ଦାରା ସିଂ ମାମଲାରେ ଅଗଷ୍ଟ ୨୭ରେ ହେବ ପରବର୍ତ୍ତୀ ଶୁଣାଣି
Advertisement
Article Detail0/zeeodisha/odisha2388907

ଦାରା ସିଂ ମାମଲାରେ ଅଗଷ୍ଟ ୨୭ରେ ହେବ ପରବର୍ତ୍ତୀ ଶୁଣାଣି

ନ୍ୟାୟାଳୟରେ ଦାରା ସିଂଙ୍କ ଆବେଦନରେ ଦର୍ଶାଯାଇଛି ଯେ, ମୟୁରଭଞ୍ଜ ଜିଲା ମହୁଲଡିହା ଥାନାର ଦୁଇଟି ମାମଲା ଏବଂ ସିବିଆଇର ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେ ଆଜୀବନ ଜେଲଦଣ୍ଡ ଭୋଗୁଛନ୍ତି ।

ଦାରା ସିଂ ମାମଲାରେ ଅଗଷ୍ଟ ୨୭ରେ ହେବ ପରବର୍ତ୍ତୀ ଶୁଣାଣି

କେନ୍ଦୁଝର: ବହୁଚର୍ଚ୍ଚିତ ଅଷ୍ଟ୍ରେଲିଆନ ମିଶନାରୀ ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ରବୀନ୍ଦ୍ର କୁମାର ପାଲ ଓରଫ ଦାରା ସିଂଙ୍କ ଜେଲରୁ ମୁକ୍ତି ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଓଡ଼ିଶା ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭କୁ ଧାର୍ଯ୍ୟ ହୋଇଛି । ନ୍ୟାୟାଳୟରେ ଦାରା ସିଂଙ୍କ ଆବେଦନରେ ଦର୍ଶାଯାଇଛି ଯେ, ମୟୁରଭଞ୍ଜ ଜିଲା ମହୁଲଡିହା ଥାନାର ଦୁଇଟି ମାମଲା ଏବଂ ସିବିଆଇର ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେ ଆଜୀବନ ଜେଲଦଣ୍ଡ ଭୋଗୁଛନ୍ତି । କାରାଗାରରୁ ମୁକ୍ତି ପାଇଁ ପ୍ରଚଳିତ ୧୪ ବର୍ଷ ଜେଲ ଅବଧି କାଳ ନିମୟମାବଳୀଠାରୁ ଖୁବ୍ ଅଧିକ ଅର୍ଥାତ ୨୪ ବର୍ଷ ୫ ମାସ ସଜା କାଳକୁ ଏପର୍ଯ୍ୟନ୍ତ ଭୋଗୁଛନ୍ତି । ସେ ଭୋଗିଥ‌ିବା ଜେଲଦଣ୍ଡ ସମୟକାଳକୁ ବିଚାର କରି ମୁକ୍ତି କରିବାକୁ ଆବେଦନରେ ନ୍ୟାୟାଳୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ରାଜୀବ ଗାନ୍ଧୀ ହତ୍ୟାକାରୀଙ୍କୁ ମିଳିଥିବା ଆଶ୍ବସ୍ତି ଓ ମଦନ ବନାମ ଉତ୍ତର ପ୍ରଦେଶ ସରକାର ମାମଲାରେ ଦୋଷୀଙ୍କୁ ମିଳିଥିବା ମୃତ୍ୟୁଦଣ୍ଡ ଏବଂ ପରେ ଆଜୀବନ ଦଣ୍ଡାଦେଶରେ ପରିବର୍ତ୍ତନ ତଥା କାରାଗାରରୁ ମୁକ୍ତି ଭଳି ଦାରା ସିଂ ନିଜ ପାଇଁ ସମାନ ଢ଼ଙ୍ଗରେ ଜେଲରୁ ମୁକ୍ତି ଚାହିଁଛନ୍ତି।

ଆଜୀବନ ସଜା କାଟୁଥୁବା ବନ୍ଦୀଙ୍କୁ ଜେଲରୁ ମୁକ୍ତ ଲାଗି ଓଡ଼ିଶା ସରକାର ୧୯ ଅପ୍ରେଲ ୨୦୨୨ ରେ ରିଜୋଲ୍ୟୁସନ ଆଣିଛନ୍ତି । ଏଥିରେ ୧୪ ବର୍ଷରୁ ଅଧିକ କାଳ ସଜା କାଟି ଥ‌ିବା ବନ୍ଦୀଙ୍କୁ ମୁକ୍ତି ଦେବା ଲାଗି ବ୍ୟବସ୍ଥା ରହିଛି । ଏଥିଲାଗି ଷ୍ଟେଟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଚୂଡ଼ାନ୍ତ ନିଷ୍ପତି ନେଇପାରିବେ । ପୂର୍ବରୁ ଷ୍ଟେଟ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଗତ ୧୨ ଜାନୁଆରୀ ୨୦୨୨ରେ ଦାରାଙ୍କ ଆବେଦନକୁ ନାକଚ କରିଥିଲେ। ୧୯ ଅପ୍ରେଲ ୨୦୨୨ରେ ରିଜୋଲ୍ୟୁସନ ଅନୁଯାୟୀ ତାଙ୍କୁ ମୁକ୍ତି ଲାଗି ୨୨ ସେପ୍ଟେମ୍ବର ୨୦୨୨ରେ ସୁପାରିସ ହୋଇଥିଲେ ମଧ୍ୟ ସରକାରୀ ସ୍ତରରେ ଅଦ୍ୟାବଧି କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ଦର୍ଶାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭କୁ ଧାର୍ଯ୍ୟ ହୋଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଦାରା ସିଂ ଗତ ଜୁଲାଇ ୯ , ୨୦୨୪ ରେ ସର୍ବୋଚ୍ଚ ନ୍ୟାୟଳୟରେ ଏକ ରିଟ ପିଟିସନ ଦାଖଲ କରିଥିଲେ । ସେ ୨୪ ବର୍ଷରୁ ଉର୍ଦ୍ଧ ସଜା କାଟି ସାରିଲେଣି ଏଣୁ ତାଙ୍କୁ ରାଜ କ୍ଷମା ଦିଆଯାଉ ବୋଲି ପିଟିସନରେ ଉଲ୍ଲେଖ ଥିଲା । ଯାହାକୁ ନେଇ ସର୍ବୋଚ ନ୍ୟାୟଳୟ ଜଷ୍ଟିସ ହୃଷିକେଶ ରାୟ ଓ ଜଷ୍ଟିସ S.V.N ଭଟ୍ଟିଙ୍କୁ ନିଇ ଏକ ବେଞ୍ଚ ଗଠନ କରି ଏହାର ଶୁଣାଣି କରି ସରକାରଙ୍କୁ ନୋଟିସ ଇସୁ କରିଥିଲେ । ଏହାକୁ ନେଇ ଦାରା ସେନାର ମୁଖ୍ୟ ଦିଲ୍ଲି ନିବାସୀ ମୁକେଶ ଜେନା କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟି ତାଙ୍କର ସହଯୋଗ କାମନା କରିଥିଲେ । କାରଣ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୭କୁ ଧାର୍ଯ୍ୟ ହୋଇଛି।

୨୧ ଜାନୁଆରୀ ୧୯୯୯ ରେ ଦାରା ସିଂ ଓ ତାଙ୍କର କିଛି ସମର୍ଥକ ମନୋହରପୁର ଠାରେ ଅଷ୍ଟ୍ରେଲିଆନ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ପୁଅ ଫିଲିପ ଓ ତିମୋତିଙ୍କୁ ଗାଡି ଭିତରେ ଶୋଇଥିବା ସମୟରେ ଜିଅନ୍ତା ପୋଡି ହତ୍ୟା କରିଥିଲେ । ଏହି ଘଟଣାରେ ୩୧ ଜାନୁଆରୀ ୨୦୦୦ ରେ ଦାରା ସିଂ ଗିରଫ ହୋଇଥିଲେ । ଯାହାକୁ ନେଇ ସେପ୍ଟେମ୍ବର ୨୦୦୩ ରେ ଭୁବନେଶ୍ୱର ସିବିଆଇ କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ । ଏହା ପରେ ମେ ୨୦୦୫ ରେ ଓଡ଼ିଶା ହାଇକୋର୍ଟ ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡକୁ ପରିବର୍ତ୍ତନ କରିଥିଲେ।

Also Read- IAF Recruitment 2024: ଦଶମ ପାସ୍ କରିଥିଲେ ଖୁସି ଖବର, ବାୟୁସେନାରେ ନିଯୁକ୍ତି ସୁଯୋଗ

Also Read- Grah Gochar 2024: ୯ ମାସ ପର୍ଯ୍ୟନ୍ତ ୭ଟି ରାଶିର ବ୍ୟକ୍ତି ରହିବେ ଲାଭରେ