗଣମାଧ୍ୟମରେ ବିବୃତ୍ତି ଦେଇଥିଲେ । ପଶ୍ଚିମବଙ୍ଗରୁ ଆଳୁ ନଆସିବା ପରେ ଆଳୁକୁ ନେଇ ରାଜନୀତି ସରଗରମ ହୋଇଥିଲା । ବିରୋଧିଦଳର ନେତା ଓ କର୍ମୀ ରାଜ୍ୟ ସରକାରଙ୍କ ମୁଣ୍ଡରେ ଦୋଷ ଲଦିଥିଲେ । ଓଡ଼ିଶା ରାସ୍ତା ଦେଇ ଆନ୍ଧ୍ରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଟ୍ରକ ଗୁଡିକୁ ମଧ୍ୟ କିଛି ଲୋକ ଅଟକ ରଖିଥିବା କଥା ସାମ୍ନାକୁ ଆସିଥିଲା । ପଶ୍ଚିମବଙ୍ଗ ପୋଲିସ ଓଡ଼ିଶାକୁ ଆଳୁ ଗାଡି ନଛାଡିବା କାରଣରୁ କିଛି ଆଳୁ ଗାଡି ଅନ୍ୟ ରାସ୍ତା ଦେଇ ରାଜ୍ୟକୁ ପ୍ରବେଶ କରିବା ପରେ ସୀମା ନିକଟବର୍ତ୍ତୀ ରାସ୍ତା ଗୁଡିକରେ ଯାଞ୍ଚ କରିବା ପାଇଁ ପଶ୍ଚମବଙ୍ଗ ପୋଲିସ ପକ୍ଷରୁ ସିସିଟିଭି ଲଗାଯାଇଥିଲା । ଅନ୍ୟପଟେ ଉତ୍ତରପ୍ରଦେଶରୁ ଆଳୁ ଆସିବା ପରେ ଗାଡି ଭଡା ଅଧିକ ପଡୁଥିବାରୁ ତାହା ମଧ୍ୟ ଆଳୁଦରକୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଥିଲା । ଯୋଗାଣ ବିଭାଗ ପକ୍ଷରୁ ଅନେକ ସ୍ଥାନରେ ରେଡ୍ କରାଯାଇ ଆଳୁ ଚଢାଦରରେ ନ ବିକିବାକୁ ପରାମର୍ଶ ଦିଆଯାଇଥିଲା ।

ତେବେ ସବୁ ପରେ ବର୍ତ୍ତମାନ ମଧ୍ୟ ରାଜ୍ୟରୁ ଆଳୁ ଅଭାବ ସମ୍ପୂର୍ଣ୍ଣ ଦୂର ହେବା ପରିବର୍ତ୍ତେ ଅଧିକ ସଙ୍କଟ ଦେଖାଦେଇଛି । ଏବେ ମଧ୍ୟ ରାଜ୍ୟର ଉପାନ୍ତ ଅଞ୍ଚଳ ଗୁଡିକରେ ଆଳୁ କେଜି ପିଛା ୪୦ରୁ ଅଧିକ ଟଙ୍କାରେ ବିକ୍ରି କରାଯାଉଥିବା ସୂଚନା ରହିଛି । ଖୁବଶୀଘ୍ର ଆଳୁ ଦର ନିୟନ୍ତ୍ରଣ ହେବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି ।

Also Read- BSNL SIM Card: ଗ୍ରାହକମାନେ ଧ୍ୟାନ ଦିଅନ୍ତୁ, ଅନଲାଇନ ନିଅନ୍ତୁ ନୂଆ 4G ସିମ୍, ଜାଣନ୍ତୁ କିପରି

Also Read- ରାକ୍ଷୀ ପୂର୍ଣ୍ଣମୀରେ ବଡ଼ ଅଘଟଣ, ମାନ ରଖିବା ବଦଳରେ ଜୀବନ ନେଲା ଭାଈ !